ଭଡ଼ାଘର
ଭଡ଼ାଘର
ଘରର ବାଲକୋନୀରେ ଛିଡ଼ାହୋଇ ଦୂରନ୍ତ ଆକାଶକୁ ଚାହିଁଥିଲା ନୂପୁର |ସନ୍ଧ୍ୟା ହୋଇଆସିଲାଣି |ପାଖ ନଡ଼ିଆ ଗଛରେ ଶେଷ ସୂର୍ଯ୍ୟ କିରଣର ମ୍ଳାନ ରେଖା ଝଲମଲ ହେଉଛି |ପଡୋଶୀ ଘରର ତଳମହଲା ପୋର୍ଟିକୋରେ ସ୍ତ୍ରୀ ଲୋକମାନଙ୍କର କଥାବାର୍ତ୍ତା ଆଉ ପିଲାମାନଙ୍କର ହସ ଶୁଭୁଛି |ଏଇ ସନ୍ଧ୍ୟା ସମୟରେ ସାହିର ସ୍ତ୍ରୀ ଲୋକମାନେ ଏକାଠି ହୋଇ କିଛି ସମୟ ସମୟ ଅତିବାହିତ କରନ୍ତି ସେଇଠି |ସେ ବି ଯାଏ |ଉଦାସ ମନରେ ଭାବୁଥିଲା ନୂପୁର, ଏଇ ଭଡlଘରର ପରାଧୀନତା ଯଦି ନଥାନ୍ତା,ଆଜି ବି ସେ ସେଇଠି ଥାଆନ୍ତା |କିନ୍ତୁ ତାକୁ ଘରର ମାଲିକାଣୀ ମନା କରିଛି, ସେମାନଙ୍କ ସାଙ୍ଗରେ ସାଙ୍ଗ ନହେବାକୁ |କାରଣ ସେମାନଙ୍କ ସହ ତାର ପଡ଼େନି |ସେମାନେ କୁଆଡେ ଭାରି ଖରାପ ଲୋକ |ଭାରି ରାଗ ଲାଗୁଥିଲା ନୂପୁରକୁ |ଏଇ ଘରେ ରହିବାକୁ ହେଲେ ନିଜର ସ୍ୱାଧୀନତାକୁ ହରାଇବାକୁ ପଡିବ |
ବହୁତ ବଦମିଜାଜର ଲୋକ ଏଇ ଘର ମାଲିକାଣୀ |ତା ପିଲାଟା ବି ପରାଧୀନ |ସାହିର ପିଲାମାନଙ୍କ ସହିତ ତାକୁ ଖେଳିବାକୁ ମନା |କିନ୍ତୁ ସେ ବୁଝିଥିଲା, ସାହିର ଲୋକମାନେ ବହୁତ ଭଲ, କାରଣ ଆଗରୁ ସେ ସେମାନଙ୍କ ସହ ମିଶିଛି |ତାଙ୍କ ପିଲାମାନଙ୍କ ସହିତ ବି ତା ପିଲାଟା ଖେଳେ |ସେମାନଙ୍କ ପାଖକୁ ଯିବାକୁ ବି ଜିଦ କରେ ବେଳେ ବେଳେ |ହେଲେ ତାକୁ ଛାଡେନା ନୂପୁର, ଭୟରେ, ମାଲିକାଣୀ କଳି କରିବ ଦେଖିଦେଲେ |ଏଇ ପରାଧୀନତା ଭଲ ଲାଗୁନଥିଲା ନୂପୁରକୁ |ତା ସ୍ୱାମୀ ସକାଳୁ ସକାଳୁ ଚାଲିଯାଆନ୍ତି ନିଜ କର୍ମ ସ୍ଥଳକୁ, ଫେରନ୍ତି ସନ୍ଧ୍ୟାରେ, ସେ ପର୍ଯ୍ୟନ୍ତ ସେଇ ଘରଟା ଭିତରେ ନୂପୁର ତା ପିଲାଟା ସହିତ ରହିବାକୁ ବାଧ୍ୟ ହୁଏ |
ଘରର ଉପର ମହଲାରେ ମାତ୍ର ଦୁଇବଖରା ଘର, ଛୋଟ ରୋଷେଇ ଘରଟିଏ |ଶ
ୋଇବାଘର ସହିତ ସଂଲଗ୍ନ ହୋଇଛି ଗାଧୁଆଘର |ଚଳିବାପାଇଁ କିଛି ଅସୁବିଧା ହୁଏନି |କିନ୍ତୁ କେତେ ଜଗିରଖି ଚଳିବ |ଟିଭି ଟିକେ ଦେଖିବାକୁ ହେଲେ, ସାଉଣ୍ଡ କମ କରି ଦେଖିବାକୁ ପଡିବ |ଅଧିକ ଶବ୍ଦହେଲେ କୁଆଡେ ତଳମହଲା ରେ ମାଲିକାଣୀର ପିଲାମାନଙ୍କ ପାଠପଢାରେ ବ୍ୟାଘାତ ହେଉଛି |କାରଣ ତଳମହଲାରେ ଘର ମାଲିକର ପରିବାର ରହନ୍ତି |କେବେ ଯଦି ବଜାରକୁ ଯିବାକୁ ପଡେ, ଅନୁମତି ନେଇ ଯିବାକୁ ପଡୁଛି, କାରଣ ଘର ଫାଟକର ଚାବି ତାଙ୍କ ପାଖରେ |ଫେରିବାବେଳକୁ ସେମିତି ଫାଟକ ପାଖରେ ଅନ୍ୟୁନ ପନ୍ଦର ମିନିଟ ଛିଡା ହେବାପରେ ଆସି ଚାବି ଖୋଲିବେ |ଘରେ ପଶିବା ପୂର୍ବରୁ ଆଗ ଗୋଡ଼ ଧୋଇବାକୁ ପଡିବ |ଜୋତାକୁ ସେଇ ତଳମହଲାର ପୋର୍ଟିକ ତଳେ ଗୋଟେ ପାର୍ଶ୍ୱରେ ସଜାଡି ରଖିବାକୁ ହେବ, ଏମିତି କେତେ ନିୟମ |
ନିଜ ଘର ଛାଡି ଏଇ ଭଡାଘରକୁ ଆସିବlଦିନରୁ ଠାକୁର ପୂଜା ସମୟରେ ଠାକୁରଙ୍କ ଉପରେ ଫୁଲଟିଏ ବି ଚଢାଇ ପାରିନି ନୂପୁର |ବଗିଚାରୁ ଫୁଲଟିଏ ଛିଡାଇବାକୁ ମନା |ମାଲିକାଣୀ ନିଜେ ବହୁତ ଫୁଲ ତା ପୂଜାପାଇଁ ତୋଳେ, ହେଲେ ଗୋଟିଏ ଦୁଇଟି ଫୁଲ ତୋଳିବାକୁ ଦିଏନା ତାକୁ |
ଅନେକ ଥର ଏ ଘରଛାଡି ଦେଇ ଅନ୍ୟତ୍ର ଭଡ଼ାଘର ବୁଝିବାକୁ କହିଲାଣି ସେ ତାର ସ୍ୱାମୀଙ୍କୁ |ହେଲେ ଘର ମିଳୁନି |ଛୋଟ ବସତି, ବଜାରଟି ବି ଛୋଟ |କାହାର ବେଶି ଘର ଥିଲେ ତ କିଏ ଭଡା ଦେବ ? ଵୁଝି ଵୁଝି ନିରାଶ ହେଲେଣି |
ସେମିତି ଛିଡ଼ାହୋଇ ଭାବୁଥିଲା ନୂପୁର |ତା ପିଲାଟାର କାନ୍ଦରେ ମନସ୍କ ହୋଇଉଠିଲା ସିଏ |ଅନ୍ଧାର ହୋଇ ଆସିଲାଣି ଆସି |ଆଲୋକର ସୁଇଚ ଅନ କରି ପିଲାକୁ କୋଳେଇ ଆଣିଲା ନୂପୁର |ଏ ପର୍ଯ୍ୟନ୍ତ ତା ସ୍ୱାମୀ ଫେରିନାହାନ୍ତି |