Birakishore Nayak

Tragedy

3  

Birakishore Nayak

Tragedy

ବେଳାଭୂମି

ବେଳାଭୂମି

3 mins
146



     ପୂର୍ବାକାଶରେ ସକାଳର ସୂର୍ଯ୍ୟ ମଥା ଟେକିଲେଣି ।ତାଙ୍କ ଲୋହିତ କିରଣର ଆଭା ବିଛୁରି ହୋଇପଡିଛି ଚାରିଆଡେ । ଧିରେ ଧିରେ ଚଳଚଞ୍ଚଳ ହୋଇଉଠୁଛି ଦୁନିଆ ।ପୁରୀ ସମୁଦ୍ରର ବେଳାଭୂମିରେ ଛିଡା ହୋଇ ସୁଲେଖା ଚାହିଁଛି ଦିଗନ୍ତବ୍ୟାପି ସମୁଦ୍ରକୁ ।ସୂର୍ଯ୍ୟ କିରଣରେ ସମୁଦ୍ରର ଢେଉ ସବୁ ଝଲମଲ ହେଉଛି, ସତେ ଯେମିତି ହୀରାଖଣ୍ଡ ସବୁ ଭାସିବୁଲୁଛି ତା ଦେହରେ ।ଅପଲକ ଦୃଷ୍ଟିରେ ସମୁଦ୍ରର ଜଳରାଶି ଭିତରକୁ ନିରେଖି ଚାହିଁଥିଲା ସୁଲେଖା ।ଖୋଜୁଥିଲା ତା ପ୍ରିୟତମକୁ, ସୌରଭଙ୍କୁ । କେଉଁ ଦିନରୁ ସମୁଦ୍ର ଭିତରକୁ ପହଁରି ପହଁରି ଯାଇଛନ୍ତି ତାର ସ୍ୱାମୀ ସୌରଭ, ଫେରିନାହାନ୍ତି ଆଜିଯାଏ ।ଆଜିବି ଅପେକ୍ଷାରତ ସୁଲେଖା । ଫେରି ଆସିବେ ତାର ସ୍ୱାମୀ ।ଅନ୍ୟ ମନସ୍କ ହୋଇପଡ଼ିଲା ସିଏ, ଝିଅଟାକୁ ଅନାଇଲା,ବାଲିବେଳାର ବାଲିରେ ଛୋଟ ଛୋଟ ନାଲିକଙ୍କଡାକୁ ଧରିବାକୁ ଚେଷ୍ଟା କରୁଛି ତା ଝିଅ ।

      ସୁଲେଖା,କେଉଁ ଦୂର ଗାଆଁରେ ଘର ।

ବିବାହର କିଛିଦିନ ପରେ ସେ ତା ସ୍ୱାମୀଙ୍କ ସହିତ ବୁଲିବାକୁ ଆସିଥିଲା ଏଇ ପୁରୀକୁ, ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ।ସେଦିନ ସେମାନେ ଠାକୁରଙ୍କ ଦର୍ଶନ ସାରି ବୁଲିବା ପାଇଁ ସମୁଦ୍ର ବେଳାଭୂମିକୁ ଆସିଥିଲେ ।ହଜାର ହଜାର ଲୋକ ବୁଲୁଥିଲେ ବେଳାଭୂମିରେ, କିଏ ସମୁଦ୍ରରେ ସ୍ନାନ କରୁଥିଲା ତ କିଏ ଘୋଡ଼ାପିଠିରେ ବସି ବୁଲୁଥିଲା ।ଅସଂଖ୍ୟ ପିଲା ଖେଳୁଥିଲେ ବାଲିରେ । ବହୁତ ଭଲ ଲାଗୁଥିଲା ସୁଲେଖାକୁ, ସମୁଦ୍ରରେ ଏତେ ପାଣି, ଆଖି ବି ପାଉନି, ଜୀବନରେ କେବେ ବି ସମୁଦ୍ର ଦେଖିନଥିଲା ସିଏ । ଯେତିକି ଖୁସି ଲାଗୁଥିଲା, ସେତିକି ଭୟ ମଧ୍ୟ ଲାଗୁଥିଲା ସମୁଦ୍ରର ଅଥଳ ଜଳରାଶିକୁ ଦେଖି । ତା ସ୍ୱାମୀଙ୍କ ପାଖେ ପାଖେ ଚାଲୁଥିଲା ସିଏ ।

     ସମୁଦ୍ରରେ ବୁଡ଼ ପକାଇବା ପାଇଁ ସୌରଭ ସେଦିନ ସମୁଦ୍ର ଭିତରକୁ ପଶିଲେ, ଭୟରେ ମନାକଲା ସୁଲେଖା ସମୁଦ୍ରରେ ଗାଧୋଇବା ପାଇଁ ।ଛିଡ଼ାହୋଇ ସମୁଦ୍ରକୁ ଦେଖୁଥିଲା ସିଏ, ଦେଖୁଥିଲା ତା ସ୍ୱାମୀ କେମିତି ସମୁଦ୍ରର ଜୁଆର ଭାଙ୍ଗୁଥିଲେ । ସେଦିନ ମନେ ମନେ ଭାବୁଥିଲା ସିଏ, ତା ସ୍ୱାମୀ ବହୁତ ସାହସୀ । ହଠାତ ଏକ ବଡ଼ ଜୁଆରରେ ସମୁଦ୍ର ଭିତରକୁ ଭାସିଗଲେ ତାର ସ୍ୱାମୀ । ଭାସିଗଲା ଭାସିଗଲା ବୋଲି ଚିତ୍କାର କରିଥିଲେ ଲୋକମାନେ ।ହତଚକିତ ହୋଇ ଚାହିଁଥିଲା ସୁଲେଖା, ଆଉ ଫେରିଲେନି ତାର ସ୍ୱାମୀ । କେଉଁଆଡେ ଲୁଚିଗଲେ ସମୁଦ୍ର ଭିତରେ ।

ମାଛ ଧରୁଥିବା ଧୀବରମାନେ ସେମାନଙ୍କ ଡ଼ଙ୍ଗା ନେଇ ଅନେକ ସମୟ ଖୋଜିଲେ ସମୁଦ୍ର ଭିତରେ ତାଙ୍କୁ, ହେଲେ ସେ ମିଳିଳେନି । ସେଇ ଦିନଠାରୁ ଅପେକ୍ଷା କରି ରହିଛି ସୁଲେଖା, ମନ ଭିତରେ ତାର ଅନେକ ଆଶା, ତା ପାଖକୁ ନିଶ୍ଚୟ ଫେରିଆସିବେ ତାର ସ୍ୱାମୀ । ସେମିତି ସେଇଦିନଠାରୁ ସାଇତି ରଖିଛି ସିଏ ସୌରଭଙ୍କ ପ୍ୟାଣ୍ଟସାର୍ଟ, ବ୍ୟାଗ, ସେଇଆକୁ ଧରି ସେ ସମୁଦ୍ରକୁ ଚାହିଁରହେ ।

     ସମସ୍ତେ ତାକୁ ସେଠି କହନ୍ତି ପାଗଳୀ, ଆସୁଥିବା ପର୍ଯ୍ୟଟକମାନେ ତାକୁ ଦୟାରେ ଖାଦ୍ୟଦ୍ରବ୍ୟ ଦିଅନ୍ତି, କେବେ ବି କାହାକୁ ହାତ ପତେଇ ମାଗେନି ସୁଲେଖା । ସତରେ ପାଗଳୀ ହୋଇଯାଇଥିଲା ସିଏ । ପାଗଳୀ ହେଲେ ବି ଯୌବନର ଲହଡି ଖେଳୁଥିଲା ତା ଦେହରେ,ତାର ଅସଂଯତ ପରିଧାନ ପ୍ରଲୁବ୍ଧ କରୁଥିଲା ନଷ୍ଟ ପୁରୁଷ ମାନଙ୍କୁ । ରାତ୍ରିର ଅନ୍ଧକାର ଭିତରେ ସେଇ ବେଳାଭୂମିରେ ବହୁବାର ସେ କାମୁକ ପୁରୁଷମାନଙ୍କଦ୍ୱାରା ଧର୍ଷିତା ହୋଇଛି । ଚିତ୍କାର କରିଛି ଯନ୍ତ୍ରଣାରେ, ହେଲେ ତାର ଚିତ୍କାର ମିଳେଇଯାଏ ସମୁଦ୍ରର ଭୟଙ୍କର ଗର୍ଜ୍ଜନ ଭିତରେ । ତାର ଏଇ ଝିଅଟା କେଉଁ ନଷ୍ଟ ପୁରୁଷର ରକ୍ତରୁ ତିଆରି ହୋଇଛି, ସେକଥା କହିପାରିବନି ସୁରେଖା । ହେଲେ ବି ସେ ତାର ବଞ୍ଚିବାର ପାଥେୟ, ସେ ତାର ମାଆ ନିତିଦିନିଆ ଧରାବନ୍ଧା ଜୀବନ ସୁରେଖାର । ସେଇ ସମୁଦ୍ରର ବାଲିବେଳାରେ ଛିଡା ହୋଇ ସମୁଦ୍ରକୁ ଚାହିଁ ରହିବା କେବଳ ତାର କାମ । ଫେରିପାରିନି ଗାଁକୁ । ଦୁର୍ଘଟଣା ପରେ ଘରକୁ ତାକୁ ଫେରାଇନେବାକୁ ଆସିଥିଲେ ତାର ଦିଅର ଆଉ ଶ୍ୱଶୁର । ହେଲେ ସେଦିନ ଯାଇନଥିଲା ସିଏ, ତା ସ୍ୱାମୀ ଫେରିଲେ, ତାଙ୍କୁ ସାଙ୍ଗରେ ନେଇ ଯିବବୋଲି ଜିଦ ଧରିଥିଲା । ସେତେବେଳକୁ ସେ ପାଗଳୀ ହୋଇସାରିଥିଲା ।

    ସବୁଦିନ ଭଳି ସେଦିନ ସେ ସମୁଦ୍ର କୂଳରେ ଛିଡ଼ାହୋଇ ଚାହିଁଥିଲା । ସମୁଦ୍ରର ଢେଉ ପିଟିହେଉଥିଲା ଆସି ତା ପାଦରେ । ଲୋକମାନେ ସମୁଦ୍ରଭିତରେ ସ୍ନାନ କରିଥିଲେ, ତା ସ୍ୱାମୀଙ୍କ ଭଳି ଜୁଆର ଭାଙ୍ଗୁଥିଲେ । ହଠାତ ଭାସିଗଲା ଭାସିଗଲା ବୋଲି ଲୋକମାନେ ଚିତ୍କାର କରିଉଠିଲେ, ଚମକି ପଡିଲା ସୁଲେଖା । ଦେଖିଲା କିଏ ଜଣେ ଭାସିଯାଉଛି ସମୁଦ୍ର ଭିତରକୁ । କଣ ଭାବିଲା କେଜାଣି, ସମୁଦ୍ର ଭିତରକୁ ପଶିଗଲା ସିଏ ।ବୋଧେ ଉଦ୍ଧାର କରିବାକୁ ଭାସିଯାଉଥିବା ଆଉ ଜଣେ ସୌରଭକୁ । ଭାସିଗଲା ଆଉ ଏକ ଜୁଆରରେ ସୁଲେଖା ସମୁଦ୍ର ମଧ୍ୟକୁ ।କିଛି ଦେଖିପାରୁନଥିଲା ସୁଲେଖା ସେତେବେଳେ ।କେବଳ ତା ଝିଅର ମାଆ ମାଆ ଡାକ ଶୁଭୁଥିଲା ତାକୁ । ବେଳାଭୂମି ଦୂରେଇ ଯାଉଥିଲା ତା ଠାରୁ ।

     ସମୁଦ୍ରର ବେଳାଭୂମି ନୀରବ ହୋଇଯାଇଥିଲା ସେତେବେଳେ,ଛିଡ଼ାହୋଇଥିବା ଲୋକମାନେ ମୂକ ପାଲଟି ଯାଇଥିଲେ ଯେମିତି । କେବଳ ସମୁଦ୍ରଟା ଭୟଙ୍କର ଭାବରେ ଗର୍ଜ୍ଜନ କରୁଥିଲା ।


     


Rate this content
Log in

Similar oriya story from Tragedy