ଚଉତରା
ଚଉତରା
ବିନୋଦ ମା' ବାପା ଛେଉଣ୍ଡ ପିଲାଟି । ଆଜକୁ ସତର ବର୍ଷ ତଳେ ସେମାନେ ବିନୋଦକୁ ଏକାକରି ଚାଲିଯାଇଛନ୍ତି l ଫନ୍ଦିରୀ କରି ବିନୋଦର ବଡ ବାପା ସବୁ ଜମି ତକ ନିଜ ନାମରେ କରାଇନେଲେ ବିଚାର ନିଷ୍ପାପ ଛୁଆଟେ ବିନୋଦ, ଏକଥା କାହୁଁ ସେ ବୁଝିବ l ବଡ଼ ବାପା ଆଉ ବଡ଼ ମା' ପାଖରେ ଖାଏ । ପର ଛୁଆ କେତେଦିନ ବା ସେମାନେ ଆଉ ପୋଷନ୍ତେ ? ବେଳ ଉଣ୍ଡି ବଡ ମା' ବିନୋଦକୁ ଘରୁ ବାହାର କରିଦେଲା l ଏତେ ବଡ ଦୁନିଆରେ ଯେମିତି ସେ ଏକୁଟିଆ ହୋଇଗଲା । ଗାଁର ଶେଷ ମୁଣ୍ଡରେ ଗୋଟେ ବଡ଼ ଚଉତରା ଥାଏ । ସେଥିଦିନ ତମାମ ବସି କଣ ଗୁଣୁଗୁଣୁ ହୁଏ ସେହି ଏକା ଜାଣେ ?
ବିନୋଦର ଘର କହିଲେ ସେହି ଚଉତରା, କାଶତଣ୍ଡୀ ବଣ ଏ ପ୍ରକୃତି... ସେଇଠି ଦୁଃଖ, ସେଇଠି ସୁଖ l କାହା ମନରେ ଯଦି ଦୟା ହେଲା ମୁଠେ ଖାଇବାକୁ ଦିଏ ନହେଲେ ସେମିତି ଦିନ ତମାମ ଉପାସ ରୁହେ l
ଏମିତି ସମୟ ଗଡିଚାଲିଲା । ବିନୋଦ ମଧ୍ୟ ଯୁବକ ହୋଇସାରିଥାଏ l ହେଲେ ମୁହଁରେ ପୁଳେ ଦାଢ଼ି ସାଙ୍ଗକୁ ଜଟୁଆ କେଶ ତାକୁ ଏକ ନୂଆ ପରିଚୟ ଦେଇସାରିଥାଏ, ବିନୁ ପାଗଳା l
ଯଦି କାହାର ଛୁଆ ଅଭିମାନ କରେ, ମା' କୁହେ ଜଲଦି ଖାଇନେ ନହେଲେ ବିନୁ ପାଗଳା ଆସି ନେଇଯିବ l ଯଦି କେହି ଭେଁ ରଡି ଛାଡ଼ିଥିବ ସେ ଏକାଥରକେ ଚୁପ l କାହାର ଶାଗ ଲାଗି ବାଡ଼ି ହଣାହେବ, କାହାର ବିଲ ହଳ ହେବତ ଆଉ କାହାର ଭୋଜି ଲାଗି ପାଣି ବୁହା ହେବ ସବୁ କାମରେ ବିନୋଦକୁ ଖୋଜା ହୁଏ l ତାକୁ ଏହି କାମ ଲାଗି କେହି କେବେ ପାରିଶ୍ରମିକ ଦେଇଛି ଏକଥା ମୁଁ ଜାଣିନାହିଁ l
ହଠାତ ଦିନେ ଗ୍ରାମରେ ଡେଙ୍ଗୁରା ପିଟା ହେଲା, ସରକାରଙ୍କ ଆଦେଶ ମଙ୍ଗରାଜ ପୁର ନିକଟରେ ଏକ ବିରାଟ ନଦୀବନ୍ଧ ତିଆରି ହେବ l ଯାହା ଫଳରେ ବିନୋଦର ଗ୍ରାମକୁ ନେଇ ଆହୁରି ପାଞ୍ଚୋଟି ଗାଁ ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ ହୋଇଯିବ, ହଁ କିଛି ଭୟକରିବାର ନାହିଁ ଆପଣମାନଙ୍କ ଥଇଥାନର ସମ୍ପୂର୍ଣ୍ଣ ବ୍ୟବସ୍ତା ମଧ୍ୟ ସରକାର କରିବେ l ଏଥର ଚଡ଼କ ପଡିଲା ଗାଁ ବାଲାଙ୍କ ଉପରେ l ହଇଓ ସରକାରଙ୍କ କଥାରେ ନା କଣ ? କେଉଁ କାଳରୁ ଆମ ଜେଜେ ବାପା ରହିଆସିଲେନି ଏହି ଭିଟାମାଟିରେ, ଏଇ ମାଟିରେ ମିଶି ରହିଛି ତାଙ୍କ ଅସ୍ତିର ଶେଷ ପାଉଁଶ ମୁଠିକ l ଆମେ କେମିତି ଛାଡ଼ୁଦେବୁ ଏ ଗାଁ ? ମଲେ ପଛେ ମରିବୁ ଗାଁ ଛାଡିବା କଥା ଯିଏ କହିବ ତାକୁ ଏକା ଚାଡ଼ିବୁନି ଆମେ l ଚାଲିଲା ସରକାର ଆଉ ଗ୍ରାମବାସୀ ମାନଙ୍କ ମଧ୍ୟରେ ଘୋମାଘୋଟ ଲଢେଇ l କେତେ ନେତା, ମନ୍ତ୍ରୀ, ସରକାରୀ କର୍ମଚାରୀ, ଖେଳାଳି, ଅଭିନେତା ମାନଙ୍କ ସୁଅ ଛୁଟିଲା ଗାଁ'କୁ l ହେଲେ ଗ୍ରାମବାସୀ ବୁଝିବାକୁ ନାରାଜ l ଯଦି ବନ୍ଧ ନ ହୁଏ ତେଣେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର ଆଉ ଭଦ୍ରକରେ ପ୍ରତିବର୍ଷ ବନ୍ୟା ସମସ୍ୟା ଦେଖାଦେବ l କ'ଣ ବା ଆଉ କରିବେ ବାଟ କିଛି ନ ଥାଏ ? ଏଥର ଚାଲିଲା ସରକାରଙ୍କ କଠୋର ନୀତି l
ଗ୍ରାମରେ ଛାଉଣୀ ହୋଇଗଲେ ଶତାଧିକ ପୋଲିସ, ଯିଏ ଆଗକୁ ବାହାରିଲା ଗୋଟେ ପ୍ରହାରରେ କାହାର ମୁଣ୍ଡ ଫାଟିଲା ତ ଆଉ କାହାର ଗୋଡ଼ହାତ ଭାଙ୍ଗିଲା l ଶେଷରେ ଗ୍ରାମବାସୀ ମାନେ ମୁଣ୍ଡ ନୁଆଇଁ ମାନିନେଲେ ସରକାରଙ୍କ ସର୍ତ l ପୋଲ କାର୍ଯ୍ୟ ଆରମ୍ଭ ହେଲା l ଏଣେ ଗ୍ରାମବାସୀମାନେ ଦୁଃଖରେ ମ୍ରିୟମାଣ ହୋଇପଡିଲେ l ବିନୋଦ ବି ଜାଣିପାରୁଥାଏ ଘଟଣା କଣ ? ହେଲେ ଚଉତରାକୁ କେମିତି ଛାଡିବ ? ତା ସହିତ ତାହାର ଅତିତ ଯୋଡ଼ା... କଣ କରିବ ? କୋଉଠିକି ଯିବ ସେ ?
ଦେଖୁଦେଖୁ ଅଳ୍ପ କେଇଟା ଦିନ ଭିତରେ ପୋଲ କାମ ସରିଗଲା । ପୁନଶ୍ଚ ଗ୍ରାମରେ ଡେଙ୍ଗୁରା ପିଟାହେଲା, ଆସନ୍ତା କାଲି ଦୁଇ ଘଟିକା ସମୟରୁ ପାଣିଛଡ଼ା ଯିବ । ଯାହାଫଳରେ ଗ୍ରାମଗୁଡିକ ଜଳମଗ୍ନ ହୋଇଯିବ, ସେଥିଲାଗି ଆପଣମାନଙ୍କୁ ଗ୍ରାମ ଛାଡିବାକୁ ନିର୍ଦ୍ଦେଶ ଦିଆଗଲା l ଏଥର ଚାଲିଲା ଗ୍ରାମରେ କାନ୍ଦ ବୋବାଳି... ଯିଏ ଯାହାକୁ ଧରିଲା କାନ୍ଦିଲା ଆଉ କାନ୍ଦିଲା l ହାଡ଼ି, କଣ୍ଡରା, ପାଣ, ବ୍ରାହ୍ମଣ ଯିଏ ଯାହାକୁ ଧରିଲା ଖାଲି କାନ୍ଦିଲା l ଚାରିଆଡେ ଶୋକାକୁଳ ପରିବେଶ, ରାତି ପାହିଲେ ଗାଁଟା ଜଳମଗ୍ନ ହୋଇଯିବ l କିଏ ଜାଣେ ଆଉ କେବେ ଦେଖା ହେବକି ନାହିଁ ? ପ୍ରଥମ ଥର ଲାଗି ସକାଳଟା ବହୁତ ଜଲ୍ଦି ହୋଇଗଲା । ଆଜି ଆଉ କାଉର କା 'କା ' ଡ଼ାକ ଶୁଭିଲାନି l ହୁଏତ ସେମାନେ ପ୍ରଥମରୁ ଗାଁ ଛାଡି ଚାଲିଯାଇଥିଲେ l ପେଡି ପୁଟୁଳା ବନ୍ଧା ହେଲା l କିଏ ଦାଣ୍ଡ ଦୁଆରେ ମୁଣ୍ଡ ବାଡେଇ ବାଡେଇ ବେହୋସ ହୋଇଯାଉଥାଏ ତ ଆଉ କିଏ ମା ' ବାପାଙ୍କ ସମାଧିକୁ ଶେଷଥର ପାଇଁ ମୁଣ୍ଡିଆଟିଏ ମାରୁଥିଲା !. ନେତ ବୁଢ଼ୀ ବାଡ଼ିରେ ହୋଇଥିବା କଖାରୁ କଷିକୁ ଦେଖି ଲୁହ ଝରାଉଥାଏ ତ ଚମ୍ପା ମାଉସୀ ବଉଳା ଗାଈକୁ ଗୁହାଳୁ ଫିଟାଇ ଆଣୁଥାଏ l କାହାର ପେଟରେ ଆଜି ଭୋକ ନାହିଁ l ଏହା ମଧ୍ୟରେ ଗାଁରେ ପାଣି ପଶିବା ଆରମ୍ଭ ହୋଇସାରିଥିଲା । ଅଗ୍ନିଶ୍ରମ ବାହିନୀ, ଥାନା ବାବୁ ସମସ୍ତେ ଗ୍ରାମବାସୀ ମାନଙ୍କୁ ସାହାଯ୍ୟ କରିବାଲାଗି ଆଗଭଡା ହୋଇଥାନ୍ତି lଆଖିରେ ଆଖିଏ ଲୁହ ନେଇ ସମସ୍ତେ ଚାଲିଲେ ନଦୀବନ୍ଧ ଆଡକୁ l
ନଦୀବନ୍ଧରେ ପହଞ୍ଚି ସମସ୍ତେ ଗାଁକୁ ଅପଲକ ନୟନରେ ଚାହିଁଥାନ୍ତି । ଦେଖୁଦେଖୁ ଗାଁରେ ଘର ଦ୍ୱାର ବୁଡିବା ଆରମ୍ଭ ହୋଇସାରିଥାଏ । ଜଣେ କହି ଉଠିଲା... ବିନୁ ପାଗଳା କୋଉଠି କିରେ l ଏଥର ସମସ୍ତଙ୍କ ମନରେ ବିନୁର ଚିନ୍ତା । ସନ୍ଧ୍ୟାର ଆଗମନ ହୋଇସାରିଥାଏ । ନଦୀବନ୍ଧରୁ ଗାଁ ଚଉତରା ଝାପ୍ସା ଦୃଶ୍ୟମାନ ହେଉଥାଏ । ଆଉ କେହି ଜଣେ ସେହି ଚଉତରା ଉପରେ ବସି ଆମ୍ଭମାନଙ୍କୁ ଅପଲକ ନୟନରେ ଚାହିଁରହିଥାଏ ।
