Birakishore Nayak

Romance Tragedy

3  

Birakishore Nayak

Romance Tragedy

ଭିନ୍ନ ଏକ ପୃଥିବୀ

ଭିନ୍ନ ଏକ ପୃଥିବୀ

4 mins
200


  ଶୀତୁଆ ସକାଳର ଖରା ପାହାଡ଼ ଡେଇଁ ବିଛେଇ ହେଇଗଲାଣି ଚାରିଆଡେ l ଘାସ ଦେହରୁ ଶିଶିର ଛାଡି ଛାଡି ଆସିଲାଣି l ଛୋଟ ଛୋଟ ବୁଦା ଜଙ୍ଗଲର ପାଦଚଲା ରାସ୍ତାରେ ଅନlହୁତି ଚାଲିଛି l କ୍ଷେତକୁ ଯିବ l ଶିକାରେ ଓହଳାଇ ଏକ ମାଟିଆ ଟିକାରେ ମାଣ୍ଡିଆ ଜାଉ ତିଆରି କରି ହାତରେ ଧରିଛି l ମଙ୍ଗଲ ପାଇଁ ଖାଦ୍ୟ l ବଡିଭୋରରୁ କ୍ଷେତକୁ ଚାଲି ଗଲାଣି ସେ l ଶାରଦ ଧାନ କଟା ଚାଲିଛି l ଯେଉଁ ଜମି ଖଣ୍ଡକ ଜଙ୍ଗଲ ହାଣି ନିଜେ ଚାଷ କରିଛି, ସେଇତକ ଏକା ଏକା ହିଁ କାଟିବାକୁ ପଡିବ l ବୁଦାଜଙ୍ଗଲ ପାରି ହେବା ପରେ ପାହାଡ଼ ତଳକୁ ଲାଗି ଧାନ କ୍ଷେତ l ପାଚିଲା ଧାନ କିଆରି ସବୁ ସୁନେଲି ରଙ୍ଗରେ ସଜେଇ ହେଇଛି ଯେମିତି l କଅଁଳ ସୂର୍ଯ୍ୟ କିରଣରେ ଶିଶିରବିନ୍ଦୁ ସବୁ ମୋତି ଭଳି ଢଳ ଢଳ ହେଉଛି ସତେ କି l କ୍ଷେତ ପାଖରେ ପହଁଚିଲା ଅନlହୁତି l ମଙ୍ଗଲ ତାକୁ ଦେଖିହସିଲା, କହିଲା -ମୋତେ ଛାଡି ମୁହୂର୍ତ୍ତେ ବି ଏକା ଏକା ରହିପାରିନୁ ? ଅନlହୁତି ହସିଲା, କିଛି କହିଲାନି l ଏଇ ମଙ୍ଗଲ ତ ତାର ଜୀବନ, ସାରା ଜୀବନର ସାଥି, ପତି ଦେବତା l ସରଳ, ନିରୀହ ମଣିଷଟିଏ l ଦୁନିଆର ଭଲ ମନ୍ଦ, ମାୟା, କୁଟିଳତା ତାକୁ ସ୍ପର୍ଶ କରିନି ଯେମିତି l ହିଡ଼ ମୁଣ୍ଡରେ ଆଟିକାଟିକୁ ଧୀରେ ରଖି ଅନlହୁତି ହିଡ଼ ଉପରେ ବସିଲା l ତାକୁ କାମ କରାଇ ଦିଏନି ମଙ୍ଗଲ l କାମରେ କିଛି ସାହାଯ୍ୟ କରିବାକୁ ଅନହୁତି ଚାହୁଁଥିଲେବି ମଙ୍ଗଲ ମନା କରେ, କହେ କାମ କରିବା ପୁରୁଷ ମାନଙ୍କର କାମ, ତୁ ଖରାତରାରେ କାମକଲେ କଳା ପଡି ଯିବୁନି l ଅନlହୁତି ହସେ ମନେମନେ ଆଦିବାସୀ ହେଲେ ବି ମଙ୍ଗଲର ବି ସୌନ୍ଦର୍ଯ୍ୟବୋଧ ଅଛି l ଧାନ କାଟିବାରେ ବ୍ୟସ୍ତ ଥାଏ ସେ l

   ଗାଧୁଆବେଳ ହେଲାଣି l ଆସ, ଖାଇଦେଇ କାମ କରିବ l ମଙ୍ଗଲକୁ କହିଲା ଅନାହୁତି l ଅବାଧ୍ୟ ଶିଶୁଟିପରି ମଙ୍ଗଳବି ଆସିଲା l ସେହି ଆଟିକାରେ ପାଟି ଲଗାଇ ଅଧା ମାଣ୍ଡିଆ ଜାଉ ପିଇଲା ମଙ୍ଗଲ l ଆର ଅଧାକ ପିଇଲା ଅନାହୁତି l ଯା ସେଇ ମହୁଲଗଛ ଛାଇରେ ବସିଥା, ଏଠି ଖରାଟାରେ କାହିଁକି ବସିବୁ -କହିଲା ମଙ୍ଗଲ l ଅନାହୁତି ବି ମହୁଲ ମୂଳ ଛାଇରେ ଯାଇ ବସିଲା l

   ମହୁଲ ଗଛରେ ଫୁଲର ମହକ l ଭାବୁଥିଲା ଅନାହୁତି l କେତେ ପରିବର୍ତ୍ତନ ଜୀବନରେ ଘଟିଗଲା ତାର l ଏଇ ଗାଁକୁ ଆସିବା ବର୍ଷେ ପୁରିଗଲାଣି l ତା ପାଇଁ ଏହା ଭିନ୍ନ ଏକ ପୃଥିବୀ ଯେମିତି l ପାହାଡ଼ ତଳେ ଏଇ ଗାଁଟି, ସୁନାଝରି ନାଁ ତାର l ଛୋଟ ଆଦିବାସୀ ଗାଁଟିଏ l ଅନତି ଦୂରରେ ଶ୍ୟାମଳ ଅରଣ୍ୟ l ଘଞ୍ଚ ନ ହେଲେବି ଶ୍ୟାମାଳିମା l ବହୁତ ସୁନ୍ଦର l ସ୍ୱର୍ଗଟିଏ ଯେମିତି l ଲୋକମାନେ ବି ସରଳ ଓ ନିଷ୍କପଟ l

   ଏକା ଏକା ବସିଲେ ଅତୀତ ମନେ ପଡେ ଅନାହୁତିର l ଆଖି ମନକୁ ମନ ଓଦା ହେଇ ଯାଏ l ତା ମାଆ -ଆରତୀ, କେଉଁ ଅଜଣା ଅନ୍ଧ ଗଳିର ବାସିନ୍ଦା, ଏକ ଦେହଜୀବୀ l କେଉଁ ପରିସ୍ଥିତିରେ ପେଟ ଚାଖଣ୍ଡକ ପାଇଁ ସେ ଯେ ଏମିତି ଏକ ଘୃଣ୍ୟ ପେଷାକୁ ଆପଣେଇ ନେଇଥିଲା, ସେ ଜାଣିଥିବ l ଅନେକବାର ତାକୁ ପଚାରିଛି ଅନାହୁତି -କିଛି ଉତ୍ତର ଦିଏନା ତା ମାଆ ତାକୁ, କେବଳ କାନ୍ଦେ l ଅନାହୁତି ବି କେଉଁ ନଷ୍ଟ ପୁରୁଷର ରକ୍ତରୁ ଜନ୍ମ ନେଇଛି, ସେ କଥା ବି ତାର ମାଆ ଜାଣେନା l ବେଳେ ବେଳେ ଅନାହୁତିକୁ ଲାଗେ -ପୁତିଗନ୍ଧମୟ ନର୍କର ଏକ ଅଲୋଡ଼ା ଜୀବନ ଯେମିତି ତାର l ଅନାହୁତି କିନ୍ତୁ ବହୁତ ସୁନ୍ଦର ଦେଖିବାକୁ, ଅନିନ୍ଦ୍ୟା l ତା ମାଆ ତାକୁ ବହୁତ ଭଲ ପାଏ l ନିଜ ଜୀବନଠାରୁ ବି ଅଧିକ l ବାହାରକୁ ଏକା କେବେ ଛାଡେନି ଟିକେ ବଡ ହେଲା ପରଠୁ l ସନ୍ଧ୍ୟା ପୂର୍ବରୁ ଘରର ଅନ୍ୟ ଏକ କୋଠରୀରେ ତାକୁ ଲୁଚାଇ ରଖେ l ଯେମିତି କାହାର ଦୃଷ୍ଟି ନପଡେ ତା ଉପରେ l ସେ ଚାହୁଁ ନଥିଲା –ତା ଝିଅ ଏଇ ଅନ୍ଧ ଗଳିରେ ରହି ତା ପରି ଏଇ ଘୃଣ୍ୟ ପେଷାକୁ ଆପଣେଇ ନେଉ l ସେଥିପାଇଁ ସେ ଅନେକଥର ବୁଝାଇଛି ତାକୁ l ଅନାହୁତି ବି ଘୃଣା କରୁଥିଲା ଏମିତି ଏକ ଜୀବନଧାରାକୁ l

   ଦିନ ଗଡ଼ିଚାଲିଥିଲା କେମିତି କେମିତି l ଦିନେ ହଠାତ ତା ଜୀବନରେ ଆସିଲା ଝଡ଼ l ମନେ ପଡିଲେ ଏବେବି ଛାତି ଭିତରଟା ତାର ଯନ୍ତ୍ରଣାରେ କୋରି ହେଇଯାଏ ଯେମିତି l ସେଇ କlଳରାତ୍ରି l ଘର ଭିତରେ ସେ ପୂର୍ବଭଳି ଏକା ନୀରବରେ ଶୋଇଥାଏ l ନିଦ ଆସିନଥିଲା ତାକୁ l ହଠାତ ମାଆର ଯନ୍ତ୍ରଣା ଭରା ଚିତ୍କାର ଶୁଣି ଧାଇଁ ଆସିଥିଲା କବାଟ ପାଖକୁ l କବାଟରେ ଦୁଇ କାଠ ପଟାର ଯୋଡ଼ା ଫାଙ୍କରେ ମାଆ ଥିବା ଘରକୁ ଚାହିଁଲା l ଯାହା ଦେଖିଲା -ତାର ଶରୀର ନିଷ୍ପନ୍ଦ ହେଇ ଯାଉଥିଲା ଯେମିତି l ଏମିତି ତ କେବେ ମାଆର ଯନ୍ତ୍ରଣାର ସ୍ୱର ସେ ଶୁଣିନଥିଲା l ସହିପାରିଲାନି l କବାଟ ଖୋଲି ଧାଇଁ ଆସିଲା ତା ମାଆ ପାଖକୁ l ସେଇଟା ହିଁ ତାର ଭୁଲ ଥିଲା ଯେମିତି l ମୁହୂର୍ତ୍ତକରେ ସବୁ ଓଲଟ ପାଲଟ ହେଇ ଗଲା l ସେଇ ରାକ୍ଷସଟା ମାଆକୁ ଛାଡି ତାକୁ ଟେକି ଆଣିଥିଲା ବାହାରେ ଥିବା ଏକ କାର ଭିତରକୁ l ତା ପରେ କାର ଚଳାଇ ତାକୁ ନେଇ ଯାଇଥିଲା କେଉଁ ଆଡେ l ବହୁତ ଚିତ୍କାର କରିଥିଲା ଅନାହୁତି, କିନ୍ତୁ କେହି ଶୁଣି ପାରି ନଥିଲେ l ସେଇ କାର ଭିତରେ ହିଁ ତାର ସବୁକିଛି ସରି ଯାଇଥିଲା l ଅଚେତ ହୋଇଯାଇଥିଲା ସିଏ l ଯେତେବେଳେ ତାର ଚେତା ଆସିଲା -ସେତେବେଳେ ସେ ନିଜକୁ ମଙ୍ଗଲର ଘରେ ହିଁ ଅଛି ବୋଲି ଜାଣିଲା l ଶରୀରରେ ଅନେକ ଯନ୍ତ୍ରଣା ଅନୁଭବ କରୁଥିଲା ଅନାହୁତି l ମଙ୍ଗଳର ସେବା ଯତ୍ନରେ ଆଠ ଦଶ ଦିନରେ ଧୀରେଧୀରେ ସୁସ୍ଥ ହେଲା ସେ l

      ମଙ୍ଗଲଠାରୁ ଶୁଣିଲା -ସେ କେମିତି ରାସ୍ତାଠାରୁ ଅନତି ଦୂରରେ ଜଙ୍ଗଲ ଭିତରେ କ୍ଷତବିକ୍ଷତ ଅବସ୍ଥାରେ ଅଚେତ ହୋଇ ପଡିଥିଲା l ମଙ୍ଗଲ ତାକୁ ତା ଘରକୁ ତା କାନ୍ଧରେ ବୋହି ଆଣିଥିଲା l ଅନାହୁତି ନିଜକୁ ବହୁତ ଅସହାୟ ମନେ କରୁଥିଲା ସେତେବେଳେ l କେବଳ କାନ୍ଦୁଥିଲା l ମାଆକୁ ଝୁରି ହେଉଥିଲା l ବଞ୍ଚିବାର ମୋହ ବି ସରି ଯାଇଥିଲା ଯେମିତି l ମଙ୍ଗଲ ଆଗରେ ତା ଜୀବନ କାହାଣୀ ସବୁ କହିଥିଲା l ମଙ୍ଗଲ ଆଦିବାସୀ ସରଳ ଯୁବକ l ବାପା ମାଆ କେହି ନାହାନ୍ତି l ଖଟେ, ଖାଏ l ଅନାହୁତିର କଥାକୁ ବୁଝୁଥିଲା କି ନାହିଁ କେଜାଣି, ବଡ ବଡ ଆଖିରେ କେବଳ ଚାହିଁ ରହିଥିଲା ତାକୁ l

   ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ସେ ମଙ୍ଗଲକୁ ଅନୁରୋଧ କରିଥିଲା -ତାକୁ ନେଇ ତାସହରରେ ଛାଡି ଦେଇ ଆସିବାକୁ l ମଙ୍ଗଲ କିନ୍ତୁ ରାଜି ହେଇନଥିଲା l ଏମିତି ଏକ ପଙ୍କିଳ ପରିବେଶକୁ ଫେରି ନଯିବାକୁ ସେ ବୁଝାଇଥିଲା l ତା ସହିତ ବିବାହ ହୋଇ ଘର ସଂସାର କରିବାକୁ ଅନୁରୋଧ କରିଥିଲା l ନିରୁପାୟ ଥିଲା ଅନାହୁତି l ଭାବିଲା, ତା ମାଆ ବି ଏଭଳି ଆଶା କରିଥିଲା l ତେଣୁ ନୀରବରେ ସମ୍ମତି ଜଣାଇଥିଲା l ମାଆକୁ କିନ୍ତୁ ଭୁଲି ପାରୁ ନଥିଲା ସେ l କଣ କରିଥିବ ସେଦିନ ସେ, କେତେ ଖୋଜିଥିବ ଚାରିଆଡେ l ଆଜି ବି କାନ୍ଦୁଥିବ ସିଏ l ଆଖିରୁ ବୋହି ଆସୁଥିବା ଲୁହକୁ ପଣତରେ ପୋଛିଲା ଅନାହୁତି l

   ମଙ୍ଗଲର ଡାକରେ ଭାବନା ରାଜ୍ୟରୁ ଫେରିଲା ସେ l ସୂର୍ଯ୍ୟ ମୁଣ୍ଡ ଉପରୁ ତଳକୁ ଖସି ଆସିଲେଣି l ନୀରବରେ ମଙ୍ଗଲ ପଛେ ପଛେ ଚାଲିଲା ସେ, ତାର ମାଟିର କୁଡ଼ିଆକୁ, ସୁଖର ସ୍ୱର୍ଗକୁ -ଭିନ୍ନ ଏକ ପୃଥିବୀ ଯେମିତି ସେଇଟା ତା ପାଇଁ l



Rate this content
Log in

Similar oriya story from Romance