STORYMIRROR

Birakishore Nayak

Romance Tragedy

3  

Birakishore Nayak

Romance Tragedy

ଶେଷ ଶ୍ରାବଣ

ଶେଷ ଶ୍ରାବଣ

4 mins
1.2K


    ଦୂର ପର୍ବତର ଶିଖରୁ ଧୂଆଁଳିଆ ବାଦଲ ହୋଇ ଓହ୍ଲାଇ ଆସେ ଶ୍ରାବଣ, ମନରେ ଭରିଦିଏ କେମିତି ଏକ ନୂଆ ଉନ୍ମାଦନା,ତାରୁଣ୍ୟ ଖୋଜେ ପ୍ରୀତିର ପରଶ, ବତୁରା ମାଟିର ଗନ୍ଧରେ ନୂଆ ଆଶା ସଞ୍ଚରି ଯାଏ ଦୁନିଆରେ ।ଏମିତି ତ ଶ୍ରାବଣ,ନୀଳ ଆକାଶରେ ଖେଳି ଖେଳି ବର୍ଷିଯାଏ ମଧୁ,ଶ୍ୟାମଳ ବନାନୀର ପତ୍ରେ ପତ୍ରେ ଯେମିତି ଘନ ଚୁମ୍ବନର ଛୁଆଁ ।


         ଏକ ବର୍ଷlମୁଖର ଶ୍ରାବଣୀ ସନ୍ଧ୍ୟାରେ ଘରର ଝରକା ପାଖରେ ଛିଡ଼ାହୋଇ ବାହାରକୁ ଚାହିଁଛି ସୁଲଗ୍ନା ।ଏମିତି ସେ ଏଇ ଝରକାପାଖରେ ନିତିଦିନ ରାସ୍ତାକୁ ଚାହେଁ, ପ୍ରତିକ୍ଷlକରେ ତାର ପ୍ରିୟତମକୁ,ସବୁଦିନ ଏଇ ସମୟରେ ସେ ଆସନ୍ତି, ଦୂରରୁ ଦେଖା ହେଲେ ବି ,ପ୍ରୀତି ଭରିଯାଏ ହୃଦୟରେ, ଚହଲା ମନଟା ଶାନ୍ତ ହୋଇଯାଏ ।ଆଜି ତ ଏଇ ଶ୍ରାବଣର ବର୍ଷା ଦାଉ ସାଧିଛି, ବର୍ଷୁଛି ଯେ ବର୍ଷୁଛି, ପଦାକୁ ତ ବାହାରି ହେଉନି, କେମିତି ଆସିବେ ଅବା ସିଏ !


      ସୁଲଗ୍ନା ପିଲାଟି ଦିନରୁ ଭଲପାଇ ଆସିଛି

ଆଦର୍ଶକୁ ।ଉଭୟେ ଗୋଟିଏ ଗାଆଁର, ଉଭୟଙ୍କ ଘର ମଝିରେ ମାତ୍ର ଆଠ ଦଶଟି ଘର ।ଏକା ଶ୍ରେଣୀରେ ପାଠ ବି ପଢୁଥିଲେ ।ପିଲାଟି ଦିନରୁ ଉଭୟଙ୍କ ଭିତରେ କେମିତି ଏକ ଆକର୍ଷଣ ଉଭୟଙ୍କ ଅଜାଣତରେ ଲତାପରି ମାଡିଚାଲିଥିଲା ।ପିଲାଖେଳ ଠାରୁ ଆରମ୍ଭ କରି ସବୁ କାମରେ ଦୁହେଁ ଏକାଠି ହୋଇଯାଉଥିଲେ, କେବେ ଯଦି କୌଣସି କାରଣରୁ କାହାର ଟିକେ ଡେରିହୋଇଯାଉଥିଲା କି ଆସିପାରୁନଥିଲା ତେବେ କେତେ ଯେ ରାଗ ରୁଷା, ଯେମିତି ପରସ୍ପର ଭିତରେ କେମିତି ଏକ ଗଭୀର ନିବିଡ଼ତା ବସା ବାନ୍ଧିସାରିଥିଲା ।


      ଝରକା ପାଖରେ ଛିଡ଼ାହୋଇ ସେମିତି ରାସ୍ତା ଉପରେ ନଜର ରଖିଥିଲା ସୁଲଗ୍ନା, ନା, ଆଜି ଆଉ ଦେଖାହେବନି, ଅନ୍ଧାର ଧିରେ ଧିରେ ଘନେଇ ଆସିଲାଣି । ମନରେ ଭାବୁଥିଲା ସିଏ, ଆଦର୍ଶଙ୍କ ବିନା ଜୀବନରେ ବଞ୍ଚିବା ତା ପାଇଁ ଅସମ୍ଭବ ।ଏଇକଥା ବି ଆଦର୍ଶ ତାକୁ ଦିନେ କହିଥିଲେ ।କିନ୍ତୁ ଏହା କଣ ସଫଳ ହେବ !ଉଦାସ ହୋଇଯାଉଥିଲା ସୁଲଗ୍ନା, ଯେତେବେଳେ ଏମିତି ଏକ ନକାରାତ୍ମକ ଭାବନା ମନକୁ ଆସେ ।


     ଉଭୟଙ୍କର ଭଲପାଇବା ସ୍ବର୍ଗୀୟ, କେବେବି କାହା ମନରେ ସ୍ପର୍ଶକାତରତା ସୃଷ୍ଟିହୋଇନି, ହୃଦୟରେ କିନ୍ତୁ ଗଭୀର ଭଲପାଇବା, ଏକ ନିବିଡ଼ ମମତାର ବନ୍ଧନ ଯେମିତି ।ଗାଆଁ ସାରା ଲୋକେ ସମସ୍ତେ ଏକଥା ଜାଣନ୍ତି, ହେଲେ ମୁହଁରେ କେହିକିଛି କହନ୍ତିନି ।ଉଭୟଙ୍କ ପରିବାର ମଧ୍ୟ ଜାଣନ୍ତି ।କିନ୍ତୁ ବିବାହ ପାଇଁ ରାଜିନୁହନ୍ତି,ତା ସତ୍ୱେ ବି ଉଭୟଙ୍କର ପ୍ରେମ ଅତୁଟ ରହିଛି, ଘଟଣା ସମସ୍ତେ ଜାଣିବା ପରେ ଅବଶ୍ୟ ଖୋଲାଖୋଲି ଭାବେ ମିଳାମିଶା କରିବା ସମ୍ଭବ ହେଉନି, କିନ୍ତୁ ସବୁଦିନ ଦୂରରୁ ହିଁ ଦେଖାହୁଏ, ଭାବ ବିନିମୟ ହୂର, ହସରେ, ପରିତୃପ୍ତିରେ ।


      ଆଦର୍ଶ ବଡଘରର ପୁଅ, ଅଚଳାଚଳ ସମ୍ପତ୍ତି ତାଙ୍କର, କିନ୍ତୁ ସୁଲଗ୍ନା ଗରିବଘରର ଝିଅ ।

ସେଥିପାଇଁ ତା ବାପା ତାକୁ ସବୁବେଳେ ଆକଟ କରି ଆସୁଛନ୍ତି, ଚାନ୍ଦ ଧରିବାକୁ ଆଶା କର ନା ମାଆ, ଆମେ ଗରୀବ, ତୋ ଭାଗ୍ୟରେ ଯେଉଁଠିଥିବ, ସେଇଠି ମୁଁ ବାହା କରେଇ ଦେବି ତୋତେ ।ବାପାଙ୍କ ଆକଟରେ ମନ ମରିଯାଏ ସୁଲଗ୍ନାର, ହେଲେ ନିଜକୁ ବୁଝାଇପାରେନା, ଅତି ଆଦରର ଆଦର୍ଶକୁ ଭୁଲି ବି ପାରେନା ।


    ଆଦର୍ଶଙ୍କ ପରିବାର ବି ଏ ବିବାହ ପାଇଁ ରାଜି ନୁହଁନ୍ତି, ତାଙ୍କ ବାପା କହିଲେ, ସେ କଣ ଆମ ବନ୍ଧୁଯୋଗ୍ୟ, ସେଠି ବାହାହେବା ଆଶା ଛାଡି ଦେ, କେତେ କେତେ ବଡଘରର ଝିଅ ତୋତେ ବାହାହେବାକୁ ରାଜି ହେବେ, ଯଥେଷ୍ଟ ଯାନିଯୌତୁକ ବି ମିଳିବ ।ଏଭଳି ଅନେକ କଥା, ଆଦର୍ଶଙ୍କର କିନ୍ତୁ ସେଇ ଗୋଟିଏ କଥା, ବିଭା ହେବିତ ସୁଲଗ୍ନାକୁ, ନହେଲେ ଜୀବନରେ ଆଉ କାହାକୁ ବି ବିଭା ହେବିନି, ଖୋଲାଖୋଲି ଶୁଣାଇ ଦେଇଛନ୍ତି ତାଙ୍କ ଘରେ ।ତାଙ୍କ ବାପା ବି ସୁଲଗ୍ନାର ବାପାଙ୍କୁ ଏଥିପାଇଁ ଧମକ ଚମକ ଅନେକ ଥର ଦେଇଛନ୍ତି ।ଅପମାନଜନକ ମନ୍ତବ୍ୟ ମଧ୍ୟ ଶୁଣିବାକୁ ପଡିଛି ତାଙ୍କୁ ।


     ଏତେ ସବୁ ସମସ୍ୟା ଭିତରେ ସୁଲଗ୍ନା ମନରେ ଉଦାସତା ଭରିଯାଇଛି ।ତଥାପି ବାହାରକୁ ବୁଲି ନଗଲେ ବି ଘର ଭିତରେ ଝରକା ପାଖରେ ଠିଆ ହୋଇ ସେ ତା ପ୍ରେମକୁ ଜାହିର କରେ ଦୂରରୁ, ତା ପ୍ରିୟତମକୁ ତାର ହୃଦୟର ଗଭୀର ସଦିଚ୍ଛା ଜଣାଇ ।

      ଶ୍ରାବଣର ବର୍ଷା ଲାଗିରହିଛି, ରାତି କେତେ ହେବଣି କେଜାଣି, ନିଦ ହେଉନି ସୁଲଗ୍ନାକୁ ।ଝରକାର ଠକ ଠକ ଶବ୍ଦରେ ଚମକି ପଡିଲା ସିଏ, ଉଠି ଝରକା ପାଖକୁ ଗଲା, ଆଦର୍ଶର ଚାପା କଣ୍ଠସ୍ୱର ଶୁଣି ଝରକା ଖୋଲିଲା, ବର୍ଷlରେ ସମ୍ପୂର୍ଣ୍ଣ ଭିଜିଥିବା ଆଦର୍ଶ ବିବ୍ରତ ହୋଇ କହିଲା, ସୁଲଗ୍ନା, ଆଜି ଆମେ ଘରଛାଡି ଚାଲିଯିବା, ନହେଲେ ମୋ ବାପା ମୋତେ ଅନ୍ୟତ୍ର ବିଭା କରାଇଦେବେ ।ମୁଁ ଶୁଣିଲି, ସେ ମୋ ବାହାଘର ଠିକ କରିସାରିଲେଣି ।ଏଇ ଦିନେ ଦୁଇଦିନ ଭିତରେ ସେ ଲଗ୍ନ ସାରିଦେବେ ।ଏସବୁ ଶୁଣି ସୁଲଗ୍ନା କିଛି ଭାବି ପାରୁ ନଥିଲା,କଣ କହିବ ସେ ଆଦର୍ଶଙ୍କୁ ? ଏମିତି ଭାବରେ ଲୁଚି ପଳାଇବାକୁ ତା ବିବେକ ତାକୁ ବାଧା ଦେଉଥିଲା ।କିନ୍ତୁ ଆଦର୍ଶଙ୍କର ଉଦବେଗତା ତାକୁ ଅସ୍ଥିର କରୁଥିଲା ।ବୁଝାଇବାକୁ ଚେଷ୍ଟା କରୁଥିଲା ସୁଲଗ୍ନା ।କିନ୍ତୁ କିଛି ବୁଝିବାକୁ ପ୍ରସ୍ତୁତ ନଥିବା ଆଦର୍ଶ କହିଥିଲେ, ସବୁଦିନ ପାଇଁ ଘରଛାଡି ଚାଲିଆସିଛି ମୁଁ, ଆଉ ତୁ ଯଦି ମୋତେ ପ୍ରତ୍ୟାଖ୍ୟାନ କରୁ, ତେବେ ଆତ୍ମହତ୍ୟା ଛଡା ମୋ ପାଖରେ ଅନ୍ୟ ରାସ୍ତା ନାହିଁ, ଆଉ ତୋ ବିନା ମୁଁ ବି ବଞ୍ଚିପାରିବିନି ।


ନିରୁପାୟ ହୋଇପଡ଼ିଲା ସୁଲଗ୍ନା, ଧିରେ ଧିରେ ଘରର କବାଟଖୋଲି ବାହାରକୁ ଚାଲିଆସିଲା ।ବାହାରେ ମେଘର ବେଗ କମିଯାଇଥିଲେବି ଟପ ଟପ ବର୍ଷା ହେଉଥିଲା, ଶୁକ୍ଲପକ୍ଷ ହୋଇଥିବାରୁ ବାଦଲଫାଙ୍କରେ ମ୍ଳାନ ଜହ୍ନର ଜ୍ୟୋତ୍ସ୍ନା ଅଳ୍ପ ଆଲୋକିତ କରୁଥିଲା ।ଦୁହେଁ ହାତ ଧରାଧରି ହୋଇ ଆଶଙ୍କିତ ଭାବେ ଆଗକୁ ଆଗକୁ ଚାଲିଥିଲେ ।ହଠାତ କିଛି ଲୋକଙ୍କର ପାଟି ଶୁଣି ସେମାନେ ଚମକି ପଡିଲେ, ଆଦର୍ଶ ବୁଝିଗଲେ ସବୁ ।ତା ବାପାଙ୍କର ଲୋକ ଏମାନେ, ବୋଧେ ସେ ଘର ଛାଡିବା ପରେ ସେ ଜାଣିପାରିଛନ୍ତି, ଏବଂ ଖୋଜିବାକୁ ପଠାଇଦେଇଛନ୍ତି ।ସମୟ ନଷ୍ଟ ନକରି ଦୁହେଁ ବିପରୀତ ଦିଗକୁ ଧାଇଁବାକୁ ଲାଗିଲେ ।ସେମାନଙ୍କୁ ଖୋଜୁଥିବା ଲୋକମାନେ ବି ସେମାନଙ୍କୁ ପଶ୍ଚାତଧାବନ କରୁଥାନ୍ତି ।ଆଗରେ ଆଉ ରାସ୍ତା ନାହିଁ, ଶ୍ରାବଣର ବର୍ଷlରେ ବଢ଼ି କୂଳଖାଉଛି ବ୍ରାହ୍ମଣୀ ନଦୀ,ପଛରୁ ଧର ଧର ଶବ୍ଦ,

ଆଗରେ ନଦୀର ବିକଟାଳ ଖୋଖୋ ଶବ୍ଦ, ଦୁହେଁ ଡେଇଁପଡିଲେ ନଦୀକୁ, ନଦୀର କ୍ଷିପ୍ର ସ୍ରୋତରେ ନିମିଷକରେ ଭାସିଗଲେ କୁଆଡେ, ରାତିର ଝାପ୍ସା ଜହ୍ନ ଆଲୁଅରେ କିଛି ବି ଦିଶୁନଥିଲା ।ବର୍ଷା ବି ଘନେଇ ଆସୁଥିଲା, ମୁଷଳଧାରାରେ ପୁଣି ବର୍ଷିଚାଲିଲା ।ଦୁହିଁଙ୍କ ଜୀବନର ଶେଷ ଶ୍ରାବଣର ବର୍ଷା ।ନଦୀର ଭଉଁରୀ ଭିତରେ ଲୁଚିସାରିଥିଲେ ସେମାନେ ।

        ଲୁହ ଝରାଇ କାନ୍ଦୁଥିଲା ଯେମିତି ଶେଷ ଶ୍ରାବଣ ।


 


Rate this content
Log in

Similar oriya story from Romance