SM BOSSକାର୍ଯ୍ୟ_ ଚଳାପଥ ଜୀବନର
SM BOSSକାର୍ଯ୍ୟ_ ଚଳାପଥ ଜୀବନର
ସନା କିରେ, ଇସ୍କୁଲ ଯାଉଛୁ ବେଙ୍ଗ କୁ ଟିକେ ଡାକନ୍ତୁନି ଯାଆନ୍ତା।ପାଠକୁ ଭାରୀ ଡରୁଚି।ଆଜି ଯିବାକୁ ମନ କରୁନି।ମଉସା ଥିଲେ ନେଇ ଛାଡି ଆସିଥାନ୍ତେ।ତାଙ୍କର ପୋଖରୀ ପାଣି ହଉଚି ଯେ ଡାକ୍ତରଖାନା ଯାଇଛନ୍ତି।ହଗୁରି ବୋଉ ଦୁଆର ମୁହଁ ରେ ଥାଇ ରଡି କରୁଥାଏ।
ସନିଆ ରାସ୍ତାରୁ ଥାଇ କହିଲା ଦେଠେଇ ହଗୁରି ର ପଢ଼ାରେ ମନ ନାହିଁ।ଖାଲି ତୁମ ଡରରେ ଯାଉଚି।କାଲି ଗୁଣ୍ଡି ଚୂନ ନେଇ ସ୍କୁଲ ଯାଇଥିଲା।ଧରା ପଡି ଆଣ୍ଠେଇ ଥିଲା।ପିଲା ସବୁ ହସିଥିଲେ।ତେଣୁ ଆଉ ସ୍କୁଲ୍ ଯିବାକୁ ମନ କରୁନି।ହଉ , ମୁଁ ଠିଆ ହୋଇଚି। ତାକୁ କହ ବାହାରିକି ଆସିବ।ହଗୁରି ବୋଉର ପାଟି ଦାଣ୍ଡ କମ୍ପୁଥିଲା।ଯାଉନୁ ଲୋ ପୋଡ଼ା ମୁହିଁ ।ସନା ରାସ୍ତାରେ ଠିଆ ହୋଇଚି। ତାକୁ କହିଦେ ସେ ଯାଉ। ମୁଁ ଯିବିନି ହଗୁରିର ଉତ୍ତର।ଆସିଲା ଏଠି ନାଲିଶି କରିବାକୁ।ଆଉ ଦେବିରେ ପୁଅ ମାଛ ଭଜା ଆମ ଘରୁ ନେଇ ।ପଖାଳ ପେଟେ ବାଡେଇ ଦେବୁ।ଦି ଦିନ ସାଗ ଖରଡା ପଖାଳ ଭାତ ଖାଇଲେ ହଗୁରି ମନେ ପଡିବ।ଗାରୁ ଗାରୁ ,ଗୁଣୁ ଗୁଣୁ ହୋଇ ହଗୁରି ଚାଲିଲା ଇସ୍କୁଲ।ମାଷ୍ଟର ବି ବାପାଙ୍କୁ ଅଭିଯୋଗ କରିଥିବାରୁ ପାନ, ଗୁଣ୍ଡି କାଲିଠୁ ଲୁଚେଇ ଦିଆ ଯାଇଛି।ବୋଉ ଉପରେ ବାପାଙ୍କର ରଡି, ଗର୍ଜନ।କାଲିଠୁ ପାଟି ଟା ଆମ୍ବିଳା ଲାଗୁଚି।ସନିଆ ର , ତା'ର ଆଗ ପଛ ହୋଇ ସ୍କୁଲ ଯାଉଥାନ୍ତି।
ଅଧା ବାଟରେ ସନା ଡାକିଲା କହିଲା ହଗୁରି ନେ।ହଗୁରି ରଡିଟା କରି କହିଲା କ'ଣ ନେ,ଛତୁ ପୋଡ଼ା।ନାଇଁ ଛତୁ ପୋଡ଼ା ନୁହଁ ତୋ ଜ୍ଞାନ ମଞ୍ଜି, ଗୁଣ୍ଡି ଚୂନ।ହଗୁରି ଏଡେ ରଡିଟା କରି ଥିବାରୁ ଲାଜେଇ ଗଲା।ହଗୁରି ବଡ଼ ହେଲାପରେ ସ୍କୁଲ ଯିବା ତା'ର ବନ୍ଦ ହେଲା। ତୃତୀୟ ଶ୍ରେଣୀ ରୁ ପାଠରେ ଡୋରି ବନ୍ଧା ହେଲା।ସନିଆ ତାଙ୍କରି ଦାଣ୍ଡ ଦେଇ ସ୍କୁଲ ଯାଏ।କଣେଇ କି ଦୁଆର ମୁହଁ ଆଡେ ଚାହେଁ।କେବେ ହଗୁରି ବୋଉ ଦେଖା ହେଲେ ପଚାରି ଦିଏ ,ଦେଠେଇ ହଗୁରି ସ୍କୁଲ କାଇଁ ବନ୍ଦ କରିଲା।ହଗୁରି ବୋଉର ଉତ୍ତର ତା ଦିହଟା ଭଲ ନାହିଁ।କିଶୋର ଅବସ୍ଥାରେ ସନା ବୁଝି ପାରୁନଥିଲା।ସବୁ ଦିନ ଦିହ ଖରାପ ।ହଉ ତା ବି ସତ କିନ୍ତୁ ମୋ ପାଇଁ ଅଣ୍ଟାରେ ମାଛ ଖୋସିକିତ ଆଣୁନି।ଇସ୍କୁଲ ତ ଯାଉନି ଆଣିବ କେମିତି।ଯେବେ ହଗୁରି ବୋଉ ମାଛ କରିଥିବ ହଗୁରି ଖଣ୍ଡେ ଯାଗାରେ ଦିଖଣ୍ଡ ଖାଇବା ପାଇଁ ବୋଉ କୁ ମାଗେ।ବୋଉ ଖୁସ୍,ମେଢିଟା ଖାଇକି ମୋଟା ସୋଟା ଟିକେ ହଉ।ହଗୁରି ଖଣ୍ଡେ ଖାଇ ଆର ଖଣ୍ଡକ ଅଣ୍ଟାରେ ଖୋସି ଥାଏ ସନା ପାଇଁ। ସ୍କୁଲ ଛୁଟି ହେଲା ବେଳକୁ ଦିଏ।ସନା ପିନ୍ଧା ଗାମୁଛାରେ ତାକୁ ଲୁଚେଇ ଘରକୁ ନିଏ।ସନା ଟା ଆଇଁଷ ଡାହାଣା।ଦସଟା ବେଳେ ସ୍କୁଲ ଗଲା ବେଳକୁ ପ୍ରାୟ ଉପାସ ଯାଏ କାହିଁକି ନା ଭଲ ତରକାରୀ ଖାଇବା ପାଇଁ ଘରେ ହୁଏନା।ତାଙ୍କର ବୋଉ ପିଲାରୁ ମରି ଯାଇଥିଲା ତ।ହଗୁରି ଆଉ ସନା ପାଖେ ସ୍କୁଲ ରେ କେହି ବସନ୍ତି ନି। ଦୁହେଁ ଆଇଁଷ ଆଇଁଷ ଗନ୍ଧାନ୍ତି।ଯେତେ ଚାହିଁଲେ ବି ହଗୁରି କୁ ଦେଖି ପାରେନା।ଥରେ ଶୁଣିଲା ହଗୁରି ବାହାଘର ପାଇଁ ବର ଖୋଜା ଚାଲିଛି। ତାକୁ ରାଗ ଲାଗିଲା।ସେବି ବୁଝି ପାରିଲାନି ତାକୁ କାଇଁ ରାଗ ମାଡ଼ୁଛି।ସେତ କୋଉ ଦିନୁ ଘରେ ବସିଚି।ବଡ଼ ହୋଇଚି।ବାହା,ସାହା ହବ।ଛୁଆର ବୋଉ ହବ ଯେମିତି ବରଗଛ ମୂଳେ ବୋହୂ ବୋହୂ କା ଖେଳରେ ବୋଉ ହଉ ଥିଲା ଆଉ ମୁଁ ବାପା।ଆଜି ବୁଝି ପାରୁଛି ବୁଢ଼ା ବୟସରେ ତାକୁ ସେତେ ବେଳେ ରାଗ କାଇଁ ମାଡୁଥିଲା ହଗୁରି ବାହାଘର ଶୁଣି।ହଗୁରି ବି ବଡ ହୋଇ ଥିଲା କ'ଣ ପାଇଁ।ସେତ ହଗୁରିକୁ ଭଲ ପାଉଥିଲା। କିନ୍ତୁ ସେ ବୟସରେ ବୁଝି ପାରିନଥିଲା।ହଗୁରି ବଡ଼ ହୋଇଥିଲା ତା ଛୁଆର ବୋଉ ହବା ପାଇଁ।ସନା ହବ ବାପା।ଆଉ କିଏ କେମିତି ହେବ?
ସନାର ମେଟ୍ରିକ ସରିଥାଏ।ସେ ମାମୁଁ ଘରକୁ ବୁଲି ପଳାଇ ଥାଏ।ତା ମାମୁଁ ଘର ଗାଁ ରେ ହଗୁରି ବାହାଘର ସ୍ଥିର ହୋଇ ନିର୍ବନ୍ଧ କାର୍ଯ୍ୟ ସରିଯାଇଥାଏ।ଦିନେ ସନା ମାମୁଁ ପୁଅ ସହ ନଈପଠା ଆଡେ ବୁଲି ଯାଇଥାଏ।ତା ମାମୁଁ ପୁଅ ଦେଖେଇ ଦେଲା ତୁମ ଗାଁ ହଗୁରି ର ବାହାଘର ୟାକୁ ହେବ ଦେଖେ।ସନାର ମନ, ଦୁଃଖରେ ଭାଙ୍ଗି ପଡ଼ିଲା।କହିଲା ଏଇ ଛୋଟା ସହ ମୋ ପିଲା ଦିନ ସାଙ୍ଗ, ଧୂଳି ଖେଳ ପତ୍ନୀ,ମୋର ପ୍ରତ୍ୟେକ ଟି କଥା ବୁଝୁଥିବା ଝିଅ ଟି ର ଜୀବନ ଛନ୍ଦି ଦିଆଯିବ।ସେଇ ନଈ ପଠାରୁ ଉଠି ମାମୁଁ ଘରୁ ପଳାଇ ଆସିଲା। ସନ୍ଧ୍ୟା ରେ ହଗୁରି ଚଉଁରା ମୂଳରେ ଦୀପ ଦଉଚି, ସିନ୍ଦୂର ମେଞ୍ଚେ ତା ମୁଣ୍ଡରେ ଦେଇଦେଲା। ଅନ୍ଧାର ଭିତରେ ତାକୁ କେହି ଦେଖି ନ ଥିଲେ।ତା ପର ଦିନ ମାମୁଁ ଘରକୁ ଯାଇ ସେ ଛୋଟା ଲୋକ ଟି କୁ ଭେଟି କହିଲା ହଗୁରି ର ମୋର ପିଲାରୁ ବାହା ହୋଇ ସାରିଚୁ।ତୁମେ ବାହାଘର ଭାଙ୍ଗି ଦିଅ।ତା'ର ମୋର ସମ୍ପର୍କ ଭାରି ଘନିଷ୍ଠ।ସତକୁ ସତ ସେ ଲୋକ ର ବାପା ବାହାଘର ଭାଙ୍ଗି ଦେଲେ। ନିର୍ବନ୍ଧ ଭାଙ୍ଗି ଯିଵା ଝିଅ କୁ କିଏ ବାହା ହବ?ସନିଆ ଯାଇ ହାଜର ବାପାଙ୍କୁ ଧରି।ବାହାଘର ଧୂମଧାମରେ ହେଲା।ଆଜିକୁ ପଚାଶ ବର୍ଷ ହୋଇଗଲା।ଯେବେ ମାଛ ଆସିବ ହଗୁରି ବୋହୂକୁ କହିବ ବାପାଙ୍କୁ କଣ୍ଟା ଛଡେଇ ଦି ଖଣ୍ଡ ଚାଖିବାକୁ ଦିଅ।ଭାରି ଆଇଁଷ ଡାହାଣା ଲୋକ।ବୋଉ ମରିଯାଇଥିଲା ଯେ ପିଲାରୁ କିଛି ଭଲ ଖାଇବା ଖାଇ ନାହାନ୍ତି।ସନିଆ ଏପଟେ ପୁଅ କୁ ଡାକ ଛାଡିଥିବ, ଏବାପା ହାଟକୁ ଯାଉଛୁ ବୋଉ ପାଇଁ ପାନ , ଗୁଣ୍ଡି ଆଣିଥିବୁ।କଳେହିଟା ଗୁଣ୍ଡି ଚୂନ ନେଇ ସ୍କୁଲ ଯାଏ।ପାଠ କ'ଣ ପଢିଲା। କ'ଣ ନା ବଡ଼ ହେଲା।ସବୁ ଝିଅ ବଡ଼ ହୁଅନ୍ତି।ସବୁ ପୁଅ ବାପାବି ହୁଅନ୍ତି। ଦୁହିଁଙ୍କ ର ଆଠ ଛୁଆ।ସବୁ ଘରେ ଅଛନ୍ତି।ଆଉ କ'ଣ ଲୋଡା? ପିଲାଦିନ ଧୂଳି ଖେଳରୁ ବାସ୍ତବ ଜୀବନରେ ଦୁହେଁ ଦୁହିଁଙ୍କର ଅଭିନ୍ନ ସାଙ୍ଗ।କେବେ ଝଗଡ଼ା ଝାଣ୍ଟି ନାହିଁ।ଯିଏ ଯାହା ହାଣ୍ଡିରେ ଚାଉଳ ପକେଇଛି। ଜନ୍ମ , ଜନ୍ମ ର ବନ୍ଧନ। ବେଳେ ବେଳେ ଅନ୍ୟ ମନସ୍କତାରେ ସନିଆ ନିଜର ମରିବା କଥା ଭାବିଦେଲେ ଆଖିରୁ ଦି ଟୋପା ଲୁହ ଗଡ଼ାଇ ଦିଏ।ଭାବେ ହଗୁରି ଟା ଆଗ ଚାଲିଗଲେ ମୁଁ କ'ଣ ବଞ୍ଚି ପାରିବି।ମୋତେ କ'ଣ ହଗୁରି ଛାଡି ରହି ପାରିବ?

