STORYMIRROR

Birakishore Nayak

Tragedy

3  

Birakishore Nayak

Tragedy

ଝରା ଫଗୁଣ

ଝରା ଫଗୁଣ

3 mins
118


  ସଞ୍ଜ ଅପସରିଗଲାଣି କେତେବେଳୁ l ଫଗୁଣ ପୁନେଇଁର ଜହ୍ନଟା ଉଠିଆସିଲାଣି କେତେ ଉପରକୁ ଆକାଶରେ l ଜହ୍ନର ତୋଫା ଆଲୁଅ ବିଛାଡି ହୋଇ ପଡିଛି ଚାରିଆଡେ l ଘରର ପଛପଟ ପିଣ୍ଡାରେ କେତେବେଳୁ ଯେ ବସିଛି ସୁନୟନା, ତାର ନିଘା ନାହିଁ l ସଞ୍ଜ ହେଇ ନଥିଲା ବସିଛି ଯେ ବସିଛି l କୋଳରେ ମାସକର ଝିଅଟା ଶୋଇଛି l ଉଠିନି ଏ ଯାଏ l ଅନ୍ୟମନସ୍କ ଭାବରେ ଆଉଁସି ଦେଉଥିଲା ଝିଅକୁ ସିଏ l

  ଶାଶୁଙ୍କର ଗାଳି ଶୁଣି ଉଠିପଡ଼ିଲା ସୁନୟନା l ଶାଶୁଙ୍କର ଗାଳି ଶୁଣି ଶୁଣି କାନ ଦୁଇଟା ବଧିର ହୋଇଗଲାଣି ଯେମିତି l ଝିଅଟା ବି କାନ୍ଦି ଉଠିଲା l ଘର ଭିତରକୁ ପାଦ ଦେଲା ସୁନୟନା l ଶାଶୁଙ୍କର ଗାଳି ବନ୍ଦ ହେଉନି l କେଉଁଠୁ ଆସିଲା କେଜାଣି ଏ ଅଲକ୍ଷଣୀଟା, ସାତମାସରେ ମୋ ପୁଅକୁ ଖାଇଲା, ମତେ ଖାଇବ, ତା ଝିଅକୁ ଖାଇବ -ଏମିତି ଅନେକ ଗାଳି l ବୃଦ୍ଧ ଶ୍ୱଶୁର କିନ୍ତୁ ସମ୍ବେଦନଶୀଳ l ଗାଳିଦେଲା ବେଳେ ଶାଶୁଙ୍କୁ ବିରକ୍ତ ହୁଅନ୍ତି ସିଏ l କହନ୍ତି -କାହିଁକି ଏମିତି କହୁଚୁ ହୀନିମାନୀଟାକୁ, ତାର ବା ଦୋଷ କଣ? ଯାହା ଭାଗ୍ୟରେ ଅଛି -ତାକୁ ତ ଭୋଗିବାକୁ ପଡିବ l ଶାଶୁ କିନ୍ତୁ ବୁଝନ୍ତିନି l ପୁରୁଣାକାଳିଆ ସ୍ତ୍ରୀ ଲୋକ ସିଏ l ସୁନୟନା ମନବେଦନା ବୁଝେ l ଗାଳି ଶୁଣିଲେ ବି ଉତ୍ତର ଦିଏନି, ମନଦୁଃଖ ହେଲେ ବି ଧରି ବସେନି, ଏ କାନରେ ପୁରେଇ ସେ କାନରେ ବାହାର କରିଦିଏ l

   ମନେପଡୁଛି -ଗଲା ଫଗୁଣର ଏଇ ପୁନେଇଁ ଦିନକୁ ଏ ଘରକୁ ଆସିବା ତାର ଦୁଇ ଦିନ ହୋଇଥାଏ l କେତେ ଭଲ ପାଉଥିଲେ ତା ଶାଶୁ ତାକୁ l ନିଜ ଜନ୍ମକଲା ଝିଅ ଯେମିତି l

   ଗଲା ବର୍ଷ ହୋଲି ଦିନ ହିଁ ଏ ଘରେ ସେ ବୋହୁ ହେଇ ପାଦ ଦେଇଥିଲା l ବେଦୀ ବାହାଘର ନୁହେଁ l ଭଲପାଇ ଘରୁ ଲୁଚି ଚାଲି ଆସିଥିଲା ଫାଲ୍ଗୁନୀଙ୍କ ସହିତ l ବାଧ୍ୟ ହୋଇଥିଲା ଚାଲି ଆସିବାକୁ l ତାଙ୍କ ଘରେ ବାପା, ବୋଉ, ଭାଇ କେହି ବି ରାଜି ହେଇ ନଥିଲେ ଫାଲ୍ଗୁନୀଙ୍କ ସହିତ ତାର ବିବାହ ପାଇଁ l ତେଣୁ ସେ ନିଜର ସମସ୍ତଙ୍କୁ ପର କରି ଫାଲ୍ଗୁନୀଙ୍କ ସହିତ ଲୁଚି ଚାଲିଆସିଥିଲା l ସେଇ ଦିନଠୁଁ ନିଜ ପରିବାର ସହିତ ସବୁ ସମ୍ପର୍କ ତୁଟି ଯାଇଥିଲା l

  ସେଦିନ ଦୁଃଖ ବି କରିନଥିଲା ସୁନୟନା l ଏକା ଜାତିର ନହେଲେବି ଫାଲ୍ଗୁନୀଙ୍କୁ ସେ ପଢ଼ା ବେଳୁ ହିଁ ଭଲ ପାଉଥିଲା l ତାଙ୍କୁ ଛାଡି ସେ ଅନ୍ୟ କାହାକୁ ବା. ବିବାହ କରିଥାନ୍ତା କେମିତି ? ଘରୁ ଚାଲି ଆସିବା ପରେ ମନ୍ଦିରରେ ବିଭା ହୋଇ ଏ ଘରକୁ ଆସିଥିଲା l

  କିନ୍ତୁ ବିଧାତା ସହିଲାନି l ସବୁ ସୁଖ, ସବୁ ଆଶା ଯେମିତି ପାଣିରେ ମିଳେଇ ଗଲା l ବାପା, ମାଆ ଙ୍କର ଅଭିଶାପ ପଡିଲା ଯେମିତି l ଫାଲ୍ଗୁନୀଙ୍କ ଦେହ ହଠାତ ଖରାପ ହେଲା l ଡାକ୍ତର ଖାନା ଗଲେ l ସବୁ ପରୀକ୍ଷା ନିରୀକ୍ପରେ ଡାକ୍ତର ଯାହା କହିଲେ, ଶୁଣିବା ପରେ ସୁନୟନା ମୁଣ୍ଡଉପରେ ବଜ୍ର ଖସି ପଡିଲା ଯେମିତି l ଫାଲ୍ଗୁନୀଙ୍କୁ ରକ୍ତକର୍କଟ ରୋଗ l ଚାରିଆଡ ଅନ୍ଧାର ଦିଶୁଥିଲା ସୁନୟନlକୁ l

  ଶାଶୁଘରର ସମସ୍ତ ସଞ୍ଚିତ ଅର୍ଥ, ଯାହା କିଛି ଜମିବାଡ଼ି ବିକ୍ରିହୋଇ ତାଙ୍କ ଚିକିତ୍ସାରେ ସବୁ ସରିଲା l ତଥାପି ଭଲ ହୋଇ ପାରିଲେନି ଫାଲ୍ଗୁନୀ l ବାପା ଭାଇଙ୍କ ପାଖକୁ କିଛି ଅର୍ଥ ଆଶାରେ ବାପ ଘରକୁ ଯାଇଥିଲା ସୁନୟନା l କାନି ପତେଇ ମାଗିଥିଲା ସାହାଯ୍ୟ l କିନ୍ତୁ ସମସ୍ତେ ମୁହଁ ଫେରାଇ ନେଇଥିଲେ l ନିର୍ଲଜ ଭାବେ ଆଖି ଲୁହ ଆଖିରେ ମାରି ଫେରି ଆସିଥିଲା ସିଏ l ତାର ଢଳ ଢଳ ଆଖି ଦୁଇଟାରେ ଯେମିତି ପରସ୍ତ ପରସ୍ତ ହୋଇ ଦୁଃଖ ସବୁ ନେସିହେଇ ଯାଇଛି l

   ଅର୍ଥ ଅଭାବରୁ ଫାଲ୍ଗୁନୀଙ୍କ ଚିକିତ୍ସା ବନ୍ଦ ହେଇଗଲା l କଣ ବା କରିପାରିଥାନ୍ତା ଆଉ ସୁନୟନା l ସାହି ପଡିଶା, ସାଙ୍ଗସାଥି, ସମସ୍ତଙ୍କୁ ତ ହାତ ପାତି ସାରିଛି l ବିବାହର ସାତମାସ ନ ପୂରୁଣୁ ଫାଲ୍ଗୁନୀ ତାକୁ ଛାଡି ଆର ପାରିକୁ ଚାଲିଗଲେ l ତା ଜୀବନ ଆକାଶର ରଙ୍ଗ ବଦଳିଗଲା ଯେମିତି l ସବୁ ଫିକା ଫିକା -ଅଦିନିଆ ଝଡ଼ରେ ଶ୍ରୀହୀନ ହେଇଗଲା ଯେମିତି ଚାରିଆଡ l

  ମରିଯିବାକୁ ଚାହିଁ ଥିଲା ସୁନୟନା l ପାରିଲାନି l ତା ଗର୍ଭରେ ବଢୁଥିଲା ଫାଲ୍ଗୁନୀଙ୍କ ରକ୍ତ l ତାରି ପାଇଁ ବଞ୍ଚିରହିଲା l ଦୋଳପୁନେଇଁ ମାସେ ଥିଲା -ଜନ୍ମ ହେଇଛି ଏଇ ଝିଅଟା l ଫାଲ୍ଗୁନୀଙ୍କ ମୁହଁଟା ଛିଣ୍ଡାଇ ଆଣିଛି ଯେମିତି ସିଏ l ସୁନୟନା ତା ନାଁ ଦେଇଛି "ଝରା "-ଝରlସ୍ମିତା l

  ରାତି କେତେ ହେଲାଣି କେଜାଣି l ପୁନେଇଁ ଜହ୍ନଟା ଅଧା ଆକାଶକୁ ଉଠି ଆସିଲାଣି l ଶାଶୁ, ଶ୍ୱଶୁର କଣ ଦିଟା ଖାଇ କେତେବେଳୁ ଶୋଇଲେଣି l ସୁନୟନା ବସିଛି l ତା ବକ୍ଷର ଅମୃତକୁ ଶୋଷୁଛି ଝିଅଟା l ତାପାଇଁ ଝରା ଫଗୁଣ ହେଇ ଯାଇଛି ଯେମିତି ସିଏ l

ଆଖିକୁ ନିଦ ଆସୁନି ଆଉ l ଗାଁ ଦୋଳ ମଣ୍ଡପର କୀର୍ତନ ଧୀର ହୋଇଆସିଲାଣି l ଦଲକାଏ ପବନ ଆଉଁସି ଦେଇଗଲା ସୁନୟନାକୁ l ଏ ବର୍ଷର ଫଗୁଣର ଶେଷ ସମିରଣ ତାକୁ ପରିହାସ କରୁଛି ଯେମିତି l ସୁନୟନା ଭାବୁଥିଲା, ଜୀବନରେ ଏତେ ଦୁଃଖ, ଏତେ ନିଃସଙ୍ଗତା, କେମିତି ବଞ୍ଚିବ ସେ l ଜୀବନଟା ଯେମିତି ତାର ଝରା ଫଗୁଣ l ଆକାଶକୁ ଚାହିଁଥିଲା, ରେଣୁ ରେଣୁ ଭାବନlସବୁ ଆକାଶରେ ମିଳେଇ ଯାଉଥିଲା l ଆଖିଲୁହକୁ ପଣତରେ ପୋଛିଲା ସୁନୟନା l



Rate this content
Log in

Similar oriya story from Tragedy