ଶେଷ ଇଛା
ଶେଷ ଇଛା
ଦିନ ଘଡିଏ କି ଦିଘଡି ହେବଣି ।ପୂର୍ବ ଆକାଶରେ ଆଠ ଦଶ ହାତ ଉପରକୁ ଉଠି ଆସିଲେଣି ସୂର୍ଯ୍ୟ ।ଗାଈ ଫିଟିବା ବେଳ ହେଲାଣି ବୋଧେ, ଦାଣ୍ଡରେ ଗଉଡ଼ପିଲାଟା ଡାକ ଛାଡିଲାଣି । ଉଚ୍ଚାଳିଆ ଦାଣ୍ଡପିଣ୍ଡାରେ କାନ୍ଥକୁ ଆଉଜି ବସିଛି କାଳିଆ ।ବୟସ ଅଶି ପାଖାପାଖି ଛୁଇଁଲାଣି ।ବୁଢା ହେଇଗଲାଣିତ, ଦେହ ବି ଭଲ ନାହିଁ । ଚାରିପାଞ୍ଚ ମାସ ହେଲାଣି, ମୁଣ୍ଡଭିତରଟା କଣ ଗୋଟେ ହେଉଛି ।ଏତେ ଜୋରରେ ମୁଣ୍ଡଟା ବିନ୍ଧୁଛି ଯେ, ସାଙ୍ଗେ ସାଙ୍ଗେ ଫାଟିଯିବ ଯେମିତି ।ବୁଢ଼ୀ, ତା ସ୍ତ୍ରୀ ସେବତୀ, ତାକୁ ନେଇ ଡାକ୍ତରଖାନା ଯାଇଥିଲା ।ଡାକ୍ତର କଣ ଗୋଟେ ରୋଗ ହେଇଛି ବୋଲି ଇଂରାଜୀରେ କହିଲେ ଯେ, ବୁଢା କିଛି ଵୁଝି ପାରିଲାନି ।କେବଳ ଏତିକି ଜାଣିଲା ଯେ, ତା ମୁଣ୍ଡରେ ମାଂସ ବଢ଼ି ଗୋଟେ ଆବୁ କୁଆଡେ ହେଇଛି ।ଆଉ ଭଲ ହେବନି ସେଟା ।ଏତେ ବୁଢା ବୟସକୁ ପୁଣି ଦୁର୍ବଳ ଶରୀର, ଡାକ୍ତର ମନାକଲେ
ଅପରେସନ କରିହେବ ନାହିଁ ।ଆଉ କେଉଁଠି ଦେଖାଇବା ପାଇଁ ଧନ ବି ନାହିଁ ।ଭାଗ୍ୟ ଆଦରି ରହିବା କଥା ଯାହା ।ମରଣକୁ ଅପେକ୍ଷା ଯେମିତି ।ଚଞ୍ଚଳ ମରିଗଲେବି ସରନ୍ତା କଥା, ବୁଢ଼ୀଟା ଯାହା ତାପାଇଁ ଭlରି ହଇରାଣ ହେଉଛି ।ଉଦାସ ଆଖିରେ ରାସ୍ତାକୁ ଚାହିଁଥିଲା କାଳିଆ, ଗାଈ ସବୁ ଫିଟିଲେଣି ।ସେବତୀ, ତା ସ୍ତ୍ରୀ, ଚା' ଆଣି ରଖିଲା, ପିଇଦେବା ପାଇଁ କହି ଛିଡାହେଲା ସେଇଠି ।ଚା'ବୋଲି ଅଧକଂସାଏ ନାଲି ଚା', ଲୁଣପକା, ସେଥିରେ ମୁଠେ କି ଦିମୁଠା ମୁଢି ଭସେଇ ଦେଇଛି ବୁଢ଼ୀ ।ଚା ପିଉ ପିଉ କାଳିଆ ସେବତୀକୁ ଚାହିଁଥିଲା, କଣ ଗୋଟେ କହିଥାନ୍ତା ବୁଢା, ତା ପୂର୍ବରୁ ସେବତୀ ଘର ଭିତରକୁ ଚାଲିଗଲା, କହିଲା, ବସି ଚା ପିଉଥା, ଯାଉଛି କଣ ଗଣ୍ଡେ ସିଝାଇଲେ ଯାଇ ଖାଇବ ।
ଅଭାବର ସଂସାର ।ଜମିବାଡ଼ି ବୋଲି କିଛି ନାହିଁ ।ଯାହା ମାସକୁ ସରକାରୀ ଭତ୍ତା ତିନିଶହ ଟଙ୍କା ବୁଢାକୁ ମିଳୁଛି ।ସେଇଥିରେ ଦୁଃଖେକଷ୍ଟେ ଚଳିବାକଥା ।ବୁଢ଼ୀର ଭତ୍ତା ଏଯାଏ ହେଇନି, ଗାଁର ସରପଞ୍ଚ, ୱାର୍ଡମେମ୍ବର ଙ୍କୁ କହି କହି ଥକିଲେଣି ଦୁଇ ଜଣଯାକ, କେହି ଶୁଣୁନାହାନ୍ତି ।
ଚା' ପିଇସାରି ଟିକେ ସଳଖହେଇ ବସିଲା କାଳିଆ ।ମୁଣ୍ଡର ଯନ୍ତ୍ରଣା କମ ହେଉନି ମୋଟେ । ଭିତରଟା କୋରି ହେଇଯାଉଛି ଯେମିତି । ଅବସନ୍ନ ଆଖିରେ ସବୁ ଝାପ୍ସା ଝାପ୍ସା ଦେଖାଯାଉଥିଲା କାଳିଆକୁ ।
ଭାବୁଥିଲା କାଳିଆ, ଜୀବନସାରା ଦୁଃଖ ଭୋଗିବାକୁ ଯେମିତି ତା କପାଳରେ ଲେଖା ହେଇଛି ।ତା ବାହାଘରର ବର୍ଷେ ନପୂରୁଣୁ ତା ବାପା ମାଆ ଦୁଇଜଣ ଆଗପଛ ହେଇ ଆରପାରିକି ଚାଲିଗଲେ ।ସେଇଦିନଠୁ ତା ସ୍ତ୍ରୀ ଛଡା ତାର ଆଉ ଆଗକୁ କେହି ନଥିଲେ କି ପଛକୁ କେହି ନଥିଲେ ।ସଂସାର ଚିନ୍ତା ସେଇଦିନଠୁ ହିଁ ଲାଗିଥିଲା ତାକୁ ।ତା ସ୍ତ୍ରୀ, ସେବତୀ, ଭାରି ଭଲ ।ବାହାହେଇ ଅସିଲାବେଳକୁ ତାକୁ ସତର କି ଅଠର ବର୍ଷ ହେଇଥିଲା, ବହୁତ ସୁନ୍ଦରଟିଏ ।ସ୍ୱାମୀ ସ୍ତ୍ରୀ ପରସ୍ପରକୁ ବହୁତ ଭଲ ପାଆନ୍ତି, ଗଭୀର ସ୍ନେହ ଦୁହିଁଙ୍କଭିତରେ ।କାଳିଆ ମୂଲ ଲାଗେ, ଯାହା ମଜୁରୀ ମିଳେ, ଦୁଇପ୍ରାଣୀଙ୍କ ପାଇଁ ସେତିକି ଯଥେଷ୍ଟ ।ହସଖୁସିରେ ଦିନ ଗଡ଼ିଯାଏ ।କିନ୍ତୁ ଗୋଟାଏ ତାଙ୍କର ଦୁଃଖ, ବାହାଘର ଆଠ ଦଶ ବର୍ଷ ହେଲାଣି,ପିଲାପିଲିଟିଏ ହେଲାନାହିଁ ।
ଦୁନିଆରେ ଯେତେ ପୂଜlବ୍ରତ, ଓପାସ ସବୁ କରେ ସେବତୀ ।ଠାକୁର ତା ଡାକ ଶୁଣିଲେ, ଡେରିରେ ହେଉ ପଛେ, ପୁଅଟିଏ ଆସିଲା ସେବତୀର କୋଳକୁ ।ସେଦିନ କାଳିଆର କି ଆନନ୍ଦ, ଗୋଡ ଦୁଇଟା ଆକାଶରେ ଉଡୁଥିଲା ଯେମିତି ।ତା ନାଁ ଦେଇଥିଲା ଗୋବିନ୍ଦ, ଠାକୁରଙ୍କ ନାଁ, ସେ ଦେଇଛନ୍ତି ପରା ତାକୁ ।ସେଇ ଗୋଟାଏ ପୁଅ, ଭାରି ଗେଲ୍ହା କାଳିଆର ସିଏ, ମୂଲରୁ ଫେରିଲାପରେ ପୁଅକୁ କାନ୍ଧରେ ବସାଇ ଆଗେ ଘେରାଏ ବୁଲେ ।ତାପରେ ଯାଇ ଖିଆପିଆ କଥା ।
ପାଠ ପଢିଲା ନାହିଁ ପିଲାଟା, ଯେତେ କହିଲେବି ଶୁଣିଲାନାହିଁ ।କାଳିଆ ଭାବେ, ହଉ ନପଢିଲା ନାହିଁ, କେଉଁଠୁ ଧନ ପାଇବି ଯେ ଅଧିକ ପାଠ ପଢିବ ସିଏ, ଚାକିରୀ ବି କେଉଁଠି ମିଳୁଛି ।ଏମିତି ମୁଲିଆ ସେମିତିବି ମୁଲିଆ, ପେଟପୋଷିବା କଥା ।ବଡହେଲାପରେ ବାପପୁଅ ମିଶି ମୂଲ ଲାଗନ୍ତି ।ଦୁଇ ଦୁଇଟା ରୋଜଗାର, କିଛି ଅଭାବ ହେଉନଥିଲା ସେତେବେଳେ, ଲୁଚେଇ ଲୁଚେଇ କିଛି କିଛି ସଞ୍ଚୟ ବି କରୁଥିଲା କାଳିଆ ।ବଡ଼ଟିଏ ହେଲାଣି ଗୋବିନ୍ଦ, ଅଠର ପୁରି ଉଣେଇଶି ଚାଲିବ ଆଉ କେତେ ଦିନେ, ତାର ବାହାଘର କରି ବୋହୂଟିଏ ଆଣିବନା ତାପାଇଁ ସିଏ ।ହାତରେ ପାଞ୍ଚଟଙ୍କା ନଥିଲେ, ବାହାଘରରେ ଖର୍ଚ୍ଚ କରିବ କେମିତି ।ଯାହାହେଲେବି ବୋହୂପାଇଁ ହାତକୁ ରୂପାଚୁଡ଼ି ଚାରିପଟ, ପାଦକୁ ପାଉଁଜି ହଳେତ ନେବ ।ପୁଣି ସାହିପଡ଼ିଶାଙ୍କୁ ଭୋଜୀ, ଏମିତି ବାହାଘର ରେ କେତେ ଖର୍ଚ୍ଚ ।ମନେ ମନେ ସୁନ୍ଦରିଆ ଝିଅଟିଏ ଖୋଜୁଥିଲା କାଳିଆ, ତା ଗୋବିନ୍ଦ ପାଇଁ ।
ଉଣେଇଶି ବର୍ଷ ପଶୁପଶୁ ଗୋବିନ୍ଦକୁ ବାହା କରାଇ ଦେଲା କାଳିଆ ।ସୁନାନାକୀ ବୋହୂଟିଏ ଆଣିଲା ଘରକୁ, ଲଷ୍ମୀ ତା ନାଁ, ରାଜଯୋଟକ ପଡିଥିଲା ।ସୁନ୍ଦର ଯେମିତି ଗୁଣ ବି ସେମିତି ।ଗରୀବ ଘରର ଝିଅଟିଏ, କିଛି ନଦେଲା ନାହିଁ ପଛେ ତା ବାପ, ଝିଅଟାତ ହୀରା ଖଣ୍ଡେ ।ଖୁସିରେ ସେତେବେଳେ ଦୁଇପ୍ରାଣୀଙ୍କର ଗୋଡ଼ ତଳେ ଲାଗୁନଥିଲା, ସେବତୀ ତ ଘରର କିଛି ପାଇଟି ଛୁଆଇଁ ଦେଉନଥିଲା ବୋହୂକୁ, କହୁଥିଲା, ମୁଁ କଣ ମରିଗଲିଣି କି, ତୁ ଛୁଆଟା କି କାମ କରିବୁ ?
ସୁଖରେ କଟି ଯାଇଥିଲା ସେ ଦିନ କେଇଟା ।କେତେ ସ୍ବପ୍ନ ଦେଖିଥିଲା କାଳିଆ, ଗୋବିନ୍ଦର ପିଲାପିଲିଟିଏ ହେଲେ, ତାକୁ କାନ୍ଧରେ ବସାଇ ଗାଁ ଦାଣ୍ଡରେ ବୁଲାଇବ ।କିନ୍ତୁ ସେ ସ୍ବପ୍ନ ତାର ଭାଙ୍ଗିଗଲା ।ବିଧାତା ସହିପାରିଲାନି ଯେମିତି ଏତେ ସୁଖ ତାଙ୍କର ।ବାହାଘର ଛଅମାସ ନପୂରୁଣୁ ଗୋବିନ୍ଦ ସମସ୍ତଙ୍କୁ ଛାଡି ଆରପୁରକୁ ଚାଲିଗଲା ।ହଠାତ ତା ଦେହ ଖରାପ ହେଲା, ଧାର ଉଧାର କରି ତାର ଚିକିତ୍ସା ପାଇଁ ବଡଡାକ୍ତର ଖାନାକୁ ତାକୁ ନେଇଯାଇଥିଲା କାଳିଆ, କିନ୍ତୁ ଭଲ ହେଲାନାହିଁ ସିଏ, ଡାକ୍ତର କହିଲେ, ତାକୁ କୁଆଡେ ରକ୍ତକର୍କଟ ରୋଗ, ବହୁତ ବଢିଯାଇଛି ରୋଗ, ଆଉ କିଛି କରିହେବନାହିଁ ।ଅକାଳରେ ଚାଲିଗଲା ପୁଅଟା, ସେଇଦିନଠୁ କାଳିଆର ମେରୁଦଣ୍ଡଟା ଭାଙ୍ଗିଗଲା ଯେମିତି ।ଜୀବନରେ ଭରିଗଲା ମେଞ୍ଚା ମେଞ୍ଚା ଶୂନ୍ୟତା ସତେକି !
ଘରେ ବୋହୂଟା ବି କାନ୍ଦୁଚି ଦିନରାତି, ଚେତାଶୂନ୍ୟ ହେଇଯାଉଛି ବେଳେବେଳେ ।ତାର ବୈଧବ୍ୟତା ସହିପାରୁନି କାଳିଆ, ଜୀବନସାରା କେମିତି ବଞ୍ଚିବ ସିଏ ଏକା ଏକା ।ସେବତୀ ବି ଦିନରାତି ଝୁରୁଛି ପୁଅଟାକୁ ।କିଛିଦିନ ପରେ ଆଖିର ଲୁହ ଆଖିରେ ମାରି କାଳିଆ ଦିନେ ସେବତୀକୁ କହିଲା, ଅlମର ତ ଫଟା କପାଳ, ଜୀବନ ସାରା ତ ଦୁଃଖ, ବୋହୂଛୁଆଟା ଆମ ସାଙ୍ଗରେ କାହିଁକି ଘାଣ୍ଟି ହେବ, ଆମେ କଣ ତା ସାଙ୍ଗରେ ସବୁଦିନ ବଞ୍ଚିଥିବା, ମୁଁ ଭାବୁଛି ତାକୁ ଆଉଥରେ ହାତକୁ ଦୁଇହାତ କରିଦେବା, ବିଚରାଟି ଟିକେ ହେଲେ ତ ସୁଖ ପାଇବ ।ସେବତୀ ରାଜିହେଇଗଲା, ମାଆର ମନ, ସ୍ତ୍ରୀ ମନର ଅକୁହା ବେଦନା ବୁଝୁଥିଲା ସିଏ ।ଲଷ୍ମୀଙ୍କୁ ପଚାରିଲେ, ପ୍ରଥମେ ଆଦୌ ରାଜିହେଉନଥିଲା ସିଏ, କହିଲା, ମୁଁ ତୁମର ଝିଅହେଇ ସବୁଦିନ ଏଇଠି ହିଁ ରହିବି, ବୟସ ହେଲା ବେଳକୁ କିଏ ତୁମକୁ ସାହା ହେବ ।ବୁଢାବୁଢ଼ୀଙ୍କ ରାଣନିୟମ ଆଗରେ ହାର ମାନିଲା ଲଷ୍ମୀ ।ଅନ୍ୟତ୍ର ବାହାକରାଇ ଦେଲା କାଳିଆ ତାକୁ, ନିଜ ହାତରେ କନ୍ୟାଦାନ ବି କରିଥିଲା ।
ଆଜି ଦେହଟା ଭଲ ଲାଗୁନି କାଳିଆକୁ ।ବିଛଣାରୁ ଉଠିବସିଲା ।ସେବତୀ ଶୋଇଛି ତା ପାଖରେ, ଖାଇଛି କି ନାହିଁ କେଜାଣି !ରାତିଅଧ ହେବକି କଣ, ଲଣ୍ଠନଟା ମିଞ୍ଜି ମିଞ୍ଜି ହେଇ ଜଳୁଛି । କାଳିଆ ଡାକିଲା ସେବତୀକୁ, ଉଠିବସିଲା ସେବତୀ, ପଚାରିଲା କଣ ବାହାରକୁ ଯିବ ? ମୁଣ୍ଡହଲେଇ ମନାକଲା କାଳିଆ ।ସେବତୀ ପୁଣି କହିଲା, ଦେହ ଭଲ ଲାଗୁନି କି, ଶୁଅ, ମୁଣ୍ଡଟା ଚିପିଦେଲେ ନିଦ ହେଇଯିବ ।କାଳିଆ ଚାହିଁଥିଲା ସେବତୀର ମୁହଁକୁ, କହିଲା, ଜୀବନସାରା ତ ମୋ ସହିତ କଷ୍ଟ ପାଉଛୁ, ଦିନେ ବି ସେବାଯତ୍ନରେ ଊଣା କରିନାହୁଁ ।ଅଭାବଯୋଗୁ ଦିନେ ବି ମୋତେ ମାଗିନୁ କିଛି ।ସାତଚିର। ଶାଢୀକୁ ସିଲେଇକରି ପିନ୍ଧୁଚୁ, ଭୋକ ଉପାସରେ ମୋରି ପାଖରେ ପଡି କଣ ପାଇଛୁ ଜୀବନରେ !ସ୍ତ୍ରୀ ହେଇ ଆସିଥିଲୁ, ଲୋକେ କହନ୍ତି, ସ୍ତ୍ରୀ କୁଆଡେ ସ୍ତ୍ରୀ, ଭଉଣୀ, ମାଆ ସବୁକିଛି ।ସବୁ ତୋ ଠାରୁ ମୁଁ ପାଇଛି, ପୁଅଟାତ ରହିଲାନି, ମଲାବେଳେ ମୁହଁରେ ପାଣିଟୋପାଏ ଦେବାପାଇଁ କି ମଲେ ଯୁଇରେ ନିଆଁ ଟିକେ ଦେବାପାଇଁ ।ମୁଁ ମଲେ ତୋତେହିଁ ଏସବୁ କରିବାକୁ ପଡିବ ।ମୋର ଶେଷ ଇଚ୍ଛା, ତୋରି କୋଳରେ ମୁଣ୍ଡରଖି ମାଆ କୋଳରେ ଶୋଇବାପରି ଶୋଇ ମୁଁ ମରିଯାଆନ୍ତି ।
କାଳିଆ ମୁହଁରେ ହାତ ଦେଇଦେଲା ସେବତୀ, କହିଲା, ଏ କାଳକଥା ମୁହଁରେ ଧରନି, ଆସ ମୋ କୋଳରେ ମଥାରଖ, ମୁଣ୍ଡଟା ଟିକେ ଚିପିଦେଲେ ଆରାମ ଲାଗିବ, ନିଦ ବି ହେଇଯିବ ।କାଳିଆର ମୁଣ୍ଡକୁ ନିଜ କୋଳରେ ରଖି ଚିପି ଦେଉ ଦେଉ କହୁଥିଲା ସେବତୀ, ଦେଖିବ, ତୁମ ଆଗରୁ ହିଁ ମୁଁ ମରିଯିବି । ମୋ ଜେଜେ ବଞ୍ଚିଥିଲା ବେଳେ ସବୁବେଳେ ମୋତେ କହୁଥିଲେ, ମୁଁ କୁଆଡେ ଅହ୍ୟସୁଲକ୍ଷଣୀ ହୋଇ ମରିବି ।ମୋର କିନ୍ତୁ ତୁମକୁ ଛାଡି ଆଗେ ମରିବାକୁ ଇଛା ନାହିଁ, ଆଉ ଯଦି ମରିଯାଏ, ମୋ ମଥାରେ ସିନ୍ଦୁର ପିନ୍ଧାଇଦେବ, ଅହ୍ୟନାଗରା ନବାଜିଲେ ନାହିଁ, ମଶାଣୀକୁ ନେଇ ତୁମେ ହିଁ ମୋ ମୁହଁରେ ନିଆଁ ଦେବ,ମୋଟେ କାନ୍ଦିବ ନାହିଁ,ଏଇ ହେଉଛି ମୋର ଶେଷ ଇଛା ।ଶୋଇପଡ଼ିଲନା କଣ ? ଟିକେ ଆରାମ ଲାଗିଲାନା ମୁଣ୍ଡଟା ? ପ୍ରତ୍ୟୁତ୍ତର ନଥିଲା କିଛି, ଚମକି ପଡିଲା ସେବତୀ । ଏତେ ଝାଳ କଣ ମୁଣ୍ଡରେ ତାଙ୍କର, କାଳିଆର ଦେହକୁ ଆଉଁସି ଆଣିଲା ସେବତୀ, ଏତେ ଥଣ୍ଡା ହେଇ ଯାଇଛି ଦେହଟା କାହିଁକି ? ହଲାଇ ଡାକିଲା, ଉଠ ଉଠ ।କାଳିଆ ସେତେବେଳକୁ ତାର ଶେଷଇଚ୍ଛା ପୂରଣ କରି ଚାଲିଯାଇଥିଲା ଆରପାରିକୁ, ଯେଉଁଠିକି ଗଲେ, ମଣିଷ ଆଉ ଫେରି ଆସେନା ।
ନିର୍ଜନ ରାତିର ବୁକୁ ଫଟାଇ ଘରପଛ ସଜନାଗଛଟାରେ ବସି ପେଚାଟାଏ ଚିତ୍କାର କରୁଥିଲା ।ସେବତୀର କ୍ରନ୍ଦନ ସେଇ ଚିତ୍କାର ଭିତରେ କ୍ଷୀଣ ହେଇଆସଥିଲା ଯେମିତି ।
