suchismita Panda

Crime Inspirational

4.5  

suchismita Panda

Crime Inspirational

ସଜଡା ସ୍ମୃତି

ସଜଡା ସ୍ମୃତି

7 mins
356


  ଚୁଲି ଉପରେ ବସିଥିବା ଫୁଟା ପାଣି ଡେକଚି ଭିତରୁ ପାଣି ବୁନ୍ଦା ଯେମିତି ଢାଙ୍କୁଣିକୁ ଟେକି ଥପ୍ ଥପ୍ ହୋଇ ବାହାରି ଆସେ ବାହାରକୁ ଠିକ୍ ସେମିତି ହିଁ କିଛି ସ୍ମୃତି ହୃଦୟର କବାଟକୁ ଧସେଇ ଖୋଲି ଦେଇ ପଶିଆସେ ହୃଦୟର ରାଇଜକୁ । ଆଜି ପୁଣିଥରେ ସେଇ ହୃଦୟ ରାଇଜରେ ସେଦିନର ବର୍ଷା ଭିଜା ସ୍ମୃତି ତାଜା ହୋଇପଡିଛି । ଚାରି ବର୍ଷ ବିତିଯାଇଥିଲେ ସୁଦ୍ଧା ଆଶ୍ବିନ ମାସର ଆକାଶରେ କଳା ମିସ ମିସ ବାଦଳ ଓ ତୁହାକୁ ତୁହା ହେଉଥିବା ବର୍ଷାକୁ ଦେଖିଲେ ସବୁକିଛି ଆଖି ଆଗେ ଝଲସି ପଡି ଶରୀର ଶିହରି ଉଠେ ଏକ ଅନୁତାପର ଶିହରଣରେ ।

       ଧରା ପୃଷ୍ଠରୁ ଭାଦ୍ରବ ମାସ ବିଦାୟ ନେଇ ବିତି ଯାଇଥାଏ ଆଶ୍ବିନର ଚାରିଦିନ । କିନ୍ତୁ ଲଗାତାର ସାତ ଦିନ ଧରି ଯେଉଁ ବର୍ଷାର ଆରମ୍ଭ ହୋଇଥିଲା ତାହା ଥମିବାର ନାଁ ହିଁ ନେଉ ନଥାଏ । ସେଥିରେ ପୁଣି ବମ୍ବେ ନଗରୀ, ମାୟାର ନଗରୀ । ମାୟାରେ ସିନା ସଭିଙ୍କୁ ବାୟା କରିଥାଏ କିନ୍ତୁ ବର୍ଷାରେ ତାର ପ୍ରକୃତ କାୟା କେମିତି ସେକଥା ଯିଏ ସେଠି ରହେ ସେ ହିଁ ଠିକ୍ ବୁଝିପାରେ । ବର୍ଷା ଯୋଗୁଁ ବାହାରକୁ ଯିବାକୁ ଇଚ୍ଛା ହିଁ ନଥାଏ । ମାତ୍ର ଚାକରିଆ ମଣିଷଙ୍କ ଇଚ୍ଛା କଣ କିଛି ଥାଏ କି ! ପାଞ୍ଚ ଦିନ ପାଇଁ ଅଫିସ ତରଫରୁ ଯେଉଁ ଛୁଟି ମିଳିଥିଲା ସେତକ ହିଁ ଯଥେଷ୍ଟ । 

     ଜଲଦି ଜଲଦି ନିଜର ସବୁ କାମ ସାରି ଦେଇ ଛୁଆଟିର ଖାଇବା କିଛି, ନିଜର ଟିଫିନ୍ ଆଦି ସବୁ ପ୍ରସୁତ କରି ଦେଇ ହିଁ ଯିବାକୁ ହୁଏ । ହଁ ଯଦି ମୁଁ ତା ପାଇଁ କିଛି ନକରି କି ଗଲେ ମଧ୍ୟ ଚଳନ୍ତା ଯେ ମୋତେ ଲାଗେ କେତେ ହଇରାଣ କରିବି ଶାଶୁମାଁଙ୍କୁ । କିଛି ତ ସାହାଯ୍ୟ କରି ଦେଇଥାଏ ଯେଉଁଥିପାଇଁ ତାଙ୍କୁ ଥକା ଲାଗିବନି କି କାମ ଅଧିକ ହେବ ନାହିଁ । ସବୁକିଛିରୁ କିଛି କିଛି କରିଦେଇ ହାତରେ ଛତାଟିଏ ଧରି ବାହାରି ପଡେ ନିଜ କର୍ମକ୍ଷେତ୍ର ଅଭିମୁଖେ ।

       ଆଠ ଘଣ୍ଟାର କର୍ମମୟ ଜୀବନରୁ ଛୁଟି ପାଇଲା ପରେ ତର ତର ହୋଇ ଘରକୁ ଶୀଘ୍ର ଫେରିବାର ନିଶା ହିଁ କିଛି ନିଆରା ଥାଏ । ସେଥିରେ ପୁଣି ସେଦିନର ଝିପ ଝିପ ବର୍ଷା । ସନ୍ତସନ୍ତିଆ, ଶୀତୁଆ ଶୀତୁଆ ଲାଗୁଥାଏ ବୋଲି ମୁଁ ପାଦ ଟିକେ ଜୋର ଜୋର ବଢେଇ ଚାଲୁଥାଏ । ଅଧାରୁ ଅଧିକ ରାସ୍ତା ଅତିକ୍ରମ କରି ସାରିବାପରେ ହଠାତ୍ ମୋ ଆଖି ଯାଇ ଅଟକି ପଡେ ରାସ୍ତା ଉପରେ ହିଁ ବସି ରହିଥିବା, ବର୍ଷାକୁ ବେଖାତିର କରି ସ୍ତମ୍ଭ ପରି ଥିବା ଜଣେ ମହିଳାଙ୍କ ପାଖେ । ପୁଙ୍ଗୁଳା ବାଳକୋ ଓଦା ସର ସର ଦେହ । ଟିକେ ପାଖକୁ ଆସି ଦେଖେ ତ ହାତରେ ଲାଗିଛି ଆଘାତ । ରକ୍ତ ବାହାରି ପଡୁନି ହେଲେ ତାଜା ରକ୍ତ ସବୁ ଜମାଟ ନେଇ ଝକଟି ପଡୁଛି । କେଜାଣି କାହିଁକି ସେଠି ମୋ ପାଦ ଅଟକି ଗଲା । ମନ କହୁଥିଲା ବଢିଚାଲ ଆଗକୁ । ଯେମିତି ସମସ୍ତେ ପଳେଇ ଯାଉଛନ୍ତି ଦେଖି ସୁଦ୍ଧା ଅଣଦେଖା କରି । କିନ୍ତୁ ମସ୍ତିଷ୍କ କହେ ଅନ୍ତତଃ ମାନବିକତା ଦୃଷ୍ଟିରୁ ହେଲେ ମଧ୍ୟ ଥରେ ତ ପଚାରି ଦେ । କିଛି ସାହାଯ୍ୟର ଯଦି ଆଶାରେ ଥିବେ ତ ! ମନ ଓ ମସ୍ତିଷ୍କର ହଁ, ନାଁ ଭିତରୁ ମୁଁ ହଁ କୁ ହିଁ ବାଛିନେଲି । ତାଙ୍କ(ମହିଳା) ହାତକୁ ଧରି ଏକ ବାତ୍ସଲ୍ୟ ଭରା ଗଳାରେ ପଚାରିଲି - "ଆପଣ କିଏ, କାହିଁକି ଏ ରାତି ଅଧରେ ଏଠି ବସିଛନ୍ତି ?" ମୁଣ୍ଡଟି ଉଠେଇ ମୋତେ କିଛି ସମୟ ଅନାଇ ରହିବା ପରେ ମୋ ହାତକୁ ସେ ଆହୁରି ଅଧିକ ଜୋରରେ କଷି ଧରି କାନ୍ଦିଚାଲିଲେ । ତାଙ୍କ ସେଇ ଲୁହକୁ ଦେଖି ଲାଗୁଥାଏ ସତେ ଯେମିତି କେବେଠୁ ଜମାଟ ବାନ୍ଧି ରହିଥିଲା ଓ ଆପଣାର କାହାକୁ ଖୋଜୁଥାଏ । ମୋତେ ସେଇ ରୂପେ ପାଇ ସବୁ ବହି ଚାଲୁଅଛି । କିନ୍ତୁ ମୁଁ ତାଙ୍କ ଆପଣାର ହେଲି ଯେ କେମିତି ! ସନ୍ଦେହ ଓ ପ୍ରଶ୍ନ ଘେରରେ ମୋ ମନ ଛନ୍ଦି ହୋଇ ଯାଇଥିବାରୁ ପୁଣି ପ୍ରଶ୍ନକୁ ଦୋହରାଇ ଦିଏ । ପ୍ରତିବଦଳରେ ଯେଉଁ ଉତ୍ତରଟି ଆସେ ତାହା ମୋ ପାଇଁ ଆହୁରି ଅଧିକ ଆଶ୍ଚର୍ଯ୍ୟ ଜନକ ଥାଇ । ତାଙ୍କ କଥାରେ-

   " ମୁଁ କିଏ ! ଏ ପ୍ରଶ୍ନର ସଠିକ ଉତ୍ତର ମୁଁ ନିଜେ ମଧ୍ୟ ଜାଣି ନାହିଁ । ହୁଏତ ଜାଣି ଥିଲେ ଆଜି ଏଠି ଏମିତି ନଥାନ୍ତି । ହଁ କିନ୍ତୁ ଆପଣ କିଏ ସେଇଟା ମୋତେ ଭଲ ଭାବେ ଜଣା । ଆରେ, ଆପଣ ନାଇଁ ତୁ । ତୋତେ ମୁଁ ଜାଣିଛିରେ ।"

      ଏଇ ଉତ୍ତର ମୋତେ ଡରେଇ ଦେଇଥିଲା । ମୁଁ କିଏ ସେଇଟା କେମିତି ତାଙ୍କୁ ଜଣା । ଏଇ ପ୍ରଶ୍ନରେ ମନ ଥରି ଯାଉଥାଏ । ମୁଁ ତ କୌଣସି ବଡ ଫିଲ୍ମ ଷ୍ଟାରଙ୍କ ଝିଅ, ବୋହୂ କିମ୍ବା ସ୍ତ୍ରୀ କି ନାତୁଣୀ କିଛି ବି ନୁହେଁ । ତେବେ କେମିତି ମୋତେ ଏତେ ବଡ ସହରରେ ସେ ଚିହ୍ନିଛନ୍ତି ବୋଲି ଦାବି କରିପାରନ୍ତି ଯେ ! ଚୋର, ଡକାୟତଙ୍କ କଥା ଯାହା ହେଉ ପଛେ ମୋତେ ସେଇ ପରିସ୍ଥିତିରେ ଭୂତ ପ୍ରେତାଦିଙ୍କୁ ମନେ ପଡି ଯାଇଥାଏ । ଆଗରୁ କେବେ ବିଶ୍ବାସ କରି ନଥିଲି ହେଲେ ଅଚାନକ ଯାହା ଘଟିଲା ସେଥିରୁ 'ଆପବିତି' ର କିଛି କିଛି ଝଲକ ଆଖିରେ ଭାସି ପଡିଲା । ଶୁଣିଛି ଭୂତକୁ ଡରିଲେ ଡରାଏ । ତେଣୁ ନଡରିବାର ବାହାନାଟିଏ କରି ସାହାସର ସହ କହିଲି ମୋତେ ତୁ ଡାକୁଛନ୍ତି । ଚିହ୍ନିଛନ୍ତି ମଧ୍ୟ । ମୋତେ ଜାଣନ୍ତି କି ପୂର୍ବରୁ !

    ହଁ । ତୁ ଶୁଭଶ୍ରୀ । ଶୁଭଶ୍ରୀ ଶତପଥୀ । ହିନ୍ଦୀ ଶିକ୍ଷକଙ୍କ ସାନ ଝିଅ । ମାଧପୁର ଗାଁ ର ସୁନ୍ଦରୀ ଏବଂ ସାହି ପଡିଶାଙ୍କ ଚାହିଦା । ଆଉ କଣ କହିବି କହ ?

   ନିଜ ବିଷୟରେ ଏତେ କଥା ସବୁ ପୁଣି ଅଜଣା ମୁଖରେ ଶୁଣି ଧୈର୍ୟ୍ଯ କଣ ବାନ୍ଧି ହୁଏ କି ! ନା ନା କେବେ ନୁହେଁ । ବର୍ଷାର ବୁନ୍ଦାରେ ମୁଁ ଭିଜୁଥିଲି ସତ କିନ୍ତୁ ଦେହ ସାରା ଗମ ଗମ ଝାଳ । ଭୟ ସୀମା ଡେଇଁବା ଉପରେ । ମୁଖ ମଣ୍ଡଳରେ ଚିନ୍ତାର ଗାର । ଏସବୁକୁ ସେ ସଠିକ ଭାବେ ନିରୀକ୍ଷଣ କରିଦେଇ ଥିଲେ ବୋଧ ହୁଏ । ତେଣୁ ଆଉ ଅଧିକ ସମୟ ମୋତେ ଅନିଶ୍ଚିତ ଅବସ୍ଥାରେ ନଛାଡି ଗାଇଲେ ପୁରୁଣା ହିନ୍ଦୀ ସିନେମାର ଗୀତ ଦୁଇ ଧାଡି -

  

  ୟେ ଦୋସ୍ତୀ ହମ୍ ନେହିଁ ତୋଡେଙ୍ଗେ

  ତୋଡେଙ୍ଗେ ଦମ୍ ମଗର

  ତେରା ସାଥ ନା ଛୋଡେଙ୍ଗେ ।

  ବାସ୍ । ସେତକ ହିଁ ଯଥେଷ୍ଟ ଥିଲା ମୋ ପାଇଁ ତାଙ୍କୁ ଚିହ୍ନିବାରେ । ପାଇଯାଇଥାଏ ତାଙ୍କ ପରିଚୟ । ଗୀତଟି ସରିଛି କି ନ ସରିଛି ମୋର ମନେ ନାହିଁ କିନ୍ତୁ ତତକ୍ଷଣାତ୍ ମୋ ପାଟିରୁ ବାହାରି ପଡିଛି ଅନନ୍ୟା । ମୃଦୁ ହସି ଦେଲା ପରେ ମୁଁ ତାଙ୍କୁ ଜାବୁଡି ଧରି ଅନୁଭବ କରୁଛି କି ଯେ ସେ ସତରେ ମୋ ସହ ଅଛି ।

     ଅନନ୍ୟା । ଆମ ପଡିଶା ଘରର ଝିଅ । ମାଧପୁର ଗାଁରେ ଏକାଠି ରହୁଥିଲୁ ଆମେ । ମୋ ଠୁ ବୟସରେ ସାନ କିନ୍ତୁ ପାଖା ପାଖି ଥିଲୁ ବୋଲି ସବୁବେଳେ ମିଶିକି ରହୁଥାଉ । ଏବଂ ଏଇ ଗୀତ । ଏଇ ଗୀତଟି ହିଁ ଆମ ଦୁହିଁଙ୍କ ସବୁଠୁ ପ୍ରିୟ ଥାଏ । ମନ ହେଲେ ଦୁହେଁ ମିଶି ଜୋର ଜୋର ପାଟିରେ ଗାଉଥାଉ । କିନ୍ତୁ ଦୁର୍ଭାଗ୍ୟ ଯେ ଅନନ୍ୟା ସହ ମୋର ସଂପର୍କ ସେଇ କିଛି ବର୍ଷ ପାଇଁ ହିଁ ଥିଲା । କାମରୁ ଫେରୁଥିବା ବାଟରେ ଦୁର୍ଘଟଣାରେ ତା ବାପାଙ୍କ ବିୟୋଗ ପରେ ଘରଟି ସଂପୂର୍ଣ୍ଣ ରୂପେ ଉଜଡି ଯାଇଥାଏ । ଅଭାବ, ଅନଟନ ଭିତରେ କଷ୍ଟେ ମଷ୍ଟେ ଚଳୁଥିଲେ ମଧ୍ୟ ଧାର କରଜ କରୁ ନଥିଲେ । କିନ୍ତୁ ଅସୁବିଧା ବଢି ବଢି ଚାଲେ ବୋଲି ଦିନେ ନକହି କାହାକୁ ଖୁଡୀ(ଅନନ୍ୟାର ମାଁ)ଛୁଆଙ୍କୁ ଧରି ଗାଁ ଛାଡି ଚାଲି ଯାଅନ୍ତି । କିନ୍ତୁ କେଉଁଠିକୁ ସେକଥା ସଭିଙ୍କୁ ଥାଏ ଅଜଣା । ଏମିତି କି ଆମେ ମଧ୍ୟ ଜାଣି ନଥାଉ । ତାଙ୍କ ବନ୍ଧୁ ବାନ୍ଧବ ଯାହଙ୍କୁ ଜାଣିଥାଉ ସେମାନେ ମଧ୍ୟ କିଛି ଖବର ରଖି ନାହୁଁ କହି କଥା ଶେଷ କରି ଦେଇଥାନ୍ତି । ସେଠି ହିଁ ସବୁଦିନ ପାଇଁ ଅଜଣା ଗର୍ତରେ ଆମ ସଂପର୍କ ହଜିଯାଇଥାଏ । ଆଉ ଆଜି ଏମିତି ଅଚାନକ ଗିରି ଗୁମ୍ଫାରୁ ବାହାରି ଆସିଲା ପରି ସେ ଆସି ଆଖି ଆଗରେ । କିନ୍ତୁ ସେ ଏଠି ଏମିତି ଅବସ୍ଥାରେ କାହିଁକି ! ଏଇ ପ୍ରଶ୍ନର ଉତ୍ତର ମୋତେ ଏଯାଏଁ ମଧ୍ୟ ଥାଏ ଅଜଣା ।

     ତୁମେ ରୁ ତୁ ହୋଇଯାଇ ସଂଗେ ସଂଗେ ମୁଁ କହେ ତୁ ଏଠି କାହିଁକି କହିଲୁନି ଯେ । ଆଉ ଏ କି ତୋର ଅବସ୍ଥା ! ପାଖେ ମୋ ଘର । ଚାଲ ଯିବା । କିନ୍ତୁ ସେ ରୋକଠୋକ ମନା କରିଦିଏ ଯିବାକୁ । ଏମିତି କି ମୋତେ ମଧ୍ୟ ତାକୁ ଚାଡି ଚାଲିଯିବା ପାଇଁ ବାଧ୍ୟ କରେ ଅନେକ । କିନ୍ତୁ ମୁଁ ତା ବାଧ୍ୟକୁ ଅବାଧ୍ୟ କରି ସେଠି ତା ପାଖେ ବର୍ଷାର ଆକାଶ ତଳେ ବସି ପଡେ । କିଛି ସମୟ ପାଇଁ ଦୁହେଁ ନୀରବ ଥାଉ । ମୁଁ ନୀରବତାକୁ ଭାଙ୍ଗି ତାକୁ ଅନୁରୋଧ କରେ ସବୁ କହିବାକୁ । ସେ ଆରମ୍ଭ କରେ ।

     ମାଧପୁର ଗାଁ କୁ ଛାଡି ଆମେ ଚାଲି ଆସିଥିଲୁ ମାଁ ଙ୍କ ମାମୁଁ ଘର ଗାଁକୁ । ସେଠି ଆମେ ଠିକ୍ ଠାକ୍ ଭାବେ ଚଳିଗଲୁ । ଦିନେ ମାଁ ରାତିରେ ଶୋଇଛି ଯେ ସକାଳ ହେଲା ପରେ ମଧ୍ୟ ଆଉ ଉଠିନି । ଆମେ ପାଲଟି ଗଲୁ ଅନାଥ । ମାଁ ଙ୍କ ମାମୁଁ ପୁଅ ଯିଏ ସଂପର୍କରେ ମୋ ମାମୁଁ ସେ ଆମ କଥା ବୁଝା ବୁଝି କଲେ । ବଡ ଦିଦିର ବାହାଘର ପରେ ଆସିଲା ମୋ ପାଳି । ଭଲ ଘର ବଢିଆ ପୁଅ ସବୁ ଠିକ ଅଛି ବୋଲି ବାହାଘର ମଧ୍ୟ କରେଇ ଦେଲେ । ବାହାଘରର ଗୋଟିଏ ମାସ ପରେ ପରେ ହିଁ ସବୁ ଭଲ ଖରାପ ଜଣା ପଡିଗଲା । ବାରମ୍ବାର ମୋତେ ଯୌତୁକ ପାଇଁ ବାଡେଇବା ଠୁ ଆରମ୍ଭ କରି ଚେଙ୍କ ଦେବା ସବୁ ଆରମ୍ଭ ହେଲା । ରକ୍ଷା ପାଇଁ କୌଣସି ହାତ ନଥାଏ କିନ୍ତୁ ଅତ୍ୟାଚାର ବେଳକୁ ଅନେକ ହାତ । ଶେଷରେ ମୋତେ ଏଠି(ମୁମ୍ବାଇ) କିଛି ଲୋକଙ୍କ ହାତରେ ବିକ୍ରି କରିବାକୁ ଅଣାଗଲା । ଏସବୁ ଶୁଣି ଦେଇ ନିଜକୁ ସେମିତି ପାଷାଣ ହାତରେ ମାରିବାଠୁ ରକ୍ଷା କରିବା ବେଳେ ଆଘାତ ପାଇ ଚାଲି ଆସିଛି ।

       ମର୍ମାହତ ହେଲା କାହାଣୀ ଶୁଣି ଛାତି,ମୁଣ୍ଡ ଝରି ଯାଉଥାଏ । ମଣିଷର ନୀଚତାକୁ ଧିକ୍କାରୀ ଦେଉଥାଏ ହୃଦୟ । ମୁଁ ତାକୁ ସେ ଚାଲି ଆସି ଠିକ୍ କରିଛି କହି ପୁନଶ୍ଚ ଗରକୁ ଯିବା ପାଇଁ କହେ । ହସି ଦେଇ କହେ ନାଁ । ସେ ଆଉ କିଛି ସମୟ ପରେ ହିଁ ଚାଳିଯିବ ତା ପ୍ରକୃତ ଠିକଣା ପାଖକୁ । ତା କଥାରେ ତାଛଲ୍ୟ ଦେଖି ମୋତେ ଡର ଲାଗେ । ସେ କଥାର ଗୁଢାର୍ଥ ବୁଝିବାକୁ ଚେଷ୍ଟା କଲା ବେଳେ ଯାହା ଜାଣେ ତାହା ମୋତେ ଭାଙ୍ଗି ଦେଇଥାଏ । 

       ଅନନ୍ୟା ହାର ମାନି ନେଇ ସ୍ବଇଚ୍ଛାରେ ବିଷକୁ ଅମୃତ ମଣି ଢକ ଢକ ପିଇ ସାରିଥାଏ । ଜାଣିବା ପରଠୁ ଲାଗି ପଡେ । ସେଇ ରାସ୍ତାରୁ ଡାକ୍ତରଖାନାକୁ ଯିବା ବାଟ ତକ ମୋ କୋଳରେ ମୁଣ୍ଡଟା ରଖିଥାଏ । ମୁଁ ଆଉଁସି ଦିଏ । ସେ ଆଉଁସାରେ ସେ ଶାନ୍ତି ମଧ୍ୟ ଅନୁଭବ କରୁଥାଏ । ତାକୁ ଜାଗ୍ରତ ରଖିବା ପାଇଁ ଅବିରତ କଥା ହୋଇ ଚାଲୁଥାଏ । ଡାକ୍ତରଖାନାର ଭିତରକୁ ମଧ୍ୟ ସେ ହସି ହସି ପଶେ । କିନ୍ତୁ ସେଠୁ ହସି ହସି ଆଉ ଫେରେନି ମୋ ପାଖକୁ, ଚାଲିଯାଏ ତା ଇପସିତ ସ୍ଥାନକୁ । ସବୁ ପ୍ରଚେଷ୍ଟା ବ୍ୟର୍ଥ ଯାଏ । 

      ସେ ଗଲା ପରଠୁ ସବୁବେଳେ ଚେଷ୍ଟା କରିଛି ଆସାମୀକୁ ଧରିବା ପାଇଁ ହେଲେ ମୋ ହାତ ଖାଲି । ମୋ ସହ ଲଢେଇ କରି ଅନନ୍ୟାକୁ ନ୍ୟାୟ ଦେବା ପାଇଁ କେହି ହେଲେ ସ୍ବର ଉଠେଇ ନାହାନ୍ତି । ଏମିତିକି ମୋତେ ଅନନ୍ୟାର ଶାଶୁଘରର ପ୍ରକୃତ ଠିକଣା ମଧ୍ୟ ମିଳି ପାରିନାହିଁ । ମୁଁ ହାରି ଯାଇଥାଏ ତା ସହ । ମୋ ମନରେ ଚିରଦିନ ପାଇଁ ରହିଯାଏ ବୋଝ । 

        ବର୍ଷା । ସବୁ ବର୍ଷ ଆସେ। ପ୍ରତିବର୍ଷ ଏଇ ବର୍ଷାକୁ ଦେଖି ସବୁ ସ୍ମୃତି ତାଜା ହୁଏ । ସେଥିପାଇଁ ମୁଁ ତା ପାଇଁ କିଛି କରି ନ ପାରିବାର ଅବଶୋଷରେ ରହି ଏକ ଶକ୍ତି ସଂଗଠନ ଗଢିଛି । ଅନନ୍ୟା ପରି ଯେତେ ଯେତେ ଅତ୍ୟାଚାରୀ ନାରୀଙ୍କୁ ଜୀବନର ଅନ୍ୟ ଏକ ଦିଗକୁ ଦେଖେଇ ହୃଦ ସ୍ପନ୍ଦନର ମହତ୍ତ୍ଵ ବୁଝେଇ ଚାଲିଛି । ଅନ୍ତତଃ ଏଇ ଛୋଟ ପ୍ରୟାସ ଅନେକ ମୂଲ୍ୟବାନ ଜୀବନକୁ ଚମକପ୍ରଦ କରିଦେବ ।



Rate this content
Log in

Similar oriya story from Crime