ସକାଳର ପହିଲି ଗାଡିରେ
ସକାଳର ପହିଲି ଗାଡିରେ
ହସ୍ପିଟାଲରେ ବେଡ଼ ରେ ଶୋଇରହିଥିଲା ମଞ୍ଜୁ , ଆଜି ତା ମନରେ ଅସରନ୍ତି ଖୁସି । ଦୀର୍ଘ ଛଅ ମାସ ପରେ ସେ ପୁଣିଥରେ ଦୁନିଆକୁ ଦେଖିପାରିବ .. ତା ଦୁଇବର୍ଷ ର ପୁଅ ଅରୁଣ ଆଉ ସ୍ୱାମୀ ମାନବ କୁ ବି । ତା ସ୍ୱାମୀ ମାନବ ତା ପାଇଁ କେଉଁ ଦେବତା ଠାରୁ କମ ନୁହନ୍ତି , ନହେଲେ ନୂଆ ଆଖିଟିଏ ଯୋଗାଡ଼ କରିବା କଣ ସହଜ କଥା , ତାଙ୍କ ସ୍ୱାମୀ ଲାଗି ସେ ଆଉଥରେ ଦୁନିଆକୁ ଦେଖିପାରୁଛି ସେକଥା ବୁଝିବାକୁ ତାହାର ବାକି ନଥିଲା ... ଆଉ କିଛି ସମୟ ପରେ ଆଖିରୁ ପଟି ଖୋଲା ହେବା , ଏହି କଥା ଭାବୁ ଭାବୁ ମଞ୍ଜୁ କୁ ନିଦ ଆସିଯାଇଥିଲା ।
ଅତୀତ -----
ବାପା ଠିକ କହୁଥିଲା ଏ ପରଦେଶୀ ବାବୁ ଗୁଡାକ ସବୁ ଏକାପରି ... ଗାଁ ଗହଳି ର ପରିମାନଙ୍କୁ ନିଜ ପ୍ରେମ ରେ ଫସାଇ ତାଙ୍କ ଶରୀର ର ମତୁଆଲା ନିଶା ରେ ବୁଡାଇ ଦେବେ । ଆଉ ଥରେ ନିଶା ଖସିଗଲେ ସକାଳ ର ପହିଲି ଗାଡି ଧରି ପ୍ରଥମ ଉଡାଣ ଭରିବେ ସହର ଅଭିମୁଖେ । ସେତେବେଳେ ବିଚରା ପରୀଟାର ଡେଣା ନଥିବ ଉଡିବା ଲାଗି ... ହଁ ସେ କ୍ଷତାକ୍ତ ଆଉ ଅପବିତ୍ର ଶରୀରକୁ ସେ ପରଦେଶୀ ବାବୁ କଣ ଆଉ ଚିହ୍ନି ପାରିବ ? ସେତେବେଳେ ସେ ଆଉ କେଉଁ ପରି କୁ ଧରିବା ଲାଗି ଜାଲ ବିଛାଇ ସାରିଥିବ ....
ଆରେ ପାଗେଳୀ ସବୁ ମଣିଷ କଣ ସମାନ , ମନୋଜ ମଞ୍ଜୁକୁ କହିଲା ... ଏହାକହି ମନୋଜ ମଞ୍ଜୁ କୁ ନିଜ ବାହୁମୁଠା କୁ ଭିଡ଼ିନେଲା .... କିନ୍ତୁ ବାପାଙ୍କ କଥା କୁ ମନେ ପକାଇ ମଞ୍ଜୁ ମନୋଜ ଗାଲରେ ଦେଇଦେଲା ଗୋଟେ ମସ୍ତବଡ଼ ଚାପୁଡ଼ା । ସେଠାରୁ ଫେରିଆସିଲା ନିଜ ଘରକୁ ... ବହୁତ ଖୁସିଥିଲା ମଞ୍ଜୁ , ଯାହାହେଉ ଆଜି ତା ଶରୀରରେ ଅପବିତ୍ର ର ଗାର ଟା ଟଣାହେବା ଆଗରୁ ସେ ନିଜକୁ ବଞ୍ଚାଇ ଆଣିଥିଲା ମନୋଜ ଠାରୁ । ଯଦି ସତରେ ମନୋଜ ତାକୁ ଭଲ ପାଉଥିବ ନିଶ୍ଚୟ ତାହାର ଭୁଲ ବୁଝିପାରି ତା ପାଖକୁ ଆସିବ .... କିନ୍ତୁ ମନୋଜ ଆସିଲାଣି .. ମଞ୍ଜୁ ଭାବିନେଲା ସବୁ ପରଦେଶୀ ବାବୁ ଭଳିଆ ମନୋଜ ବି ସକାଳ ର ପହିଲି ଗାଡି ଧରି ତା ଘରକୁ ଫେରିଯାଇଛି .... ଏହାପରେ ମଞ୍ଜୁ ଧରିନେଲା ସ୍କୁଲ ମାଷ୍ଟର ମାନବ ର ହାତ କୁ ।
ବର୍ତମାନ ....
ଆଉ କିଛି ଭାବିବା ଆଗରୁ ଡାକ୍ତର ଙ୍କ ଡାକରେ ମଞ୍ଜୁ ର ନିଦ ଭାଙ୍ଗିଗଲା .. ପଟି ଖୋଲା ହେଲା ... ବହୁତ ଦିନପରେ ସେ ନିଜ ପରିବାର କୁ ଦେଖି ବହୁତ ଖୁସି ହେଉଥିଲା ... ଏହି ଖୁସିରେ ତା ଆଖିରୁ ଝରିପଡିଲା ଦୁଇଟୋପା ଲୁହ ... ଆଖିରୁ ଲୁହଟାକୁ ପୋଛୁପୋଛୁ ଅନୁଭବ କଲା ସେ ଲୁହର ଉଷ୍ମତା କୁ ... ତାକୁ ଲାଗୁଥିଲା ଏ ଲୁହ ତା ଅତି ନିଜର , ଏ ଲୁହର ଗୋଟେ ନିବିଡ଼ ସମ୍ପର୍କ ଅଛି ତା ସହିତ , ଅନେକ ଥର ଆଗରୁ ସେ ଅନୁଭବ କରିଛି ଏ ଲୁହକୁ ... କାହାର କାହାର ଏ ଲୁହ ?
ସମସ୍ତେ ଘରକୁ ଫେରିଲେ , ଫେରିବା ବାଟରେ ଆଜି କାହିଁ ଟ୍ରାଫିକ ବହୁତ ଭିଡ଼ ଥିଲା । ଘରକୁ ଗଲେ ନିଜ ସ୍ୱାମୀ ପଚାରିବ ତାକୁ ଆଖି ଦେଇ ନୂଆ ଦୁନିଆ ଦେଖାଇଥିବା ସେ ଦେବତା ଜଣଙ୍କ କିଏ ? ଏହା ଭାବି ମଞ୍ଜୁ ନିଜ ବ୍ୟାଗ ରୁ କଣ ଗୋଟିଏ ଖୋଜୁ ଖୋଜୁ ତାହାର ନଜର ପଡିଲା ଗୋଟେ କାଗଜ ଉପରେ ... କାଗଜ ଟି ଖୋଲି ଦେଖିଲା , ସେଥିରେ ଲେଖାଥିଲା ...
ତୁମକୁ କଣ ଡାକିବି ମୁଁ ଜାଣେନା ? ସେଦିନ ତୁମେ ମୋ ଠାରୁ ଆସିବା ପରେ ମୁଁ ସକାଳର ପହିଲି ଗାଡି ଧରି ସହର ଅଭିମୁଖେ ଉଡାଣ ଭରିନଥିଲି । ତୁମକୁ ଦେଖା କରିବା ଲାଗି ବହୁତ ଚେଷ୍ଟା କରିଛି କିନ୍ତୁ ତୁମ ବାପା ମୋତେ ଦେଖାକରାଇଦେଲେନି , ମୋ ଭୁଲ ଲାଗି ମୁଁ ଅନୁତପ୍ତ । ପାଞ୍ଚ ଦିନ ତଳେ ତୁମ ବାପାଙ୍କର ଫୋନ ଆସିଲା ସେ ମୋତେ ତୁମ ବିଷୟରେ କହିଲେ .... ମୋତେ ବହୁତ ଦୁଃଖ ଲାଗିଲା , ମୋ ଭୁଲ ର ପ୍ରାୟଶ୍ଚିତ କରିବା ଲାଗି ଏହାଠାରୁ ଆଉ ଭଲ ସମୟ ନଥିଲା । ତେଣୁ ମୋ ଆଖି ଦୁଇଟାକୁ ତୁମକୁ ଦେଇଦେଲି ... ତୁମେ ଖୁସିରେ ରୁହ, ତୁମର ସଂସାର ଅଛି । ମୋ କଥା ଛାଡ଼ , ମୁଁ ଏମିତି ବଞ୍ଚିଯିବି । ଗୋଟେ ଅନୁରୋଧ ତୁମ ବିଚ୍ଛେଦ ର ବରାହ ରେ ମୁଁ ବହୁତ କାନ୍ଧିଚି , ସେ ଆଖିକୁ ବହୁତ କଷ୍ଟ ଦେଇଛି ଦୟାକରି ତାକୁ ଆଉ କଷ୍ଟ ଦେବନି । ସେଦିନ କହିଥିଲି ଆଜିବି କହୁଛି ସବୁ ପରଦେଶୀ ବାବୁ ସମାନ ନୁହନ୍ତି ....।
ଠିକ ଏହି ସମୟରେ ଗାଡିର କାଚ ଠକ ଠକ କରି ଗୋଟେ ଅନ୍ଧ ଯୁବକ ପଇସା ଟେ ମାଗୁଥିଲା । ମଞ୍ଜୁ ଇତଃସ୍ଥତ ଭାବେ ଚାହିଁ ଦେଲା , ତାକୁ ଚିହ୍ନିବାକୁ ବାକି ନଥିଲା ସେ ଅନ୍ଧ ଯୁବକ ଜଣଙ୍କ ମନୋଜ ବୋଲି । ତାକୁ କିଛି କହିବା ଆଗରୁ ମଞ୍ଜୁ ର ସ୍ୱାମୀ ମାନବ ଟଙ୍କାଟିଏ ବଢ଼ାଇ ଦେଲେ ସେ ଅନ୍ଧ ଯୁବକ କୁ ... ମଞ୍ଜୁ ଭାବିଥିଲା ଗାଡ଼ିରୁ ଓଲେହି ମାନବ କୁ ଭୁଲ ମାଗିନେବ କିନ୍ତୁ ଠିକ ଏହିସମୟରେ ତାଙ୍କ ସ୍ୱାମୀ ଗାଡି ଷ୍ଟାର୍ଟ କରି ଘର ଅଭିମୁଖେ ଆଗକୁ ଉଡାଣ ଭରିଲେ । ମଞ୍ଜୁର ମନରେ ଅଦୃଶ୍ୟ ଝଡ଼ । ଝରକା କାଚରୁ ମଞ୍ଜୁ ଚାହିଁରହିଥିଲା ମନୋଜ କୁ , ଆଉ ମନେ ମନେ ଭାବୁଥିଲା ସତରେ କଣ ସେଦିନ ମନୋଜ ସକାଳ ର ପହିଲି ଗାଡ଼ିରେ ସହର ଫେରିନଥିଲା ..... ??

