STORYMIRROR

Nihar Ranjan pradhan

Children Stories Inspirational

3  

Nihar Ranjan pradhan

Children Stories Inspirational

ଆକାଶବାଣୀ କଟକ

ଆକାଶବାଣୀ କଟକ

2 mins
154


    ବାଡ଼ୀଖିଆ , ପୋଡ଼ାମୁହିଁ ସଂଜୁ ... ତୋ ଘଇତା ଉପରେ ଗାଡି ମାଡିଯିବରେ ଝାଡାଖିଆ । ତୋ ଘଇତା ଡାଇରିଆରେ ମରିବରେ ଆଣ୍ଠୁକୁଡ଼ି । ତୁ ଅଳପ ଦିନରେ ବିଧବା ହେବୁଲୋ ଯୋଗଣୀଖିଆ .... ....ବୁଢ଼ୀର ଏ ପ୍ରଶଂସାଶୁଣି ପିଲାମାନେ କହୁଥିଲେ 

      " ଆକାଶ ବାଣୀ କଟକ " , ଖବର ପଢୁଛନ୍ତି ସନ୍ନ୍ୟାସପୁରର ପଦ୍ମାବତୀ ବେୱା । ଆଜିର ମୁଖ୍ୟ ସମ୍ବାଦ , " ପଦୁଆଁ ବୁଢ଼ୀର ବାଡ଼ିରେ ସଂଜୁର ଛେଳି ପଶି କୋଶୀଲା ଶାଗ ପଟିଟାକୁ ଚଳୁକରିଦେଇଛନ୍ତି ।

    

  ଏତେକ ଯେମିତି ଗାଁ ପିଲାଙ୍କ ମୁହଁରୁ ବୁଢ଼ୀ ଶୁଣେ , ତାହାର ଭାଗବତର ୧୮ ସ୍କନ୍ଦ ଅଧ୍ୟାୟ ଟା ୨୮ ସ୍କନ୍ଦକୁ ବଢିଯାଏ । ପିଲେତାଳି ମାରି ମଜାନେବାରେ ବ୍ୟସ୍ତ ଆଉ ଆରପଟରେ ପଦୁଆଁ ବୁଢ଼ୀର କାଢ଼ଣା ....

       

      

     ବାର ଗେରସ୍ତର ଛୁଆ ତୁମେମାନେ

                ବୋପା ତ " ଠିକ ନାହିଁ ,

       ରାଣ୍ଡବୁଢ଼ୀଟାର ପଛରେ ଲାଗୁଚ

                ଦାନା ତ " ମିଳିବ ନାହିଁ ।।

   ଠିକ ଏହି ସମୟରେ ପିଲାମାନେ ବି ତାଙ୍କ ସାହିତ୍ୟ ବହିରୁ ଗୋଟେ ଅଧେ ଅଳଙ୍କାର ଆଣି ଅଜାଡି ଦିଅନ୍ତି ବୁଢ଼ୀଉପରେ ...

           ରଙ୍ଗୀନ ଟିଭି ଦେଖିବ ବୋଲି

                  ବାହାକରିଥିଲା ପୁଅକୁ ,

          ବୋହୂ ତ ଓଲେଇ ଗାବୁଡ଼ ମାରି

                   ସୁତା ଆଣିଲାନି ଦେହକୁ ।।


   ତୁମ କୂଳ ବୁଡିବରେ ବାଡ଼ିକୁଡ଼ି ଛୁଆ , ତମ ମା" ମାନେ ତୁମକୁ ଡ଼ିମିରି ଫଳଖାଇ ଜନମ କରିଥିଲେରେ ମାଙ୍କଡ଼ ଛୁଆ । ରୂହରେ ଝାଡାମନ୍ତିଆ ଦଳ , ଆସ ,ଆସ ଏଥର ମୋ ବାରିକୁ ପିଜୁଳି ଖାଇବାକୁ , ସେତେବେଳେ ଜାଣିବ ଏ ପଦୁଆଁ ବୁଢ଼ୀ କିଏ ?


     କଥା କଣକି ଆଜ୍ଞା , " ପଦୁଆଁ ବୁଢ଼ୀର ସ୍ୱାମୀଟା କେତେଦିନୁ ସ୍ୱର୍ଗବାସି ହୋଇଗଲାଣି .. ଘରେ ପୁଅ ବୋହୂ ବୋଲି ଦୁଇ ଜଣ ଲୋକ । ବୁଢ଼ୀର ବୋହୂର କେବେ ପଡ଼େନି । ବୁଢ଼ୀଟା ସବୁବେଳେ ବୋହୂଟା ଉପରେ ଗେଚର ଗେଚର ହେଉଥିବ । ବୁଢ଼ୀଭାବିଥିଲା ପୁଅ ବାହାଘରବେଳେ ଯୌତୁକ ବାବଦରେ ଗୋଟେ ରଙ୍ଗୀନ ଟିଭି ଆଣିବ , ହେଲେ ବୋହୂ ଭଲ ଶାଢ଼ୀ ଖଣ୍ଡିଏ ବି ଆଣିନଥିଲା । ସେଥିଲାଗି ଶାଶୁବୋହୂର ଜମା ପଡ଼େନି ।


         ଘର ପଛପଟରେ ବୁଢ଼ୀର ଶାଗ ପଟାଳି ... ମୁଣ୍ଡି ଦାଆ ସାଙ୍ଗକୁ ଖଣ୍ଡିଆ ଝୁଡି ନେଇ ବୁଢ଼ୀ ଦିନ ତମାମ ସେଠି କଣ କରୁଥାଏ କିଏ ଜାଣେ ? ସେଦିନ ସଂଜୁର ଛେଳି ପଲେଟା ପଶି ଶାଗପଟାଳିକୁ ଚଳୁ କରିଦେଇଥିଲେ । ଆଉ ତା " ପରେ ସଂଜୁ ଉପରେ ମହାଭାରତର ଯେଉଁ ଶ୍ଳୋକ ବରଷୁଥିଲା ଆପଣ ମାନେତ ଶୁଣିଲେ ।


          ବୁଢ଼ୀଟା ବିଛଣା ଗ୍ରସ୍ତ । ଆଜି ଆଉ ଆକାଶ ବାଣୀ କଟକ ର ସିଗନାଲ ସ୍ପଷ୍ଟ ଶୁଭାଯାଉନଥିଲା । ବୋଧେ ରେଡ଼ିଓଟାରୁ ବ୍ୟାଟେରୀ ସରି ଆସୁଥିଲା କି କ'ଣ ! ତଥାପି ଧୀରଧୀର କଣ୍ଠରେ ବୁଢ଼ୀଟା ତା " ପୁଅକୁ କହୁଥିଲା , " ଧନରେ ଦୁଇଦିନ ହେବ ମୋ ମୁଣ୍ଡି ଦାଆଟା ସେ ଅଳପଇସା ମକରା ବୁଢ଼ା ନେଇଛି ଯେ ଦେବାର ନାଁ ଧରୁନି " ମନ କରି ଆଣିବୁ । ତୋ ଶଶୁର କହିଥିଲା ଧାନ ଅମଳ ପରେ ରଙ୍ଗୀନ ଟିଭିଟା ଦେବବୋଲି । ତୋ ଶଶୁରକୁ ମନେ ପକାଇଦେବୁ । ତୋ ବଡ଼ ବୋଉ କାଲି ମୋ ପାଖରୁ ଅଧ ତାଟିଆଇ ମୁଡି ନେଇଛି , ଆଣିବାକୁ ଯେମିତି ନ ଭୁଲୁ !


        ଏ ସବୁ ଯାହାଥିଲା ସବୁ ଶୂନ୍ୟର ମୋହ , ଆଜି ଏ ମାଟି ଘଟଟା ମାଟିରେ ମିଶିବାକୁ ବସିଲାଣି ତଥାପି ମୋହ ସରିନଥିଲା ବୁଢ଼ୀର । ହଁ ଏଇତ ଜୀବନ । ଜୀବ ଅଛି ଲୋଭ ଅଛି । ଏହଭିତରୁ ରେଡ଼ିଓଟାରେ ବ୍ୟାଟେରୀ ସରିଯାଇଥିଲା । " ଆକାଶବାଣୀ କଟକ " ଖବର ପଢୁଛନ୍ତି ସନ୍ନ୍ୟାସପୁରର ପଦ୍ମାବତୀ ବେୱା .... ନାଇଁ ନାଇଁ ସେତ ସବୁଦିନ ପାଇଁ ମୋହର ମଶିଣା ଉପରେ ନିରବ ହୋଇ ଶୋଇରହିଥିଲା । ଜୀବନ ଆଉ ରେଡ଼ିଓର ବ୍ୟାଟେରୀ ଏକା ସହିତ ସରିଯାଇଥିଲା ।

      



Rate this content
Log in