STORYMIRROR

Birakishore Nayak

Tragedy Inspirational

3  

Birakishore Nayak

Tragedy Inspirational

ଆଉ ଏକ ସୁଯୋଗ

ଆଉ ଏକ ସୁଯୋଗ

3 mins
202

ସନ୍ଧ୍ୟାର ମ୍ଳାନ ଅନ୍ଧାରରେ ଘରର ପଛପଟ ବାରଣ୍ଡାରେ ଏକା ଏକା ବସିଥିଲା ସିଲି । କେମିତି ଗୋଟେ ଦୁଶ୍ଚିନ୍ତା ମାଡି ବସିଥିଲା ତାକୁ, କିଛି ଭଲ ଲାଗୁ ନଥିଲା। ଶାଶୁ ଘରୁ ରାଗି ଚାଲି ଆସିଲାଣି ପ୍ରାୟ ବର୍ଷେ ଖଣ୍ଡେ ହେବଣି, ଚାଲି ଆସିଲା ସିନା, ହେଲେ ଏବେ ଭାବୁଛି, ବୋଧେ ଭୁଲ ହୋଇଯାଇଛି ତାର ଏମିତି ରାଗି ବାପଘରକୁ ଚାଲି ଆସିବାଟା ।

       ଭାବୁଥିଲା ସିଲି, ଶାଶୁ ଘରକୁ ଯିବା ପରେ କେବେ ତ ସେ କିଛି ଭୁଲ କରିନାହିଁ, ଶାଶୁଘରର ସମସ୍ତ ସଦସ୍ୟଙ୍କୁ ନିଜର କରିବାକୁ ଚେଷ୍ଟା କରିଛି, ଶାଶୁ, ଶ୍ୱଶୁର, ନଣନ୍ଦ, ଦିଅର ଏମିତି କି ନିଜ ସ୍ୱାମୀଙ୍କ ମନ ନେଇ ଚଳିବାକୁ ଚେଷ୍ଟା କରିଛି। ସମସ୍ତେ ବି ବହୁତ ଭଲ ପାଆନ୍ତି ତାକୁ ତା ଶାଶୁ ଘରେ। କିନ୍ତୁ ଏମିତି ଏକ ଘଟଣା ଘଟିଲା, ଯାହା କି ତାକୁ ତାର ଶାଶୁ ଘର ଛାଡି ଚାଲି ଆସିବାକୁ ପଡିଲା । ଝିଅମାନେ ସବୁ ସହି ପାରିବେ, ହେଲେ ତାଙ୍କ ସ୍ୱାମୀ ଆଉ କେଉଁ ଝିଅ ସହିତ ଅନୈତିକ ସମ୍ପର୍କ ରଖିଲେ, ଏହା ସହିବା ବହୁତ କଷ୍ଟକର, ବହୁତ ଅଶାନ୍ତିକର ।

      ସେଦିନ ସେମିତି ଏକ ଘଟଣା ଘଟିଥିଲା ।

ସେ ଜାଣିଥିଲା ତାର ସ୍ୱାମୀ ଅନୁପ ଜଣେ ମଦ୍ୟପ, କିନ୍ତୁ ଚରିତ୍ରହୀନ ବୋଲି କଳ୍ପନା କରିନଥିଲା। ସେଦିନ ତାର ସ୍ୱାମୀ ମଦ ପିଇ ବିଳମ୍ବିତ ରାତ୍ରିରେ ଏକ ଝିଅକୁ ସାଥିରେ ଆଣି ଘରକୁ ଆସିଥିଲେ। ସବୁଦିନ ତ ବିଳମ୍ବିତ ରାତ୍ରିରେ ଫେରନ୍ତି, କିନ୍ତୁ ସେଦିନ ଏମିତି ଘଟଣା ଦେଖି ବହୁତ ବହୁତ ଭାଙ୍ଗି ପଡିଥିଲା ସିଲି । କ୍ରୋଧରେ ଫାଟି ପଡିଥିଲା ସେଦିନ ସିଏ। ଯାହା ପାଟିକୁ ଆସିଥିଲା, ଗାଳି କରିଥିଲା ସିଏ ତାର ସ୍ୱାମୀଙ୍କୁ । ବାହାରକୁ ରାଗରେ ଚାଲି ଆସିଥିଲା, ଶାଶୁ ଘରର ସମସ୍ତେ ନୀରବରେ ଦେଖୁଥିଲେ, ଆଶ୍ଚର୍ଯ୍ୟ ବି ହୋଇଥିଲେ। ଘର ପିଣ୍ଡାରେ ସେଦିନ ରାତିସାରା ବସି କାନ୍ଦିଥିଲା ସିଲି। ରାତି ପାହୁ ପାହୁ କାହାକୁ କିଛି ନକହି ବାପଘରକୁ ଚାଲି ଆସିଲା ସିଏ। ସେଇ ଦିନଠାରୁ ରହିଛି ସେ ଏଠି। ତାକୁ ବହୁତ ବୁଝାଇଛନ୍ତି ତାର ବାପା ମାଆ, ହେଲେ ତାର ଜିଦରେ ସେ ଅଟଳ ରହିଛି। ତା ଶାଶୁ ଶ୍ୱଶୁର ମଧ୍ୟ ଡାକିବାକୁ ଆସିଥିଲେ, ହେଲେ ସିଲି ଫେରିନଥିଲା ଶାଶୁଘରକୁ। କେମିତି ଏକ ଚରିତ୍ରହୀନ ସ୍ୱାମୀକୁ ନେଇ ସେ ତାର ସଂସାର କରିବ ? ବରଂ ଦୁଃଖରେ ଏଇ ବାପଘରେ ଏକା ଏକା ପଡିରହିବା ଭଲ। ଏମିତି ଏକ ଜୀବନକୁ ବାଛି ନେଇଥିଲା ସିଲି । ମାଆର ଡାକରେ ଅନ୍ୟମନସ୍କା ସିଲି ଚମକି ଉଠି ଘର ଭିତରକୁ ଆସିଲା । ଦେଖିଲା ତାର ଶ୍ୱଶୁର ଆସିଛନ୍ତି ଅନେକ ଦିନ ପରେ, ତାଙ୍କ ପାଖକୁ ଯାଇ ପାଦଛୁଇଁ ପ୍ରଣାମ କଲା ସିଲି। ଛିଡ଼ାହୋଇ ଦେଖିଲା, ତାର ଶ୍ୱଶୁରଙ୍କ ଆଖିରେ ଲୁହ, ସେ କାନ୍ଦୁଥିଲେ ।ତା ଶ୍ୱଶୁର କହୁଥିଲେ,ଅନୁପର ଦେହ ବହୁତ ଖରାପ ହୋଇଯାଇଛିରେ ମାଆ, ଦିନରାତି ମଦ ପିଇ ପିଇ ତା ଦେହରେ ଆଉ ନାହିଁ କିଛି ।ତା ଦେହ ଖରାପହେବା ପରେ ସେଇ ଯେଉଁ ଝିଅଟାକୁ ଆଣି ରଖିଥିଲା, ସେ ବି ଚାଲିଗଲାଣି କେବେଠାରୁ । ଆମେ ବୁଢାବୁଢୀ ଦିଟା ଯାହା ପଡିରହିଛୁ ତା ପାଖରେ । ଆମ ମୁହଁକୁ ଟିକେ ଅନା ମାଆ, ଆମ ଘରକୁ ଫେରିଚାଲ, ସବୁ ଠିକ ହୋଇଯିବ ତୋ ହାତରେ ତୁ ହିଁ ଅନୁପକୁ ସଜାଡି ଦେଇ ପାରିବୁ । ଶ୍ୱଶୁରଙ୍କ ଲୁହ ଦେଖି ତରଳି ଯାଇଥିଲା ସିଲି । ଭାବୁଥିଲା, ଜୀବନଟା ଛୋଟ ନୁହେଁ, ବାପଘରେ ଜୀବନ ସାରା କଣ ରହିପାରିବ ?ଯାହାହେଲେ ବି ସେଇ ତ ତାର ସ୍ୱାମୀ, ତାଙ୍କରିପାଇଁ ତ ସେ ମଥାରେ ସିନ୍ଦୂର ପିନ୍ଧୁଛି, ହାତରେ ଶଙ୍ଖା ନାଇଛି। ପୁଣି ତାକୁ ଫେରି ଯିବାକୁ ପଡିବ ତା ଶାଶୁଘରକୁ। ତାର ମାଆ ବାପା ବି ବହୁତ ବୁଝାଇଲେ, ରାଜିହେଲା ସିଲି । ତା ପରଦିନ ଶ୍ୱଶୁରଙ୍କ ସହିତ ଶାଶୁ ଘରକୁ ଫେରିଥିଲା ସିଲି । ଅନୁପ ତାକୁ ଦେଖି ତଳକୁ ମୁହଁପୋତି ବସିଥିଲେ, ତାଙ୍କ ଆଖିରେ ଅନୁତାପର ଅଶ୍ରୁ ଦେଖିପାରିଥିଲା ସିଏ । ବହୁତ ଦୁର୍ବଳ ହୋଇଯାଇଛନ୍ତି ଅନୁପ ଅସୁସ୍ଥ ହୋଇଯାଇଛି ତାଙ୍କର ଦେହ । ଡାକ୍ତରଖାନା ନେଇ ଦେଖାଇବାକୁ ପଡିବ ତାଙ୍କୁ । ଡାକ୍ତର ଖାନାରୁ ଫେରିବାପରେ ଅନୁପଙ୍କ ସ୍ୱାସ୍ଥ୍ୟପ୍ରତି ବହୁତ ଦୃଷ୍ଟି ଦେଇଥିଲା ସିଲି। ଠିକ ସମୟରେ ଔଷଧ ଦେବା, ଉତ୍ତମ ବ୍ୟବହାର କରିବା,ଖାଦ୍ୟ ପାନୀୟ ସବୁ ବୁଝୁଥିଲା ସିଏ । ଡାକ୍ତର କହିଥିଲେ, ମଦ ପିଇ ପିଇ ତାଙ୍କ ଦେହ ଏମିତି ହୋଇଛି, ଆଉ ଯଦି ଏହାପରେ ସେ ମଦ ପିଅନ୍ତି, ତେବେ ତାଙ୍କର କିଡ଼ନୀ, ଫୁସଫୁସ ଆଦି ଶୀଘ୍ର ନଷ୍ଟ ହୋଇଯିବ । ଅନୁପ ମଧ୍ୟ ଡାକ୍ତରଙ୍କ ପାଖରୁ ଶୁଣିଛନ୍ତି ଏସବୁ । ନିଜ ମୁଣ୍ଡ ଛୁଆଁଇ ଅନୁପକୁ ମଦ ନପିଇବା ପାଇଁ ଶପଥ କରାଇଛି ସିଲି । ଏକଥା ବି କହିଦେଇଛି ସିଏ ତା ସ୍ୱାମୀଙ୍କୁ, ଥରେ ବି ଯଦି ସେ ମଦ ପିଇବାର ଜାଣେ, ତେବେ ସେ ପୁଣି ତା ବାପଘରକୁ ଚାଲିଯିବ । ଏ କଥା ଶୁଣି ହସିଥିଲେ ତାର ସ୍ୱାମୀ, କହିଥିଲେ ସେମିତି ଭୁଲ ଆଉ କେବେ ବି ହେବନି ସେଇ କୁହୁକିନୀର ମାୟାରେ ପଡି ମୁଁ ବାଟ ଭୁଲିଯାଇଥିଲି, ତୁମ ଭଳି ଝିଅକୁ ନିଜର କରିପାରିନଥିଲି । ଏବେ ଆଉ ତୁମକୁ କେବେ ବି ପର କରିପାରିବିନି । ନୀରବରେ ଶୁଣୁଥିଲା ସ୍ୱାମୀଙ୍କର କଥାକୁ ସିଲି, ଆଖିରେ ତାର ଲୁହ ଜକେଇ ଆସୁଥିଲା । ତାକୁ ଆଦରରେ କୋଳକୁ ଆଉଜେଇ ନେଲେ ଅନୁପ । ସନ୍ଧ୍ୟାର ମ୍ଳାନ ଅନ୍ଧାରକୁ ଦୂରେଇବାକୁ ଚେଷ୍ଟା କରୁଥିଲା ତୃତୀୟା ଜହ୍ନର ଜ୍ୟୋତ୍ସ୍ନା। ତାରାମାନେ ହସୁଥିଲେ ଆକାଶରେ।    


Rate this content
Log in

Similar oriya story from Tragedy