Lipsa Acharya

Romance

4.0  

Lipsa Acharya

Romance

ନିଜ ଘରେ ଅଜଣା ମଣିଷ

ନିଜ ଘରେ ଅଜଣା ମଣିଷ

3 mins
163


"ଶୁଣ, ଗ୍ୟାସ୍ ପାଖରେ ତୁମର ରାତି ଖାଇବା ରଖିଦେଇଛି । ଏ ପର୍ଯ୍ୟନ୍ତ ଥଣ୍ତା ହେଇ ନ ଥିବ । ଖାଇ ନିଅ । ମୁଁ କାଲି ସକାଳେ ଆସିଯିବି ।" ଏତିକି କହି ଫୋନଟି କଟିଗଲା । ଉତ୍ତରରେ କିଛି କହିବାର ବି ନ ଥିଲା ବିନୟର । ଫୋନକୁ ରଖି ବିନୟ ବାଲ୍କୋନି ଚେୟାରରେ ବସିଗଲେ । ଘରଟା ତାଙ୍କୁ ପର ପର ଲାଗୁଥାଏ । ଘରର ବିଜିନର ନିରବତାକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି, ବୋଧହୁଏ ବନିତାର ଅନୁପସ୍ଥିତିକୁ !! ନା ନା ସେ କାହିଁକି ବନିତାକୁ ଝୁରିବେ । ବିନୟଙ୍କ ନାମରେ ଶଙ୍ଖା ସିନ୍ଦୂର ଧାରଣ କରି ବନିତା ସାମାଜିକ ମର୍ଯ୍ୟାଦାରେ ସ୍ତ୍ରୀ ରୂପରେ, ତାଙ୍କର ଅନିଚ୍ଛା ସତ୍ତ୍ୱେ ଜୀବନ ପରିଧି ଭିତରକୁ ଚାଲି ଆସିଲେ। 

    ଦୁଇବର୍ଷ ତଳେ ବାପା ଗାଁରୁ ବିନୟଙ୍କ ପାଖକୁ ଆସିଥିଲେ । ତାଙ୍କ ନିକଟରେ କିଛିଦିନ କାଟିବେ ଏବଂ ନିଜ ବନ୍ଧୁଙ୍କ ଝିଅ ବାହାଘରେ ଯୋଗ ଦେବେ ବୋଲି । ସିଏ କଣ ଜାଣିଥିଲେ, ଯେଉଁ ବାହାଘରକୁ ବାପାଙ୍କ ସହିତ ଅତିଥି ହେଇ ଯାଇଥିଲେ; ସେ ବାହାଘରେ ନିଜେ ବର ପାଲଟି ଯିବେ। ସେଦିନ ଯେଉଁ ବାପା ବନିତାକୁ ନିଜ ହାତରେ ତଣ୍ଟି ଚିପିବାକୁ ପଛେଇନଥିଲେ, ଆଜି ତାଙ୍କ ପାଇଁ ବନିତା ଦୌଡି ଯାଇଛନ୍ତି । ସେ ପରିସ୍ଥତି ପାଇଁ ସମୟ ହଁ ଦାୟୀ ଥିଲା । ବର ଯଦି ବିବାହ ପୂର୍ବରୁ ଅନ୍ୟ କୌଣସି ଝିଅ ସହିତ ଫେରାର୍ ହେଇଯାଏ, ତାହାହେଲେ କଣ ବିରାରା ମଙ୍ଗୁଳା କନ୍ୟାର ଭୁଲ । ଏ ସମାଜ ବି ବହୁତ ସୁନ୍ଦର ଭାବରେ କହିଦିଏ, ଝିଅଟିର ଭାଗ୍ୟ ଖରାପ । ଝିଅଟିଏ ଜନ୍ମ ହେଲେ ବାପା ମାମା ହଁ ତାକୁ ପ୍ରଥମେ ଗ୍ରହଣ କରି ପାରନ୍ତି ନାହିଁ । ସେଥିପାଇଁ ବୋଧହୁଏ, ଝିଅଟି ନିଜେ ନିଜକୁ ଭଲ ପାଏ ନାହିଁ । ସେ କେବେ ବନିତାକୁ ନିଜ ବିଷୟରେ କହିବାର ଦେଖି ନାହାଁନ୍ତି।  

   ଫୋନଟି ପୁଣିଥରେ ବାଜି ଉଠିଲା । ବିନୟ ଚେୟାରରୁ ଉଠି ଯାଇ ଦେଖିଲେ ବନିତା ଫୋନ କରିଛନ୍ତି । ଉଠାଇ ହ୍ୟାଲୋ କହିବା ପୂର୍ବରୁ ସେପଟୁ ଶୁଣାଗଲା ; " ତୁମେ ଖାଇସାରିଲ ??" ଏଥର ବିନୟ ଉତ୍ତରରେ କହିଲେ ; " ନା "। ମୁଁ ଭଲ ଭାବରେ ଜାଣିଥିଲି ତୁମେ ଖାଇନଥିବ । ତରତରରେ କେବଳ ଭାତ, ଭଜା କରି ଦେଇ ଆସିଗଲି । ଡାଲି କରି ପାରିଲି ନାହିଁ । କିମ୍ବା ଅନ୍ୟ କୌଣସି ଖାଦ୍ୟ ତିଆରି କରି ପାରିଲି ନାହଁ । ଆଜି ଗୋଟିଏ ଦିନ ଚଳେଇ ନିଅ । କାଲି ସକାଳୁ ସକାଳୁ ମୁଁ ଆସିଯିବି । ବାପା ବର୍ତ୍ତମାନ ଭଲ ଅଛନ୍ତି । ହଁ, ଟେ ଭରି ବିନୟ ଫୋନ ରଖି ଦେଲେ । ରୋଷେଇ ଘରୁ ଭାତ, ଭଜା ଆଣି ଖାଇବା ଟେବୁଲ ଉପରେ ବସିଲେ । ପେଟରେ ଭୋକ ଥିଲା ସତ ହେଲେ ତାଙ୍କର ଖାଇବାକୁ ମନ ହେଉ ନ ଥିଲା । ସବୁ ଦିନ ପରି ଆଜି ଖାଇବା ସମୟରେ ବନିତା ନ ଥିଲେ । ସେ କିଛି କହୁନଥିଲେ, ମାତ୍ର ଆଜ୍ଞାକାରୀ ସ୍ତ୍ରୀ ପରି ତାଙ୍କ ମୁହଁକୁ ଚାହିଁ ବସୁଥିଲେ । ବିନୟ କେବେ ଅଫିସ୍ ରେ ଥାଇ ବନିତାକୁ ଫୋନ କରି ତୁମେ ଖାଇଛ କି ନାହିଁ କିମ୍ବା ଏକୁଟିକା ଘରେ କଣ କରୁଛ ପଚାରି ନାହିଁନ୍ତି । ତାହାହେଲେ ବନିତାଙ୍କ ଏପରି ଯତ୍ନ ନେବାକୁ କଣ କୁହା ଯାଇପାରେ । କର୍ତ୍ତବ୍ୟ ନା ପ୍ରେମ । ବିନୟ ଖାଇ ସାରି ବାସନକୁ ବେସିନରେ ପକାଇ ଦେଇ । ବହି ଥାକ ପାଖରେ ଯାଇ ଠିଆ ହେଲେ, ଅନ୍ୟମନସ୍କ ଭାବରେ ଟାଣି ଆସିଲେ ବହି ଖଣ୍ଡେ । ମାତ୍ର ତାହା ବହି ନୁହେଁ ବରଂ ଏକ ଡାଏରୀ ଥିଲା । ବିନୟ ଅନେକ ଦିନ ତଳରୁ ଡାଏରୀ ଲେଖିବା ଛାଡି ଦେଇଛନ୍ତି । ଏହା ତାହାହେଲେ ବନିତାଙ୍କ ଡାଏରୀ । ବିନୟ ପଢିବେ କି ନାହିଁ ଭାବି ଭାବି ଓଲଟାଇ ପକାଇଥିଲେ ମଲାଟ । ସାଧା କାଗଜ ଦେହରେ ସୁନ୍ଦର ହସ୍ତାକ୍ଷରରେ ଲେଖାଥିଲା ଇଂରାଜୀ କବିତା । ପଢିବାକୁ ଲାଗିଲେ ବିନୟ । ଚମତ୍କାର ଲେଖା । ବନିତା କଣ ପାଠ ପଢିଥିବେ ? ସେ କେବେ ପଚାରି ବୁଝିନାହାନ୍ତି । ଗୋଟିଏ ଘରର ଛାତ ତଳେ ରହୁଥିବା ସମାନ୍ତରଳ ରେଖାର ମଣିଷ ସେ ଦୁହେଁ । ସମ୍ପର୍କ ଅଛି ମାତ୍ର ସେ ଦୁହେଁ ପରସ୍ପର କୁ ଜାଣନ୍ତି ନାହିଁ । ବିନୟ ପଢୁ ପଢୁ ଅଟକି ଗଲେ । ଏ କବିତାଟିକୁ ତ ସେ କିଛିଦିନ ତଳେ ଏକ ପ୍ରତିଷ୍ଠିତ ପତ୍ରିକାରୁ ପଢିଥିଲେ ଭିନ୍ନ ଏକ ନାମରେ । କିଛି ବୁଝିବା ପୂର୍ବରୁ ତଳେ ଖସି ପଡିଲା କିଛି ଚିଠି । ବିନୟ ଚିଠିକୁ ଉଠାଇଲେ ଆଉ ପଢିଲେ । ବର୍ତ୍ତମାନ ତାଙ୍କ ନିକଟରେ କିଛି ଅବୁଝା ରହିଲା । ବନିତା କାହିଁକି ତାଙ୍କ ନିଜ ପରିଚୟ ଲୁଚାଇ ରଖିଛନ୍ତି । ତାହାହେଲେ କଣ ସ୍ତ୍ରୀ ତା' ସ୍ୱାମୀର ପରିଚୟ ନେଇ ଜୀବନ କାଟିବାକୁ ଭଲପାଏ । ବିନୟ ନିଜ ଘରେ ଏକ ଅଜଣା ମଣିଷକୁ ଆଜି ପାଇଲେ । ଡାଏରୀ ଆଉ ଚିଠିକୁ ଥରି ପୂର୍ବ ପରି ବାଲ୍କୋନି ଚେୟାରରେ ଯାଇ ବସିଲେ । ସହର ଶୋଇ ପଡିଛି । ଆକାଶରେ ଜହ୍ନ ବମ୍ବେ ମିଠେଇ ପରି ଲାଲ୍ ଟହ ଟହ ଦେଖା ଯାଇ ମହ ମହ ପ୍ରେମରେ ବାସୁଥିଲା, ଗୋଟିଏ ନୂତନ ସକାଳର ଅପେକ୍ଷାରେ ।



Rate this content
Log in

Similar oriya story from Romance