ସ୍ମିତା ଓ ଲାଇବ୍ରେରୀ
ସ୍ମିତା ଓ ଲାଇବ୍ରେରୀ
ତୁମେ ଯେତେବେଳେ ଶୋଇପଡ ,ମୁଁ ସେତେବେଳେ ଚେଇଁ ରୁହେ ତୁମରି ଭିତରେ ,ଅଣନିଶ୍ୱାସୀ ହୁଏନି ତୁମର ଆବଦ୍ଧ ଶୃଙ୍ଖଳ ଭିତରେ । ସ୍ବପ୍ନ ଦେଖିବାର ଅଧିକାର କେବଳ ତୁମର ଥାଏ ।ମୁଁ ତ ଉଜାଗର ରହି ତୁମର ଆଖିର କବାଟକୁ ଖୋଲିବାର ନିଷ୍ଫଳ ପ୍ରୟାସ କରୁଥାଏ ।ତୁମେ କଣ ଉଠ ନା .... ଜମା ନୁହେଁ...ସବୁବେଳେ ଅଳସେଇ ,କୁଟା ଖଣ୍ଡକ ଦି ଖଣ୍ଡ କରିବନି , ଚହଲା ପାଣି କୁ ଗୋଡ ଦିଅ କି ନ ଦିଅ କିନ୍ତୁ ସନ୍ତରଣରେ ସବୁବେଳେ ଆନ୍ତର୍ଜାତିକ ସ୍ତରରେ ସ୍ଵର୍ଣ୍ଣପଦକ ଜିଣୁଥିବା ଭାରତର ସୁନାନାକୀ ଝିଅ। ତୁମେ ଖଣ୍ଡ ଖଣ୍ଡ କରିପାର ଅସଂଖ୍ୟ ହୃଦୟକୁ ଦଳି ଚକଟି ଦେଇପାର ଅହଙ୍କାରୀର ଦମ୍ଭକୁ ,ମାଡି ମକଚି ଦେଇପାର ଅୟୁତ ଅୟୁତ ପ୍ରେମ ଆବେଦନକୁ, ନିଷ୍ଠୁର ଭାବେ ଶୁଣେଇପାର ନାସ୍ତି ବଚନ ସମସ୍ତଙ୍କୁ କିନ୍ତୁ ସେଦିନ .....
କିନ୍ତୁ ସେଦିନ କିଛି ଭିନ୍ନ ଥିଲା ବସନ୍ତର ଆଗମନ ଓ କୋଇଲିର କୁହୁତାନ ଅତି ନିକଟରୁ ଶୁଭୁଥିଲା ,ସଙ୍ଗୀତର ପଞ୍ଚମ ସ୍ୱର ଆଜି କେମିତି ଟିକେ ବେଶୀ ମିଠା ଲାଗୁଥିଲା ଶୁଣିବା ପାଇଁ କାରଣ ତୁମେ ଜାଣ । ତଥାବି ରେଭେନ୍ସା କଲେଜର ସେଇ ନାରୀ ନେତ୍ରୀ ,ଦାମ୍ଭିକା ,ଦୃଢମନା ଝିଅ ହେବାର ଅହଂକାରକୁ ଜାବୁଡି ଧରିଥିଲ । ଉଦ୍ଭିଦବିଜ୍ଞାନରେ ସର୍ବୋଚ୍ଚ ମାର୍କ ରଖୁଥିବାରୁ ତଥା ମୋର ପସନ୍ଦ ପାଇଁ ମୁଁ ଉଦ୍ଭିଦବିଜ୍ଞାନ ସମ୍ମାନ ବାଛିଲି B.SC ର ପ୍ରଥମ ବର୍ଷ ଆଉ ତୁମ ସହିତ ବି ପ୍ରଥମ ବର୍ଷରେ ପ୍ରଥମ ଦେଖା ହେଇଥିଲା । ଗାର୍ଡେନ ପାଖରେ ମୁଁ ଚିହ୍ନିନଥାଏ ତୁମକୁ । ତୁମେ ବି କାହାକୁ ଚିହ୍ନନି କି ଜାଣିବାର ଆବଶ୍ୟକତା ବି ତୁମ ପାଖରେ ନଥାଏ । କିନ୍ତୁ ସେଦିନ ଆବଶ୍ୟକ ପଡିଥିଲା ଏ ଅନାମଧେୟ ପାଖରେ ....ଆଉ ତୁମେ ଠକ୍ ଠକ୍ କରିଥିଲ ମୋ କବାଟ ଆଉ ମୋ କବାଟ ତୁମର ସ୍ପର୍ଶ ପାଇଁ ନିଜକୁ ଧନ୍ୟ ମଣୁଥିବ ନିଶ୍ଚୟ । ମୁଁ ମୋ ଟେବୁଲ ପାଖରେ ଥିବା Money Plant କୁ ଦେଖୁଥାଏ । ତୁମର ସେ କବାଟର ମୃଦୁ ଆଘାତ ମୋ ଉପରେ କିଛି ପ୍ରଭାବ ପକୋଉନଥାଏ ।ଆଉ ତା ପରେ ତୁମେ ଏକ ଶକ୍ତ ଆଘାତ ଦେଲ ମୋ କବାଟକୁ ବିଚରା ଚିତ୍କାର କରିଠିଲା । ଆଉ ମୁଁ ବି କିଏ ବୋଲି ପ୍ରଶ୍ନ କଲି । ତୁମେ କିନ୍ତୁ ନିରବ ସବୁଦିନ ପରି କିନ୍ତୁ ଏଇ ନୀରବତା ତୁମ ମୁହଁ କୁ ଖୁବ୍ ମାନେ ,ନିଷ୍ପାପ ହରିଣୀ ଟିଏ ଭଳି ଦେଖାଯାଅ । ମୁଁ ଆସି କବାଟ ଖୋଲିଲି ତୁମେ ମୋତେ ଲଫାପା ଟିଏ ବଢ଼େଇଦେଇ କହିଲ ଆମ ଓଡ଼ିଆ ବିଭାଗ ର HOD ତୁମ ସହିତ ଦେଖା କରିବା ପାଇଁ ଚାହୁଁଛନ୍ତି । ମୁଁ ଓଡ଼ିଆ ବିଭାଗ ର ପ୍ରତିନିଧି ସେଥିପାଇଁ ଦେବା ପାଇଁ ସାର୍ ମୋତେ ପଠେଇଥିଲେ । ବାସ୍ ଏତିକି କହିଦେଇ ତୁମେ ଯିବା ପାଇଁ ବାହାରିଲ । ତୁମର ବିପରୀତ ଦିଗରେ ଥାଇ ତୁମର ସୌନ୍ଦର୍ଯ୍ୟରେ ମନ୍ତ୍ରମୁଗ୍ଧ ହେଇ ତୁମକୁ ଚାହିଁରହିଥାଏ । ଅକସ୍ମାତ ପଛରୁ ଧ୍ୟାନ ଭଙ୍ଗ ହେଲା ପରି ପଚାରିଲି ଆପଣଙ୍କ ନାଁ' ତ କହିଲେନି , ମୁଁ ସ୍ମିତା ଚୌଧୁରୀ ... ଆପଣ କାଲି ସକାଳ ୧୧.୩୦ ରେ ପହଞ୍ଚିଯିବେ ,ନିଶ୍ଚୟ ମୁଁ ଉତ୍ତର ଦେଲି । ମନା କରିବାର ସେମିତି କିଛି କାରଣ ମଧ୍ୟ ନଥିଲା ବାସ୍ ଆଉ କଣ କେଇ ଘଣ୍ଟା ରାତିର ଅପେକ୍ଷା ବାକି ଥିଲା । ଆଖିକୁ ନିଦ ହେଉନଥାଏ ମସ୍ତିଷ୍କ ର ସମସ୍ତ ହର୍ମୋନ ଗୁଡିକ ମସ୍ତିସ୍କରେ ତାଣ୍ଡବ କରୁଥାନ୍ତି ଭୋର ୪ଟା ବେଳେ ଟିକେ ଆଖି ଲାଗିଯାଇଥିଲା ଆଉ ଅସମ୍ଭବ ଭାବେ ଠିକ ୬ ଟା ବେଳେ ମୋର ମୋବାଇଲ ଫୋନଟି ଚିତ୍କାର କରିଉଠିଲା ଆଉ ମୁଁ receive କଲି ,ହେଲୋ କିଏ ? ଆପଣ ଉଠିନାହାନ୍ତି ତୁମେ ପ୍ରଶ୍ନ କଲ ,ମୁଁ କହିଲି ନା ରାତିରେ ଟିକେ ନିଦ ହେଲାନି ସେଥିପାଇଁ । ମୁଁ ପୁଣି ପ୍ରଶ୍ନ କଲି ଆପଣ କିଏ ? ତୁମେ କହିଲ ଆଜି ୧୦.୩୦ ରେ ପହଁଚି ଯିବେ ଲାଇବ୍ରେରୀ ପାଖରେ।ମୁଁ ପୁଣି ପ୍ରଶ୍ନ କଲି, ଆପଣ କିଏ କହିଲେନି ତ ! ତୁମେ କହିଲ ଆସିଲେ ଜାଣିପାରିବେ ....ହଠାତ୍ ମୋ ନିଦ ଭାଙ୍ଗିଗଲା । ଆଉ ମୁଁ
ତର ତର ହୋଇ ବହାରିଗଲି , ସ୍ମିତା କହିଥିବା ସେ ଲାଇବ୍ରେରୀ ପାଖକୁ ଠିକ୍ ୧୦.୩୦ ରେ । ଆଉ ସେଠି ଏକ ସୌନ୍ଦର୍ଯ୍ୟ ର ମୂର୍ତ୍ତୀ ଭଳି ସ୍ମିତା ବସିଥାଏ ଆନମନା ହୋଇ । ମୁଁ କବାଟ ଖୋଲି ଆସି ପହଞ୍ଚିଲି ବିଚରା କବାଟର ଧୀର କ୍ଷୀଣ ସ୍ୱର ସ୍ମିତା ବୋଧେ ଜାଣିନେଇଥିଲା ଆଉ ହଠାତ୍ ପଛ ପଟକୁ ବୁଲି ଚାହିଁ କହିଲା ଆପଣ ଏତେ ଜଲଦି ଆସିଗଲେ ଯେ ....ମୁଁ କହିଲି ନା' ଏମିତିରେ ମୁଁ ଜଲଦି ଉଠେ ଆଉ ସେମିତି କିଛି କାମ ବି ନଥିଲା ଆଉ ତୁମେ ବି ତ କହିଥିଲ ସକାଳ ୧୦.୩୦ ରେ ଆସିବ ପାଇଁ।ଏକ ନିଶ୍ୱାସରେ କହିଗଲି ଏତେସବୁ କଥା,ତୁମେ ହସିଲ ,ସୁନ୍ଦର ସ୍ମିତ ହାସ୍ୟ ଟିଏ....।
ତୁମେ ତୁମ ହାତରେ ଥିବା ସେହି ରୋଲେକ୍ସ ଘଡି ଟିକୁ ଦେଖିଲ ,ଆଉ ତାପରେ କହିଲା ଏବେ ବହୁତ ସମୟ ଅଛି ସାର୍ ଙ୍କ ପାଖକୁ ଯିବା ପାଇଁ ,ଆମେ କିଛି କଥା ହେଇପାରିବା? ପରସ୍ପରକୁ ଜାଣିବା ପାଇଁ । ମୁଁ ଏମିତି ରେ ବି ସମସ୍ତଙ୍କ ସହ କଥା ହୁଏନି । ପୁଣିସେଇ ଅହଂକାରର ବାସ୍ନା ତୁମ ଦେହରୁ ଆସୁଥିବା ଅତରର ସୁଗନ୍ଧ ସହ ମିଶି ଭାସି ଉଠୁଥାଏ । ମୁଁ ଚୁପ୍ ରହିଲି ଏମିତିରେ ବି ସୁନ୍ଦରୀ ମାନଙ୍କ ଭିତରେ ଏଇ ସାଧାରଣତମ ଅହଂକାର ରହିବା କିଛି ଅସ୍ୱାଭାବିକ ନୁହେଁ।
ତୁମେ କହିଚାଲିଲ ଆଉ ମୁଁ ମଧ୍ୟ ଶୁଣିଚାଲିଲି ସ୍କୁଲର ଛାତ୍ର ଟିଏ ପରି ତୁମକୁ ମୁଗ୍ଧ ହେଇ ,ଅନ୍ୟମନସ୍କ ହେବାର ପ୍ରଶ୍ନ ହିଁ ଉଠୁନଥିଲା ।ଆମେ ଦୁହେଁ ପ୍ରଥମ ଥର ପାଇଁ ଖୁବ୍ ନିକଟରେ ବସିଥିଲେ । କେତେବେଳେ ଯେ ୧୦.୩୦ ରୁ ୧୧.୩୦ ,ଆଉ ୧୧.୩୦ ରୁ ୧୨.୩୦ ହେଇଯାଇଛି ସେ ବିଷୟରେ ଆମେ ସମ୍ପୂର୍ଣ୍ଣ ରୂପେ ଅନଭିଜ୍ଞ ଥିଲେ । ଅଚାନକ୍ ଭାବେ ମିନୁ, ମାନେ ମୋ ସାନ ଭଉଣୀ ଆସି ସେଠି ପହଁଚିଲା ହଠାତ୍ ତୁମେ ଆଚମ୍ବିତ ହେଇଗଲ ଆଉ ମୁଁ ବି । ସେ କହିଲା ଭାଇ ତୋତେ ସେଠି ସାର୍ କେତେବେଳୁ ଖୋଜିଲେଣି ଆଉ ତୁ ଏଠି କଣ କରୁଛୁ । ଆଉ ସେ କିଏ ? ମିନୁ ଜାଣିନଥାଏ ସ୍ମିତାକୁ ସେତେବେଳେ । ଯୁକ୍ତ ୨ ବିଜ୍ଞାନ ନେଇଥିବା କାରଣରୁ କଳା ବିଭାଗ ର ଛାତ୍ର ଛାତ୍ରୀ ମାନଙ୍କୁ ଠିକ୍ ରେ ଜାଣିନଥାଏ । ହଠାତ୍ ସ୍ମିତା ର ମୁହଁ ଟିକେ ଲାଜର ଲାଲିମା ଜାହିର କଲା। ମୁଁ ହଠାତ୍ ଯିବାପାଇଁ ବାହାରିଲି ଆଉ ସ୍ମିତା ବି। କିନ୍ତୁ ଆମକୁ ଦେଖି ଲାଇବ୍ରେରୀଟି ଖୁବ୍ ଅମୋଦିତ ହେଉଥିବା ଭଳି ଲାଗୁଥିଲା । ନିର୍ଜୀବ ଲାଇବ୍ରେରୀଟି ମଧ୍ୟ ପ୍ରେମର ସୁଗନ୍ଧ ରେ ଜୀବନ୍ତ ହୋଇଉଠିଥିଲା ,ଆଉ ସ୍ମିତା ର ହୃଦୟରେ ଜନ୍ମ ନେଉଥିବା ମୋ ପାଇଁ ପ୍ରେମ ବି ପ୍ରଥମ ପାହାଚ ରେ ଅବତୀର୍ଣ୍ଣ ହୋଇସାରିଥିଲା। ଆମେ ବାହାରି ଯାଇଥିଲୁ ଲାଇବ୍ରେରୀ ରୁ କିନ୍ତୁ ଆମ ଭିତରେ ଗଢି ଉଠିଥିବା ପ୍ରେମର ମୂକସାକ୍ଷୀ ସେଇ ଲାଇବ୍ରେରୀ। ସେଇ ଡେସ୍କ ,ବେଞ୍ଚ ସବୁ ଆମ ଭିତରେ ଆମ ସ୍ମୃତି ସବୁକୁ ସଜାଇ ରଖିବାରେ ବ୍ୟସ୍ତ ଥିଲେ ।