ଅନାମିକାର ଚିତ୍ର
ଅନାମିକାର ଚିତ୍ର


ମୁଁ ସୁଜିତ୍ ଦାସ ,ଜୀବନରେ କେବେ ହାରିବା କି ହାତ ପତେଇବା ଶିଖିନି ଜୀବନରେ । ବଞ୍ଚିବା ଆଉ ବଞ୍ଚେଇବାର ଲକ୍ଷ୍ୟକୁ ସ୍ଥିର ରଖି। ମୁଁ ଆଗେଇଚାଲିଛି ବହୁତ ଝଡ ଝଞ୍ଜା ଆସିଛି ଏ ଜୀବନରେ ହେଲେ କେବେ ମୋତେ ଲକ୍ଷ୍ୟ ଚ୍ୟୁତ କରିପାରିନି କକ୍ଷ ଚ୍ୟୁତ ହେଇଛି ନିଶ୍ଚୟ ହେଲେବି ନିଜର କଣ୍ଟକିତ ରାସ୍ତାକୁ କୁସୁମିତ କରିପାରିଛି । ନିଜର ନିଷ୍ଠା ଓ ନିର୍ଭୀକତା ପାଇଁ ।
ଗୋଦାବରୀଶ ମହାପାତ୍ରଙ୍କ ଜନ୍ମ ସ୍ଥାନରେ ଜନ୍ମ ମୋର ,ଯେଉଁ ଚିଲିକାର ନୀଳ ଜଳରାଶିରେ କବିର ମାନସ କନ୍ୟା ସ୍ନାନ କରେ । କବିର ଆତ୍ମା ବିଚରଣ କରେ ସେହି ନିଳବର୍ଣ୍ଣୀ ସୁନ୍ଦରୀ ଚିଲିକାରେ କଟିଛି ମୋ ପିଲାଦିନ । ବାଲ୍ୟକାଳ ନସରୁଣୁ ବୋଧେ ମୋର କିଶୋରାବସ୍ଥା ଚାଲି ଆସିଥିଲା ଅଚାନକ୍ କିନ୍ତୁ ପ୍ରେମ ଯେ ଅଚାନକ୍ ହେଇଯିବ କିଏ ଭାବିଥିଲା ? କିଛିକଥା ନିଜର ଆୟତ୍ତରେ ନଥାଏ, କିଛି କଥାକୁ ଆୟତ୍ତରେ ରଖିବା କଷ୍ଟକର ତଥାବି ଲୋକଲୋଚନର ଭୟ କଟାକ୍ଷ ଦୃଷ୍ଟି ଆଉ ସମାଜରେ ପାଦ ନଥାଇ ଚାଲୁଥିବା ବିକଳାଙ୍ଗ ମଣିଷ ମାନଙ୍କ କୁପ୍ରଭାଵରୁ ବଞ୍ଚିବା ପାଇଁ ନିଜକୁ ଆୟତ୍ତରେ ରଖିବାର ଅଭିନୟ କରିବାକୁ ପଡେ । ଆଉ କିଛି କାମ ଲୁଚି ଛପି ....ଏଇ ଯେମିତି କି ଲୁଚି ଲୁଚି କାହା ବାଡ଼ିରୁ ପିଜୁଳି ଚୋରି କରିବା ,କାହା ବ୍ୟାଗ୍ ଭିତରେ ନାଲି ପିମ୍ପୁଡି ଛାଡ଼ିଦେବା ,କାହାର ଜୋତା ଅଦଳ ବଦଳ କରିଦେବା ,ଉଦୁଉଦିଆ ଖରା ବେଳେ ଖେଳ ପଡିଆକୁ ଯାଇ କ୍ରିକେଟ୍ ଖେଳିବା ଏମିତି ଅନେକ କିଛି ଅସ୍ତବ୍ୟସ୍ତ ସ୍ମୃତି ସବୁ ଏବେବି ମନେ ପଡେ ....ମନେ ପଡିବ ଉଚିତ ମଧ୍ୟ କାରଣ ଅତୀତ ନଥିଲେ ବର୍ତମାନ ସବୁବେଳେ ପ୍ରଶ୍ନବାଚୀ , ସ୍ମୃତି ନଥିଲେ ସମାଧି କୋଳ ଯେ ଶୂନ୍ୟ ।
ତାହା ବୟସର ଅପରାହ୍ଣରେ ବେଶି ବେଶି ମନେ ପଡେ ସେଇ ମେଞ୍ଚା ମେଞ୍ଚା ସ୍ମୃତି ସବୁ ।କିନ୍ତୁ ସେଇ ସ୍ମୃତି ପାଉଁଶ ଭିତରୁ ଯଦି ବେସି କେହି ମନେ ପଡୁଥାଏ ସେଇ ହେଉଛି ମୋ ସ୍କୁଲ୍ ବେଳର ସାଙ୍ଗ ! ନା ନା କେବଳ ସାଙ୍ଗ କହିଲେ ବୋଧେ ଭୁଲ୍ ହେଇଯିବ ,ସେ ହେଉଛି ମୋର ପ୍ରେୟସୀ ,ପ୍ରିୟତମା ,ପ୍ରେମିକା ଆଉ ନା' ହେଉଛି ତା'ର ଅନାମିକା .....ଅନାମିକା ଚୌଧୁରୀ ବଡ ଘର ଝିଅ ସେ ହେଲେ ମନରେ ଟିକିଏ ହେଲେ ବି ଗର୍ବ କି ଅହଂକାର ନାହିଁ । ଲଣ୍ଠନ ଧରି ଖୋଜିଲେ ବି ତା ଭଳି ଝିଅ ଆମ ଅଞ୍ଚଳରେ ମିଳିବେନି । ପିଲା ବେଳର ସେ ପିଲାଳିଆମୀ ବେଳେ ବେଳେ ଭାରି ପଡେ ଜୀବନରେ କିନ୍ତୁ ସେତେବେଳକୁ ପିଠି ଯଥେଷ୍ଟ ମଜଭୁତ୍ ହୋଇସାରିଥାଏ ଭାର ବୋହିବା ପାଇଁ । ସମସ୍ତଙ୍କର ନିଜ ନିଜର ବ୍ୟକ୍ତିଗତ ରୁଚି ଥାଏ ,ସେହିଭଳି ମୋର ମଧ୍ୟ ଥିଲା ଚିତ୍ର କରିବା ।ଏଇ ପୃଥିବୀ ଏକ ସୁନ୍ଦର କାନ୍ଭାସ୍ ଯାହାକୁ ଇଶ୍ବର ସୃଷ୍ଟି କରିଛନ୍ତି କିନ୍ତୁ ସେହି ନିରାକାର ଇଶ୍ବରଙ୍କୁ ଜଣେ ଚିତ୍ରକର ହିଁ ସାକାର ରୂପ ଦିଏ ।ଏଇ କଥା ମୋ ବାପା ମୋତେ କୁହନ୍ତି ବାରମ୍ବାର କୁହନ୍ତି ..ତାଙ୍କ ଜୀବନ ର ଦର୍ଶନ ବୋଧହୁଏ କେଇ ଖଣ୍ଡ ତୁଳୀ ,ରଙ୍ଗ ଆଉ କାନ୍ଭାସ୍ କୁ ହିଁ ବୁଝାଏ ।ଯାହାକି ମୋର ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବନାହିଁ । ଆମ ସ୍କୁଲ୍ ର ପ୍ରଧାନ ଶିକ୍ଷକ ଦିନେ ଆମ ସମସ୍ତଙ୍କୁ କିଛି ଚିତ୍ର କରିବାକୁ କହିଥାନ୍ତି ସମସ୍ତେ କିଛି ନା କିଛି ଚିତ୍ର କରିଥାନ୍ତି କିନ୍ତୁ ମୋର ଚିତ୍ର ଥିଲା କିଛି ଭିନ୍ନ ଜୀବନ୍ତ,ଅବିକଳ ଠିକ୍ ଜଣେ ଦେବୀ ପ୍ରତିମା ଭଳି କିନ୍ତୁ ସେହି ଦେବୀ ପ୍ରତିମା ଆଉ କେହି ନୁହେଁ ଥିଲା ମୋ ମନର ମାନସୀ , ହୃଦୟ ଆଲ୍ହାଦିନି , ମୋ ପ୍ରେମିକା ଅନାମିକା ।
ହାତ ତ ଆଉ କିଛି ଅଙ୍କିବାକୁ ଚାହୁଁଥିଲା କିନ୍ତୁ ଭୁଲ୍ ବଶତଃ କିମ୍ବା ଅନ୍ୟମନସ୍କ ହେଇ ଅନାମିକାର ଚିତ୍ର ଆଙ୍କି ଦେଇଥିଲି ସରସ୍ୱତୀଙ୍କ ଚିତ୍ର ବଦଳରେ ଅନାମିକାର ସରସ୍ୱତୀ ରୂପ ମୋ କାନ୍ଭାସ୍ ଉପରେ ଝଲକୁଥିଲା ।