Lipsa Acharya

Romance

3  

Lipsa Acharya

Romance

ସିଲିଗୁରୀ ଯାତ୍ରା

ସିଲିଗୁରୀ ଯାତ୍ରା

5 mins
210


ଶୋଇବା ଘର ଭିତରକୁ ପ୍ରବେଶ କରି ରେଣୁ ଖଟ ଉପରେ ଗୁମ୍ କରି ଚୁପ୍ ଚାପ ବସିଗଲେ। ମନରେ ଅଭିମାନ କି ରାଗ କଣ ଥିଲା କେଜାଣି ଯେଉଁଥି ପାଇଁ ଆଖିରେ ଲୁହ ଥିଲା। ରେଣୁଙ୍କ ଧ୍ଯାନ ନ ଥିଲା କାଠ ଚୌକିରେ ସ୍ବାମୀ ରାଜା ବସିଛନ୍ତି କହି। ରେଣୁ ନିଜ ଭାବନା ଦୁନିଆଁରେ ହଜି ଯାଇଥିଲେ। ରେଣୁଙ୍କ ଏପରି ଅବସ୍ଥା ଦେଖି ରାଜା କାଠ ଚୌକିରୁ ଉଠି ଆସି ଖଟ ଉପରେ ବସିଲେ। ବଡ ଗମ୍ଭୀର ସ୍ବରରେ ପଚାରିଲେ ," କଣ ହେଇଛି ?" ରାଜାଙ୍କ ପ୍ରଶ୍ନର ସ୍ବର କାନରେ ବାଜିବା କ୍ଷଣି ରେଣୁ ଚମକି ପଡିଲେ। ରାଜାଙ୍କୁ ଟିକିଏ ଅନାଇ ଦେଇ କହିଲେ ,"ବୁଲିବାକୁ ନ ଗଲେ ହବ ନାହିଁ କି ?"  


ରେଣୁ ବାହାଘରର ୨୦ବର୍ଷ ପରେ ନିଜ ବିବାହ ବାର୍ଷିକିରେ ସ୍ବାମୀଙ୍କ ସହିତ ବୁଲିବାକୁ ଯିବେ ଭାବି ଭାବି ବହୁତ ଖୁସି ଥିଲେ। ହଠାତ୍ ତାଙ୍କର କଣ ହେଲା। ସେ ଖୁସିରେ କିଏ ଗ୍ରହଣ କଲାଇଦେଲା। ବାହାଘରର ପାଞ୍ଚବର୍ଷ ପରେ ରାଜାଙ୍କ ସହିତ ପୁରୀ ଯାଇଥିଲେ। ତା'ପର ଠାରୁ ଏଇ ସଂସାର ଜଞ୍ଚାଳରେ ପେସି ହେଉଛନ୍ତି। ରାଜା ପେସାରେ ଜଣେ ପ୍ରାଥମିକ ଶିକ୍ଷକ। ୨ବର୍ଷପରେ ଚାକିରୀରୁ ଅବସର ନେବେ। ସ୍କୁଲ୍ ରୁ କେବେ ରାଜା ଛୁଟି ନେଇ ନାହାନ୍ତି। ବିବାହ ବାର୍ଷିକିରେ ସ୍ତ୍ରୀ ରେଣୁଙ୍କୁ ନେଇ ବୁଲିବାକୁ ବାହାରିଛନ୍ତି। 


ରେଣୁଙ୍କ " ନ ଗଲେ ହବ ନାହିଁ କି ?" ପ୍ରଶ୍ନ ଶୁଣି ରାଜା ବୁଝିଗଲେ କେହି କିଛି କହିଛି। ରାଜା ରେଣୁଙ୍କ ମୁଣ୍ଡକୁ ଆଉଁସି ଦେଇ ପଚାରିଲେ ," କେହି ତୁମକୁ କିଛି କହିଛି। କୁହ କଣ ?" ରେଣୁ କହିବାକୁ ଚାହୁଁ ନ ଥିଲେ। ତେଣୁ ରାଜାଙ୍କୁ ବାହାନା ମାରି କହିଲେ ," କିଏ କଣ କହିବ ମ। ଘରକୁ ଛାଡି ସପ୍ତାହେ କାଳ ବାହାରକୁ ଯାତ୍ରା କରି ବୁଲାବୁଲି କରିବା କଣ ଠିକ୍ ହବ।" ରାଜା ରେଣୁଙ୍କୁ ବୁଝାଇ କହିଲେ ," ଘର କଥା ବୁଝି ବୁଝି କୋଡିଏ ବର୍ଷ ହେଲା କୁଆଡେ ଯାଇନ। ଏବେ କୌଣସି ବାହାନା ମୁଁ ଶୁଣିବି ନାହିଁ। ସବୁ ପ୍ରସ୍ତୁତି ସରି ସାରିଛି। ସଂଧ୍ଯାରେ ତୁମେ ଠିକ୍ ସମୟରେ ଯେପରି ବାହାରି ପଡ।" ରେଣୁ ଅଧିକ ଯୁକ୍ତିତର୍କ କରିଲେ ନାହିଁ। ତାଙ୍କ ମନକଥା ମନରେ ମରିଗଲା। ସତକଥା ହେଲା ରେଣୁ ବୋହୂକୁ ଫୋନରେ କହିବାର ଶୁଣିଥିଲେ ," ଏ ବୟସରେ ତୀର୍ଥ ଜାଗା ନ ଯାଇ ହନିମୁନ୍ କରିବାକୁ ଯାଉଛନ୍ତି। ଲାଜ ନାହିଁ। " 


ସଂଧ୍ଯା ୭ଟା ରେ ଅମରାବତୀ ଗୌହାଟୀ ଏକ୍ସପ୍ରେସ୍ ରେ ବସିଲେ ରେଣୁ ଆଉ ରାଜା। ତାଙ୍କର ଲକ୍ଷ୍ଯ ଯାତ୍ରାସ୍ଥଳ ଥିଲା ପଶ୍ଚମବଙ୍ଗର ସିଲିଗୁରୀ। ଶୀତଦିନ ଥିବାରୁ ରାଜା ସେମାନଙ୍କ ପାଇଁ ତୃତୀୟ ଶ୍ରେଣୀ ଏ.ସି ରେ ସିଟ୍ ବୁକ୍ କରିଥିଲେ। ରେଣୁ ଆଗରୁ ଦୁଇତିନି ଥର ଟ୍ରେନ୍ ରେ ବସିଥିଲେ ବି କେବେ ଏ.ସି ର ଶୀତତାପ ନିୟନ୍ତ୍ରଣ ବଗିରେ ବସି ନ ଥିଲେ। ଗାଡି ଆଗକୁ ଚାଲିଲା ରେଣୁ କାଚ ଝରକା ବାଟେ ବାହାରକୁ ଦେଖୁଥିଲେ। ବଗିଟି ଗରମ ଲାଗୁଥିଲା। ଶୀତର ଚିହ୍ନ ବର୍ଣ୍ଣ ନ ଥିଲା। ରେଣୁ ରାଜାଙ୍କୁ ପଚାରିଲେ ତୁମେ ସିଲିଗୁରୀ ଯିବାକୁ କାହିଁକି ବାଝିଲ ? ରେଣୁଙ୍କୁ ଉତ୍ତର ଦେଇ ରାଜା କହିଲେ ,"ବାହାଘର ପୂର୍ବରୁ ଥରେ ସାଙ୍ଗ ମାନଙ୍କ ସହିତ ସିଲିଗୁରୀ ଆସିଥିଲି। ସିଲିଗୁରୀ ସହରର ୬୫% ପ୍ରତିଶତ ଦାର୍ଜିଲିଂ ଜିଲ୍ଲାରେ ଆଉ ୩୫% ପ୍ରତିଶତ ଜାଲପାଇଗୁରୀ ଜିଲ୍ଲାରେ ରହିଛି। ଭାରତ ବୈଦେଶିକ ବଣିଜ୍ଯରେ ଏହି ସହର ଗୋଟିଏ ମୁଖ୍ଯ ଭୂମିକା ଗ୍ରହଣ କରିଛି। କାରଣ ଏହି ସହରର ପରିସୀମା ଚୀନ, ନେପାଳ, ବାଂଲାଦେଶ ଆଉ ଭୁଟାନ୍ କୁ ଲାଗିଛି। ସହର ଗ୍ରେଟର ହିମାଳୟର ପାଦ ଦେଶରେ ମହାନନ୍ଦ ନଦୀ କୂଳରେ ଅବସ୍ଥିତ। ଚା' କାଠ ଓ ପର୍ଯ୍ଯଟନ ପାଇଁ ସିଲିଗୁରୀ ବହୁତ ପ୍ରସିଦ୍ଧ। କେବଳ ସେତକ ନୁହେଁ ୟୁନେସ୍କୋ ଦ୍ବାରା ବିଶ୍ବ ଐତିହ୍ଯସ୍ଥଳର ମାନ୍ଯତା ମିଳିଛି। ସେହି ସମୟରେ ଭାବିଥିଲି ବାହାହେଲା ପରେ ସ୍ତ୍ରୀକୁ ନେଇ ଆସିବି।" ରେଣୁ ରାଜାଙ୍କ ଠାରୁ ସବୁକଥା ଶୁଣି ମନେ ମନେ କହିଲେ ," ଢେଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟିବ ସେହି ପରି ଏଇ ମାଷ୍ଟର ଯାକ ଯୁଆଡେ ଯିବେ ଗଦଗଦ ହେଇ ଅନଗଳ ଜ୍ଞାନର ମହିମା ଗାଇବେ।"  


ସମୟ ଗଡି ଚାଲିଲା ତା'ସହିତ ଟ୍ରେନ୍ ର ବେଗ ବି। ରାତି ୧୦ଟା ବାଜିବାରୁ ହାତ ଘଣ୍ଟାକୁ ଚାହିଁ ରାଜା ରେଣୁଙ୍କୁ ଖାଇବା ଦେବାକୁ କହିଲେ। ଟିଫିନ୍ ରୁ ସରୁଚକୁଳି ଆଉ ଘାଣ୍ଟ ତରକାରୀ ବାହାର କରି ଗୋଟିଏ ପ୍ଲେଟ୍ ରେ ପରସି ଦେଲେ ରେଣୁ। ରାଜା ଖାଉ ଖାଉ ହଠାତ୍ କହିଲେ ," ଆରେ, ମୁଁ ତୁମକୁ ସିଲିଗୁରୀ ର ଅର୍ଥ କହିବାକୁ ଭୁଲି ଯାଇଥିଲି। ସିଲିଗୁରୀର ଅର୍ଥ ହେଲା ପଥର କିମ୍ବା ପଥରର ଏକ ଷ୍ଟକ। " ରେଣୁ ମନେ ମନେ ହସିଲେ ରାଜାଙ୍କ ଅଯଥା ଜ୍ଞାନ ବାଣ୍ଟିବା ବୁଦ୍ଧି ଯୋଗୁଁ। ରାଜା ଖାଇବା ପରେ ରେଣୁ ବି ଖାଇ ପକାଇଲେ। ଲମ୍ବା ସିଟ୍ ରେ ଶୋଇ ରହିଲେ ରେଣୁ। ଆଖିରେ ନିଦ ନାହିଁ। ହଠାତ୍ ରେଣୁ ରାଜାଙ୍କୁ ପ୍ରଶ୍ନ କଲେ କଣ ସିଲିଗୁରୀରେ ସପ୍ତାହେ ରହିବା ଜରୁରୀ ଥିଲା। ଦୁଇ , ତିନି ଦିନରେ ସବୁ ଦେଖି ହେଇ ପାରନ୍ତା ନାହିଁ କି ?" ରାଜା ଶୋଇବା ଜାଗାରୁ ଉଠି ବସିଲେ। ରାଜାଙ୍କୁ ବସିବାର ଦେଖି ରେଣୁ ମଧ୍ଯ ଉଠି ବସିଲେ। ଦୁଇ ତିନି ଦିନରେ ବୁଲି ହେଇ ପାରିଥାନ୍ତା। ହେଲେ ସବୁଠାରେ ତରତର ହେଇଥାନ୍ତେ। କୌଣସି ଜାଗା ଠିକ୍ ରେ ଦେଖି ପାରିବା ନାହିଁ। ଏମିତି ରେ ବି ତମର ଟ୍ରେନ୍ ଯାତ୍ରା କରିବାର ଅଭ୍ଯାସ ନାହିଁ। ତେଣୁ କାଲି ଦିନ ସାରା ଆମେ ହୋଟେଲ୍ ରେ ବିଶ୍ରାମ ନବା। ଆଉ ପହର ଦିଦି ବୁଲିବାକୁ ବାହାରିବା। ରେଣୁ ଆଗରୁ ଭାବୁଥିଲେ ଟ୍ରେନ୍ ରେ ଠିକ୍ ରେ ଶୋଇପାରିବେ ନାହିଁ। ସକାଳୁ ସିଲିଗୁରୀ ରେ ପହଞ୍ଚି କେମିତି ବୁଲିବାକୁ ଯିବେ। ସତରେ ଏମିତି ବି ଜୀବନସାଥି ଥାଆନ୍ତି ଯେଉଁ ମାନେ ନ କହିଲେ ବି ସାଥିର କଷ୍ଟକୁ ବୁଝି ପାରନ୍ତି। 


ସକାଳୁ ରେଣୁ ଆଉ ରାଜା ସିଲିଗୁରୀରେ ପହଞ୍ଚି ଗଲେ। ଷ୍ଟେସନରୁ ହୋଟେଲ୍ ରେ ପହଞ୍ଚି ଫ୍ରେସ୍ ହେଇ ଜଳଖିଆ ଖାଇଲେ। ରାତିସାରା ଠିକ୍ ରେ ଶୋଇ ନ ଥିବାରୁ ରେଣୁଙ୍କୁ ବହୁତ ଥକା ଲାଗୁଥିଲା । ରେଣୁ ଶୋଇଗଲେ । ରାଜା ରେଣୁ ଶୋଇଯିବା ପରେ ଷ୍ଟେସନ୍ ରୁ କିଣି ଥିବା ଆଧୁନିକ ବଙ୍ଗାଳୀ କବିତା ବହିକୁ ସୋଫାରେ ବସି ପଢିବାରେ ଲାଗିଲେ । ରେଣୁ ନିଦରୁ ଉଠି ଗରଗର ହେଲେ । ଏଠି ବି ବହି ଧରି ବସିଗଲ ପଢିବାକୁ । ମଧ୍ଯାନ୍ନରେ ଖାଇଦେଇ ଦୁହେଁ ସଂଧ୍ଯା ସମୟରେ ହୋଟେଲ୍ ପରିସରରେ ବୁଲିବାକୁ ବାହାରିଲେ । କିଛି ସମୟ ବୁଲା ବୁଲି କରି ରୁମ୍କୁ ଆସି ରାତି ଖାଇବା ଖାଇ ଶୋଇଗଲେ । ସକାଳୁ ଶୀଘ୍ର ବାହାରିବାର ଥିଲା ତାଙ୍କୁ।  


ସକାଳୁ ହେରିଟେଜ୍ ଖେଳନା ଟ୍ରେନ୍ ରେ ବସି coronation ବ୍ରିଜ୍ ଦେଖିବାକୁ ଗଲେ। ତା'ପର ଦିନ ବୌଦ୍ଧ ଆଉ ହିନ୍ଦୁ ଧର୍ମର ମିଳନ ସ୍ଥାନ ଇଓ୍ବାମ ଇଣ୍ଡିଆ ମଠ ଦେଖିବାକୁ ଗଲେ। ସିଂହ ଘଣ୍ଟା ଟାଓ୍ବାର ପରେ ବିଜ୍ଞାନ କେନ୍ଦ୍ର ସିଲିଗୁରୀ ବୁଲିବାକୁ ଗଲେ। ସେଠାରେ ଡାଇନୋସର ଷ୍ଟେଜୁ ଦେଖି ତା' ପାଖରେ ଠିଆ ହେଇ ଫଟୋ ଉଠାଇବାକୁ ରେଣୁଙ୍କ ମନ ହେଲା। ମନ କଥା ବିବାହର ଏତେ ବର୍ଷ ପରେ ବି ଠିକ୍ ରୁପରେ ରାଜାଙ୍କୁ କହି ପାରୁ ନ ଥାନ୍ତି ରେଣୁ। ରାଜା ରେଣୁଙ୍କ ମନକୁ  ବୁଝିଲା ପରି ସବୁ କରି ଦିଅନ୍ତି । ରାଜା ରେଣୁଙ୍କୁ ଡାଇନୋସର ଷ୍ଟେଜୁ ପାଖରେ ଠିଆ ହେବାକୁ ନିର୍ଦ୍ଦେଶ ଦେଲେ । ରେଣୁ ବହୁତ ଖୁସିରେ ଫୋଟ ଉଠାଇଲେ। 


ଦେଖୁ ଦେଖୁ ସମୟ କୁଆଡେ ଚାଲିଗଲା। ରାଜାଙ୍କ ବୁଲିବା ଜାଗାରେ ଯେଉଁ ଯେଉଁ ସ୍ଥାନ ଥିଲା ସବୁ ବୁଲି ସାରିଥିଲେ। ଆଜି ଦିନଟା ବିଶ୍ରାମ ନେଇ କାଲି ସେମାନେ ଘରକୁ ଯିବେ। ରେଣୁ ହଠାତ୍ ରାଜାଙ୍କୁ କହିଲେ ସିଲିଗୁରୀ ଆସି ଆମେ ଚାହା ବଗିଚା ଦେଖିବାକୁ ଗଲେ ନାହିଁ। ଆଜି ଖାଲିରେ କାହିଁକି ରୁମ୍ ରେ ପଡି ରହିବା ଚାଲ ସହର ବାହାରେ ଥିବା ଗାଁ କୁ ଯିବା। ଚାହା ବଗିଚା ଦେଖି ଆସିବା। ରେଣୁଙ୍କ କଥା ରାଜାଙ୍କ ମନକୁ ପାଇଲା। ସତରେ ତ ସେମାନେ ସିଲିଗୁରୀର ବହୁତ ଗୁଡିଏ ଜାଗା ବୁଲିଲେ ହେଲେ , ଆଜି ତାଙ୍କର ବିବାହ ବାର୍ଷିକୀ ରେ ରୁମ୍ ରେ କାହିଁକି ପଡି ରହିବେ ? ଚାହା ବଗିଚା ବୁଲି ଆସିଲେ ଭଲ ହବ। କେପ୍ ବୁକ୍ କରି ଦୁହେଁ ଚାହା ବଗିଚା ଦେଖିବାକୁ ଗଲେ। 


ବୁଲିବା ସମୟରେ ସେମାନେ ସେଠାରେ ହେଉଥିବା ଗୋଟିଏ ଗଣବିବାହ ଉତ୍ସବରେ ପହଞ୍ଚି ଗଲେ। ବିବାହ ଆରମ୍ଭ ହେଇ ନ ଥାଏ। କାରଣ ଗୋଟିଏ ବର କନ୍ଯା ଯୋଡି ଆବଶ୍ଯକ ହେଉଥିଲା । ରାଜା କଣ ଭାବିଲେ କେଜାଣି ରେଣୁଙ୍କୁ କହିଲେ ଚାଲ ଆମେ ଆଜି ପୁଣିଥରେ ବାହା ହେବା । ରେଣୁ ଏପରି କଥା ଶୁଣି ଆଶ୍ଚର୍ଯ୍ଯ ହେଇଗଲେ । ରାଜାଙ୍କୁ ତାଗିଦ୍ କରି ମନା କଲେ । ରାଜା ରେଣୁ ପରିସ୍ପର ଯୁକ୍ତତର୍କ କରୁଥିବା ସମୟରେ ଗୋଟିଏ ଝିଅ ସେମାନଙ୍କ ସବୁକଥା ଶୁଣି ନିଜ ଆଡୁ ରାଜା ଆଉ ରେଣୁ ପାଖକୁ ଯାଇ କହିଲେ ," ତୁମେ ଓଡିଶାରୁ ଆସିଛ ନା । ଥରେ ଓଡିଆ ରୀତି ନିତୀ ଅନୁସାରେ ବାହା ହେଇଥିଲ ଆଉ ଆଜି ବିବାହ ବାର୍ଷିକୀରେ ବଙ୍ଗଳା ରୀତି ନିତୀରେ ବିଭା ହୁଅ।" ରେଣୁ ମନାକଲେ ରାଜା ଝିଅର ପକ୍ଷ ନେଇ ରେଣୁଙ୍କୁ ବୁଝାଇଲେ। ଶେଷରେ କୌଣସି ଉପାୟ ନ ପାଇ ରେଣୁ ରାଜି ହେଇଗଲେ। ବିବାହ ସାରି ହୋଟଲ୍ ରୁମ୍ କୁ ଫେରିଲା ବେଳକୁ ବହୁତ ରାତି ହେଇ ସାରିଥିଲା। ଆଗରୁ ଜିନିଷ ସବୁ ରଖାଥୁଆ କରି ଦେଇଥିଲେ ରେଣୁ।


ପରଦିନ ସକାଳେ ରେଣୁ ଆଉ ରାଜା ଘରକୁ ଫେରିଲେ। ରେଣୁଙ୍କ ପାଇଁ ସିଲିଗୁରୀର ଯାତ୍ରା ଜୀବନର ସବୁଠାରୁ ଖୁସି ଆଉ ଅନୁଭୂତିରେ ଭରା ଥିଲା। ଯାହାକୁ ସେ ଜୀବନସାରା ସାଇତି ରଖିବେ ସ୍ମୃତି କରି ମନ ଫରୁଆରେ। 



Rate this content
Log in

Similar oriya story from Romance