Amita Dash

Abstract Tragedy Inspirational

4  

Amita Dash

Abstract Tragedy Inspirational

ଭିଟାମାଟି

ଭିଟାମାଟି

4 mins
285



ମାଟି ଗଦାଏ ତ ପଡ଼ିଥିଲା। ମୁଣ୍ଡ କୁ କିଛି ଢୁକୁ ନ ଥିଲା।କ'ଣ କରିବି ନ କରିବି ମୁଣ୍ଡ ଶୂନ୍ ହୋଇ ଯାଇଥିଲା।ଏଇଠି ଆମର କେତେ ବଡ଼ ଖଞ୍ଜା ଥିଲା। ପିଲାଦିନ ର ପ୍ରତିଟି କଥା ଗୁଡେ଼ଇ ତୁଡେଇ ହୋଇ ମନେ ପଡ଼ୁଥିଲା।ବଡ଼ ଦୁଆର, ଦୁଆରେ ରାତି ରେ ଶୋଇ ଅପାର ମୋର ତାରା ଗଣିବା। ଜେଜି କହୁଥିବ ପାଗଳ, ପାଗେଳୀ ଦିଇଟି। ଆକାଶ ର ତାରା ଗଣି ହେବନି, ମୁଣ୍ଡର ଉକୁଣୀ ବାଛି ହେବନି। ଆକାଶ ରେ ତାରା ପୁଞ୍ଜ, ଲଞ୍ଜା ତାରା ଖସିବା ଦେଖୁ। ମାଁ କହିଥାଏ ଲଞ୍ଜା ତାରା ଖସିବା ଦେଖିଲେ ସୁନା ଟିକେ ଛୁଇଁ ଦେବ। ରାତିରେ ଆକାଶ ରେ ଯେମିତି ହାତୀ, ଘୋଡ଼ା ଚିତ୍ର ଦିଶୁଥିବ। ରାଜା ପାଲିଙ୍କି ରେ ବସି ଯାଉଥିବେ। ଆଗେ ଆଗେ ଗୋଟେ ବଡ ଲମ୍ବା ଲୋକ ରାଜ୍ୟ ର ଧ୍ଵଜା ଧରି ଯାଉଥିବ। କାଳି ଜହ୍ନ ରାତିରେ ଲଂଘା ରେ ଶୋଇ ଆକାଶ ରେ ଏସବୁ ଚିତ୍ର ପଟ ଦେଖି ଡର ଲାଗେ। ମୁଁ ଅପା ଆଡ଼କୁ ଘୁଂଚି ଯାଇ କନ୍ଥା ରେ ମୁହଁ ଘୋଡାଇ ଦିଏ।ସବୁ ଗୋଟି ଗୋଟି ହୋଇ ମନେ ପଡି ଯାଉଥିଲା। ୧୯୯୯ ର ମହାବାତ୍ୟା ର କରାଳ ଦୃଶ୍ୟ ମୁଁ ଦେଖୁଥିଲି ଡେରାଡୁନ ରେ ଥାଇ। ସେତେବେଳେ ରଙ୍ଗିନ ଟିଭି ବି ନ ଥିଲା। ଗାଁ ରେ ତ ନା ଥିଲା କୋଠା ଘର।ନା ବିଜୁଳି ନା ଟିଭି କାହାର ଥିଲା।ସମସ୍ତେ ଭାବି ଥିଲେ ସବୁ ଥର ଯେମିତି ବର୍ଷା, ପବନ ହୁଏ ସେଇ ପ୍ରକାର ହେବ।ଦୁଇ ତିନିଦିନ ରେ କମିଯିବ। ଟିଭି ରେ ଦେଖଉ ଥାଏ ନଡ଼ିଆ ଗଛ ଯେମିତି ଦୋଳି ଖେଳୁଛନ୍ତି।ଗୋଟେ ଉପରେ ଦୁଇଟା ନଡ଼ିଆ ଗଛ ମୋଡ଼ି ଦେଉଥାଏ। ଅଳ୍ପ ସମୟରେ ବି ବିଜୁଳି କଟିଗଲା। ଆଉ ଟିଭି ବେଶୀ କିଛି ଦେଖେଇ ପାରିଲାନି। ଡେରାଡୁନ, ହରିଦ୍ଵାର ଯୋଉମାନେ ବୁଲି ଯାଇ ଥିଲେ ସେମାନେ ଆଉ ଯେଉଁ ମାନେ ସେପଟେ ଚାକିରି କରୁଥିଲେ ସେମାନେ ସମସ୍ତେ ଓଡ଼ିଶା ଆସିବା ପାଇଁ ସ୍ଵତନ୍ତ୍ର ଟ୍ରେନ୍ ହରିଦ୍ଵାର ରୁ ଚାଲିଲା। ଡେରାଡୁନ ରୁ ହରିଦ୍ଵାର ବସ୍ ରେ ଆସି ଟ୍ରେନ ଧରିଲି।ଯାହି ଯେମିତି କଟକ ରେ ସିନା ପହଞ୍ଚିଲି।ହେଲେ କଟକରୁ ବସ୍ ଫସ୍ କିଛି ନାହିଁ।ସବୁ ଆଡ ଯେମିତି ମରୁଭୂମି ପାଲଟି ଯାଇଛି।ଚାଲି ଚାଲି ଗାଁ ରେ ତିନି ଦିନ ରେ ପହଞ୍ଚିଲି।ବାପା ,ଜେଜି ଘରିକା ତ ଆଗରୁ ଚାଲି ଯାଇଥିଲେ। ମାଁ ଏକା ଥିଲା।ଆସି ଥିଲି ତାକୁ କହୁଥିଲି ଚାଲେ ମୋ ସାଙ୍ଗରେ‌ ମୁଁ ଖାଇବାକୁ ହଇରାଣ ହେଉଚି।କହିଲା ବୋହୂ ଆଣିବି ଯେ ତା ସହ ଯିବି ନାତି, ନାତୁଣୀ ଖେଳେଇ ବାକୁ।ତୁ ଯେତେ ଦିନ ବାହା ନ ହେବୁ ମୁଁ ଏମିତି ଘୋଷାଡି ହଉ ଥିବି।ତାକୁ ଆକହିଥିଲି ସବୁ ବର୍ଷ ବନ୍ୟା ବାତ୍ୟା ଲାଗି ରହୁଛି।ଆଗ କୋଠା ଘର ଦି ବଖରା କରିବା। ମୋର ତ ସେତେ ବଡ଼ ଚାକିରୀ ବି ନୁହେଁ ଯେ ଏତେ ସବୁ କାମ ଏକାବେଳେ କରିବି।


ଲୋକ ସେତେ ସଚେତନ ବି ନ ଥିଲେ। ବାତ୍ୟା ପାଇଁ ପୂର୍ବରୁ କୋୖଣସି ପ୍ରସ୍ତୁତି ନ ଥିଲା। ରାତିରେ ବାତ୍ୟା ତୀବ୍ର ରୁ ତୀବ୍ରତର ହୋଇ ଗା,ଗଣ୍ଡା ନିର୍ଚ୍ଛିନ କରିଦେଲା। ଗାଁ ର ବହୁ ମାଟି ସ୍ତୂପ ରେ ପରିଣତ ହୋଇଗଲା।ଆଜି ଯୁଆଡେ ଚାହିଁବ ଭିଟାମାଟି ରେ ମାଟି ର ମରୁଭୂମି ,ବାଲି ନୁହେଁ।ଲୋକ ଜିବନ ବିକଳେ ଯିଏ ଯୁଆଡେ ଇସ୍କୁଲ ଘରେ , ଗାଁ ମୁଖିଆଙ୍କ ଘରେ ଆଶ୍ରୟ ନେଇଗଲେ। କାହାର ତର ତର ରେ ମାଁ କଥା ମନେ ନାହିଁ। ମାଁ ବି ଅନ୍ଧାର ବର୍ଷା ରେ କୁଆଡେ ଯାଇ ପାରିଲାନି।ଲୋକ କହୁଛନ୍ତି ମାଟି ଗଦା ତଳେ ରହିଗଲା। ମୁଁ ବି ତା ଶବ ତ ପାଇଲିନି। ସେତେବେଳେ କୋଉ ନନା ବି କ'ଣ ଶୁଦ୍ଧିକ୍ରିୟା କରିବେ।ଯାହି ଯେମିତି ଅଣଶୁଦ୍ଧିଆ ନ ରହିବି ଭାବି କାମଟା ବଢେଇ ଦେଲେ।କାହା ଘରେ ଖାଇବାକୁ ଗଣ୍ଡେ ବି ନ ଥାଏ।ଆମ ଦଣ୍ଡା ରେ କୁଆଡେ କୁଢ କୁଢ ଶବ ଗାଈ , ମଇଁଷି ଛେଳିମେଣ୍ଢା ଙ୍କର।କୋଉ ତଳ ଅଞ୍ଚଳରୁ ଭାସି ଆସି ଥିଲେ ବୋଧହୁଏ।


ମନଟା ଭାରି ଗାଁ, ଖାଁ ଲାଗୁଥାଏ। ଅପା ଘର ଆଡେ ଭାବି ଥାଏ ଚାଲିଯିବି।ଅପା ଘରକୁ ଯିବାର ବି କିଛି ସାଧନ ନ ଥାଏ।ତାକୁ ତ ମୋ ଆସିବା ଖବର ଜଣା ବି ନ ଥିବ।ସରବରାହ ସଂସ୍ଥା ସବୁ ଠପ୍।ଏମିତି ମାଟି ଗଦା ଉପରେ ବସି ଭାବୁଚି ଲୋକ ଦାଣ୍ଡ ରେ ଦଉଡ଼ା ଦଉଡ଼ି ହୋଇ ଯିବାର ଦେଖିଲି। ଇଛା ନ ଥିଲେ ବି ଗାଁ ରେ କାହାର କ'ଣ ହେଲା ବୋଲି ବୁଝିବାକୁ ଉଠିଲି।


ଗୋଟେ ଲୋକ କୁ ଅଟକାଇ ପଚାରିଲି କ'ଣ ହେଲାକି।ସବୁ କୁଆଡେ ଦଉଡା ଦଉଡ଼ି ହୋଇ ଯାଉଚ। ସେ କହିଲେ ଠାକୁର ପୋଖରୀ ରେ ଅନେକ ଆଲମାରୀ, ଚେୟାର ଟେବୁଲ୍, ସୋଫାସେଟ୍ କୋଉ ଗାଁ ର ଭାସି ଆସି ଲାଗିଥିଲା। ଗୋଟେ ସ୍ତ୍ରୀ ଲୋକ ର ଶବ ଖଟ ସହ ଲାଖିକି ଥିଲା। ବୋଧହୁଏ ସ୍ତ୍ରୀ ଲୋକ ଟି ଶୋଇଥିଲା ଅବସ୍ଥା ରେ ଭାସି ଆସିଚି ବୋଧହୁଏ।ଅନେକ ସୁନା ଅଳଙ୍କାର ତା ଦେହରେ ଥିଲା।ପାଣୁଆ ବାରିକ କାହାକୁ କିଛି ନ କହି କୋଉ ଦିନ ରାତିରେ ଯାଇ ସୁନା ତକ ସେ ମଲା ଦେହରୁ କାଢିକି ଆଣିଥିଲା।ସେଇ ଦିନୁ ତା ଦେହ ଖରାପ ରହୁ ଥିଲା।କାଲି ରାତିରେ ରକ୍ତ ବାନ୍ତି କରି ପକାଇଲା।ତା ଭାରିଯା କେତେ କାକୁତି ମିନତି କରି କୁଆଡେ କହିଥିଲା ସୁନାତକ ଠାକୁର ଙ୍କୁ ଦେଇ ଦିଅ।ସେ ସ୍ତ୍ରୀ ଲୋକ ଟି କୋଉଠି କାର ଜଣା ନାହିଁ। ନାଁ ସେ ପୋଡ଼ା ହେଲା ନା ତାର କ୍ରିୟା କର୍ମ ହେଲା।ତା ଆତ୍ମା ଅତୃପ୍ତ ଥିବ।ସହଜେ ସ୍ତ୍ରୀ ଲୋକଙ୍କର ଗହଣା ଗାଣ୍ଠି ପ୍ରତି ଭାରି ଲୋଭ। ପାଣୁଆ ବାରିକ କିଛି ଶୁଣିଲାନି।ଆଜି ମରି ପଡ଼ିଛି।


ସେ ମାଇକିନିଆ ଡରଉ ଥିବ ନିଶ୍ଚୟ କହି ଲୋକଟି ଚାଲିଗଲା।ମୋତେ ଲାଗୁଥିଲା ଏ ମାଟି ଗଦା ସହ ମୁଁ ବି ବୋଧହୁଏ ସ୍ଥାଣୁ ପାଲଟି ଯିବି। ମୁଁ ମୋ ଜୀବନର ସବୁଠୁ ମୂଲ୍ୟବାନ ସମ୍ପତ୍ତି ତ ହରାଇ ସାରିଥିଲି। ଯେମିତି ମୋ କାନ ପାଖରେ କିଏ କହୁଥିଲା ମୋ ଧନରେ ମୁଁ ପରା ଏଇଠି ତୋ ପାଖରେ ବସିଛି। ତୁ ସିନା ମୋତେ ଦେଖି ପାରୁନୁ। ମୁଁ ପରା ତୋର ପାଖରେ ବସିଛି। ମୁଁ ମାଁ କହି ଦଉଡ଼ି ଯିବି କ'ଣ ଝୁଣ୍ଟିପଡିଲି। ଝୁଣ୍ଟିକି ତଳକୁ ଚାହିଁ ଦେଖିଲା ବେଳକୁ ବୋଉ କୁ ମୋ ଜେଜି ଦେଇଥିବା ପୁରୁଣା କାଳିଆ ଅଣ୍ଟା ବିଛା ଟା ପଡ଼ିଥିଲା। ବୋଉ ବହୁତ ଥର କହିଥିଲା ଏଥର ଆସିଲେ ମୋ ଅଣ୍ଟା ବିଛା ଟା ବଦଳେଇ ଗୋଟେ ନୂଆ ଅଣ୍ଟା ବିଛା କିଣି ଦେବୁ ମୋ ବୋହୂ ପାଇଁ କି। ମୁଁ ତ ବୁଢୀ ହେଲେଣି।ମୋର ଆଉ କ'ଣ ଦରକାର ଅଛି।ମୋ ବୋହୂକୁ ଅଣ୍ଟା ବିଛା ଦେବି।


Rate this content
Log in

Similar oriya story from Abstract