ନିଃସର୍ତ୍ତ ପ୍ରେମ
ନିଃସର୍ତ୍ତ ପ୍ରେମ


ମେଘ ଯଦି ନୃତ୍ୟରତା ମୟୂରୀ କୁ ଘୃଣା କରେ ମୟୂରୀ କଣ ନାଚିବା ଭୁଲିଯାଏ ,ନା 'ମୟୂରୀ ର ଘୃଣା ପାଇଁ ମେଘ ବର୍ଷିବା ବନ୍ଦ କରିଦିଏ ! ତଥାବି ସେମାନଙ୍କର ନିବିଡ଼ତ୍ୱ ସେମାନଙ୍କର ବିଶେଷତ୍ୱ ,ସେମାନଙ୍କର ନିଃସର୍ତ୍ତ ପ୍ରେମ,ଏବଂ ଅସମ୍ଭବ ଭାବେ ଅତ୍ମୀୟତା କବିର ଲେଖନୀ ରେ ଶୋଭା ପାଏ ।ନିତିଦିନିଆ ସମ୍ପର୍କ ଭଳି ସେମାନଙ୍କ ଅତ୍ମୀୟତା ସେମାନଙ୍କ ଅସ୍ଥିରତା ।ଏଇ କ୍ଷଣିକ ବର୍ଷା ଋତୁ ପାଇଁ ହେଲେ ମଧ୍ୟ ସେମାନେ ସେମାନଙ୍କ ସମ୍ପର୍କ କୁ ଭଲ ପାଆନ୍ତି ,ପରସ୍ପର କୁ ସମ୍ମାନ କରନ୍ତି,ଆଉ ବର୍ଷା ଋତୁ ଆସିଲେ ଘଡଘଡି ର ଶବ୍ଦ ରେ ବିଜୁଳୀ ର ଚମକ ରେ ମେଘ ର ବୁନ୍ଦା ବୁନ୍ଦା ଜଳ ରାଶି ରେ ସେମାନେ ଏକାକାର ହେଇଯାନ୍ତି ।ମେଘର ଆଗମନ ରେ ଘଡଘଡି ର ପ୍ରତିଧ୍ୱନି ରେ ଆଉ ବିଜୁଳୀ ର ଉଜ୍ବଳତା ରେ ମୟୂରୀ ନୃତ୍ୟରତା ହୁଏ। କେବେ ବୀର ରସ , କେବେ ପ୍ରଣୟ ର ସ୍ପର୍ଶ ଆଉ କେବେ ଆନମନା ହେଇ ମେଘର ମାଦକତା ଭରା ସ୍ପର୍ଶ ରେ ପୁଲକିତ ହୁଏ । ପୃଥିବୀ ର ଉତ୍ତପ୍ତ ନିଦାଘ ହୃଦୟରେ ବର୍ଷା ଋତୁ ର ଶ୍ୟାମଳତା ଶୋଭା ପାଏ ।ମୟୂରୀ ର ଦର୍ଶନ ପାଇଁ କୁଣ୍ଡାଧାର ମେଘ ପ୍ରତିବର୍ଷ ଝଡ ଝଞ୍ଜା ନ ମାନି ,ବାଧା ବିଘ୍ନ କୁ ଖାତିର୍ ନ' କରି , ପ୍ରତିବର୍ଷ ଧରା କୁ ଓଲ୍ହେଇ ଆସେ ,ଅୟୁତ ଅୟୁତ ଅଗଣିତ ଜଳ ବୁନ୍ଦା କୁ ସାଥିରେ ଧରି ନିଜ ମୟୂରୀ ପାଇଁ।
ପ୍ରେମର ନିଦର୍ଶନ ,ପ୍ରଣୟ ର ବାସ୍ତବ ଚିତ୍ର, ପ୍ରକୃତି ର ସୌନ୍ଦର୍ଯ୍ୟ ସବୁକିଛି ସେଇ ଗୋଟିଏ ଋତୁ ରେ ଗୋଟିଏ ସମୟରେ ପୃଥିବୀ କୁ ଓଲ୍ଲ୍ହେଇ ଆସେ ।ସମାଜକୁ ପ୍ରେମର ବାର୍ତା ଦେବାପାଇଁ ।