ନଈ ପାଖେ ଚୁଡ଼ି ଭଙ୍ଗା
ନଈ ପାଖେ ଚୁଡ଼ି ଭଙ୍ଗା
ବର୍ଷା ଟିକେ ଟିକେ ଟୋପି ଟୋପି ପଡୁ ଥାଏ। ଛତା ଆଣି ନ ଥିଲୁ ଦୁଇ ଭଉଣୀ। ଆମ ଗାଁ କୁ ବଡ଼ ବୋଉକୁ ଦେଖିବାକୁ ଯାଇଥିଲୁ।ସେ ଘରେ ପଡି ସାରିଥିଲା। ଆଉ ତା କଥା ନୁହେଁ ବୋଲି ଲୋକେ କହୁଥିଲେ। ଆମେ ବାପାଙ୍କ ଚାକିରୀ ଯୋଉଠି ସେଇଠି ରହୁଥିଲୁ।ବଡ଼ ବାପା କାହା ହାତରେ କହି ପଠେଇ ଥିଲେ ଯିଏ ଦେଖିବା କଥା ଆସି ଦେଖି ଦେଇ ଯାଅ
ଆଉ ଦିନେ କି ଦି ଦିନର କଥା।ବାପା କହିଲେ ମୁଁ ଆଉ କ'ଣ ଦେଖି ଯିବି,ମୋର ସିଏ ପିଲା ଦିନରୁ ସାଙ୍ଗ ବି ଥିଲା।ପରେ ଭାଉଜ ହୋଇ ଥିଲା।କାଣ୍ଡେଇ ଟେ ଥିଲା।ଏତେ ଜଲଦି ଚାଲି ଯିବ ଭାବିଲେ ଦୁଃଖ ଲାଗୁଛି। ତୁମେମାନେ ଯାଅ ଦେଖି ଆସିବ।ଛକ ପାଖରୁ ଜିଲାବି କିଣି ନେଇ ଯିବ। ତା'ର ଭାରୀ ପ୍ରିୟ ଜିଲାପି।ବାପା ଆମ ଝିଅ ମାନଙ୍କୁ ଏକଲା ବସ ଫସ ରେ ଯିବା,ଆସିବା କରିବା ସାଇକଲ ଶିଖିବା ସବୁ ପାଇଁ ଅନୁମତି ଦେଇଥିଲେ।କୁହନ୍ତି ଝିଅମାନେ ସ୍ବାବଲମ୍ବୀ ହେବା ଦରକାର। କେତେବେଳେ କୋଉ କଥା।ସମୟ ବଡ଼ ବଳବାନ।ସବୁ ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିବା ଜାଣିବା ଦରକାର।ଆମେ ଛତା ନ ଆଣି ପଳାଇ ଆସିଥିଲୁ।ଆମ ଗାଁ ଟା ଛକ ରୁ ପାଞ୍ଚ ,ଛଅ କିଲୋମିଟର ହେବ।ପାଦ ଚଲା ରାସ୍ତା। ସେତେବେଳେ ରିକ୍ସା ଖଣ୍ଡେ ବି ନାହିଁ।ବାଟ ତ ସିଧା ନୁହେଁ ବୁଲାଣି,ବଙ୍କାଣି।ତା ପୁଣି ଅଳ୍ପ ଅଳ୍ପ ଦୂରରେ ନାମ କରଣ ହୋଇଚି। ବାଟରେ ଗୋଟେ ବଡ ଚାକୁଣ୍ଡା ଗଛ ପଡେ।ତା ନାଁ ବ୍ରହ୍ମ ରାକ୍ଷସ ଗଛ।ଯୋଉ ପୁଅ ପିଲା ବ୍ରତ ହୋଇ ମରିଥାନ୍ତି ସେଇଟା ତାଙ୍କ ରହିବା ଯାଗା।ତା କିଛି ବାଟରେ ଗୋଟେ ପଡେ ତାଳ ଗଛ।ସିଏ ଅପାଣିଆ ଠାକୁରାଣୀ ର ଘର। ତା କିଛି ବାଟରେ ଚିରୁଗୁଣୀ ବାଙ୍କ।ସେଠି କିଏ ରହୁଥିବ ଜାଣି ସାରିବେଣି। ଦୁଇ ଭଉଣୀଙ୍କୁ ଡର ମାଡିଲେ ବି ସାହସ ଜୁଟେଇ ଚାଲିଥାଉ।ଦେଈ ହନୁମାନ ଚାଳିଶା ପାଠ କରୁଥାଏ। ମଝିରେ ମଝିରେ ମୋ ସହ ଗପୁଥାଏ।ପିଲାରେ ବଡ଼ବୋଉ କେମିତି କଳି କରେ। ଗାଁ ଟା ସାରା ଲୋକ ତାକୁ ବୁଝାଇ ବାକୁ ଆସନ୍ତି। ବହୁତ ଭଲ ପଢ଼ୁଥିଲା କୁଆଡେ।ସପ୍ତମ ଶ୍ରେଣୀରେ ଭଲ ନମ୍ବର ରଖି ବ୍ଲକ ରେ ପ୍ରଥମ ହୋଇ ଥିଲା। ତା'ର ଚାକିରୀ ଆସିଥିଲା।ତା ବାପା ତାକୁ ବାହା କରିଦେଲେ ବାପା ଆମର କୁହନ୍ତି।ରନ୍ଧା ଵଢା କିଛି ଶିଖି ନ ଥିଲା।ରନ୍ଧା ଖରାପ କଲେ କେହି ଯଦି ଟୋକି ଦେଲେ ସରିଲା। ସେଦିନ ସିଏ ଖାଇବନି କି ଘରେ କେହି ଖାଇବେନି।ଅତି ହେଲେ ପୋଖରୀ ତୁଠ ପାଖକୁ ଯାଇ କାନ୍ଦିବ।ରାଗରେ ବେଳେ ବେଳେ ସବୁ ଚୁଡ଼ି ଭାଙ୍ଗି ଦିଏ।ଅନ୍ୟ ସ୍ତ୍ରୀ ଲୋକ ଗାଧଉ ଥିଲେ ପାଟି କରନ୍ତି କୁହନ୍ତି ଆଲୋ କେଡେ ଅଲକ୍ଷଣା ସ୍ବଭାବ ତୋର କିଲୋ।ନଈ ତୁଠରେ କିଏ ଚୁଡ଼ି ବାଡାଏ।ଖାଲି ବାଡାଏ ନି କୁଆଡେ ବଡ଼ ବାପା ଙ୍କୁ ଗାଳିବି ଦିଏ। ନାଁ ଧରେନି।ଅମକ ମଲା ଦେଖ ମୁଁ ଚୁଡ଼ି ବାଡେଇଲି। ସତରେ ବିଶ୍ବାସ ହେଉନି ଏତେ ଜଲଦି ରୋଗ ମାଡ଼ି ବସିବ ସିଏ ଅହ୍ୟ ଡେଙ୍ଗୁରା ବଜେଇ ଆର ପାରିକୁ ଚାଲି ଯିବ। ସେତେବେଳେ ଏତେ ଚିକିତ୍ସା ର ସୁବିଧା ନ ଥିଲା। ତଥାପି କଟକ ନେଇଥିଲେ। ସେତେବେଳେ ସ୍ନାୟୁ ଗତ ଗୋଟିଏ ବିମାରୀ ଆସିଥିଲା।ଯୋଉଟା ତୁମକୁ ପ୍ରାୟତଃ ଅଚଳ କରିଦେବ।ବୋଉ ତ କୁହେ ତା ମାସୁଆରୀ କନା ବଡ଼ ବାପା ଧୋଇ ଦିଅନ୍ତି।ଦୁଇ ତିନି ମାସ ହେବ ପାଟି ପଡି ଯାଇଥିଲା।ଖାଲି ଠାରିକି କହୁଥିଲା।ବୋଉ,ବାପା ଆସିଥିଲେ ଦେଖିବାକୁ।ଆମ ଗପସପ, ହନୁମାନ ଚାଳିଶା ବୋଲା ଭିତରେ ଆମେ ଗାଁ ପାଖା ପାଖି ହୋଇ ଯାଇ ଥିଲୁ।ଆମ ଗାଁ ପଟୁ ଜଣେ ଚିହ୍ନା ଦଦା ଆସୁଥିଲେ ଶ୍ମଶାନ ଆଡୁ। ଆମ ଶ୍ମଶାନ ଟା ବିଲ ମଝିରେ ।ରାସ୍ତାକୁ ଦେଖାଯାଏ। ଶ୍ମଶାନ ରୁ ପାଟି ଶୁଭୁଥାଏ।ଲୋକ ଗଦା ହେଇ ଥିବା ଦେଖା ଯାଉଥାଏ।ମନଟା ଆପେ ଆପେ କାହିଁକି ଶଙ୍କା ଗ୍ରସ୍ତ ହେଉଥାଏ।ଦାଦି ଙ୍କୁ ଦୂର ରୁ ଆସୁ ଥିବାର ଦେଖି ପଚାରିଲୁ ଶ୍ମଶାନ ରେ ଏତେ ଲୋକ କ'ଣ।ସେ ଆମକୁ ଦେଖି ବାପା ଆସିଛନ୍ତି କି ନାହିଁ ପଚାରିଲେ।ତାପରେ ବଡ ବୋଉ ରାତିରୁ ଚାଲି ଯିବା କଥା କହିଲେ।ଯିବା ବେଳକୁ ପାଟି ଖୋଲି କୁଆଡେ କହିଲେ ଧରଣୀ କୁ କହିବ ମୋ ବାର ପତ୍ର ରେ ପାରାଦୀପ ରୁ ମାଛ ମଗେଇ ଲୋକଙ୍କୁ ଖୁଆଇବ।ଧରଣୀ ଆମ ବାପା ଯିଏ ବଡ଼ ବୋଉ ର ଦିଅର ବି ସାଙ୍ଗ ବି ଥିଲେ।ଆଉ କୁଆଡେ କହିଥିଲେ ଆସିଲାନି ମୋତେ ଟିକେ ଦେଖା କରିବାକୁ। ମୁଁ ଧରି ଥିବା ଜିଲାପି ଟିଫିନ୍ ଟା ମୋ ହାତରୁ ଖସି ତଳେ ପଡି ଗଲା।ସେଉଠୁ ଫେରି ଆସିବୁ ଦୁଇ ଭଉଣୀ ଭାବୁ ଥିଲୁ।ଯାଇ କି ଫାଇଦା କ'ଣ।ନା ଶେଷ ଦର୍ଶନ କରିବୁ ନା ଜିଲାପି ଖୁଆଇ ଦେବୁ।ବର୍ଷା ଟୋପି ରେ ଶ୍ମଶାନ ଯାଏ ଆମକୁ ନବ କିଏ। ପୋଖରୀ ତୁଠରେ ନିଇତି ଚୁଡ଼ି ବାଡଉ ଥିବା ମଣିଷ ଟା ଅହ୍ୟଡେଙ୍ଗୁରା ବଜେଇ ଗଲା । ଖଇ ,କଉଡ଼ି ଗାଁ ରେ ବିଞ୍ଚି ବିଞ୍ଚି , ଅହ୍ୟ ଚୁଡ଼ି ଗାଁ ସ୍ତ୍ରୀ ଲୋକ ଙ୍କୁ ବାଣ୍ଟି କି ଗଲା।ସତରେ କେଡେ ଭାଗ୍ୟବତୀ ଆମ ବଡ଼ ବୋଉ ଥିଲା ।
