ଛାତି ତଳେ ଗୋଟେ ହୃଦୟ ଅଛି
ଛାତି ତଳେ ଗୋଟେ ହୃଦୟ ଅଛି
ଗାଁ ମୁଣ୍ଡ ପାକେଇ ନାନୀ ଝିଅ ଭାନୁ .... ଓଃ ହୋ ହୋ କି ସୁକୁମାରୀ ଚେହେରା ... ପୁରା ବିୟୁଟିଫୁଲ ... ଫୁଲଟା କଢ଼ ହୋଇ କେତେବେଳେ ଫୁଟାଇଗଲାଣି ଅଥଚ ଗାଁ ର ମୁଖିଆ ହୋଇ ମୁଁ ଜାଣିପାରିଲିନି ... କିଏ ତାକୁ ତୋଳି ନେଇ ଠାକୁର ଘରେ ପୂଜା କରିବା ଆଗରୁ ଏ ସାଗର ବସନ୍ତିଆ ମହୁ ସାଜି ସେ ଫୁଲର ସବୁ ମହୁଶୋଷି ନେବାକୁ ଚାହେଁ ... ଏ ନିରାଟ ସାଗର ଭିତରେ ତାକୁ ହଜାଇ ଦେବାକୁ ଚାହେଁ ... ଯେଉଁଠି ଖାଲି ଭାନୁ ଆଉ ସାଗର ... ସାଗର ଆଉ ଭାନୁ ...ହା ହା ହା ।
ଛତରା ..କେଉଁଠିକାର ..କୋଉଠୁ ଶିଖିଲୁ ଏ କଥା ...ଏହାକହି ବୁଢ଼ୀ ମା ତିଳ ପାଣି ବାଲିତି ଟିଏ ଆଣି ନିଦରେ ବିଳିବିଳେଇ ହେଉଥିବା ନାତି ସାଗର ଉପରେ ଢାଳି ଦେଲା .... ଏକାଥରେକେ ସାଗର ଉଠିଯାଇ ଦେଖିଲା ... ସେ ସୁନ୍ଦୁରିଆ ଭାନୁ ବଦଳରେ , ଲୋଚାକୋଚା ହୋଇଯାଇଥିବା ଅଶି ବର୍ଷର ଜେଜେ ମା ତିଳ ....ମନଟା ଫିକା ପଡିଗଲା ତାହାର ...ପିଲାଦିନୁ ସାଗର ର ବାପା ମା ନାହାନ୍ତି ... ଗୋଟେ ଦୁର୍ଘଟଣାରେ ଶେଷ ଡାକରା ଦେଇଥିଲେ ସେମାନେ .. ଏଇ ତିଳ ବୁଢ଼ୀ ନାତି ସାଗର ଟାର ଯତ୍ନ ନେଇ ଛୋଟ ରୁ ବଡ଼ କରିଛି ... ଛୋଟ ବୋଲି ଗୋଟେ ଫଳ ଦୋକାନଟିଏ । ନାତି ସାଗର କେବେ ସେ ଦୋକାନରେ ବସିବାର କେହି ଦେଖିନାହିଁ । ହେଲେ ସାଗର ସେ ଛତରୀ ଖାଇ ପାକେଇ ର ଝିଅ ଭାନୁ ଲାଗି ପାଗଳ ... କେତେଥର ଟୋକାଟାକୁ କହିଲିନି ତା ମା" ଟା ଜମାରୁ ଭଲ ଲୋକ ନୁହଁ ... ବୁଢ଼ୀ ହେବାକୁ ବସିଲାଣି ତଥାପି ହଜାର ଲୋକଙ୍କ ସହ ତାହାର ସମ୍ପର୍କ ... ମା ଯଦି ଏମିତି ଝିଅଟା କେମିତି ଭଲ ଆସିବ ... ହେଲେ ଟୋକାଟା ଭାନୁର ପ୍ରେମରେ ଉବୁଟୁବୁ । ଭାନୁ ପ୍ରେମ କରେନି ନାହିଁ ସେକଥା ମୁଁ ଜାଣେନି ।
"" କି ଲୋକ ଗୁଡାକ ମ ଇଏ ? ଫଳବୋଲି ଦୁଇଶହ ପାଞ୍ଚସହ ନେବେନି .. ହଜାରେ ପ୍ରଶ୍ନ ପଚାରିବେ । ଇଏ ସେଉ କିଲୋ କେତେ ? ବେଦନା କେତେ ? ଆଉ ଟିକେ କମ କଲେ ହୁଅନ୍ତାନି । କହୁକହୁ ପାଟିରେ ପୁଣି ପାଞ୍ଚ ଛଅଟା ଅଙ୍ଗୁରୁ କୋଳି ପକାଇସାରିବେନି । ବୁଢ଼ୀଟା ସିନା ଉପରେ ଗେରିଗେରି ହୁଏ ହେଲେ ଭିତରଟା ପୂରା ନିର୍ମଳ । ନହେଲେ ସେ ଅଙ୍ଗୁରୁକୋଳି ଝୁଡିଟାକୁ କଣ ଆଣି ବାହାରେ ରଖନ୍ତା । ଯଦି କିଏ କହିଲା ତିଳ ମାଉସୀ ମୋ ପୁଅଟାକୁ ଭାରି ଜ୍ୱର , ଟଙ୍କା ପଇସା ଯାହା ଥିଲା ଡାକ୍ତର ଟାଣିନେଲା । ଫଳ ଗଣ୍ଡାଏ ବାକିରେ ଦେଇଥା ," ଗଲାସନ ଧାନ ଅମଳ ବେଳେ ନେବୁ "! ସେ ଲୋକର କଥା ନ ସରୁଣୁ ବୁଢ଼ୀ ପଲଥିନିଏ ଫଳ ଭର୍ତିକରି କୁହେ -- ଦରକାର ହେଲେ ଆଉ ଆସି ନେଇଯିବୁ । ବାକି ପଇସା ବୁଢ଼ୀକୁ କେହିକେବେ ଦେଇଥିବାର ମୁଁ ଜାଣିନାହିଁ ।
ଶେଷରେ ସାଗର ଆଉ ଭାନୁକୁ ବିବାହ ବନ୍ଧନ ରେ ବାନ୍ଧିବାକୁ ରୋକି ପାରିଲାନି ତିଳ ବୁଢ଼ୀ । ହଉ ଯଦି ନାତିଟୋକାଟା ଭାନୁକୁ ପାଇ ଖୁସିରେ ରହିପାରିବ ରହୁ । ତାହାର ଆଉ କେତେଦିନ କି ମା " ?
ସେଦିନ ପାକେଇ ନାନୀ ଝିଅ ଘରକୁ ଆସିଥାଏ । ତୁନିତୁନି କରି ଝିଅକୁ କହିଲା -- ଆଲୋ ଭାନୁ ସେ ତିଳ ବୁଢ଼ୀବା , ସବୁ ତ ବାକିବୁକାରେ ଲୋକଙ୍କୁ ଦେଉଛି । ଦୟା ଦେଖାଉଚି ଦୟା । କଣ ନା ମୋ ଛାତିତଳେ ଗୋଟେ ହୃଦୟ ଅଛି । ଏମିତି ଯଦି ବାକିବୁକାରେ ଦେବ ତାହେଲେ ତୋ ଘର ଚଳିବ କେମିତି ? ଜ୍ୱାଇଁପୁଅକୁ ଭିକ ମାଗିବାକୁ ସମୟ ଲାଗିବନି ।
ସେଦିନ ପ୍ରଭା ଖୋଲାଖୋଲି ଭାବେ ତିଳ ବୁଢ଼ୀ କୁ କହିଦେଲା । ଆଜିଠୁ ତୁମର ଆଉ ଦୋକାନକୁ ଯିବା ଦରକାର ନାହିଁ । ମୁଁ ଆଉ ତୁମ ନାତି ଦୋକାନ ସମ୍ଭାଳିବୁ ତୁମେ ଏଣିକି ଘରେ ବସ ।
ଦୋକାନର ଆୟ ଦୁଇଗୁଣା ବଢିଛି । ଏଣିକି ବୁଢ଼ୀଟା ଉପରେ ପ୍ରଭା ସବୁବେଳେ ଗେରିଗେରି । ବୁଢ଼ୀଟାକୁ ପ୍ରବଳ ଜୋରରେ ଜ୍ୱର । ବହୁତ ଦିନ ପରେ ଆଜି କାହିଁକି ତାହାର ଫଳ ଖାଇବାକୁ ମନ ହେଉଥିଲା । ପ୍ରଭାକୁ କହିଲା । ହେଲେ ପ୍ରଭା ପୁଳେ ପଚାଶଢା ଫଳ ଆଣି ବୁଢ଼ୀ ମୁହଁ ଉପରକୁ ପକାଇଦେଇ କହିଲା --- ଏତେ ଫଳ ଖାଇଖାଇ ମନ ଶାନ୍ତିହେଲାନି ଯେ ଆହୁରି ଫଳ ଖାଇବାକୁ କହୁଚୁ ।
ଆଉ ତିଳ ବୁଢ଼ୀର ବଳ ପାଉନି । ଯଦି କେବେ ଲୁଗାଟାରେ ଝାଡା ପରିସ୍ରା କରିଦିଏ । ନାତିଟୋକା ସାଗର ଯଦି ସଫାକରିବାକୁ ଯାଏ , " ପ୍ରଭା ସଫାସଫା କହିଦିଏ ଯଦି ସେ ହାତରେ ଝାଡା ସଫା କରିଛ ତେବେ ମୋ ପାଖରେ ଶୋଇବନି " ତୁମର ସେ ଜେଜେ ମା " କୁ କୁଣ୍ଢାଇ ଶୋଇବ ।
ତିଳବୁଢ଼ୀ ଆଉ ନାହିଁ ... ବୁଢୀକୁ ମରିବାର ଦୁଇ ଦିନ ହୋଇଗଲାଣି । ନାତି ଟୋକାଟା ଖାଲି ବିଳିବିଳେଇ ହେଉଛି, " ଜେଜେ ମା " ତୁ କୁଆଡେ ଗଲୁଲୋ " । ଦୁଇ ଦିନ ହେବ ପ୍ରଭା ବି ଘରକୁ ରାତିଅଧରେ ଫେରୁଛି । ପଚାରିବାରୁ କହୁଛି --- ବେପାରଟା ଟିକେ ବଢ଼ି ଯାଇଛି , ସେଥିଲାଗି ଡେରି ହେଉଛି । ନାଁ ଆଜିଠୁ ତାକୁ ପ୍ରଭାକୁ ସାହାଯ୍ୟ କରିବାକୁ ହେବ । ଜମିବାଡ଼ି କାମବି ସରିଗଲାଣି । ଏହାଭାବି ସାଗର ସାଇକେଲଟା ନେଇ ଦୋକାନ ଆଡ଼େ ଚାଲିଲା । ଦୋକାନ ପାଖରେ ପହଂଚି ଦେଖିଲା ଦୋକାନଟା ଆଉଜା ହୋଇଛି । ଧୀରେ କିନା କବାଟଟା ଖୋଲି ଘର ଭିତରକୁ ପଶିଯାଉଥିଲା ହେଲେ କାହାର ଗୋଟେ ଚୁପଚୁପ କଥାରେ ସେ ରହିଗଲା । କବାଟ ସେପଟୁ କେହିଜଣେ କହୁଥିଲା --- ଦେଖ ପ୍ରଭା ମୁଁ ସବୁଦିନ ପାଇଁ ତୁମ ବାହୁ ବନ୍ଧନରେ ବାନ୍ଧି ହେବାକୁ ଚାହେଁ । ଆଉ କେତେଦିନ ଏମିତି ଲୁଚିଲୁଚି ତୁମକୁ ଦେଖାକରିବି ?
ପ୍ରଭା କହୁଥିଲା --- ଆଉ କିଛି ରହିଯାଅ ମୋ ଧନ ! ସ୍ଲୋ ପଏଜନ ଦେଇ ସେ ବୁଢ଼ୀଟାକୁ ଆମ ବାଟରୁ ହଟାଇ ସାରିଲିଣି ଆଉ ବାକି ରହିଲା ତା ନାତି ଟୋକା । ସେ ବି ଆଉ କେଇଟା ଦିନରେ ଚାଲିଯିବ । ଲୋକେ କହିବେ ," ବୁଢ଼ୀ ମା " କୁ ଝୁରିଝୁରି ନାତିବି ଆର ପାରିକୁ ଚାଲିଗଲା । ସେତେବେଳେ ମୋ ଘରର କବାଟ ଆଉ ବେଡ଼ରୁମ ତୁମ ପାଇଁ ସବୁଦିନ ଖୋଲା । ଏ କଥା ଶୁଣି ସାଗର ର ମୁଣ୍ଡ କାମ କରୁନଥିଲା । ସତରେ ଜେଜେ ମା " ଠିକ କହୁଥିଲା , " ଏଇ ପ୍ରଭାଟା ଚରିତ୍ର ହିନା " । ହୃଦୟ ଭିତରେ ୟାକୁ ଜାଗାଦେଇ ମସ୍ତବଡ଼ ଭୁଲ କରିଛି ।
ପ୍ରଭା ଘରକୁ ଫେରିଲା । ପିନ୍ଧିଥିବା ଶାଢ଼ୀଟା ବି ଠିକ ସେ ପିନ୍ଧା ହୋଇନ ଥିଲା । ଆଉ ସେ ଶାଢ଼ୀରୁ ପର ପୁରୁଷ ର ଗନ୍ଧ ଆଜି ସ୍ପଷ୍ଟ ବାରିପାରୁଥିଲା ସାଗର । ପ୍ରଭାକୁ ଭୋକ ଲାଗିବାରୁ ପ୍ରଭା ଭାତ ନେଇ ଆସି ଖାଇଲା । ଟିକେ ବିଳମ୍ବରେ ଖାଇବ ବୋଲି ସାଗର କହିବାରୁ ପ୍ରଭା ସବୁଦିନ ଭଳି ଟିକେ ବିଷ ମିଶାଇ ସାଗର ଲାଗି ଘୋଡାଇ ରଖିଦେଲା । ପ୍ରଭାଖାଉଥିବା ସମୟରେ ସାଗର ପ୍ରଭାକୁ ଦେଖି ଗୋଟେ ମୁଚୁକୁନ୍ଦିଆ ହସଟେ ହସିଦେଲା । ପ୍ରଭା ବି ସାଗର କୁ ଦେଖି । ମନେମନେ ପ୍ରଭା କହୁଥିଲା --- ହଉରେ ପୁଅ କେତେ ହସୁଛୁ ହସ । ଆଉ କେଇଟା ଦିନକି ତୋର ।
ରାତି ଅଧରେ ପ୍ରଭାର ତଣ୍ଟିଟା କାହିଁକି ଶୁଖିଗଲା । ଛାତିଟା ଫାଟିଯିବା ଭଳି ଲାଗୁଥିଲା । ସାଗର ସାଗର ବୋଲି ଡାକିଲା , ହେଲେ ସାଗର କାହିଁ ? ହେଲେ କବାଟ ବି କିଏ ବାହାର ପଟୁ ବନ୍ଦ କରିଦେଇଛି ? ଛାଟିପିଟି ହେଉଥିଲା ପ୍ରଭା , ତାକୁ ପାଣି ଦରକାର । ସାଗର ମୋତେ ଟୋପେ ପାଣି ଦରକାର । ପ୍ରଭା କେମିତି ଜାଣିଥାନ୍ତା ସେ ରାତିରେ ଖାଇଥିବା ଖାଦ୍ୟରେ ସାଗରଯେ ବିଷ ମିଶାଇ ଥିଲା ବୋଲି ।
ସାଗରର ମଣିଷପଣିଆ ବି ଜେଜେ ମା" ସହିତ କେବେଠୁ ମରିସାରିଥିଲା । ସକାଳେ ପ୍ରଭାର ଶବ ପାଖରେ ବସି ସାଗର ଚିତ୍କାର କରୁଥିଲା । ହେଲେ ସେ ହୃଦୟ ଭିତରୁ ଆସୁଥିବା କୋହ ପ୍ରଭାପାଇଁ ନ ଥିଲା ବରଂ ତା ଜେଜେ ମା " ତିଳ ବୁଢ଼ୀ ପାଇଁ ଥିଲା । ଲୋକେ କୁହାକୁହି ହେଉଥିଲେ କାଲି ରାତିରେ ତିଳ ବୁଢ଼ୀ ଆସି ତା ନାତୁଣୀ ବୋହୂର ତଣ୍ଟିଟା ଚିପି ଦେଇଛି । ଚିପି ବନି ତାକୁ ଯେତିକି ହଇରାଣ କରିଛି ଏ ପ୍ରଭା ସେ ବୁଢୀକୁ । ଯାହାର ଯେତିକି ବାକି ଥିଲା ଭୟରେ ସମସ୍ତେ ଆଣି ସାଗରକୁ ଫେରାଇ ଦେଲେ । ସାଗର ଆଜି ବି କାନ୍ଦୁ ଥିଲା --- " ଛାତି ତଳେ ଗୋଟେ ହୃଦୟ ଅଛି , ସେହି ହୃଦୟ ରେ ଜେଜେ ମା ବସିଛି "
