Amita Dash

Abstract Tragedy Inspirational

3  

Amita Dash

Abstract Tragedy Inspirational

ପିଲା କନିଆଁ

ପିଲା କନିଆଁ

4 mins
176



ଅନାଥ ବୋଉ ଆଈଟା ପିଲା କନିଆଁରେ ବାହା ହୋଇ ଆସିଥିଲା।ଶାଶୁ, ଶ୍ବଶୁର,ଯାଆ,ଦେଢଶୁର ଆଉ ପିଲାମାନଙ୍କୁ ନେଇ ତା'ର ପରିବାର ଥିଲା।ମରଦ ତା'ର ଛଅ ଫୁଟିଆ ଡେଙ୍ଗା ସର ସର ଧୋବ ଫରଫର ମଣିଷ। ଗାଁ ଟୋକଳି ମାନଙ୍କର ଭାରି ଆଖି ଦୁରୁଷ୍ଟିଆ ହବାକୁ ପଡୁଥିଲା। ନୂଆ ବାହା ହେଇ ଆସିଲା ବେଳେ ସମସ୍ତେ ଆସି ତାକୁ କହନ୍ତି ତୋ ବର କେଡେ ସୁନ୍ଦର ଲୋ।ସେ ଅମକ ଘର ଝିଅ କହୁଥିଲା ବାହା ହବ।ସେ ସମକ ଘର ଝିଅ ଅନେଇ ଅନେଇ ବୁଢ଼ୀ ବଅସେ ବାହା ହେଲା।କେତେ ବଡ଼ ଘରେ ପ୍ରସ୍ତାବ ପଡିଥିଲା ବୋଲି କୁହେ ତା ବଡ଼ ଯାଆ।ଏସବୁ ଶୁଣି ଶୁଣି ତା ଛାତି ଗର୍ବରେ ଫୁଲି ଯାଏ। କୁଣ୍ଢେ ମୋଟ ହୋଇଯାଏ।ପିଲା କନିଆଁ।କାମ ଧନ୍ଦା କିଛି ଜାଣିନି।ତୋଳା କନିଆଁରେ ଆସିଥିଲା ଯେ ବାପ ଘର ଲୋକ ଛାଡି ଦେଇଗଲେ।ଦି ଦିନ ଆଗରୁ ଶାଶୁଘରକୁ ଆସିଥିଲା।କୁଣିଆ ବେଶି ଦିନ ଝିଅ ଘରେ ରହିବେନି ପିରା।ବାପା ଛାଡି ଦେଇ ପଳାଇଲା।ବାହା ଦିନ ଜୋରରେ ଭୋକ ଲାଗିଲା ଯେ ଶୋଇ ପଡ଼ିଲା ଆଉ ଉଠିଲାନି।ଖାଇବାକୁ ଜିଦ୍ କଲା।ତା ବଡ଼ ଭାଇ ଆସିଥିଲା ଯେ ତାକୁ କାଖେଇ କି ବେଦି ଚାରି କଡ ବୁଲେଇଲା।ନ ହେଲେ ତ ବାହାଘର ହୋଇପାରିନଥାନ୍ତା।


ବାହାଘର ଚାରି ବର୍ଷ ପରେ ଯାଇଁ ବଡ଼ ହେଲା।ମାସୁଆରୀ କପଡା ପୁଅ ପିଲାଙ୍କ କପଡା ଶୁଖେଇବା ଜାଗାରେ ପକେଇ ଦେଲା ଯେ ଶାଶୁ ଯୋଉ ଗାଳି କରିଥିଲେ ସମସ୍ତଙ୍କ ଆଗରେ ସେ କଥା କୁହେ।ସମସ୍ତେ ବି ତା କଥା ଗପ ଭଳି ଶୁଣନ୍ତି।ବଡ଼ ହେବାର ବର୍ଷଟେ ପୁରିନି ନଗଦା ,ନଗଦି ତିନିଟା ଛୁଆର ବୋଉ ହୋଇଗଲା।ନିଜକୁ ଦୁନିଆର ସବୁଠୁ ସୁଖୀ ମଣିଷ ଭାବୁଥିଲା। ବଂଶକୁ ପୁଅ ଦେଇଥିଲା।

ସମସ୍ତେ ଭାରି ଆଦର କରୁଥିଲେ।


 ସେତେବେଳେ ରୋଗ ଭଲ ପାଇଁ ନା ଥିଲା ଡାକ୍ତରଖାନା ନା ବଡ ଡାକ୍ତର।ଚାରି ଖଣ୍ଡ ଗାଁ ଛାଡି ବଇଦଙ୍କ ଘର। ସେତେବେଳେ ଯୋଉ ରୋଗ ଆସୁଥିଲା ମହାମାରୀର ରୂପ ନେଉଥିଲା।ଯଦି ହଇଜା ହେଲାଣି ତ ଗାଁ ର ଭେଣ୍ଡା ବୁଢ଼ା କିଛି ଦେଖିବନି।ଦିନ ଆଠ ଠାରେ ସବୁ ମରିକି ଛଣ ପଟା। ଗାଁ, ଗାଁ ପଦା ହୋଇ ଯାଉଥିଲା। ହଠାତ୍ କୋଉଠି ଥିଲା ଆସିଲା ବସନ୍ତ ରୋଗ। ଠାକୁରାଣୀଙ୍କ ପାଖେ ପଣା, ଝୁଣା, ଧୂପ ସବୁ ଦିଆ ଚାଲିଲା।ତ୍ରି ଛକିରେ ବସନ୍ତ ଠାକୁରାଣୀ ପାଇଁ ପଣା ଦିଆ ଗଲା।ଘରେ ଘରେ ମାଁ ଗ୍ରାମ ଦେବତୀଙ୍କ ଧୂପ ବୁଲା ହେଲା। କାଇଁ କ'ଣ।ଘରେ ଘରେ ବସନ୍ତ ବୁଲି ବୁଲି ମୁଣ୍ଡ ଖାଇଲା।ଅନାଥ ବୋଉ ଆଈର ଭାଗ୍ୟ ରସାତଳକୁ ଚାଲି ଗଲା।ଡକା ହକା ହୋଇ ବାପା,ବୋଉ ଆଉ ସାନ ପୁଅ ବସନ୍ତରେ ଆର ପାରିକୁ ଚାଲି ଗଲେ।ବଡ଼ ଭାଇ ବଞ୍ଚିଗଲା ଯେ ବୁଢ଼ା ହବା ଯାଏ ଦେହ ସାରା ଆବୁ ,ବଥ ଭଳିଆ ଟେଳାଟା ମାନ ରହିଲା।


ବର ଗଲା ପରେ ତା ମୁଣ୍ଡରେ ଚଡ଼କ ପଡ଼ିଲା।ବଡ଼ ଭାଇ ଭିନେ କରିଦେଲା।ହାଣ୍ଡି ଚୁଲି ଅଲଗା।ବେଶୀ ବୟସ ବି ତାକୁ ହୋଇନଥିଲା।କି କାମ କରି ତିନି ତିନିଟା ଛୁଆଙ୍କ ପେଟ କେମିତି ପାଳିବ।ତା ଘଇତା ଥିଲା ବେଳେ ଗାଁ ର ସବୁ ଘରୁ ଯୋଉ ଗାଈ ଗୋରୁ ଦଣ୍ଡାକୁ ଚରିବାକୁ ଯାଆନ୍ତି ତାଙ୍କୁ ଚରେଇ ବାକୁ ନିଏ।ଯିଏ ଯାହା ମୂଲ ଦିଅନ୍ତି ରଖିନିଏ।ସେତ ଅକାଳରେ ଗଲା।ଗଜା ଭେଣ୍ଡାଟା।ଦେଢଶୁର ଭିନେ କଲାବେଳେ ତା ବାଣ୍ଟରେ ଗାଈ ଦିଟା ପଡ଼ିଥିଲା। ତାଙ୍କୁ ନେଇ ତା ଗୁଜୁରାଣ ମେଣ୍ଟାଇଲା।ଦୁଧ ,ଦହି କରି ବିକ୍ରୀ କରି ଛୁଆଙ୍କୁ ଚଳାଇଲା।ପାଠ ପଢାଇଲା। ସେତେବେଳେ ଧାନ କୁଟା କଳ ବି ନ ଥିଲା। କାଁ ଭାଁ ଦଶ କୋଶ ଦୂରରେ ଗୋଟେ କଳ।ସମସ୍ତଙ୍କ ଘରେ ଘରେ ଢ଼ିଙ୍କି

ଆଈ ସମସ୍ତଙ୍କର ଧାନ ଢ଼ିଙ୍କିରେ କୁଟିଲା।ଥରେ ଜ୍ବର ଦେହରେ ଧାନ କୁଟୁ କୁଟୁ ପଡି କି ଗୋଡ଼ ଭାଙ୍ଗିଗଲା।ପୁଣି ଦେଢ଼ ଚାଖଣ୍ଡେ ପଣତ ଚାଖଣ୍ଡେ ହେଲା।ବଡ଼ ପୁଅଟା ବାର ,ତେର ବର୍ଷର ହୋଇ ଯାଇ ଥିଲା। ଗାଁ ର କେହି ଜଣେ ତାକୁ ନେଇ ପାଖ ବଜାରରେ ବଡ଼ ସାହୁକାର ଦୋକାନରେ ରଖି ଦେଲେ।ବର୍ଷକୁ ଖାଇ ପିଇ ଯେତିକି ମିଳୁଥିଲା ଘରକୁ ପଠଉ ଥିଲା।ୟା ଭିତରେ ଆଈର ଗୋଡ଼ ବି ଠିକ୍ ହୋଇସାରିଥିଲା।ସେ ପୁଣି ଧାନ କୁଟିବାରେ ଲାଗି ପଡିଲା।ୟା ଭିତରେ ମଝିଆଁ ପୁଅ ବି ଦି ପଇସା ଆୟ କରୁଥିଲା।ସାନ ପୁଅ ବାହାରେ ରହି ପଢ଼ୁଥିଲା। ସମସ୍ତେ କହିଲେ ଆଈ ଟୋକି ବୟସରୁ ଖଟି ଖଟି ଦରମରା ହୋଇ ଗଲୁଣି।ସବୁ ରୋଗ ମାଡ଼ି ବସିଲାଣି।ଧାନ କୁଟା ଛାଡି ଦେଇ ବଡ଼ ପୁଅ କୁ ବାହା ତୋଳା କରି ଦେ।ଆଈ ହସି ଦିଏ କୁହେ କଥାରେ ଅଛି ପରା ଢ଼ିଙ୍କି ସରଗ ଗଲେ ବି ଧାନ କୁଟିବ। ମୁଁ ଧାନ କୁଟୁଚି,କୁଟୁଥିବି ମରିବା ପର୍ଯ୍ୟନ୍ତ।ମୋ ସହ ଢିଙ୍କିକୁ ମୋ ମଲା ପରେ ସରଗ ପଠେଇ ଦବ।ଆଈ ଭାଗ୍ୟ ତ ଆସିଲା ବେଳେ ଦୁଃଖ ଆଣିକି ଆସି ଥିଲା। ଦୁଃଖ ତା'ର ଚିର ସହଚର ହୋଇ ସାରିଥିଲା।ବଡ଼ ପୁଅକୁ ବାହା କରିବାକୁ ପ୍ରସ୍ତାବ ପକାଇଲା ଯେ ପୁଅ ସିଧା ସଳଖ ବାହା ହବନି ମନା କଲା।ଶୁଣୁ ଶୁଣୁ ତା'ର କୁଆଡେ ତା ଖାଉନ୍ଦାଣୀ ସହ ଖରାପ ସମ୍ପର୍କ ଥିଲା। ମାଲିକାଣୀ ଟୋକା ଘଇତା ପାଇ ଥିଲା ଛାଡିବ କେମିତି।


ଆଈ, ପୁଅ ଫେରିବ ବୋଲି ସନ୍ତୋଷୀ ବ୍ରତ କଲା।ଘରର ପାଇଟି ସାରି ,ଦୁଧ ,ଦହି ଗରାଖଙ୍କୁ ଦେଇ ସାରି ବିଲକୁ ଘାସ ଆଣିବା ପାଇଁ ଯାଏ।ଆସିଲା ପରେ ପଡୋଶୀ ଘରୁ ଭୋଗ ନିଏ।ସମସ୍ତେ କହିଲେ ତୋ ପୁଅ ପୂଜା କରିବାର ଷୋହଳ ପାଳିରେ‌ ପଳାଇ ଆସିବ ଦେଖିବୁ।ପୁଅ ଫେରିଲା ହେଲେ ବାହା ହେବାକୁ ରୋକ୍ ଠୋକ୍ ମନା କରିଦେଲା।କହିଲା ମଝିଆ କୁ କର।ମଝିଆ ସେତେବେଳକୁ ଗୋଟେ ଅଜାତି ଟୋକି ସହ ମନ୍ଦିରରେ ବାହା ହୋଇ ତା ଘରେ ରହୁ ଥିଲା।ଏ କଥା କାହାକୁ ଜଣା ନ ଥିଲା।କାହାକୁ କିଛି ନ କହି ମାଆ,ବଡ଼ ଭାଇ କଥାରେ ବାହା ହୋଇ ପଡିଲା।ବାହା ଘର ର ମାସକରେ ମାଇକିନିଆ ଛାଡି ଆର ମାଇକିନିଆ ପାଖୁ ପଳେଇଲା।ମଝିରେ ମଝିରେ ଆସେ।ୟା ଭିତରେ ପରିବାର ବଢ଼ି ସାରିଥିଲା। ମଝିଆଁ ପୁଅ ର ତିନିଟା ଛୁଆ ହୋଇ ଯାଇ ଥିଲେ।ଆଈ ଆଜି ଯାଏଁ ବି କାହାର କେମିତି ଧାନ କୁଟୁ ଥିଲା।


ଏବେ କଳ ହୋଇଯାଇଥିଲା।ଅରୁଆ ଚାଉଳ ଠାକୁର ପୂଜା ପାଇଁ ଖାଲି ଢ଼ିଙ୍କିରେ କୁଟା ହେଉ ଥିଲା।ଆଈ ର କାନ୍ଦି କାନ୍ଦି ମୋତିଆବିନ୍ଦୁ ହୋଇ ଯାଇ ଥିଲା।କିନ୍ତୁ ଧାନ କୁଟିବାରେ ଏତେ ଅଭ୍ୟସ୍ତ ଥିଲା ସେ ନ ଦିଶିଲେ ବି ଢ଼ିଙ୍କିରେ ପାହାର ଠିକ୍ ପକାଏ ।ଥରେ ଲଘୁଚାପ ବର୍ଷା ଚାରି ପାଞ୍ଚ ଦିନ ଲାଗି ରହିଲା।ବୋହୂ ନାତିଙ୍କୁ ବୁଢ଼ୀ ବାପଘର ପଠେଇ ଦେଇଥିଲା। ମଝିଆଁ ତ ସେଇ ପ୍ରଥମ ମାଇକିନିଆ ପାଖେ ପଡ଼ିଥାଏ।ମାଟି ଚାଳିଆକୁ ଅନ୍ଧାର।ପବନ ,ବର୍ଷାରେ ଆଈ ଉପରେ କାନ୍ଥ ପଡ଼ିଗଲା।ଝଡ ବାତ୍ୟା ରେ ରାତି ଅଧ ରେ ଯେଝା ଘରେ ଯିଏ ଯାହାର ଥିଲେ। କାନ୍ଥ ପଡ଼ି ଯାଇ ଥିବାରୁ ଆଈ କାହାକୁ ଡାକି ବି ପାରିଲାନି।କେତେ ବେଳେ ପ୍ରାଣ ଯାଇଚି କେହି ଜାଣି ପାରିଲେନି।



Rate this content
Log in

Similar oriya story from Abstract