STORYMIRROR

Kalyani Nanda

Romance

2  

Kalyani Nanda

Romance

ଶୂନ୍ଯତା ରେ ପୂର୍ଣ୍ଣତା

ଶୂନ୍ଯତା ରେ ପୂର୍ଣ୍ଣତା

4 mins
460


ସୂର୍ଯ୍ୟ ପ୍ରତିଚୀ ତଟେ ଯିବାକୁ ତରତର। ପକ୍ଷୀ ନିଜ ନୀଡେ ଫେରିବାକୁ ବ୍ଯାକୁଳ। ସନ୍ଧ୍ଯା ଧରା ବକ୍ଷେ ଆଉ ଟିକକ ପରେ ନଇଁ ଆସିବ । ଜହ୍ନ ବି ଆତୁର ଧରା କୁ ନିଜ ଜୋଛନା ବୋଳି ଦେବାକୁ । ଚିରା ଚରିତ ସମୟ ର ଗତି । ଆଗକୁ ବଢିବ ଚାଲିଛି ସମୟ । ଅଟକି ଯାଇନି ସମୟ। ଜୀବନ ଟା ବି ଦୌଡୁଛି । ହେଲେ ବସୁଧା ? ? ତା ଜୀବନ ? ? ବେଶ ତ ଦୌଡୁଥିଲା ସେ , ଅଣ ନିଃଶ୍ବାସୀ ହୋଇ । ବ୍ୟାକୁଳତା, ଅସ୍ଥିରତା ସବୁ କୁ ନେଇ । ଏବେ କିନ୍ତୁ ଯେମିତି ସବୁ ସ୍ଥିର ହୋଇ ଯାଇଛି । କାଠଯୋଡି ପାଖରେ ବେଞ୍ଚ ଉପରେ ବସି ବସୁଧା ଶୂନ୍ଯ ଆଖିରେ ତା ଶୂନ୍ଯତା କୁ, ତା ସ୍ଥିରତା କୁ ମାପୁଛି । ଜୀବନର ପଇଁତିରିଶ ବର୍ଷ ର ରାସ୍ତା ପାରି ହୋଇ ଆସି ଜୀବନର ଏମିତି ଏକ ସ୍ଥାନ ରେ ପହଞ୍ଚିଛି , ଯେଉଁ ଜାଗାରେ ତାକୁ ଆଉ କିଛି ଦେଖା ଯାଉନି । ଆଗକୁ ବହୁ ଦୂର ଯାଏ ଲମ୍ବିଛି ରାସ୍ତା । କୁଆଡେ ଯିବ ? କେମିତି ଯିବ ? ଏବେ ତ ତା ହାତ ଆଉ କେହି ଧରି ନାହାନ୍ତି । ଶୂନ୍ଯ ଆଖି ତା ଅସ୍ତ ସୂର୍ଯ୍ୟ କୁ ଦେଖୁଥାଏ । ପଛ କଥା ସବୁ ମନକୁ ତା ଆନ୍ଦୋଳିତ କରୁଥାଏ । କୋଡିଏ ବର୍ଷ ବୟସରୁ ନିଜ ପରିବାରର ମଙ୍ଗ ଧରି ଏତେ ଦୂର ଆସି ଗଲାଣି । ସେତେବେଳେ ତା ବାପା, ମାଁ, ଚାରି ଭାଇ, ଭଉଣୀ ତା ହାତକୁ ଭିଡି ଧରି ଥିଲେ । କେହି ତା ହାତ ଛାଡିବାକୁ ନାରାଜ । ସେମାନଙ୍କର କରୁଣ, ଅସହାୟ ,ଆକୁଳ ନିବେଦନ ଭରା ଚାହାଣୀ କୁ ସେ ଏଡାଇ ଯାଇ ପାରି ନ ଥିଲା । କେମିତି ପାରିଥାନ୍ତା ଯେ ? ଘର ର ବଡ ଝିଅ ସେ । ଅବସର ନେଇଥିବା ରୋଗୀଣା ବାପା ତାର ପରିବାର ର ଗାଡି ଟାଣିବାକୁ ଅସମର୍ଥ । ମନରେ ଦମ୍ଭ, ସାହସ ନେଇ ବାପାଙ୍କ ସହିତ ତା ମାଁ, ଚାରି ଭାଇ, ଭଉଣୀ ଙ୍କ ହାତ ଜୋରରେ ଜାବୁଡି ଧରି ଜୀବନର ସମସ୍ତ ଦୋ ଛକି, ଚାରି ଛକି ରାସ୍ତା ପାରି ହେବାର ଅଦମ୍ୟ ଚେଷ୍ଟା ତାର ଆଜି ସଫଳ ହୋଇଛି । ଭାଇ ଦୁଇ ଜଣ ବାହା ହୋଇ ତାଙ୍କ ସଂସାର ସମ୍ଭାଳୁଛନ୍ତି । ଭଉଣୀ ଦୁଇଜଣ ମଧ୍ଯ ବାହା ସାହା ହୋଇ ତାଙ୍କ ସଂସାରରେ ମଗ୍ନ । ବାପା ତାର ଘର ପରିବାରର ମଙ୍ଗ ଧରାଇ ଦେଇ ନିଶ୍ଚିନ୍ତ ହୋଇ କେବେଠୁ ଆର ପାରି କୁ ଗଲେଣି । ମାଁ ତାର କେବେ ଏ ପୁଅ ପାଖରେ ତ କେବେ ସେ ପୁଅ ପାଖରେ ରହି ତା ବାକି ଜୀବନକୁ ଜୀଇଁ ଚାଲିଛି । ଆଜି ଆଉ କାହାକୁ ତା ହାତ ଧରିବା ଦରକାର ପଡୁନି । ସମସ୍ତେ ତା ହାତ ଛାଡି ନିଜ ନିଜ ରାସ୍ତା ବାଛି ନେଇଛନ୍ତି । ଭାଇମାନେ ଆଜି ତାକୁ ମୁକ୍ତ କରି ଦେଇଛନ୍ତି । କହିଛନ୍ତି, "ଅପା, ଆମେ ଏବେ ନିଜର ଓ ନିଜ ପରିବାର ର ଦାୟିତ୍ବ ନେଇ ପାରିଛୁ । ଏବେ ତୁ ସ୍ବାଧୀନ । ତୁ ଏବେ ଯେମିତି ତୋ ଇଚ୍ଛା ସେମିତି ରହିଯିବ ପାରିବୁ । ତୋ ସ୍କୁଲ ରେ କ୍ଵାର୍ଟର ଟିଏ ପାଇଁ ଏପ୍ଲାଇ

କରିଦେ । ତୁ ଏବେ ସ୍ବଚ୍ଛନ୍ଦ ଭାବର, ତୋ ମନ ମୁତାବକ ଜୀଇଁ ପାରିବୁ । ଆଉ କୌଣସି ଦାୟିତ୍ବ କି ବୋଝ ତୋ ଉପରେ ନାହିଁ । " ବାସ୍, ଏଇ ଦୁଇ ପଦ କଥାରେ ଭାଇ ମାନେ ତା ହାତ ଛାଡିଦେଲେ । କେହି ତା ମନର ବେଦନା, ଶୂନ୍ଯତା ଜାଣିବାକୁ ଚାହିଁଲେନି ତ ? ସେ କଣ ଚାହୁଁଛି କେହି ଜାଣିବାକୁ ଚାହିଁଲେନି ତ ? ବାସ୍, ତା ହାତ ଛାଡିଦେଲେ । ସେ ଏବେ ପୁଣି ଏକା ହୋଇଗଲା । ଆଗରୁ ନିଜ ମନର ଶୂନ୍ଯତା କୁ ସାଥିରେ ନେଇ ଚାଲୁଥିଲା । ଜୀବନ ପଥେ ସବୁ ଝଡ ଝଂକାରୁ ସମସ୍ତଙ୍କୁ ରକ୍ଷା କରି ଚାଲୁଥିଲା । ଆଉ ଏବେ ? ? ତାକୁ ଜୀବନର ଶୂନ୍ଯ ପଥରେ ଏକା ଚାଲିବାକୁ ଛାଡିଦେଲେ । ତା ହାତ କେହି ଧରି ରଖିବାକୁ ଚାହିଁଲେନି । ଅସ୍ତ ସୂର୍ଯ୍ୟ ର ମଳିନ ଅସ୍ତରାଗ ପରି ଏକ ମଲା ହସ ଧାରେ ତା ଓଠରେ ଖେଳିଗଲା । ଆଖିରେ ଆଖିଏ ଲୁହ । ଲୁହରେ ଯେମିତି ତାକୁ ଜୀବନର ସବୁ ଦୋଷ ଛକି, ଚାରି ଛକି , ସମସ୍ତ ମୋଡ ଝାପସା ଦେଖା ଯାଉଥାଏ । " ବସୁ, ଏଠି ଏକା ଏକା ବସି କଣ କରୁଛ ?" " ବସୁ" ଏ ନାଁ ଟି କେବଳ ଜଣେ ହିଁ ତାକୁ ଡାକେ । ଏଇ ଡାକରେ କେତେ ଯେ ସ୍ନେହ, ପ୍ରେମ, ଅନୁରାଗ, ଆଶ୍ବାସନା, ବିଶ୍ବାସ ର ଛୁଆଁ ଥାଏ , ସେକଥା କେବଳ ବସୁଧା ର ମନ ଜାଣେ । ଚମକି ପଡିଲା ବସୁଧା । ଏତେ ଦିନ ପରେ ଚିହ୍ନା ଚିହ୍ନା ହାତର ସ୍ପର୍ଶ ପାଇ। ଶ୍ରେୟାଂଶୁ ତା ପଛରେ ଛିଡା ହୋଇଥାଏ । ଶ୍ରେୟାଂଶୁ ତା ପାଖରେ ବସି ବସୁଧା ର ହାତ ନିଜ ହାତମୁଠାରେ ନେଇ ପାରୁଥାଏ, " କଣ ହେଲା ବସୁ ? ତୁମ ଆଖିରେ ଲୁହ ? " ଶୁଖିଲା ହସଟିଏ ହସି ବସୁଧା କହିଲା , " ଜାଣ ଅଂଶୁ, ଆଜି ମୁଁ ମୁକ୍ତ । ସମସ୍ତଙ୍କ ହାତ ଧରି ଆଜି ଯାଏ ଚାଲୁଥିଲି । ହେଲେ ସମସ୍ତେ ଆଜି ମୋ ହାତ ଛାଡି ଦେଇଛନ୍ତି । କେହି ମୋ ହାତ ଧରିବାକୁ ନାହାନ୍ତି । ଆଜି ମୁଁ ମୁକ୍ତ, ସ୍ବାଧୀନ ।" ଏତିକି କହି ବସୁଧା କାନ୍ଦି ଉଠିଲା ।" କିଏ କହିଲା ବସୁ, ତୁମ ହାତ ଧରିବାକୁ କହିନାହିଁ? ମୁଁ ତ ଅଛି ତୁମ ହାତ ଧରିବାକୁ । ଏ ଯାଏ ତ ଅପେକ୍ଷା କରିଥିଲି ତୁମକୁ । କେବେ ତୁମ ହାତ ଶୂନ୍ଯ ହେବ ଆଉ ମୁଁ ସେ ଶୂନ୍ଯ ହାତରେ ମୋର ସବୁ କିଛି ଦେଇ ପୂର୍ଣ୍ଣ କରିବି ।" ଏତିକି କହି ଶ୍ରେୟାଂଶୁ ବସୁଧା ର ର ହାତ ନିଜ ହାତରେ ନେଇ କହିଲା," ଆଉ ତୁମକୁ କାହା ହାତ ଧରିବାକୁ ହେବନି । ତୁମ ହାତ ଧରି ମୁଁ ତୁମକୁ ଜୀବନର ବାକି ଚଲାପଥ ସୁରୁଖୁରୁ ରେ ପାରି କରାଇ ଦେବି । କୌଣସି ଦ୍ବନ୍ଦ, ଦ୍ବିଧା, ଦି ଛକି ଜୀବନର ରାସ୍ତାର ସାମନା କରାଇ ଦେବିନି । " ବସୁଧା ଲୁହ ଡବ ଡବ ଆଖିରେ ଶ୍ରେୟାଂଶୁ କୁ ଚାହିଁ ରହିଥାଏ । ସୂର୍ଯ୍ୟ ପ୍ରତିଚୀ କୋଳେ ଧିରେ ଧିରେ ଅସ୍ତ ଯାଉଥାଏ । ଆଗାମୀ ଦିନର ଏକ ସୁନ୍ଦର ସକାଳର ଆଶ୍ବାସନା ଦେଇ ।


Rate this content
Log in

Similar oriya story from Romance