Debadatta Jena

Romance Tragedy Thriller

4.6  

Debadatta Jena

Romance Tragedy Thriller

ଶେଷ ଶ୍ରାବଣର ସନିଆ..

ଶେଷ ଶ୍ରାବଣର ସନିଆ..

4 mins
545


     


      ହାଏରେ ହାଏ ହାଏ 


      ଗରଜେ ମେଘ ଘୁମ ଘୁମ 


      ମୟୂର ନାଚେ ଛମୁ ଛମ 


      ଝିଙ୍କାରି ନାଚେ ଝମ ଝମା ଝମ 


      ଝମଝମ... !


    ଏବେ ବି ସେ ଶ୍ରାବଣର ରିମଝିମ ଶବ୍ଦ ସାନିଆର ମନ କୁ ଆନ୍ଦୋଳିତ କରୁଛି, ଏବେ ବି ସନିଆ ମନରେ ଥିବା ସେଇ ପ୍ରଶ୍ନ ବାରମ୍ବାର ନିଜ ମନକୁ ଉଦ୍ବେଳିତ କରୁଛି, ତା ମନ ଗୋହିରିରେ ବସା ବାନ୍ଧିଥିବା ସ୍ବପ୍ନ ସାଗରର ଢେଉ ଭିତରେ ସେ ଶ୍ରାବଣର ପହିଲି ସ୍ପର୍ଶ ସତେ ଯେମିତି ଉତ୍ତାଳ ତରଙ୍ଗ ସାଜି ଉଙ୍କି ମାରୁଛି, ମନ ଗହନର ଲହରୀ ମାଳାରେ ସାଗରରେ ମିଶିଯିବା ପାଇଁ | 


ସାତ ତାଳ ପଙ୍କ ଭିତରେ ଲୁଚି ଥିବା ବୁଢ଼ୀ ଅସୁରିଣୀର କୁହୁକ ପେଡି ଭିତରେ ବନ୍ଦୀନୀ ସେଇ ସୁନା ଫରୁଆର ପରୀ ଓ ତାର ଅଲିଭା ପ୍ରେମ ଯେମିତି ଅଙ୍କା ବଙ୍କା ନଈ ହୋଇ ବହି ଯାଉଚି ହଜିଲା ସ୍ମୃତିକୁ ନେଇ, ସେଇ ପ୍ରଶ୍ନ ତା ମନକୁ ଆନ୍ଦୋଳିତ କରୁଛି ବାରମ୍ବାର | ସେ ଶ୍ରାବଣ ଯେ ପୁଣି ଥରେ ଫେରି ଆସିବ ତା ସ୍ମୃତିର ପସରା ନେଇ, ତା ଗାଁ କୁ, ତା ଅଗଣାକୁ, ତା ଚରା ଭୂଇଁକୁ, ତା ହୃଦୟକୁ ସବୁଦିନ ପାଇଁ, ଆଉ ଫେରିବ ତା ପାହାନ୍ତି ଜହ୍ନ ସବୁଦିନ ପାଇଁ, ହସିବ କଇଁ ହୋଇ, ଝରିବ ମେଘ ହେଇ, ଗଜୁରି ଉଠିବ ତା ସ୍ମୃତି ସନ୍ତକ ରୂପୀ କେଶୁର, ବାଜିବ ଯୋଡି ମହୁରୀ, ଭେରୀ ତୁରୀ ଓ ତେଲିଙ୍ଗି ବାଇଦ ବାଜା | ଆଉ ଫେରିବ ସାଗର ବୁକୁ ତଳେ ସାଇତା ସେଇ ମୋତି, ଶାମୁକାରୁ ମୁକ୍ତା ସାଜିଥିବା ତାର ଅତି ଆଦରର ମାଣିକ, ଆଉ ଏକ ଶେଷ ଶ୍ରାବଣକୁ ନେଇ,ହଜିଲା ଅତୀତ ଅଫେରା ରାଜ୍ୟରୁ ନାନା ରୋଷଣୀରେ |


    ମାଣିକ, କେଉଁ ଏକ ଅପରିଚିତ ରାଇଜର ଅଲିଅଳି ରାଜଜେମା, ଏକ ବର୍ଷଣ ମୁଖର ଧାରା ଶ୍ରାବଣର ବନ୍ୟା ସ୍ରୋତରୁ ଛାଣି ଆଣି ଅତି ସିନେହ ଶରଧାରେ ନିଜର କରି ଆଦରରେ ସାଉତୁଥିବା ବଣ ମଲ୍ଲୀଟିଏ ସେ, ତା ଆଖିରେ ଝିଲମିଲ ଆକାଶର ତାରା ଫୁଲ, ମନରେ ଅସୁମାରୀ ମେଘର ଅସରା ଶ୍ରାବଣ, ହୃଦୟରେ ପେନ୍ଥା ପେନ୍ଥା ରଙ୍ଗୀନ ସ୍ବପ୍ନର ମୋତି ଓ ମାଣିକ୍ୟ ; ସନିଆ ଭଳି ଗୋଟିଏ ନିରୀହ ପବିତ୍ର ଆତ୍ମାକୁ ଆପଣେଇ ନେବାର ଅନିର୍ବଚନୀୟ ଦୁର୍ବାର ପ୍ରତିଶୃତି ଯେ ଦିନେ କଢ଼ରୁ ଫୁଲ ହେଇ ଫୁଟି ଝରି ଯିବ ନିଜ ଅଜାଣତରେ, ସେ କଥା କିଏ କାହିଁ ଜାଣିବ | ସ୍ୱପ୍ନରେ ତାର ଜହ୍ନ ରାଇଜର ରାଜ କୁମର, ତନୁରେ ଉଛୁଳା ନବ ଯୌବନ, ମନରେ ଉଛୁର ଉଜାଣି ଯମୁନା, ହେଲେ ବୁକୁରେ ଝରା ଶ୍ରାବଣର ଧାର | ଆଦ୍ୟ ଶ୍ରାବଣର ପହିଲି ଛୁଆଁରେ ମନ ସିନ୍ଦୁକରେ ସାଇତା କେଶର ଯେ କେତେବେଳେ ମନ ତଳେ ଗଜା ହେଉଥାଏ, ପ୍ରତି ଦିନ, ପ୍ରତି ମୁହୂର୍ତ୍ତ, ମାଣିକର ଅସରା ପେଡ଼ି ମଧ୍ୟରେ, ସେ କଥା ସେ ହିଁ ଜାଣେ | ଆଉ ଜାଣି ମନେ ମନେ କେବେ ହେଉଥାଏ ଚିରସ୍ରୋତା ତ ପୁଣି କେବେ ଚିରସ୍ରୋତାରୁ ଖରସ୍ରୋତା; କିଂତୁ ସନିଆ..? ସନିଆ କି ଜାଣେ ସେ ମୋହିନୀ ମନ୍ତ୍ରର ଭିତିରି କଥା |ବାୟା ଚଢେଇର କି ଯାଏ, ବାଆ ଦେଲେ ଡଉଲୁ ଥାଏ, ସେ ଜାଣେନି କାହା ମରମ ତଳର ଗହନ କଥା, ଅନ୍ତର ତଳର ଗୁମର କଥା, ନିହାତି ସରଳ ନିଷ୍କପଟ ହୃଦୟଟିଏ | ତା ମନ, ନିତ୍ୟ ବୃନ୍ଦାବନ, ଜାଣିବାର ଉପାୟ ତାର ବହୁ ଉର୍ଦ୍ଧରେ |ସେ କେବଳ ଜାଣିଛି ତା ମାଣିକ ଯେ ରୂପ ଝଟକି, ଆଉ ଯେତେ ସବୁ ସାଇ ପଡିସା ଝିଅ ସବୁ ବାନ୍ଦର ମୁହିଁ | ଆଉ ସେ ଜାଣିଛି, ଯାର ମନ ଯେଡ଼େ, ତାର ପ୍ରଭୁ ତେଡ଼େ, ତା ମାଣିକ ହେଉଚି ସରଗ ସୁତା, ଗଜ ମୁକୁତା,ଯହିଁ ଛେଚିଲେ ବକଳ ନାହିଁରେ..| ସ୍ନେହ ଶ୍ରଦ୍ଧା, ଆବେଗ, ରାଗ ଅନୁରାଗ, ଯେତେ ଯେତେ ଭଲ ପାଇବାର ପ୍ରତି ଶବ୍ଦ ଜାକି ଜୁକି ହୋଇ ଏକାଠି କରି ସବୁ ଯାକ ଅଜାଡି ଦିଏ ତା ମାଣିକ ପାଖରେ, ନିତି ସଂଜରେ, ନିଜ ଅଜାଣତରେ ନିଷ୍ପାପ, ନିଢ଼ୋଳ ଭଲ ପାଇବାରେ |ଜାଣିବାର ଜୁ ବୋଧେ ନାହିଁ ତା ପାଖରେ, ନିହାତି ଅବୋଧ ଶିଶୁଟିଏ ପରି, ଭଲ ପାଇ ଜାଣେ ସେ କେବଳ ତାର ଶ୍ରାବଣ ବନ୍ୟାର ଶ୍ରାବଣୀକୁ, ଅନେକ ଆବେଗରେ |ବାସ..! ତା ଭଲ ପାଇବାର ନିରନ୍ତର ସ୍ରୋତର ପରିକଳ୍ପନାଟି ରୂପ ପାଏ ଶ୍ରାବଣର ପହିଲି ଝରରେ, ନିରନ୍ତର, ମାଣିକର ସୁକ୍ଷ୍ମ ଅବଚେତନରେ..|


   ଅତି ପାଖରେ ଥାଇ ବି ଯିଏ ମନ କଥା ବୁଝି ପାରେନି, ଯାହାର ହାତ ପାହାନ୍ତାରେ ଜହ୍ନ ଥାଇ ବି ଯିଏ ତାର ଶୀତଳ ଜ୍ୟୋସ୍ନାକୁ ଉପଲବ୍ଧି କରିପାରିନି, ସେ ବା କିପରି ରହି ପାରନ୍ତା ସ୍ଥୁଳ ବସ୍ତୁଟିଏ ପରି, ନୀରବ, ନିସ୍ତବ୍ଦ ପେଣ୍ଡୁଟିଏ ହୋଇ ; ତା ମନ ତଳର ସୁପ୍ତ ଯମୁନା ଯେ ପ୍ରାବଲ୍ୟ ପ୍ଲାବିତ, ସେ ହୋଇଯାଏ ଅସ୍ଥିର, ଆଉ କଇଁ ପରି ଜହ୍ନର ଶୀତଳ ଜ୍ୟୋସ୍ନାକୁ ଆପଣେଇବାର ଇଚ୍ଛାକୁ କିଏ ବା ଅବଦମିତ କରିପାରିବ ରକ୍ତ ମାଂସ ଧାରୀ ନବ ଯୌବନା ନିଭୃତ ନିରଳସରେ ..? କିଂତୁ କହି ପାରେନା ତାର ସେହି ଉଦ୍ବେଳିତ ଅନ୍ତରାତ୍ମାର ଅନ୍ତର ବେଦନାର ଗୋପନ କଥାକୁ ତା ପ୍ରିୟ ପୁରୁଷ ଆଗରେ, ନିଜର ଅତି ଆପଣାର ପ୍ରିୟ ମନ ଆକାଶର ଜହ୍ନ, ସନିଆର ଖୋଲା ମନ ଆଗରେ, ମନ ଖୋଲି କହି ପାରେନି କେବେ ତାର ଅବ୍ୟକ୍ତ ଭାବାବେଗକୁ ପ୍ରକାଶ୍ୟରେ |


      ଆଉ ସନିଆ ତ ଖୋଲା ଆକାଶର ନିରୀହ ପକ୍ଷୀଟିଏ ପରି, ଉଡ଼ିବୁଲେ ଏଣେ ତେଣେ, ସକାଳରୁ ସଂଜ ଯାଏ, ନାହିଁ ଖରା, ନାହିଁ ବର୍ଷା, କେବେ ଘନଘୋର ଅନ୍ଧାର ତ କେବେ ଉଦୁଉଦିଆ ଖାରବେଳ, ମୁକ୍ତ ବିହଙ୍ଗ ପରି ଏ ଡାଳରୁ ସେ ଡାଳ, ଘଞ୍ଚ ଜଙ୍ଗଲ ବଣ ପ୍ରାନ୍ତ ଘୁରି ବୁଲେ ଲଞ୍ଜା ତାରା ପରି | କେବେ ଏପାରି ତ କେବେ ନଦୀ ସେପରି, ବୁଣି ଚାଲେ ନିଜର ସ୍ବପ୍ନ, ରଚି ଚାଲେ ନୀଡ଼ ତା ଅବ୍ୟକ୍ତ ପୃଥିବୀ ଉହାଡରେ | ନଈ ପଠା ଛୋଟିଆ ହୁଲି ଡଙ୍ଗାରେ ତାର କର୍ତ୍ତୃତ୍ୱ, କି ମେଘ କି ବର୍ଷା, କି ବନ୍ୟା, କି ବାତ୍ୟା, ନ ଥାଏ ଭୟ, ଦୁଇ କୂଳ ଉଛୁଳା ନଈ ମଧ୍ୟ୍ୟ ଅଟକାଇ ପାରିନି ତାର ନିତି ଦିନିଆ ଜୀବନ ସୌଦାକୁ | ଅକପଟ ହୃଦୟରେ ବହି ଚାଲିଛି ତାର ସେଇ ଜୀବନ ନୌକାକୁ ସାଥିରେ ନେଇ, ସକାଳରୁ ସଂଜ ଯାଏ, ନିଜ ବୁଝିଲା ପଣିଆର ପାରିବା ପଣରେ |ସବୁର ସାକ୍ଷୀ ସେଇ ଚିର ସାଥି ମକରା, ମା ପେଟର ନ ହେଲେ ବି, ତା ସୁଖ ଦୁଃଖର ସାଥି,ଅତି ନିଜର ମକର ଚାଉଳ ଦିଆ ମକରା.!ସେଇଥି ପାଇଁ ବୋଧେ ମାଣିକର ସେ ଅତି ପ୍ରିୟ ମକରାଇ.. ! 


      ସବୁ ରାଗ ରୁଷା, ମାନ ଅଭିମାନ, ଯେତେ ଯାହା ହେଉ, ମକରାଇ ଥିଲେ ସବୁ ସମାଧାନର ରାସ୍ତା ଆପେ ଆପେ ସମାଧାନ ହୋଇଯାଏ | ସନିଆ ଓ ମକରା ଯୋଡି ଯାଉଁଳି, ମାଣିକର ଦୁଃଖ ପାସୋରା, ଦୁଇଟି ଆଖି ପରି, ଜଣେ ହୀରା ହେଲେ, ଜଣେ ନୀଳା, 


ଡର କାହାକୁ..! କେବେ ହଜି ଯାଇ ଥିବା ଅବୁଝା ମନକୁ ଯୋଡି ଦେବାର ଦୁର୍ବାର ପ୍ରତଶ୍ରୁତି ତ କେବେ ଭାଙ୍ଗି ଯାଇଥିବା ଖେଳନା କଣ୍ଢେଇକୁ ନୂଆ କରି ଗଢି ଦେବାର ମନ ଛୁଆଁ ଇତିବୃତି, ସବୁ ସେଇ ଜୀବନ୍ତ କଣ୍ଢେଇ ପାଇଁ | କିଏ କହେ ପାଦରେ ଅଳତା, ହାତରେ ଝୁମୁକା, କଟିରେ ଦିକୁଳ ତ କିଏ ନାକରେ ନାକଚଣା, ଆଉ ରାଜା ହାତେ ଦେଇ କରିବେ ରାଣୀ ପରି ସଜେଇବାର ଗଭୀର ଅଭିଭୂତି ! ହେଲେ ଭୂଲି ନ ଯିବୁଲୋ ସେନେହ ଟିକର 


ଦୁର୍ବାର ଈପସା ପାଖରେ ଯେ କେହି ବି ବନ୍ଦୀ ହୋଇ ପାରେ !


     ହେଲେ ସମୟ ବଡ଼ ବଳବାନ, ସମୟର ସ୍ରୋତରେ ସମସ୍ତେ ଧାବମାନ !ଆଉ ସନିଆ ସେଥିରୁ ବାଦ ଯିବ କିପରି? ଆଜି ସେଇ ସମୟର ତୀବ୍ର ତାଡ଼ନାରେ ସେ ମ୍ରିୟମାଣ | ଆଜି ବି ସେ ସେଇ ହଜିଲା ଅତୀତକୁ ମନେ ପକାଇ ଖୋଜି ବୁଲୁଚି ସେ ଅଫେରା ଶ୍ରାବଣକୁ.. | ହେଲେ ସେ ଶ୍ରାବଣ ତ କେବେ ଠୁଁ ଶେଷ ହୋଇ ସାରିଛି, ଶେଷ ଶ୍ରାବଣ ତ ଶେଷ.., ଫେରିବ କିପରି..? 


   ଆଉ ଦୂରରୁ ଶୁଭୁଛି ମେଘ ବରଷିଲା ଟୁପୁରୁ ଟୁପୁରୁ.. କେଶୁର ମାଇଲା ଗଜା, କେଉଁ ରାଇଜେ ରହିଲେ ମୋ ରାଜା, ତେଲିଙ୍ଗି ବାଇଦ ବଜା.. ପରି ମୃଦୁ ଝଙ୍କାର.. !


         ......x.......



Rate this content
Log in

Similar oriya story from Romance