STORYMIRROR

Birakishore Nayak

Tragedy

3  

Birakishore Nayak

Tragedy

ଶୋଇଯା ମାମା

ଶୋଇଯା ମାମା

5 mins
148


    ଶ୍ରାବଣର ବର୍ଷଣମୁଖର ରାତି l ଆକାଶରେ ଭେଳା ଭେଳା ବାଦଲର ପଟୁଆର l ଗୋଟିଏ ହେଲେବି ତାରା ଦେଖାଯାଉନି ଆକାଶରେ l ଚକ ଚକ ମାରୁଥିବା ବିଜୁଳି ଆଲୁଅରେ ଭୟଙ୍କର ଦେଖାଯାଉଥିଲା ଆକାଶଟା ଯେମିତି l ଝରକା ଖୋଲି ଆକାଶକୁ ଚାହିଁଥିଲା ମାନୀ, ଅଭିମାନୀ l ସେଇ ଆକାଶରେ ସେ ତାର ବାପାବୋଉଙ୍କୁ ଖୋଜୁଥିଲା, କୁଆଡେ ଗୋଟେ ଗୋଟେ ତାରା ହେଇଯାଇଛନ୍ତି ତାର ବାପାବୋଉ l ମେଘଭରା ବାଦଲରେ ବସି ସେମାନେ ଫେରି ଆସିବେ ତା ପାଖକୁ l ତା ରାଜୁଭାଇ ସବୁବେଳେ କହି ଆସୁଛି ତାକୁ ଏକଥା l କାହିଁ କେବେ ଆସୁ ନାହାନ୍ତି ତ ସେମାନେ ତା ପାଖକୁ ! କାହାର ହାତସ୍ପର୍ଶରେ ଚମକି ପଡିଲା ମାନୀ, ହଠାତ ବାହାରି ପଡିଲା ପାଟିରୁ "ବୋଉ " l ପଛକୁ ଚାହିଁ ଦେଖିଲା, ବୋଉ ନୁହେଁ, ତା ଭାଇ, ରାଜୁଭାଇ l ମୋ ପାଖରେ ଶୋଇଥିଲୁ, କେତେବେଳେ ଉଠିଆସିଲୁ, ଆ ଶୋଇବୁ l ତୁ ଶୋଇପଡିବl ପରେ ଯାଇ ବାପାବୋଉ ଆମ ପାଖକୁ ଆସିବେ l ମୁଁ ତୋତେ ସେତେବେଳେ ନିଦରୁ ଉଠାଇ ଦେବି l ମାନୀ ର ହାତଧରି ବିଛଣାକୁ ଆସିଲା କହିକହି ରlଜୁ l ମାନୀ ବି ବିଶ୍ୱାସ କରୁଥିଲା ତା ଭାଇ କଥାରେ, ତା ଛୋଟ ମନରେ l ପାଖରେlନୀକୁ ଶୁଆଇଦେଇ ଥାପୁଡ଼େଇ ଥାପୁଡ଼େଇ ଗାଉଥିଲା ଲୋରୀ ଗୀତ -"ଶୋଇଯା ମାମା,

     ମେଘ ସବାରୀରେ ବସି ବାପାବୋଉ

     ଆସିବେ ଓଲ୍ହାଇ ଆମରି ପାଖକୁ

       ନଶୋଇବା ଯାଏ, ଆସିବେନି ଜମା"l

ଏଇଟା ତାର ସବୁଦିନିଆ କାମ, ମlନୀକୁ ଶୁଆଇଦେବା ବେଳେ l ତା ବୋଉ ଲୋରୀ ନଗାଇଲେ ମାନୀ କୁ ନିଦ ଆସେନି l ବୋଉ, ତା ଛାତିରେ ମlନୀକୁ ଚାପିଧରି ଗାଏ,

        "ଶୋଇଯା ମାମା,

    ମେଘପାଲିଙ୍କିରେ ଜହ୍ନ ଆସିବ,

    ପରୀ ରାଇଜକୁ ବୁଲେଇ ନବ

      ଅଝଟ ହେଲେହେଁ ନବନି ଜମା "

ଗୀତ ଶୁଣି ଶୁଣି ସୋଇପଡ଼ିଲାଣି କେତେବେଳୁ ମାନୀ l ଜେଜେ ମା ଟା ନିଘୋଡ଼ ନିଦରେ ଶୋଇଛି ଯେ ଶୋଇଛି l ରାଜୁ ଆଖିକୁ ନିଦ ଆସୁନି l ଏମିତି ତ ସବୁଦିନ l ତା ଆଖିର ନିଦ କିଏ ଚୋରେଇ ନେଇଛି ଯେମିତି l ବେଶୀ ମନେ ପଡୁଛି ବାପାବୋଉଙ୍କ କଥା l ତା ବୋଉ ଭାରୀ ଭଲ l ମାନୀକୁ ଗୀତଗାଇ ଶୁଆଇ ପକାଇବା ବେଳେ ମୁଁ ଋଷିଲେ, ବୋଉ ହସେ,ମୋତେବି ଥାପୁଡ଼େଇ ଥାପୁଡ଼େଇ ଗାଏ,

          "ଧୋରେ ବାଇଆ ଧୋ,

   ଯେଉଁ କିଆରୀରେ ଗହଳ ମାଣ୍ଡିଆ,

      ସେଇ କିଆରୀରେ ଶୋ "

ତା ହାତର ପରଶରେ କି କୁହୁକ ଥିଲା କେଜାଣି,

ଗୀତ ଶୁଣୁ ଶୁଣୁ ନିଦ ଆସିଯାଏ, ଜାଣି ହୁଏନା l

ବର୍ଷଣମୁଖର ରାତ୍ରିର ଗୋଟାଏ କାନଫଟା ଘଡଘଡି ଶବ୍ଦରେ ଚମକି ପଡିଲା ରାଜୁ l ନିଦ ବାଉଳାରେ ମାନୀ ତା ଭାଇକୁ ଜାବୁଡି ଧରିଥିଲା, ତାର ବୋଉ ଯେମିତି ସିଏ l

    ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସେମାନଙ୍କ ବାପା ବୋଉ ସେପାରିକୁ ଚାଲିଗଲେ l ବୋଉର ଦେହ ଭଲନଥିଲା ବୋଲି ସେଦିନ ବାପା ତାକୁ ମୋଟର ସାଇକେଲରେ ବସାଇ ଡାକ୍ତରଖାନା ନେଉଥିଲେ l ପୁଅଝିଅ ଦୁଇଟାଙ୍କୁ ଛାଡିଯାଇଥିଲେ ଘରେ, ଜେଜେ ମା ପାଖରେ l ଯାଇଥିଲେ ଯେ ଯାଇଥିଲେ, ଆଉ ଫେରିଲେନି l ଦ୍ରୁତଗତିରେ ଆସୁଥିବା ଗୋଟେ ଟ୍ରକ କୁଆଡେ ତାଙ୍କୁ ଧକା କରିଦେଲା l ସେଇଠି ହିଁ ସାଙ୍ଗେ ସାଙ୍ଗେ ମରିଯାଇଥିଲେ ସେମାନଙ୍କ ବାପାବୋଉ l ସେଇଦିନରୁ ଜେଜେ ମା ହିଁ ସେମାନଙ୍କର ଭରସା l ସେତେବେଳକୁ ରାଜୁକୁ ପାଞ୍ଚବର୍ଷ ହେଇଥାଏ, ମାନୀକୁ ମାତ୍ର ଦୁଇବର୍ଷ l ମନେ ମନେ ସେଦିନ ବହୁତ ଖୋଜିଥିଲେ ବାପାବୋଉଙ୍କୁ ସେମାନେ l ମୁଣ୍ଡବlଡେଇ ତଳେ ଗଡ଼ିଗଡି କାନ୍ଦିଥିଲେ ବହୁତ l ଏଇ ଜେଜେ ମାଆଟା, ଘୁଙ୍ଗୁଡ଼ିମାରି ଯିଏ ଶୋଇଛି ତା ପାଖରେ, ସେତେବେଳେ କାନ୍ଦି କାନ୍ଦି କୋଳକୁ ନେଇଥିଲା ସିଏ l ପୁଅବୋହୁଙ୍କ ଅକାଳ ମୃତ୍ୟୁରେ ସେ ବି ଭାଙ୍ଗି ପଡିଥିଲା ପୁରାପୁରି l ସେଇଦିନଠୁ କେତେବେଳେ କାହାକୁ କଣ କହେ, ତାର କିଛି ଠିକ ଠିକଣା ନଥାଏ l ଦୁଃଖର ପାହାଡ଼ ଟେ ଅଜାଡି ହେଇ ପଡିଛି ଯେମିତି ସେମାନଙ୍କ ଉପରେ l

     ଆଜିକି ତିନିବର୍ଷ ପୁରିଗଲାଣି ସେମାନଙ୍କ ମରଣ l ରାଜୁ ଏବେ ଗାଁବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ିଲାଣି, ମାନୀର ଏଇ ବର୍ଷ ପ୍ରଥମରେ ନାମ ଲେଖାଇ ଦେଇଛି ତାର ଜେଜେ ମା l ମାନୀକୁ ସବୁଦିନ ସାଙ୍ଗରେ ନେଇ ବିଦ୍ୟାଳୟକୁ ଯାଏ ରାଜୁ, ଛୁଟିହେଲେ ସାଙ୍ଗରେ ଧରି ଫେରେ l

     ମାନୀ, ଅଭିମାନୀ l ଏଇ ନାଁ ଟା ତାକୁ ବୋଉ ଦେଇଥିଲା l ପ୍ରକୃତରେ ସେ ବି ଭାରୀ ଅଭିମାନୀ, ନାକକାନ୍ଦୁରୀଟାଏ l ଟିକିଏ କଥାରେ ଋଷିବ ଯେ, କେହି ତାର କାନ୍ଦ ବନ୍ଦ କରିପାରିବେନି l ତା ଭାଇ, ରାଜୁଭାଇ ଆସିବ, ବୁଝାଇଦେଲେ ବୁଝିଯିବ ଯାଇ ସିଏ l ଆଉ ମାନୀ, ରାଜୁର ଆଖି ଯେମିତି l ବହୁତ ଭଲ ପାଏ ସେ ତା ଭଉଣୀକୁ l ଯେମିତି ନିଜେ ସିଏ ହିଁ ତାର ବାପାବୋଉ l ଜେଜେ ମାଆ ଟା ତ ବୁଢ଼ୀ ଯେ ବୁଢ଼ୀ l କିଛି କାମ କରିପାରେନି l ଭାତଗଣ୍ଡେ ରାନ୍ଧି ତରକାରୀ ଟିକେ କରିବା, ତା ପାଇଁ କଷ୍ଟ l ରାଜୁ ହିଁ ମାନୀର ସବୁ ଦାୟିତ୍ୱ ନିଏ l ତାକୁ ଗାଧୋଇଦେବା, ଖୁଆଇଦେବା, ମୁଣ୍ଡକୁଣ୍ଡାଠାରୁ ଆରମ୍ଭକରି ଡ୍ରେସ ପିନ୍ଧାଇଦେବା ପର୍ଯ୍ୟନ୍ତ ସବୁ ରାଜୁ କରେ l ଶୋଇଲାବେଳେ ତା ବୋଉ ଗାଉଥିବା ଲୋରୀ ନ ଗାଇଲେ ମାନୀକୁ ନିଦ ହୁଏନି l ରାଜୁ ବୁଝେ କିଛି କିଛି l ଲୋରୀ ଗାଇ ଶୁଆଇ ପକାଏ ମାନୀକୁ -ଶୋଇଯା ମାମା..... I

    ଯାହା ଭାଗ୍ୟରେ ଦୁଃଖ ଲେଖା, ସୁଖ କୁଆଡୁ ଆସିବ l ବାପାବୋଉ ମରିବାର ପାଞ୍ଚବର୍ଷ ନପୂରୁଣୁ ପୁଅବୋହୁଙ୍କୁ ଝୁରି ଝୁରି ଜେଜେ ମାଆ ଟା ବି ଆରପାରିକୁ ଚାଲିଗଲା l ସମ୍ପୂର୍ଣ୍ଣ ନିଆଶ୍ରା ହେଇଗଲେ ଦୁହେଁ l ଚାରିଆଡ ଅନ୍ଧାର ହେଇଗଲା ଯେମିତି l

    ପାଖ ଗାଁରୁ ମାମୁଁ ଆସି ସାହିପଡିଶାଙ୍କ ସହ ମିଶି ଜେଜେ ମାଆର ଶୁଦ୍ଧିକାର୍ଯ୍ୟ ସାରି ତାଙ୍କ ସାଥିରେ ନିଜ ଘରକୁ ନେଇ ଆସିଲେ ସେ ଦୁହିଁଙ୍କୁ l ମାମୁଁ ଘରେ ରହିଲେ ରାଜୁ ଆଉ ମାନୀ l ନିରୁପାୟ ସେମାନେ, ଛୋଟ ପିଲାଦୁଇଟା, କଣ ବା ଆଉ କରିପାରିଥାନ୍ତେ ସେ ଦୁହେଁ l ନଈରେ ଭାସିଗଲାବେଳେ, କୁଟlଖଣ୍ଡେ ମିଳିଲେ ବି ମଣିଷ ତାହାର ସାହାରା ଭାବେ l

    ମାମୁଁ ଘରେ ରହିଲେ ସିନା, ହେଲେ ମାଇଁ କିନ୍ତୁ ଭଲ ପାଇ ପାରିଲେନି ସେମାନଙ୍କୁ l କଥାରେ, ଖାଇବାପିଇବାରେ, ସବୁଥିରେ କହନ୍ତି l ରାଜୁ ସହିଯାଏ ସବୁ, ମାନୀ କିଛି ବୁଝେନା, ସବୁକଥାରେ ଅଝଟ କରି କାନ୍ଦେ l କେହି ବୁଝନ୍ତିନି l କାନ୍ଦିବାପାଇଁ ଜନ୍ମ ହେଇଛି ଯେମିତି ସିଏ l ରାଜୁ ତା ଆଖିରୁ ଲୁହ ପୋଛିଦିଏ l ଦୂର ଆକାଶକୁ ଚାହେଁ ମାନୀ, କାନ୍ଦି କାନ୍ଦି ଫୁଲି ଯାଇଥିବା ଆଖିରେ ତା ବାପାବୋଉଙ୍କୁ ଖୋଜେ ଯେମିତି l ରାଜୁ ତାର ଲୁହ ଛଳଛଳ ଆଖିକୁ ଲୁଚାଇବାକୁ ଚେଷ୍ଟାକରେ l

      କଥାରେ ଅଛି, ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ l ସମୟ କାହାକୁ ଅପେକ୍ଷା କରେନା l ଦୁଃଖକଷ୍ଟରେ କେମିତି କେମିତି ଦିନକଟି ସେମାନେ ଏବେ ବଡ ହୋଇଗଲେଣି l ମାମୁଁଘରକୁ ଆସିବା ପରଠାରୁ ପାଠପଢା ତ ଠପ ହେଇଯାଇଥିଲା ଦୁହିଁଙ୍କର l ଏବେ ରାଜୁ ମାମୁଁଙ୍କ ସହିତ ମିଶି ଚାଷ କାମରେ ଲାଗିଗଲାଣି l ଆଉ ମାନୀକୁ ତ ମାଇଁ ଘରର ସବୁକାମରେ ଖଟାଉଛନ୍ତି l ଭାରୀ କଷ୍ଟଲାଗେ ରାଜୁକୁ l ଭାବେ, ବଡ଼ଟିଏ ହେଇଗଲାଣି ମାନୀ l

ମାନୀର ବିଭାଘର ପ୍ରସ୍ତାବ ଆସିଲାଣି l ସେ ତାକୁ ଛାଡି ଚାଲିଯିବ ଶାଶୁଘରକୁ l ଭାବିଲା ବେଳକୁ ଯେତିକି ଖୁସି ଲାଗୁଥିଲା, ତାକୁ ପାଖରୁ ହରାଇବାର ଦୁଃଖରେ ତା ଛାତିଭିତରେ କେମିତି ଗୋଟେ ଯନ୍ତ୍ରଣା ଅନୁଭବ କରୁଥିଲା l କେମିତିଗୋଟେ ଶୂନ୍ୟତା ତାକୁ ଆବୋରି ଯାଉଥିଲା ଯେମିତି l

     ମାମୁଁ ଖୋଜାଖୋଜି କରି ଗରୀବ ଘର ପିଲାଟିଏ ମାନୀପାଇଁ ସ୍ଥିର କଲେ l ବାହାଘର ବି କରିଦେଲେ l ବାହାଘର ଦିନ ଝିଅ ବିଦାବେଳେ ମାନୀ ବହୁତ କାନ୍ଦିଥିଲା, ରାଜୁ ବି l ରାଜୁ ଅନୁଭବ କରୁଥିଲା ଯେମିତି ତା ଦେହ ଭିତରୁ ତା ହୃଦୟଟା କିଏ କାଢି ନେଇଯାଉଛି l ତାକୁ କୁଣ୍ଢେଇଧରି ତା ଛାତିରେ ମୁଣ୍ଡ ରଖି ମାନୀ ଯେତେବେଳେ କାନ୍ଦିକାନ୍ଦି କଣ ସବୁ କହୁଥିଲା, କିଛି ଶୁଣିପାରୁନଥିଲା ରାଜୁ l ବର୍ଷଣମୁଖର ଆକାଶଟା ବର୍ଷି ଯାଉଛି ଯେମିତି l ମାନୀର ପିଠିକୁ ଥାଉଡ଼େଇ ଥାପୁଡ଼େଇ ଗାଉଥିଲା ରାଜୁ -

ଶୋଇଯା ମାମା.... I ଆଖିର ଲୁହ ବହି ଚାଲିଥିଲା, ଅସରନ୍ତି ଯେମିତି l

      ଶାଶୁଘରେ ବାସରରାତିର ନିବୁଜ କୋଠରୀରେ ବସି ଅପେକ୍ଷା କରିଥିଲା ମାନୀ, ତା ସ୍ୱାମୀଙ୍କୁ l ହଠାତ କାହାର ଲୋରୀଗୀତ ଶୁଣି ଧାଇଁଗଲା ଝରକା ପାଖକୁ l ପଡୋଶୀ ଘରର କେଉଁ ଅଝଟ ଛୋଟ ପିଲାକୁ ତା ମାଆ ବୋଧେ ଶୁଆଇପକାଉଛି l ସେଇ ଲୋରୀ -ଶୋଇଯା ମାମା l ଆଖି ଦୁଇଟା ଛଳ ଛଳ ହେଇଗଲା ମାନୀର l ଭାଇକଥା ମନେ ପଡୁଛି l ଦିନସାରା ଖଟି ଖଟି କ୍ଲାନ୍ତରେ ଶୋଇପଡିବଣି ନିଶ୍ଚୟ l ମାନୀ ଭାବୁଥିଲା, ତାର ଯେବେ ଝିଅଟିଏ ହେବ, ସେ ବି ଏଇ ଲୋରୀ ଗାଇ ତାକୁ ଶୁଆଇ ପକାଇବ l କବାଟ ଖୋଲିବାର ଶବ୍ଦରେ ପ୍ରକୃତିସ୍ଥ ହେଲା ମାନୀ l ତରବରରେ ପଣତରେ ଆଖିର ଲୁହ ପୋଛି ସ୍ୱାମୀଙ୍କ ପାଦତଳେ ମୁଣ୍ଡଲଗାଇ ପ୍ରଣାମ କଲା ସିଏ l ସେ ପର୍ଯ୍ୟନ୍ତ ତା କାନରେ ଶୁଭୁଥିଲା, ସେଇ ପଡୋଶୀ ଘରୁ ଭାସି ଆସୁଥିବା ଲୋରୀ -

            "ଶୋଇଯା ମାମା,

   ମେଘ ପାଲିଙ୍କିରେ ଜହ୍ନ ଆସିବ,

   ପରୀ ରାଇଜକୁ ବୁଲେଇ ନବ

        ଅଝଟ ହେଲେହେଁ ନବନି ଜମା" l


       

       

    


Rate this content
Log in

Similar oriya story from Tragedy