Birakishore Nayak

Tragedy Inspirational

3  

Birakishore Nayak

Tragedy Inspirational

ନଈ ମଝିରେ ଘର

ନଈ ମଝିରେ ଘର

4 mins
169


   ବୈଶାଖ ମାସର ଧୂ ଧୂ ଖରା, ନିଜ ଜମିରେ ହଳ କରୁଛି ମଧୁଆ | ଆଉ ଘଡିଏ ଲାଗିବ, କଢ଼ାଣ ଚାଷ ଟା ସରିଗଲେ ଚିନ୍ତାଯିବ, ମନେ ମନେ ଗୁଣି ହୋଇ ବଳଦ ଦୁଇଟାଙ୍କୁ ସହଳ ଚାଲିବାକୁ ସେମାନଙ୍କ ଲାଞ୍ଜରେ ହାତ ମାରୁଥିଲା | ଆସି ବୈଶାଖ ପୂରିବାକୁ ବସିଲାଣି, ବର୍ଷା ହୋଇନଥିଲା, ଗଲା ପହରିଦିନ ଭଲ ଦି ଅସରା ବର୍ଷିଛି, ଆଜିକି ଜମି ବଢିଆ ପାଗ ବି ହୋଇଛି, ଖରାକୁ ଡରି ନ ଚଷିଲେ, କାଲିକି ମାଟି ଠିରିକି ଯିବ | ତେଣୁ ଖରାକୁ ଖାତିର ନାହିଁ ମଧୁଆର | ଜମି ବୋଲି ତ ଏତିକି, ମାଣେ ଖଣ୍ଡେ | ଖରାଟିଆ ଚାଷ ନହେଲେ ଘାସ ମରିବନି | ଏଇ ଖଣ୍ଡକ ତା ବର୍ଷକର ଭତହାଣ୍ଡି | କିଛି ଦୂରରେ ହୁଡ଼ା ଉପରେ ଗଛମୂଳେ ଭାତ କଂସାଏ ଧରି ବସିଛି ପ୍ରତିମା, ତା ସ୍ତ୍ରୀ | ହଳ ସରିଲେ ଦୁହେଁ ଖାଇବେ | ତା ପରେ ହଳ ପଛେ ପଛେ ଫେରିବେ ଘରକୁ | 

   ଏଇ ମଧୁଆ, ସୁନ୍ଦର ସୁଠାମ ଯୁବକଟିଏ | କେଉଁ କାଳରୁ, ତା ପିଲାବେଳୁ ବାପାମାଆଙ୍କୁ ହରାଇ ବୁଲୁଥିଲା ଏଇ ଗାଆଁରେ, ମାଗିଯାଚି ଖାଏ କି କାହାର କାମ ପାଇଟିଏ କରିଦେଲେ, ଖାଇବାକୁ ମିଳିଯାଏ | ବଡ଼ହେବା ପରେ ମୁଲ ପାଇଟି କରେ, ସମସ୍ତେ ତାକୁ ଡାକନ୍ତି, କାରଣ ଭଲ କାମକରେ, ଅଳସୁଆ ନୁହେଁ, କାମରେ ଲାଗିଥିବ ତ ଲାଗିଥିବ | ଦିନେ ନିଜ ଗାଆଁର ଜଣେ ସମ୍ପର୍କୀୟ ଦାଦା କହିଲେ ଯେ, "ତା ବାପାମାଆ ମଲା ପରେ ପରେ ତାଙ୍କ ଜମି ମାଣକ ଗାଆଁ ମହାଜନ ଘର ଚଷୁଛନ୍ତି | ସେଇତକ ତାଙ୍କଠୁଁ ଆଣି ନିଜେ ଚାଷ କଲେ, ତୋ ବର୍ଷ ଯାକର ଖାଦ୍ୟ ମିଳିଯିବ, ଆଉ ମୂଲ ଲାଗୁଛୁ କଣ ?" ସେ ପର୍ଯ୍ୟନ୍ତ ମଧୁଆ ଜାଣିନଥିଲା ଯେ ତାଙ୍କର ଜମି ଖଣ୍ଡେ ଅଛି ବୋଲି | ହେଲେ ମହାଜନଙ୍କ ଠାରୁ ସେ ଜମି ଆଣିବ କେମିତି ? ସେ ତ ଗୋଟେ ଅମଣିଷ | ଦିନେ ଗଲା ମହାଜନଙ୍କ ଘରକୁ, କେତେ କାକୁତି ମିନତୀ ହେଲା ଜମିଖଣ୍ଡକ ଛାଡ଼ିଦେବା ପାଇଁ, ହେଲେ ମହାଜନ ରୋକଠୋକ କହିଦେଲେ, ତୋ ବାପ ବଞ୍ଚିଥିବା ବେଳେ ଦିହଜାର ଟଙ୍କା ନେଇଛି ମୋ ଠାରୁ, ତୁ ଦେଇଦେଲେ ତୋ ଜମି ନେଇଯିବୁ | ଦୁଇହଜାର ଟଙ୍କା, ବଜ୍ର ପଡିଲା ଯେମିତି ମଧୁଆ ମୁଣ୍ଡରେ, ମୁଲିଆ ମୁଣ୍ଡ ହୋଇ କେଉଁଠୁ ପାଇବ ସିଏ ଏତେ ଗୁଡ଼ାଏ ଟଙ୍କା ? ନିରାଶରେ ସେଦିନ ଫେରିଆସିଲା ସିଏ | ହେଲେ ତା ମୂର୍ଖ ମୁଣ୍ଡରେ ବିଦ୍ରୋହ ବସା ବାନ୍ଧୁଥିଲା | 

   ସୂର୍ଯ୍ୟାସ୍ତର ଅନ୍ତିମ ଆଭା ଲିଭିବା ପୂର୍ବରୁ ମୁଲରୁ ଫେରୁଥିଲା ମଧୁଆ | ଭୋକରେ ପେଟ ଜଲିଲାଣି | ଏବେ ଘରେ ପହଞ୍ଚି ଭାତ ରାନ୍ଧିବାକୁ ପଡିବ | ମନେ ମନେ ଭାବୁଥିଲା ସିଏ ତାର ଜମି ଖଣ୍ଡକ କଥା, ତା ବାପାମାଆ ମରିବା ପାଖାପାଖି କୋଡିଏ ବର୍ଷ ହେଲାଣି, ଏଇ କୋଡିଏ ବର୍ଷ ଭିତରେ ତାଙ୍କ ଜମିରୁ କଣ ଦିହଜାର ଟଙ୍କା ପାଇନି ମହାଜନ ? ତଥାପି ତାର ଲୋଭ ଯାଉନି | କେମିତି ହେଲେ ବି ଜମି ଖଣ୍ଡକ ଆଣିବ ସିଏ, ଡରିଲେ ହେବ ନାହିଁ, ନଈ ମଝିରେ ଘର କରି କୁମ୍ଭୀରକୁ ଡରି ଲାଭ କଣ ? ଏ ବର୍ଷର ଫସଲ ସିଏ ହିଁ କାଟିବ | ସୁନାଧାନ ଫଳିଛି ତା ବିଲରେ | 

   ଧାନ କଟା ସମୟ ଆସିଲା, ସେଦିନ ଗୋଟେ ବଡ଼ ଠେଙ୍ଗାନେଇ ନିଜ ଜମିରେ ପହଞ୍ଚିଲା ମଧୁଆ | ମହାଜନ ବି ମୁଲିଆ ମାନଙ୍କ ସହିତ ପହଞ୍ଚି ଥିଲା ସେଠାରେ | ଜମିରେ ପୁରାଇଦେଲାନି ସେମାନଙ୍କୁ ମାଧିଆ, କହିଲା, "ମୋର ଆଗକୁ କେହି ନାହିଁ କି ପଛକୁ କେହି ନାହିଁ, ଜମିରେ ପଶିଲେ, ଏଇ ଠେଙ୍ଗାରେ ସମସ୍ତଙ୍କୁ ଶୁଆଇ ଦେବି |" ପାଖାପାଖି ଛଅ ଫୁଟ ଉଚ୍ଚତାର ଟୋକା, ଦେହରେ ବଳ ଖୁନ୍ଦି ହୋଇଛି | 

ମହାଜନ ଡରିଗଲା | ସେତେବେଳକୁ କିଛି ଲୋକ ନିଜ ନିଜ ଜମିକୁ ଧାନ କାଟିବା ପାଇଁ ସେଇ ବାଟେ ଯାଉଥିଲେ | ସବୁ ଦେଖୁଥିଲେ, କହିଲେ ସେମାନେ ମହାଜନକୁ, ନିଆଶ୍ରା ପିଲାଟାକୁ ତା ଜମି ଫେରାଇଦିଅ ମହାଜନେ | ନିରୁପାୟ ହୋଇ ଫେରିଲା ମହାଜନ | ସେଇଦିନଠାରୁ ନିଜ ଜମିକୁ ଚାଷ କରି ଭଲରେ ଚଳୁଛି ସିଏ | 

   ଏଇ ବର୍ଷେ ହେଲା ବାହା ହେଇଛି ମଧୁଆ | ପାଖ ଗାଁର ଝିଅ, ଗରୀବ ଘରର ଝିଅ ହେଲେ ବି

ଦେଖିବାକୁ ବହୁତ ସୁନ୍ଦର, ଗୋଟିଏ ଚାଉଳରେ ଗଢ଼ା | କାମରେ ଯେମିତି ଗୁଣରେ ବି ସେମିତି | ତାକୁ ପାଇ ମଧୁଆର ଜୀବନ ଶୈଳୀ ବଦଳି ଯାଇଛି | ହେଲେ ସେ ମହାଜନର କୋପ ଦୃଷ୍ଟି ଏବେ ବି ତା ଉପରେ | ଜମିଖଣ୍ଡକ ସିନା ଛାଡିଦେଲା, ହେଲେ ତା ପାପ ଦୃଷ୍ଟି ଏବେ ତା ସ୍ତ୍ରୀ ଉପରେ | ସିଏ ନଥିବା ବେଳେ କେତେଥର ତାଙ୍କ ଘରକୁ ଆସି ତା ସ୍ତ୍ରୀ ସହିତ ଅଶାଳୀନ ପରିହାସ ହେଲାଣି | ସେ ଏସବୁ ଶୁଣିବା ପରଠାରୁ ତା ସାଙ୍ଗରେ ନେଇଯାଏ ତାକୁ ଜମିକୁ | ସେ କା ମକରେ,ଆଉ ତା ସ୍ତ୍ରୀ ବସେ ଗଛମୂଳେ | 

   ମଧୁଆକୁ ଡର ଲାଗେ | କାଳେ ସେଇ ନଷ୍ଟଚରିତ୍ର ମହାଜନ ତା ଅନୁପସ୍ଥିତିରେ କେବେ

ତା ସ୍ତ୍ରୀ ପ୍ରତି ଅସଦାଚରଣ କରିବ | ଇଏ ଦୁର୍ବଳ ସ୍ତ୍ରୀ ଲୋକଟା ଏକା ଏକା କଣ କରିପାରିବ ? ଏମିତି ତ ସିଏ କେତେ ଝିଅ ବୋହୁଙ୍କ ଜୀବନକୁ ନଷ୍ଟ କରିସାରିଲାଣି | ମହାଜନ ବୋଲି ଡରରେ କେହି କିଛି କରିପାରିନାହାନ୍ତି ଆଜିଯାଏ | ହେଲେ ମଧୁଆ ଭାବେ, ଏମିତି ତାକୁ କେତେ ଦିନ ଡରି ମରି ରହିବ, ଦେହ ପା ଭଲ ମନ୍ଦ ଅଛି, ସବୁଦିନ କଣ ତାକୁ ସେ ସାଙ୍ଗରେ ଜମିକୁ ନେଇପାରିବ ନା କାମଛାଡି ଜଗି ପାରିବ ? ଗରୀବ ବୋଲି କଣ ତାର ଇଜ୍ଜତ ନାହିଁ ? ପାଣି ଭିତରେ ଘର କରି କୁମ୍ଭୀରକୁ ଡରି ଲାଭ କଣ ?

  ଏଜ ବର୍ଷଣ ମୁଖର ରାତିରେ କର୍ମକ୍ଲାନ୍ତ ହୋଇ ଗଭୀର ନିଦ୍ରାରେ ଶୋଇ ପଡିଥିଲା ମଧୁଆ | ହଠାତ ତା ସ୍ତ୍ରୀର ପାଟି ଶୁଣି ଉଠିପଡ଼ିଲା ସିଏ, ଦେଖିଲା କିଏ ଜଣେ ତା ସ୍ତ୍ରୀକୁ ଟେକିନେଇ ଯାଉଛି, ଚିତ୍କାର କରୁଛି ତାର ସ୍ତ୍ରୀ | ଧାଇଁ ଯାଇ ମାଡ଼ିବସିଲା ସେ ସେଇ ଲୋକଟାକୁ | ଦେଶୀ ମଦର ଗନ୍ଧ | ଅନ୍ଧାରରେ ତାକୁ ଦେଖିପାରୁନଥିଲା ମଧୁଆ | ହେଲେ ତାର ବଳିଷ୍ଠ ବାହୁ ଭିତରୁ ଖସି ଯାଇପାରିନଥିଲା ସେ ଲୋକଟା | ମଦ ନିଶାରେ ଟଳ ଟଳ ହେଉଥିଲା ସିଏ | ଟାଣି ଟାଣି ଘର ଭିତରକୁ ଆଣିଲା ତାକୁ, ଦେଖିଲା,ସିଏ ମହାଜନ | ରାଗରେ ଥରୁଥିଲା ମଧୁଆ | ଏକ ଦଉଡ଼ିରେ ଘର ଖୁଣ୍ଟରେ ବାନ୍ଧିଦେଲା ତାକୁ | 

   ସକାଳେ ଦେଖିଲେ ତାକୁ ଗାଁର ଲୋକମାନେ | ସବୁ ଶୁଣିବା ପରେ ଛି ଛାକର କଲେ | ସେତେବେଳକୁ ମଦନିଶା ଛାଡିଯାଇଥାଏ ମହଜନର | ସେମିତି ବନ୍ଧାହୋଇ ମୁଣ୍ଡ ତଳକୁ ହାଣି ବସିଥାଏ | ବହୁ କାକୁତି ମିନତୀ ପରେ, ଗାଆଁ ଲୋକଙ୍କ କଥାରେ ତାକୁ ଛାଡିଲା ମଧୁଆ | ହେଲେ ମନରେ ତାର ବହୁତ ଆନନ୍ଦ ଖେଳୁଥିଲା | କୁମ୍ଭୀରକୁ ଆଜି ପାନେ ଦେଇଛି | ଆଉ ଦିନେ ସାହସ କରିବନି ଏମିତି କାମ କରିବାକୁ କେଉଁଠି | ଭାବୁଥିଲା ମଧୁଆ, ସତରେ ଏ ଦୁନିଆଟା ଗୋଟେ ନଈ ଯେମିତି, ଦୁର୍ବଳ ହେଲେ, କୁମ୍ଭୀରମାନଙ୍କର ଶିକାର ହେବା ନିଶ୍ଚିତ କିମ୍ବା ନଈର ସ୍ରୋତରେ ନିଆଶ୍ରା ହୋଇ ଭାସିଯିବା ଅବଶ୍ୟମ୍ଭାଵୀ | 

  ବର୍ଷା ଛାଡିଯାଇଥିଲା | ଆକାଶରେ ବାଦଲ ସବୁ ଲୁଚିଗଲେଣି | ସ୍ତ୍ରୀକୁ ସାଥିରେ ନେଇ କାମକୁ ବାହାରିଲା ମଧୁଆ | 

 



Rate this content
Log in

Similar oriya story from Tragedy