Birakishore Nayak

Tragedy

3  

Birakishore Nayak

Tragedy

ଅନ୍ନ

ଅନ୍ନ

2 mins
187



  ବୈଶାଖ ମଧ୍ୟାହ୍ନର ଖରା ଉତ୍ତପ୍ତ ହୋଇଉଠିଛି |ବାହାରକୁ ବାହାରି ହେଉନି, ଝାଞ୍ଜି ପବନରେ ତାତି ଯାଉଛି ଦେହ, ଅନେଇ ହେଉନି ଖରାକୁ |ଏ ପର୍ଯ୍ୟନ୍ତ ଫେରିଲାନି ପୁଅଟା, ଅପେକ୍ଷାରେ ଡହଳ ବିକଳ ହେଉଥିଲା ଜାନକୀ, ସକାଳପ୍ରହରୁ ପୁଅଟା ରିକ୍ସା ନେଇ ଗଲାଣି ଯେ ଏ ପର୍ଯ୍ୟନ୍ତ ଫେରିନି, ଯେତେ କହିଲେ ବି ଶୁଣୁନି ସିଏ |ମନେ ମନେ ରାଗୁଥିଲା ଜାନକୀ ତା ଉପରେ |କାହାର ଡାକ ଶୁଣି ବାହାରକୁ ଆସିଲା, ଦେଖିଲା, ସାତଚିରା ଶାଢ଼ୀ ଖଣ୍ଡେ ପିନ୍ଧି ଛିଡା ହୋଇଛି ସ୍ତ୍ରୀ ଲୋକ ଜଣେ, କାଖରେ କଅଁଳା ଛୁଆଟିଏ |ଜାନକୀକୁ ଦେଖି କହିଲା,"ମାଆ,କଣ ଗଣ୍ଡେ ଖାଇବାକୁ ଦିଅ ମୋତେ, ସକାଳ ପ୍ରହରୁ କିଛି ବି ଖାଇବାକୁ ମିଳିନି, ଛୁଆଟା ଭୋକରେ ମୋତେ ଝୁଣିବାରେ ଅଛି |" ଏଡ଼େ ଖରାରେ ପେଟ ଚାଖଣ୍ଡକ ପାଇଁ ଘର ଘର ହୋଇ ଭିକ ମାଗି ବୁଲୁଛି ସିନା ଇଏ |ତାରି ଭଳି ଦୁଃଖମୟ ଜୀବନ ୟାର | ମନରେ ବହୁତ ଦୟା ଆସିଲା ଜାନକୀର,କହିଲା, ଏଇଠି ବସ ଏଇ ଛାଇରେ |ଘର ଭିତରକୁ ଯାଇ କଂସାରେ କଂସାଏ ପଖାଳଭାତ ଆଉ ଶାଗ ଭଜା ବାଢି ଆଣିଲା, ସେତିକି ହିଁ ତା ଭାଗର ଖାଦ୍ୟ |ସନ୍ତର୍ପଣରେ ଆଣି ଥୋଇଲା ତା ଆଗରେ |କିଛି କହିବା ଆଗରୁ ଖାଇବା ଆରମ୍ଭ କରିଦେଇଥିଲା ସ୍ତ୍ରୀ ଲୋକଟି |ଭାବୁଥିଲା ଜାନକୀ, ଏମିତି ବି ଦିନେ ଅବସ୍ଥା ଥିଲା ତାର, ପେଟ ପାଇଁ ମୁଠାଏ ଅନ୍ନ ଯୋଗାଡ଼ କରିବାକୁ କେତେ କଷ୍ଟ ନକରିଛି ସିଏ ? ସେ ଭୋଗିଛି ଭୋକର ଯନ୍ତ୍ରଣା, ଭୋଗିଛି ବି ତାର ପୁଅ |ସେଇଥିପାଇଁ ଗରୀବର ପେଟ କଥା ବୁଝିପାରେ ଜାନକୀ, ଆଜି ସେ ଦିନର ଅବସ୍ଥା ଆଉ ତାଙ୍କର ନାହିଁ |ତା ପୁଅ ଏବେ ବଡ଼ ହୋଇ ରିକ୍ସାଟାଣି ରୋଜଗାର କଲାଣି |କିନ୍ତୁ ସେ ଦିନ ସବୁ ତାକୁ ଅନେକ ଶିକ୍ଷା ଦେଇଛି |ସେଥିପାଇଁ ନିଜେ ନଖାଇଲେ ନାହିଁ, ଭୋକିଲା ଲୋକଙ୍କୁ ପେଟପୁରା ଅନ୍ନ ବାଢିଦିଏ |

   ଭାବୁଥିଲା ସିଏ ତା ପୁରୁଣା ଦିନର କଥା |ତା ବାହାଘରର ତିନି ବର୍ଷ ପରେ ମରିଗଲେ ତା ସ୍ୱାମୀ ଛାତି ରୋଗରେ |ମୁଲିଆ ମଣିଷ ଥିଲେ, ଘରଡ଼ିହଖଣ୍ଡିକ ଛଡା ଜମିଜମା ନଥିଲା କିଛି |ଏଇ ପୁଅଟା ବର୍ଷକର ହୋଇଥାଏ, ଖୀର ଛାଡ଼ିନଥିଲା |ସେଇ ଦିନଠାରୁ ଦୁଃଖର ପାହାଡ଼ ଖସିପଡ଼ିଲା ତା ମୁଣ୍ଡ ଉପରେ |କେତେ ଯେ ଉପାସ ରହିଛି ଜୀବନରେ, ତାର ହିସାବ ରଖିନି ସିଏ |ତା ପୁଅ ବି କାନ୍ଦିଛି ଅନେକ ଥର ମୁଠେ ଭାତପାଇଁ |ଦିନସାରା ପରଘରେ ଖଟି ଯାହା ଆଣେ, ସେତିକିରେ ପେଟ ପୁରେନା ଦୁହିଁଙ୍କର |ଗାଁ ଭୂଇଁରେ କାହାଘରେ କି କାମ ଯେ ସବୁଦିନ କାମ ମିଳିବ |କାମ ନ ମିଳିଲେ ଛୁଆକୁ ଧରି ୟା ପରି ଭିକ ମାଗିବାକୁ ବି ପଡିଛି |ସବୁଘରୁ ଭିକଗଣ୍ଡେ ବି ମିଳେନା | ନିରାଶରେ ଫେରିବାକୁ ପଡେ |ଛୁଆର ଭୋକିଲା କାନ୍ଦରେ ମା ମନଟା ବିଗଳିତ ହୋଇଯାଏ, ଶୁଷ୍କଛାତିରୁ ଅମୃତ ଆଉ ଝରୁନି, ଜାନକୀ ଆଖିରୁ ଝରିପଡ଼େ ଲୁହ |ଭଲଭାବେ ଜୀବନକୁ ବୁଝିଛି ଜାନକୀ, ବୁଝିଛି, ଅନ୍ନମୁଠେ ପାଇଁ ଘର ଘର ବୁଲୁଥିବା ମଣିଷ ମନର ଅକୁହା ବେଦନା | ସେଇଥିପାଇଁ ସେ କାହାର ଭୋକକୁ ସହିପାରେନା, ନିଜେ ନଖାଉ ପଛେ ଅନ୍ୟର ପେଟକୁ ପୁରାଇଦିଏ |ଭାବେ, ଈଶ୍ୱର ତ ଆଉ ଅଭାବରେ ରଖିନାହାଁନ୍ତି ତାଙ୍କୁ, ପୁଅଟା ରୋଜଗାର କଲାଣି | ଜାନକୀ ଭଲଭାବେ ବୁଝିଥିଲା, ଅନ୍ନ ହିଁ ଜୀବନ |

   ଖାଇସାରିବା ପରେ ସେ ସ୍ତ୍ରୀ ଲୋକଟିକୁ ସେଇ ଛାଇରେ ବିଶ୍ରାମ ନେବାପାଇଁ କହି ଘର ଭିତରକୁ ଗଲା ଜାନକୀ |ଏ ପର୍ଯ୍ୟନ୍ତ ବି ପୁଅଟା ଫେରିନି |ଆସୁ କେତେବେଳେ ଆସିବ ଭାବି ମାଟିପିଣ୍ଡା ଉପରେ ଗଡ଼ିପଡ଼ିଲା ଟିକେ ସିଏ |

  ଆଖିରେ ନିଦ ଆସିଗଲା ଜାନକୀର , ଆତ୍ମତୃପ୍ତିର ବିଶ୍ରାମ ଯେମିତି |



Rate this content
Log in

Similar oriya story from Tragedy