STORYMIRROR

Bimala Sankar Dash

Inspirational

4  

Bimala Sankar Dash

Inspirational

ମାଟିର ବାସ୍ନା

ମାଟିର ବାସ୍ନା

4 mins
405


       ଜଣେ ବୃଦ୍ଧ ଉଦାସ ହୋଇ କୋର୍ଟ ପିଣ୍ଢା ଉପରେ ଆଉଜି ହୋଇ ବସି ଥାଆନ୍ତି । ଓକିଲ ବାବୁ ତାଙ୍କୁ ବୁଝାଇବା ଭଙ୍ଗୀରେ କହୁଥାଆନ୍ତି  ଆପଣଙ୍କୁ ତ ସେମାନେ ପାଞ୍ଚଲକ୍ଷଟଙ୍କା ଦେବା ପାଇଁ ରାଜି ଅଛନ୍ତି, ଅଯଥାରେ ଏ କୋର୍ଟ କଚେରୀରେ ନ ପଡି ଆପୋଷ ବୁଝାମଣା କରି ନେବା ହିଁ ଉଚିତ୍ । 


ଟିକିଏ ଉତକ୍ଷିପ୍ତ ହୋଇ ପଡିଲେ ବୃଦ୍ଧ ଜଣକ । ଆପଣଙ୍କ ମନେ ରଖିବା ଉଚିତ୍ ମୁଁ ଟଙ୍କା ଲୋଭରେ କେସ୍ ଫାଇଲ୍ କରିନି । ତା ହେଲେ ଏତେ ଦିନ ହେଲା ତୁଛାଟାରେ କୋର୍ଟରେ ଚକ୍କର୍ କାଟୁଛନ୍ତି କାହିଁକି । 


-ସେ କଥା ତୁମେ ବୁଝି ପାରିବନି ଓକିଲବାବୁ । ଏବେ ଆପଣ ଯୁବକ । ଆପଣ ସିନା ଅନେକ ପାଠ ପଢିଛନ୍ତି , କିନ୍ତୁ ପ୍ରକୃତକଥା ବୁଝିବାର ବୟସ ଏ ଯାଏଁ ଆପଣଙ୍କ ଆସିନି । ମୁଁ ତ କେସ୍ ଲଢିବାକୁ ରାଜି । ଏମିତିରେ ମୁଁ ନ୍ଯାୟ ପାଇଁ ଲଢୁଛି । ଆପଣଙ୍କ ଫିଜ୍ ଦେବାରେ ତ ହେଳା କରିନି , ଆପଣ ପଛକୁ ହଟିବାର କୌଣସି କାରଣ ନାହିଁ । ଆପଣ ଯେମିତି ହେଉ କେସ୍ ଜିତାଇ ଦିଅନ୍ତୁ । 


ଓକିଲବାବୁ ସାମାନ୍ୟ ବିରକ୍ତ ପ୍ରକାଶ କରି କହିଲେ- କି ଅଜବ ଲୋକ ଆପଣ । ସହରରେ ଆପଣଙ୍କ ତ ଏତେ ବଡଘର । ସେଇ ଛୋଟିଆ ମାଟିଘର ପାଇଁ ଏତେ ଜିଦ୍ କାହିଁକି । ବିକିଲେ ଟଙ୍କା ପଚାଶ ହଜାର ହେବ କି ନାହିଁ ସନ୍ଦେହ, ତଥାପି ସେଇ ବାବୁ ପାଞ୍ଚଲକ୍ଷ ଟଙ୍କା ଦେବାକୁ ରାଜି ଅଛନ୍ତି । ସେଇ ଘରଟି ଆପଣଙ୍କ ଯେତେ ଜରୁରୀ ନୁହଁ ସେ ବାବୁଙ୍କ ପାଇଁ ତାହାଠୁ ଅଧିକ ଜରୁରୀ । ସେଇ ମାଟିଘର ପଛକୁ ଲାଗି ସେ ବାବୁଙ୍କ ବିରାଟ ପ୍ଲଟ୍ । କିନ୍ତୁ ମୁଖ୍ୟ ରାସ୍ତାକୁ ସଂଯୋଗ ହୋଇ ପାରୁ ନ ଥିବାରୁ ସେ ଜାଗାକୁ ସେ ବିକ୍ରି କରି ପାରୁ ନାହାନ୍ତି । ଆପଣଙ୍କ ସେଇ ମାଟିଘରଟି ସେଇଠୁ ହଟିଗଲେ ଜାଗାଟି ମୁଖ୍ୟ ସଡକକୁ ଯୋଡି ହୋଇ ପାରିବ । ସେ ତ ସ୍ବୀକାର କରୁଛନ୍ତି ଜାଣିଶୁଣି ମିଛ ଡକ୍ଯୁମେଣ୍ଟରେ ଘରଟିକୁ ସେ ନିଜ କବ୍ଜାରେ ନେଇଛନ୍ତି । ଏଥିପାଇଁ ସମସ୍ତ କ୍ଷତିପୂରଣ ଦେବାକୁ ବି ରାଜି ଅଛନ୍ତି । ଏଣୁ ଅଯଥାରେ ସମୟ ଓ ଅର୍ଥ ବର୍ବାଦ ନଷ୍ଟ ନ କରି ସେ ବାବୁଙ୍କ ସହ ବୁଝାମଣା କରିନେବା ଉଚିତ୍ । ଓକିଲ ବାବୁ ସତେ ଯେମିତି ସେଇ ବୃଦ୍ଧ ଜଣଙ୍କୁ ରାଜି କରାଇ ଦେବାରେ ସ୍ଥିର ନିଶ୍ଚିତ ଥିଲେ । 


-ଆପଣ ମୋ ଓକିଲ ନା ସେଇ ବାବୁଙ୍କ । ଜଣା ପଡୁଛି କେସ୍ ବୁଝାମଣା ପାଇଁ ଆପଣ ବି ସେ ବାବୁଙ୍କ ପାଖରେ ବିକ୍ରି ହୋଇ ପଡିଛନ୍ତି । ଯଦି ଆପଣ କେସ୍ ଲଢିବାକୁ ରାଜି ନୁହନ୍ତି ସିଧା ସିଧା ମନା କରି ଦିଅନ୍ତୁ , ମୁଁ ଅନ୍ୟ କେଉଁ ଓକିଲଙ୍କ ସହାୟତା ଲୋଡିବି । 

       ବୃଦ୍ଧ ଜଣକ କ୍ରୋଧାନ୍ବିତ ହୋଇ କହିଲେ । ଟିକିଏ ଶାନ୍ତ ଗଳାରେ ଓକିଲବାବୁ ପୁଣି କହିଲେ- ମଉସା ! ମୋତେ ଆପଣ ଭୁଲ୍ ବୁଝନ୍ତୁନି । ମୁଁ ଜାଣିଛି ଏ ଆଇନ ବ୍ଯବସ୍ଥା ବଡ ଜଟିଳ । ଦୁଇପଟ ଧାର । କୋର୍ଟ ରାୟ ପ୍ରକାଶ ପାଇଲା ବେଳକୁ ଅନେକ ସମୟ ଲାଗିଯିବ । ଆପଣ ଜଣେ ବୃଦ୍ଧ ଓ ଅସୁସ୍ଥ ମଧ୍ୟ । ପ୍ରକୃତରେ ମୁଁ ଚାହୁଁ ନ ଥିଲି ଏ ବୟସରେ କୋର୍ଟ କଚେରୀରେ ପଡି ଆପଣ ଏମିତି ହନ୍ତସନ୍ତ ହୁଅନ୍ତୁ । ଶୀଘ୍ର ଫଇସଲା ପାଇଁ ପ୍ରତିପକ୍ଷଙ୍କୁ ପାଞ୍ଚଲକ୍ଷରେ ରାଜି କରାଇ ଦେଇଛି । ଯଦି କହିବେ ଆଉ ଲକ୍ଷେ କି ଦେଢ଼ ଲକ୍ଷ ବଢାଇ ଦେବାକୁ ବି କହିବି । ଏହାଛଡା ସେ ମାଟିଘରଟିର ମୂଲ୍ୟ ବା କେତେ ହେବ ଯେ ? 


ଓକିଲବାବୁଙ୍କ ମୁହଁରୁ ଶେଷ ବାକ୍ଯଟି ଶୁଣିବା ପରେ ବୃଦ୍ଧ ଜଣକ ଚିହିଁକି ଉଠି କହିଲେ- କ'ଣ କହିଲ ଓକିଲ ବାବୁ , ସେ ମାଟି ଘରଟିର ମୂଲ୍ୟ କେତେ ହେବ ! ଦେଇ ପାରିବ ସେ ଘରଟିର ମୂଲ୍ୟ କହି ପାରିବ ସେଇ ମାଟିର ମୂଲ୍ୟ । 

ସେ ମାଟି ଅନ୍ୟଙ୍କ ପାଇଁ ସାଧାରଣ ମାଟି ହୋଇପାରେ , ହେଲେ ମୋ ପାଇଁ ମୋ ପିତୃପୁରୁଷଙ୍କ ସାଇତା ସ୍ମୃତି, ଅମୂଲ୍ୟ ମୋତି । ସେଇ ମାଟିଘରଟି ମୋ ଷଠୀଘର । ସେଇଠି ବଢିଛି, ସେଇଠି ମଣିଷ ହୋଇଛି । ମାଟି ଚଟାଣରେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖିଛି, ମୋ ପିଲାଦିନର ଦୁଃଖ କଷ୍ଟର ଲୁହକୁ ସେଇ ମାଟି ଶୋଷି ନେଇଛି । ଏକଥା ସତ୍ୟ ଯେ ଆଜି ଏ ସହରର କୋଣ ଅନୁକୋଣରେ ଅନେକ ମାଟି କିଣିଛି, ଅନେକ ଘର ତୋଳିଛି । କିନ୍ତୁ ସେଇ ମାଟିର ବାସ୍ନା କେଉଁଠି ବି ପାଇ ପାରିଲିନି । କେବେ ବି ସେଇ ପୁରୁଣା ମାଟିଘରଟିକୁ ବିକ୍ରି କରିବାରେ କି ସେଇ ଘରଟିକୁ ନବୀକରଣ କରିବାରେ କେବେ ବି ମନ ବଳାଇନି । ସେ ମାଟିର ବାସ୍ନା ହିଁ ମୋ ଜୀବନର ପ୍ରାଣ ପ୍ରାଚୁର୍ଯ୍ଯ । ଆଜି ବି ଯେବେ ଏତେ ବଡ କଂକ୍ରିଟଭରା ସହରରେ ନିଜକୁ ଏକାକୀ ଅନୁଭବ କରେ କ୍ଷଣିକେ ସେଇ ମାଟିଘରଟିରେ ବସିଯାଏ । ସେଇ ମାଟିର ମହକରେ ତନୁମନ ରୋମାଞ୍ଚିତ ହୋଇଉଠେ । ତାଜା ହୋଇଯାଏ ବାପା ମାଆଙ୍କ ସହ କଟାଇଥିବା ପିଲାଦିନ । ମନେ ପକାଇ ଦିଏ ପିଲାଦିନର ଅଭାବ ଅନାଟନର ଅଲିଖିତ କାହାଣୀ । କାନ୍ଥରେ ଲେସା ହୋଇଥିବା ମାଟିରେ ମାଆଙ୍କ ହାତସ୍ପର୍ଶ, ପବନରେ ଛାତ ଉଡି ନ ଯାଉ ବୋଲି ଚାଳରେ ଝୁଲୁଥିବା ବାପାଙ୍କ ଲୁହା ତାରର ମଜବୁତ୍ ଗଣ୍ଠି ଏମିତି ଅନେକ, ଏବେବି ମୋତେ ଫେରାଇ ନିଏ ମୋ ପିଲାଦିନକୁ । ମୁଁ ପାଠ ପଢି ମଣିଷ ହେବି ବୋଲି ଦିନେ ଏ ଘରଟି ବନ୍ଧା ପଡିଥିଲା । ଆଉ ଏ ଘରଟିକୁ ମୁକୁଳାଇ ଆଣିବା ପାଇଁ ବାପା ଲହୁ ଲୁହ ଏକ କରି ଦେଇଥିଲେ । ଏସବୁ କଥା ମନେ ପକାଇଦେଲେ ସମସ୍ତ ଦର୍ପ ଓ ଅହଙ୍କାରକୁ ଭୁଲି ଯାଇ ମୁଁ ମାଟିକୁ ଫେରିଆସେ । ଏବେ କୁହନ୍ତୁ ଓକିଲ ବାବୁ ଏ ମାଟିକୁ ମୁଁ କେତେ ଟଙ୍କାରେ ବିକ୍ରି କରି ପାରିବି ବାଷ୍ପଋଦ୍ଧ ହୋଇ ପଡୁଥିଲେ ସେ । ଆଖିରୁ ଧାର ଧାର ଅଶ୍ରୁ ବହି ଯାଉଥାଏ ତାଙ୍କର । 

ଓକିଲବାବୁ ମଧ୍ୟ ବୃଦ୍ଧଙ୍କ ଉଛୁଳା ଆବେଗରେ ଭାସି ଯାଉଥିଲେ ।  ଓକିଲ ବାବୁଙ୍କ ହାତକୁ ଆନୁଷଙ୍ଗିକ ଦସ୍ତାବିଜ୍ ସବୁ ଦେଇ ବୃଦ୍ଧ ଜଣକ ଦାମ୍ଭିକତାର ସହ କହୁଥିଲେ- 

ଏ କେସ୍ ସେ ଲଢିବେ ଆଉ ନିଶ୍ଚୟ ଜିତିବେ , ଟଙ୍କା ପାଇଁ ନୁହଁ କେବଳ ସେଇ ମାଟିର ଦଲକାଏ ବାସ୍ନା ପାଇଁ ।


Rate this content
Log in

Similar oriya story from Inspirational