କୁନି କୁଣିଆ
କୁନି କୁଣିଆ
ଭୋ ଭୋ ଭୋ ଭୋ
ଅନେକ ସମୟ ଧରି ପୋଷାକୁକୁରଟି ନିର୍ଦ୍ଦିଷ୍ଟ ବୁଦା ମୂଳକୁ ଅନାଇ ଦୀର୍ଘ ସମୟ ଧରି ଭୂକୁଥାଏ ।
ସପରିବାର ନିଜ ପିଲାମାନଙ୍କ ସହ ସଂଧ୍ୟା ଭ୍ରମଣରେ ବାହାରିଥିବା ବିମଳ ବାବୁ ବିଚଳିତ ହୋଇପଡି ରାସ୍ତାକଡର ବୁଦା ଆଡକୁ ଲକ୍ଷ୍ଯ କଲେ । ଦେଖିଲେ ସୁନ୍ଦର ଶିଶୁକନ୍ଯାଟି ଅଚେତ ହୋଇ ପରିତ୍ଯକ୍ତ ଭାବେ ପଡିରହିଛି । ହୁଏତ କିଏ ଝିଅ ଅଲୋଡା ବୋଲି ବା କେହି ଜଣେ କୁଆଁରୀ ମାଆ ନିଜର କଳଙ୍କ ଲୁଚାଇବାକୁ ଯାଇ ପିଲାଟିକୁ ବସ୍ତୁଭଳି ଫିଙ୍ଗି ଦେଇ ଥାଇ ପାରେ ।
ବିମଳଙ୍କ ଲୋମ ଟାଙ୍କୁରି ଉଠିଲା । ଚାରି ଆଡକୁ ଇତଃସ୍ତତଃ ହୋଇ ଅନାଇଲେ । ଦୂର ଦୂର ଯାଏ କେହି ଦେଖା ଯାଉ ନାହାନ୍ତି । ସଂଧ୍ୟା ମାଡି ଆସୁଛି । ଅନ୍ଧାର ତା' ରାଜୁତି ଆରମ୍ଭ କରିଦେବ ଅଳ୍ପ ସମୟ ଭିତରେ । ବ୍ଯସ୍ତ ବିବ୍ରତ ହୋଇ ପଡି ସ୍ବୟଂ ଚାଳିତ ଭାବେ ପିଲାଟିକୁ କୋଳେଇ ନେଲେ ବିମଳ । ନାଡୀ ଦେଖି ଜାଣି ପାରିଲେ , ଶିଶୁଟିର ଜୀବନ ଅଛି । ଛାତି ଓ ପିଠିକୁ ଆସ୍ତେ କରି ଚାପ ଦେବାରୁ ଶିଶୁଟି କେଁ.. କରି କାନ୍ଦି ଉଠିବାରୁ ବିମଳବାବୁ ଖୁବ୍ ଆଶ୍ବସ୍ତି ଅନୁଭବ କଲେ ।
ଶିଶୁଟିର କାନ୍ଦ ଶୁଣି ପତ୍ନୀ ରୀନା ପାଖକୁ ଆସି ସବୁ ଦେଖିଲେ । ତାଗିଦ୍ କରି କହିଲେ କାହାର ନାହିଁ କାହା ଛୁଆଟେ ଏମିତି କୋଳେଇ ନେଉଛ ଯେ...ଛାଡ ତାକୁ !! ଥୋଇ ଦିଅ ସେଇଠି । ପିଲାଟିକୁ ତା' ନିଜ ଭାଗ୍ଯରେ ଛାଡିଦେବା ଉଚିତ୍ । ଅଯଥା ଗୋଳମାଳିଆ ସ୍ଥିତି ଆଗକୁ ଉପୁଜି ପାରେ ।
ବିମଳ କହିଲେ ତମେ ଜଣେ ମାଆ ହୋଇ ଏତେ ନିଷ୍ଠୁର କେମିତି ହୋଇ ପାରୁଛ । ପଛକଥା ଟିକିଏ ମନେ ପକାଅ । ଯେତେବେଳେ ଆମର କୌଣସି ସନ୍ତାନ ହେଉ ନଥିଲା ପିଲାଟେ ପାଇଁ କେତେ ଯେ ଡହଳବିକଳ ଆମେ ନ ହୋଇଛେ । କେତେ ଦିଅ ଦେବତାଙ୍କୁ ଡାକିଛେ ପିଲାଟିଏ ପାଇଁ । ଦୁହେଁ ଆଖିରୁ ଲୁହ ଝରାଇ ସନ୍ତାନଟିଏ ପାଇଁ କେତେ ବ୍ଯାକୁଳ ହୋଇଛେ । ଶେଷରେ ଉପାୟଶୂନ୍ୟ ଭାବେ ଅନାଥାଶ୍ରମରୁ ଗୋଟିଏ ପିଲାକୁ ତୋଳି ଆଣି ଝିଅ କରିଛେ । ଆଉ ମାଆ ବାପାର ସକଳ ସ୍ନେହ ସରାଗ ତା'ଉପରେ ଅଜାଡି ଦେଇଛେ ।
ଏମିତିକା ପିଲାମାନେ ହିଁ ଆମପରି ଭାଗ୍ଯହୀନ ଦମ୍ପତ୍ତି ମାନଙ୍କ ଖାଲି ପଡିଥିବା କୋଳକୁ ପୂରଣ କରି ସନ୍ତାପିତ ପ୍ରାଣରେ ଅସୁମାରୀ ଖୁସି ଆଣି ଦିଅନ୍ତି । ବାପା ମାଆ ହେବାର ଗୌରବଟିକକ ପ୍ରଦାନ କରିଥାଆନ୍ତି । ବାଞ୍ଝ ପଣିଆରୁ ମୁକୁଳାଇ ପାରନ୍ତି କୁନି କୁଣିଆ ସାଜି । କାହାପାଇଁ ଅଲୋଡା ଅଦରକାରୀ ହୋଇଥିଲେ ହେଁ ଆମପରି ମଣିଷ ମାନଙ୍କ ଜୀବନରେ ଉଆଁସ ରାତିର ଜହ୍ନ ଟିଏ ହୋଇ ଆଲୁଅ ବୁଣନ୍ତି !
-ବାସ୍ ଆଉ କିଛି କୁହନି
ରୀନାଙ୍କ ଆଖିର ନିଭୃତ କୋଣରୁ ଲୁହ ଜକେଇ ଆସିଲା ବିମଳବାବୁଙ୍କ କଥା ଶୁଣି ।
ଶୋକାତୁର ହୋଇ କହିଲେ ତୁମେ ମୋ ଆଖି ଖୋଲି ଦେଇଛ । ଆମେ ଏଇ ଶିଶୁଟିକୁ ଅନାଥାଶ୍ରମର ଜିମାରେ ଛାଡି ଦେଇ ଆସିବା । ପାରିବା ଯଦି ଏ ଶିଶୁଟିର ଉପଯୁକ୍ତ ଯତ୍ନ ପାଇଁ କିଛି ଅର୍ଥ ବି ଦାନ କରିଦେଇ ଯିବା ।
କ'ଣ ନିଷ୍ପତ୍ତି ନେବେ, ଆଗକୁ କ'ଣ କରିବେ ବିମଳ ବାବୁ ଚିନ୍ତାରେ ପଡିଯାଉଥିଲା ବେଳେ ବେଲୁନ୍ ଉଡାଇ ଥେଇ ଥେଇ ନାଚି କୁନି ଝିଅଟେ ପାଖକୁ ଆସି କହିଲା - ବାବା ! ବାବା ! ଏ କୁନି ପିଲାଟି ଆମର ଆମେ ତା'କୁ ଘରକୁ ନେଇ ଯିବା । ତା' ସହ ମୁଁ ଖେଳିବି , ହସିବି । ମୋର ଭଉଣୀ ଟିଏ ମିଳିଯିବ , କେତେ ବଢିଆ ହେବ । ଏଣିକି ଏ ଆମ ଘର ନୂଆ କୁଣିଆ ପାଲଟିଯିବ ।
ପିଲାଟିର ନିଷ୍କପଟ ଅଥଚ ସରଳ ମୁହଁକୁ ଚାହିଁଦେବା ପରେ ବିମଳବାବୁ ନିଷ୍ପତ୍ତି ନେବାରେ ସହଜ ଅନୁଭବ କଲେ । ପ୍ରଶ୍ନୀଳ ଇଙ୍ଗିତରେ ରୀନାଙ୍କ ଆଡକୁ ଚାହିଁଲେ ଅପଲକ ନୟନରେ
ରୀନା ବି ଭାବବିହ୍ବଳ ହୋଇ ଗଦ୍ ଗଦ୍ ହୋଇ ପଡି କହିଲେ- ଏମିତି ବଲ ବଲ କରି ଚାହୁଁଛ କ'ଣ ଯେ ? ଆମ ପୁଅ କ'ଣ କହିଲା କିଛି ମୁଣ୍ଡରେ ପଶୁଛି କି ନାହିଁ । ତା'ର ଗୋଟିଏ ଭାଇ ଦରକାର । କିଛି ନ ଭାବି କୋଳେଇ ନିଅ ପିଲାଟିକୁ
ବିମଳଙ୍କ ମୁଖମଣ୍ଡଳରେ ପ୍ରସନ୍ନତାର ରେଖାଟିଏ ଆଙ୍କି ହୋଇଗଲା କ୍ଷଣିକରେ । ଅତି ସ୍ନେହସନ୍ତର୍ପଣରେ ପିଲାଟିକୁ ଅନ୍ଧାରୁଆ ନିଷ୍ଠୁର ବୁଦାମୂଳରୁ ଉଠାଇ ଆଣି ଖୁସିରେ ବିଭୋର ହେବାକୁ ଲାଗିଲେ
ସ୍ବତଃ ତାଙ୍କ କଣ୍ଠରୁ ଭାସି ଆସିଲା
ହଁ ଆଜି ଠୁ ଏ ଆମଘରର କୁନି କୁଣିଆ
ସମସ୍ତେ ତାଳ ଦେଇ ଏକା ସ୍ବରରେ କହିଲେ
ହଁ ଏ ଆମ କୁନି କୁଣିଆ !
ପୋଷାକୁକୁରଟି ବି ଭୁକିବା ବନ୍ଦ କରି ଦେଇ କୁଁ କୁଁ କରି ତା' ଲାଙ୍ଗୁଡ ହଲେଇବାକୁ ଲାଗିଲା । ସେ ବି ରାଜି ଏଇ ନିଷ୍ପତ୍ତିରେ -ଜଣେଇବାକୁ ଚାହୁଁଥିଲା ବୋଧହୁଏ ।
ବିମଳ ବାବୁଙ୍କୁ ସୂର୍ଯ୍ଯାସ୍ତ ପରେ ବି ଆକାଶଟି ଖୁବ୍ ଫର୍ଚ୍ଚା ହିଁ ଦିଶୁଥିଲା, ଠିକ୍ କୁନି କୁଣିଆର ଗୋରା ତକତକ ସତେଜ୍ ମୁହଁ ପରି ।
