STORYMIRROR

Birakishore Nayak

Romance Tragedy

3  

Birakishore Nayak

Romance Tragedy

ସିନ୍ଦୂର

ସିନ୍ଦୂର

2 mins
133


    ଆସନ୍ନ ସନ୍ଧ୍ୟା ।ପାହାଡ଼ମଥାରୁ ସୂର୍ଯ୍ୟ ଗଡିଲେଣି । ଗାଁ ନଈପଠାରେ ବଉଳ ସହିତ ବୁଲୁଚି ଦୀପାଳି । କାଲି ତାର ବାହାଘର । ନିଜ ଗାଁ ଛାଡି ଅନ୍ୟ ଏକ ଅଜଣା ଗାଆଁକୁ ବୋହୂ ହୋଇ ଚାଲିଯିବ କାଲି ସିଏ ।ଛାତିଭିତରେ ଅଲଗା ଗୋଟେ ଏକାକୀତ୍ୱର ଯନ୍ତ୍ରଣା ଅନୁଭବ କରୁଥିଲା ଯେମିତି । ନଦୀପଠାରେ ବୁଲିବୁଲି ଝୁରୁଥିଲା ସ୍ମୃତିରାଜିକୁ ଦୀପାଳି । କେତେ ନିଜର ଏଇ ନଈ, ପିଲାଦିନେ କେତେ ଯେ ବାଲିଘର, ବୋଇତ ଭସାଣି, ସବୁ ମନେଅଛି । ବଉଳର ପରିହାସରେ ହସିଲା ଦୀପାଳି, ବଉଳ କହୁଥିଲା, ଆମକୁ ପର କରିବୁନିଲୋ ବଉଳ, ତୋ ବର କାଲି ଆସିଲେ କହିବି ତାଙ୍କୁ, ମୋ ବଉଳକୁ କେବେ କିଛି କହିବେନି ଯେମିତି, ନାକକାନ୍ଦୁରିଟାଏ, ସବୁବେଳେ ଖାଲି ଗେଲ କରିବେ । ଦୀପାଳି ଲାଜେଇଯାଇ କହିଲା, ଧେତ, ତୋର ସବୁବେଳେ ଏମିତି କଥା ।କିନ୍ତୁ ମୁଁ ଏଇ ଗାଁ, ଏଇ ବରଗଛ, ଆମ ପିଲାଦିନ, ସାଙ୍ଗସାଥି, ବାପାବୋଉ ଭାଇ ସାହିପଡିଶାଙ୍କୁ ଛାଡି ବଞ୍ଚିପାରିବିନିଲୋ, ଗାଁ ଦାଣ୍ଡ, ଭୋଜୀଭାତ, ଖୁଦୁରୀକୁଣୀଓଷା, ଦୋଳମେଳଣ, ନଈଗାଧୁଆ, ସବୁ ଥଟ୍ଟାମଜ୍ଜା ଆଜି ମନେପଡୁଛିଲୋ ବଉଳ,ଏ ସବୁ ଭୁଲି ପର ଗାଆଁରେ କେମିତି ବଞ୍ଚିବି ମୁଁ ।ବଉଳ ଦୀପାଳିକୁ ବୁଝାଇଥିଲା, ଝିଅମାନଙ୍କର ଭାଗ୍ୟ ତ ଏମିତିଲୋ, ଟୋପାଏ ସିନ୍ଦୂର ଆଉ ଦୁଇପଟ ଶଙ୍ଖା ନିଜର ସମସ୍ତଙ୍କୁ ପର କରିଦିଏ ପରା । ଅନ୍ଧାର ପୂର୍ବରୁ ଫେରିଆସିଥିଲେ ଦୁହେଁ ଘରକୁ ।

     ପ୍ରଗଳ୍ଭ। ଝିଅଟାର ନିରବତାକୁ ଦେଖି ପରିବାରର ସମସ୍ତେ ବୁଝାଉଥିଲେ ଦୀପାଳିକୁ ।ବୋଉଛାତିରେ ଚାପିଧରି କାନ୍ଦିଥିଲା,କହୁଥିଲା, ଝିଅଜନମତ ପରଘରକୁଲୋ ମାଆ ।ଦୀପାଳି ବି ବହୁତ କାନ୍ଦିଥିଲା ।

     ବାହାଘର ସରିବାପରେ ସୁନ୍ଦରୀ ଦୀପାଳିର ସିମନ୍ତରେ ସିନ୍ଦୂରର ବହଳରେଖା ଆହୁରି ସୁନ୍ଦର କରିଦେଇଥିଲା ତାକୁ । କିନ୍ତୁ ନୂଆ ଏକ ଶିହରିତ ଅନୁଭବ ଓ ଅସହ୍ୟ ବେଦନାରେ ଅନୁରଣିତ ଦୀପାଳି ଅନୁଭବ କରୁଥିଲା, ତାର ବାପାବୋଉ, ସାନଭାଇ, ବଉଳ ଆଉ ତା ଗାଆଁଟା,ସମସ୍ତେ ପର ହୋଇଯାଇଛନ୍ତି ଯେମିତି ।

ସମସ୍ତଙ୍କୁ, ପିଲାଟି ଦିନରୁ ନିଜର ହୋଇ ରହିଥିବା ବାପା, ବୋଉ, ଭାଇ, ଆତ୍ମୀୟସ୍ୱଜନ ତଥା ନିଜ ବହୁ ସ୍ମୃତି ବିଜଡିତ ଗାଁ ମାଟିକୁ ପରକରି ଚାଲି ଆସିଥିଲା ଶାଶୁଘରକୁ । ଇଏତ ସଂସାର ମାୟାରେ ବଶୀଭୂତ ଏକ ଜୀବନ । ଧନ୍ୟା ସେଇ ନାରୀ ଜାତି । ଯନ୍ତ୍ରଣା ବହୁଳ ଜୀବନରେ ବି ଅପୂର୍ବ ସାଫଲ୍ୟର ମୁକୁଟ ପିନ୍ଧି ଅଚିହ୍ନାମଣିଷଙ୍କୁ ନିଜର ସ୍ନେହ ମମତାରେ ବାନ୍ଧି ଏକ ସ୍ୱର୍ଗ ଗଢିଦିଏ ।ସେଇଥିପାଇଁ ସେ ମାଆ, ସୃଷ୍ଟିର ଏକ ଅନନ୍ୟା ସୃଜନୀ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance