STORYMIRROR

Bimala Sankar Dash

Inspirational

3  

Bimala Sankar Dash

Inspirational

ସୌନ୍ଦର୍ଯ୍ୟତମ ଛବି

ସୌନ୍ଦର୍ଯ୍ୟତମ ଛବି

2 mins
374


ଜଣେ ଚିତ୍ରକରଙ୍କୁ ଗୋଟିଏ ଚିତ୍ରକଳା ପ୍ରଦର୍ଶନ ମହୋତ୍ସବରେ ଉପସ୍ଥାପିତ କରିବାର ଥାଏ ନିଜର ସବୁଠୁ ସୌନ୍ଦର୍ଯ୍ୟମୟ ସୃଷ୍ଟିକୁ । ଜୀବନରେ ଅଜସ୍ର ଚିତ୍ର ସେ ଆଙ୍କିଛନ୍ତି । ସକାଳର ଦୃଶ୍ଯ, ସଂଜର ଦୃଶ୍ୟ, ନଦୀ, ପାହାଡ, ପକ୍ଷୀ , ଜଙ୍ଗଲ , ସୂର୍ଯ୍ୟ, ଚନ୍ଦ୍ର ଅନେକ କିଛି ସେ ଆଙ୍କିଛନ୍ତି । ସୃଷ୍ଟିର ସମସ୍ତ ସୌନ୍ଦର୍ଯ୍ୟ ଛାଏଁ ଛାଏଁ ଧରାଦେଇଛି ତାଙ୍କ ରଙ୍ଗ ତୂଳୀରେ । ସଚରାଚରା ପ୍ରକୃତି ଜୀବନ୍ତ ହୋଇ କଥା କହିଛି ତାଙ୍କ କାନଭାସ୍ ରେ । 

ତଥାପି ଚିତ୍ରକର ପରସିପାରୁ ନଥିଲେ ନିଜର ସୌନ୍ଦର୍ଯ୍ୟ ତମ ସୃଷ୍ଟିକୁ । 


ସଭାଗୃହ କରତାଳିରେ ପ୍ରକମ୍ପିତ ହେଉଥାଏ । ଉପସ୍ଥିତ ଦର୍ଶକ ଖୁବ୍ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି ସେଇ ସ୍ବନାମଧନ୍ଯ ଚିତ୍ରକରଙ୍କ ସବୁଠାରୁ ସୌନ୍ଦର୍ଯ୍ୟତମ ଚିତ୍ରକୁ ।

ଅତି ସନ୍ତର୍ପଣରେ ସଭାମଞ୍ଚ ଉପରକୁ ଉଠୁଥିଲେ ଚିତ୍ରକର ଜଣକ । ହାତରେ ଧରିଥିବା ଖାଲି କାନଭାସ୍ କୁ ଦେଖାଇ ସେ ସମ୍ବୋଧନ କରିବାକୁ ଲାଗିଲେ- ଆପଣମାନେ ହୁଏତ ଭାବୁଥିବେ ମୁଁ ଜଣେ ସର୍ବଶ୍ରେଷ୍ଠ ଚିତ୍ରକର । ମୁଁ ମଧ୍ୟ ନିଜକୁ ଜଣେ ସଫଳ ଚିତ୍ରକର ରୂପେ ଖୁବ୍ ଗର୍ବ ଅନୁଭବ କରୁଥିଲି । କିନ୍ତୁ ଆଜି ଯେତେବେଳେ ସବୁଠୁ ସୌନ୍ଦର୍ଯ୍ୟମୟ ସୃଷ୍ଟିକୁ ଆପଣ ମାନଙ୍କ ଆଗରେ ପ୍ରଦର୍ଶିତ କରିବାର ଥାଏ, ସେତେବେଳେ ମୁଁ ଅନୁଭବ କଲି ମୋ ଅସାମର୍ଥ୍ଯତାକୁ । ବାସ୍ତବରେ ଏ ଯାଏଁ ମୋ ତୂଳୀରୁ ସେଇ ସୌନ୍ଦର୍ଯ୍ୟ ମୟ ଛବିକୁ ଅଙ୍କାଯାଇ ପାରି ନାହିଁ । 


ସମସ୍ତ ଦର୍ଶକ ଖୁବ୍ ଆଶ୍ଚର୍ଯ୍ୟ ଚକିତ ହୋଇ ପଡୁଥିଲେ ଚିତ୍ରକରଙ୍କ ଏଇ କଥାରେ । ବିଶ୍ୱାସ କରିପାରୁ ନ ଥିଲେ ବିଶ୍ବର ସର୍ବଶ୍ରେଷ୍ଠ ଚିତ୍ରକର ନିଜର ସବୁଠୁ ସୌନ୍ଦର୍ଯ୍ୟ ମୟ ଛବିକୁ ପ୍ରଦର୍ଶିତ କରିବାରେ କେତେ ଅସହାୟ ହୋଇ ପଡୁଛନ୍ତି ।  

 

ନିସ୍ତବ୍ଧ ଓ ନିର୍ବାକ ଦର୍ଶକଙ୍କୁ ଅତି ବିନମ୍ରତାର ସହ ନିବେଦନ କରି ଚିତ୍ରକର ଜଣକ କହିଲେ - ଯଦିଓ ସେ ଅନାୟାସରେ ନିଜ ତୂଳୀରେ ଅନେକ ସୌନ୍ଦର୍ଯ୍ୟମୟ ଛବି ସେ ଆଙ୍କି ପାରିଛନ୍ତି , ତଥାପି ସବୁଠୁ ସୁନ୍ଦର ଛବିକୁ ଆଙ୍କିବା ସେ ଭୂଲି ଯାଇଛନ୍ତି । ଯଦି ଅନୁମତି ଦିଅନ୍ତେ ଅଳ୍ପ ସମୟରେ ସମସ୍ତଙ୍କ ସମ୍ମୁଖରେ ସେଇ ସୌନ୍ଦର୍ଯ୍ୟତମ ଛବିକୁ ଆଙ୍କି ଦେଖାଇ ଦିଅନ୍ତେ ସମସ୍ତଙ୍କ ଆଗରେ । 


ସମସ୍ତଙ୍କ ଉତ୍କଣ୍ଠା ଆହୁରି ବଢିବାକୁ ଲାଗିଲେ । ସମସ୍ତେ ଅପେକ୍ଷାକଲେ ନିଜ ପ୍ରିୟ ଚିତ୍ରକରଙ୍କ ହାତରୁ ସୌନ୍ଦର୍ଯ୍ୟ ତମ ଚିତ୍ରକୁ ଦେଖିବା ପାଇଁ । 


ଖୁବ୍ କମ୍ ସମୟ ଭିତରେ ନିଜର ଚିତ୍ରକୁ ଦର୍ଶକଙ୍କ ସାମ୍ନାରେ ସେ ପରସିଦେଲେ । 


ଦୀର୍ଘ ସମୟ ସୌନ୍ଦର୍ଯ୍ୟ ପିପାସୁ ଦର୍ଶକଙ୍କ କରତାଳିରେ ଗୁଂଜରିତ ହେବାକୁ ଲାଗିଲା ସମଗ୍ର ପ୍ରଦର୍ଶନ ପଡିଆ । 


ଚିତ୍ରକର ଜଣକ କହିଲେ - ଏହାଠୁ ବଳି ସୌନ୍ଦର୍ଯ୍ୟମୟ ଛବି ଦୁନିଆରେ ଆଉ କିଛି ହୋଇ ନ ପାରେ । ଯେଉଁ ଛବିକୁ ଆଙ୍କିବାରେ ସେ ଖୁବ୍ ବିଳମ୍ବ କରିଦେଇଛନ୍ତି । 


ଦର୍ଶକଙ୍କ ସମ୍ମତି ସୂଚକ କରତାଳି ବୟାନ କରିଦେଉଥାଏ ସତରେ ଚିତ୍ରକର ଦୁନିଆର ସବୁଠୁ ସୌନ୍ଦର୍ଯ୍ୟମୟ ଛବିକୁ ହିଁ ଆଙ୍କି ପାରିଛନ୍ତି । 


କାନଭାସ୍ ରେ ଚିତ୍ରିତ ହୋଇଥାଏ- ସ୍ତନଭାଙ୍ଗି ନିଜ ଛୁଆକୁ କ୍ଷୀର ପିଆଉଥିବା ଜଣେ ମାଆର ଆତ୍ମତୃପ୍ତି ବୋଳା ଚାହାଣୀ । 



Rate this content
Log in

Similar oriya story from Inspirational