ସତର ଟଙ୍କାର ସଉଦା
ସତର ଟଙ୍କାର ସଉଦା
କରୋନାକାଳରେ ପାର୍ବଣର ଭିଡକୁ ଆଖି ଆଗରେ ରଖି ସହରରେ ଖୁବ୍ କଟକଣା । କମ୍ ସମୟ ପାଇଁ ରାସନ୍ ଦୋକାନ ଖୋଲା ରହୁଥାଏ । ସେଇ ସମୟ ଭିତରେ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ କିଣି ନେବାକୁ ପଡିବ । ଦୋକାନ ସାମ୍ନାରେ ବନ୍ଧା ଯାଇ ଥିବା ବାଉଁଶ ବାରିକେଟ୍ ଆଗରେ ଲମ୍ବା ଧାଡ଼ି । ପାଳି ଆସିବା ଯାଏଁ ଦୀର୍ଘ ସମୟର ଅପେକ୍ଷା । ମୁଣ୍ଡ ଉପରେ ଅସହ୍ୟ ଟାଣ ଖରା । ତରବର ହୋଇ ଯେ' ଯାହାର ସାମଗ୍ରୀ ବରାଦ କରିବାରେ ବ୍ଯସ୍ତ । ସେଇ ଭିଡ଼ ଭିତରେ ଛିଣ୍ଡା ମାସ୍କ ଖଣ୍ଡିଏ ମୁହଁରେ ଢାଙ୍କି ସତୁରୀ ବର୍ଷର ଜଣେ ବୃଦ୍ଧା ଅନେକ ସମୟ ଧରି ଛିଡା ହୋଇ ଥାଆନ୍ତି । ଅସହ୍ୟ ଗରମ ସାଙ୍ଗକୁ ଉପରକୁ ନାକ ଅଗର ତୂଣ୍ଡି , ଅଣନିଃଶ୍ବାସୀ ହୋଇ ପଡୁଥାଆନ୍ତି ସେ । ବୃଦ୍ଧାଙ୍କ ଏଇ ହାଲତ୍ ଦେଖି ସାମ୍ନାରେ ଥିବା ଜଣେ ବାବୁ ତା'ଙ୍କୁ କୌଣସି ଏକ ଛାଇ ଜାଗାରେ ବସିବାକୁ କହି ତାଙ୍କ ପାଇଁ ରାସନ ସାମଗ୍ରୀ କିଣିଦେବେ ବୋଲି ପ୍ରତିଶ୍ରୁତି ଦେଲେ । ବାବୁଙ୍କ ହାତକୁ ଚିଠା , ବ୍ଯାଗ୍ ଓ ଟଙ୍କା ବଢାଇଦେଇ ବୃଦ୍ଧା ଜଣଙ୍କ ଦୂରରେ ଥିବା ଗୋଟିଏ ଗଛ ଛାଇରେ ବସିଗଲେ ବିଶ୍ରାମ ମୁଦ୍ରାରେ ।
କିଛି ସମୟ ପରେ ବାବୁଜଣଙ୍କ ବ୍ଯାଗ୍ ଭରି ସଉଦା ଆଉ କିଛି ଟଙ୍କା ଧରାଇଦେଲେ ବୃଦ୍ଧାଙ୍କୁ । ବୃଦ୍ଧା ଜଣକ କୃତଜ୍ଞତା ପୂର୍ବକ ମଙ୍ଗଳ କାମନା କରୁଥିଲେ ସେଇ ବାବୁଙ୍କ ଅପଲକ୍ଷ୍ଯରେ ।
ବାବୁ ଜଣଙ୍କ ବୃଦ୍ଧାଙ୍କ ନିକଟରୁ ଫେରିଆସି ଦ୍ବିତୀୟ ଚିଠା ମୁତାବକ ଜିନିଷ ଦେବାକୁ ଦୋକାନୀକୁ କହିଲେ ।
ଦୋକାନୀ କହିଲେ- ବାବୁ ! ଏ ଚିଠାଟି କେବେ ବି ଆପଣଙ୍କ ହୋଇ ନ ପାରେ , ନିଶ୍ଚୟ ସେଇ ବୁଢୀ ମାଉସୀଙ୍କ ହୋଇଥିବ । ପ୍ରଥମେ ପ୍ଯାକ୍ କରିଥିବା ଜିନିଷସବୁ ଆପଣଙ୍କର, ଯାହା ଭୁଲ୍ ରେ ଆପଣ ସେଇ ବୁଢୀକୁ ଦେଇ ଆସିଛନ୍ତି ।
- ସେକଥା ମୁଁ ଜାଣିଛି । ଏଇ ଚିଠା ମୁତାବକ ଜିନିଷ ହିଁ ଆଜି ମୋ ପାଇଁ ପ୍ଯାକ୍ କରିଦିଅ , ମୁଁ ବି ଗୋଟିଏ ଦିନ ପରଖିବି ଏତିକି ସଉଦାରେ କେମିତି ଚଳି ହୋଇଯାଏ । ବାବୁ ଜଣଙ୍କ ଦୋକାନୀଙ୍କୁ ନମ୍ର ହୋଇ କହିଲେ ।
ଦୋକାନୀ ଗୋଟିଏ ଅଧକେଜିଆ ପଲିଥିନ୍ ରେ ଜିନିଷସବୁ ଭର୍ତ୍ତି କରି, ବାବୁଙ୍କ ହାତକୁ ବଢାଉ ବଢାଉ ଗଦ୍ ଗଦ୍ ହୋଇ ହିସାବ କରି କହିଲେ- ଆଳୁ ଦୁଇଟଙ୍କା , ପିଆଜ ଦୁଇଟଙ୍କା, ଶୁଖିଲା ଲଙ୍କା ତିନିଟଙ୍କା, ଅନ୍ଯାନ୍ଯ ଦଶଟଙ୍କା, ମୋଟ ସତର ଟଙ୍କା ।
ସେଇ ବୃଦ୍ଧା ଦେଇଥିବା ସତରଟି ଟଙ୍କିକିଆ ମୁଦ୍ରା ଦୋକାନୀଙ୍କ ହାତକୁ ବଢେଇଦେଇ ବାବୁଜଣଙ୍କ ଚାଲିଗଲେ ।
ସେଠାରେ ଥିବା ସମସ୍ତେ ସେଇ ବାବୁଙ୍କୁ ପଛରୁ ଅପଲକ ନୟନରେ ଚାହିଁ ରହି ବିଚାର କରୁଥା'ନ୍ତି - "" ଏମିତି କରୋନା କାଳରେ ଆର୍ଥିକ ଅବସ୍ଥା ଭୁଷୁଡି ପଡିଥିବା ସେଇ ବୁଢୀ ମାଉସୀଙ୍କ ପରି ଅସହାୟ ମାନଙ୍କ ପାଇଁ ଆମ ସଉଦା ସେମାନଙ୍କୁ ଦେଇ ଅନ୍ତତଃ ଗୋଟିଏ ଦିନ ଆମେ ବି ଏମିତି ସତରଟଙ୍କାର ସଉଦା କିଣି ଥରୁଟେ ସେମାନଙ୍କ କଷ୍ଟକୁ ଅନୁଭବିବାକୁ ଚେଷ୍ଟା କରିବା ।
