Snigdha Nayak

Romance Tragedy Others

4.3  

Snigdha Nayak

Romance Tragedy Others

ସେରିନ୍ -ପ୍ରଥମ ଭାଗ

ସେରିନ୍ -ପ୍ରଥମ ଭାଗ

5 mins
167



ସେରିନ୍ ଅନାଥ ଆଶ୍ରମ..... ଗେଟ୍ ସମ୍ମୁଖରେ ଛିଡା ହୋଇ ଓର୍ଫାନେଜ୍ ର ଗେଟ୍ କୁ ଅନାଇ

ରହିଥାନ୍ତି ।ହସ ହସ ଚେହେରା...ଆଖି ଛଳଛଳ ..। ଖୁସିରେ ତାଙ୍କର ଠିକଣା ନ ଥାଏ ।ଗେଟ୍ ଉପରେ ଲେଖା ହୋଇଥାଏ ସେରିନ୍ ଓର୍ଫାନେଜ୍, ବାରମ୍ବାର ସେ ନାଁ ଟିକୁ ପଢୁଥାନ୍ତି ।ଖୁସିରେ

ତାଙ୍କର ଛାତି ଫୁଲି ଯାଉଥାଏ । ଜୋରରେ ନିଶ୍ୱାସ ନେଇ ଖୁସିରେ ଗଦ୍ ଗଦ୍ ହୋଇଯାଉଥାନ୍ତି ।ଧୀର ସ୍ୱରରେ କହୁଥାନ୍ତି" ସେରିନ.. ମୋ ସେରିନ୍..,ମୁଁ ଆସିଯାଇଛି ସେରିନ୍ ,ତମ ପ୍ରତୀକ୍ଷା ଏବେ ଶେଷ ହେଇଛି,ସମସ୍ତ ବାଧାବିଘ୍ନକୁ ଏଡାଇ ତମ ପାଖକୁ ଆସିଯାଇଛି ଚିରଦିନ ପାଇଁ ମୋ ପ୍ରିୟା...।"

ଆଶ୍ରମର ଗେଟ ଖୋଲି ଭିତରକୁ ପ୍ରବେଶ କଲେ ପ୍ରିୟାନ୍ସ ଗେଟ ପାଖରେ ବସିଥାଏ ସିକ୍ୟୁରିଟି ଗାର୍ଡ,ସେ ଥାଏ ନିଜ ଧୁନ୍ ରେ..।ହାତରେ ଖଏନି ରଗଡି ରଗଡି ପାଟିରେ ପକାଉଥାଏ । ପ୍ରିୟାନ୍ସ ତାକୁ ସେରିନ ର ରୁମର ରାସ୍ତା ପଚାରିଲେ କିନ୍ତୁ ଗାର୍ଡ ଟିର କୌଣସି ପ୍ରତିକ୍ରିୟା ନାହିଁ, ଦି କାନରେ ଇଅର ଫୋନ୍... ମୁଣ୍ଡକୁ ଏପଟ ସେପଟ ହଲାଇ ଗୁଣୁଗୁଣ ହୋଇ କିଛି ଗାଇ ଚାଲିଛି ।ପ୍ରିୟାନ୍ସ ତାକୁ  ବାରମ୍ବାର ପଚାରୁଥାନ୍ତି କିନ୍ତୁ ତାର କୌଣସି ପ୍ରତିକ୍ରିୟା ନ ଥାଏ,ସେ ବିରକ୍ତ ହୋଇପଡିଲେ । ଧୀରେ ଧୀରେ ଅଗ୍ରସର ହେଲେ ଆଶ୍ରମ ଭିତରକୁ.......।

ଡାହାଣ ପଟରେ ଥିବା ଲନ୍ ରେ ପିଲାମାନେ ଖେଳାଖେଳି କରୁଥିଲେ ।ଲନ୍ ର ଚତୁର୍ପାଶ୍ୱରେ ଲାଗିଥାଏ ଫୁଲଗଛ ଅନେକ ରଂଗବିରଙ୍ଗ ର ଗୋଲାପ ।ହଠାତ ତାଙ୍କର ଦୃଷ୍ଟିପଡ଼ିଲା ଲନ୍ ର ଗୋଟାଏ ପାର୍ଶ୍ଵରେ ଥିବା ଚମ୍ପା ଗଛଟି ଉପରେ, ଗଛଟି ମାତ୍ର ତିନି ,ଚାରି ହାତ ର କିନ୍ତୁ ଫୁଲରେ ଭର୍ତି ।ଅଗ୍ରସର ହେଲେ ସେଇ ଗଛପାଖକୁ, "ଆରେ ଏଇ ତ ସେଇ ଗଛ...,ଗତବର୍ଷ ବନ- ମହୋତ୍ସବ ସମୟରେ ଆଶ୍ରମର ପିଲାମାନେ ଓ ସେରିନ୍ ବିଭିନ୍ନ ଜାଗାରେ ବୃକ୍ଷରୋପଣ କରିଥିଲେ ।ହଁ.. ହଁ.., ମୋର ଠିକ୍ ମନେ-ଅଛି, ଏଇ ତ ସେଇଗଛ ।ହୁଅ।ଟ୍ସପ୍ ରେ ସେ ଫଟୋ ଗୁଡାକ ସେୟାର କରିଥିଲା ।ଫଟୋ ଟିକୁ ଦେଖି ମୁଁ କମେଣ୍ଟ୍ ବି କରିଥିଲି-" କ'ଣ ସେରିନ ତମ ଫେବରାଇଟ୍ କଲର ଏଲ୍ଲୋ ,ସେଥିପାଇଁ କଣ ଆଜି ଏହି ରଙ୍ଗର ଫୁଲଗଛ ହିଁ ଲଗାହେବ?" କମେଣ୍ଟ ଦେଖି ଉତ୍ତରରେ ଲେକହିଥିଲା- "ୟେସ ଵସ୍" । ସେରିନ ଆଶ୍ରମକୁ ଆସିଲା ପରେ ହୁଅ।ଟ୍ସପ୍ ରେ ଅନେକ ଫଟୋ ସେଆର କରିଛି।

ଗୋଟାଏ ,ଗୋଟାଏ କରି ସବୁ ତାଙ୍କ ଆଖିଆଗରେ ନାଚି ଉଠୁଥାଏ । ଓଠରେ ତ ହସ ଥାଏ ହେଲେ ଅତୀତର ସ୍ମୃତିରେ ତାଙ୍କ ଆଖି ପତା ଭିଜି ଯାଉଥାଏ । ଗୋଟାଏ ମୁହୂର୍ତ୍ତ ବି ଅପେକ୍ଷା କରି ପାରୁନାହାନ୍ତି । ଭାବନା ରାଜ୍ୟରୁ ବାହାରି, ବାମ ହସ୍ତରେ ପିନ୍ଧିଥିବା ମୁଦିଟିକୁ ଦି'ଥର ବୁଲାଇଲେ ତାପରେ ପକେଟରୁ ରୁମାଲ କାଢି ଲୁହ ପୋଛି ଏପଟ ସେପଟ ଅନାଇଲେ, ଲନ୍ ରେ ଖେଳୁଥିବା ପିଲାଙ୍କ ପାଖକୁ ଯାଇ ସେରିନ୍ ର ରୁମର ରାସ୍ତା ପଚାରିଲେ । ହେଲେ ଏ କଣ..? ସମସ୍ତେ ବ୍ୟସ୍ତ ! ନା 'ପିଲାମାନେ କିଛି ଉତ୍ତର ଦେଉଛନ୍ତି ନା କର୍ମଚାରୀ ...ସମସ୍ତେ ଅଣଶୁଣ। କରି ଚାଲି ଯାଉଛନ୍ତି ।ଅନେକ ଥର ଭିଡିଓ କଲିଂ ସମୟରେ ସେରିନ୍ ତାଙ୍କୁ ଆଶ୍ରମ ଓ ତା ରୁମ ଦେଖାଇଥିଲା ତାକୁ ମନେପକାଇ ଧୀରେ ଧୀରେ ଅଗ୍ରସର ହେଲେ ସେରିନ ର ରୁମ୍ ଆଡକୁ.........।

ମନରେ କେତେ କଣ ଭାବନା ଚାଲିଥାଏ ।ସେ ସେରିନ୍ କୁ ଖବର ନ ଦେଇ ସର୍ ପ୍ରାଇଜ ଦେବା ପାଇଁ ଆସି ଯାଇଛନ୍ତି, ତାଙ୍କୁ  ଦେଖି ସେରିନ୍ ଖୁସିରେ ପାଗଲା ହୋଇ ଉଠିବ,କେମିତି ରିଏକ୍ଟ୍ କରିବ?ଏମିତି କେତେ କଣ ଭାବନା ସହ ବଢ଼ୁଥାନ୍ତି ଆଗକୁ ।

ଚତୁର୍ପାଶ୍ୱରେ ଅନେକ କ୍ୱାଅ।ଟର , ଲେଖାହେଇଛି ଷ୍ଟାଫ୍ କ୍ୱାଅଟର୍...।ଗୋଟି ଗୋଟି କରି ସମସ୍ତ କ୍ୱାଅଟର୍ କୁ ଚାଁହୁ ଥାଆନ୍ତି ।ଉତ୍ତର ଦିଗରୁ ବହୁଥାଏ ଶୀତଳ ମୃଦୁ ମଳୟ... ଆଉ ତା'ସାଙ୍ଗକୁ ଶୁଭୁଥାଏ ହୃଦୟ କୁ ସ୍ପର୍ଶ କଲାଭଳି ଏକ ମିଠା ସ୍ୱର..ଛନ୍..ଛନ୍ ଛନ୍ ଛନ୍....। ପଛକୁ ବୁଲି ପଡିଲେ ପ୍ରିୟାନ୍ସ , ଶବ୍ଦ ଟି ତାଙ୍କର ଜଣାଶୁଣା ଓ ଅତିପ୍ରିୟ ।ଶବ୍ଦ ଆସୁଥିବା ଦିଗ କୁ ଆପେ ଆପେ ତାଙ୍କ ପାଦ ବଢିବା ଆରମ୍ଭ କଲା ।

ସମ୍ମୁଖରେ ଗୋଟେ ଘର,ଦ୍ବାର ମୁଁହରେ ଲାଗିଛି ଉଇଣ୍ଡ ଚାଇମ୍ ଟି । ପବନରେ ହଲି ଶବ୍ଦ କରୁଥାଏ କିନ୍ତୁ ମନେ ହେଉଥାଏ ,ଯେମିତି ସେ ପ୍ରିୟାନ୍ସ ଙ୍କୁ ତା'ପାଖକୁ ଆମନ୍ତ୍ରଣ କରୁଛି ।ପାଖକୁ ଯାଇ ତାକୁ ସ୍ପର୍ଶ କରି ମାନେପକାଉଥାନ୍ତି ଅତୀତର ସେଇ ଦିନ ଗୁଡିକୁ ।

କିଛିବର୍ଷ ତଳେ ଏହି ବିନ୍ଡ଼ ଚାଇଁମ ଟି ସେ ୟୁ.ଏସ୍ ରୁ ପଠାଇ ଥିଲେ , ଆଉ ସେରିନ୍ ଅନେକ ଥର ତାଙ୍କ ସହ କଥା ହେଲା ବେଳେ କୁହେ- " ଜାଣିଛ ପ୍ରିୟାନ୍ସ ଯେବେ କେବେ ବି ମୁଁ ଏକୁଟିଆ ଅନୁଭବ କରେ କିମ୍ବା ତୁମକୁ ଝୁରେ ସେତେବେଳ ଏହି ଚାଇମ୍ ଟିକୁ ହାତରେ ବାରମ୍ବାର ସ୍ପର୍ଶ କରେ, ଲାଗେ ଯେମିତି ମୁଁ ତୁମକୁ ସ୍ପର୍ଶ କରୁଛି, ଯେବେ କେବେ ବି ଏଇ ଛଂମ..ଛମ୍ ଶବ୍ଦ ଶୁଣେ ଲାଗେ ଯେମିତି ତୁମେ ମୋ ଆଖ ପାଖରେ ଅଛ....ଆଉ ମତେ ଡ।କୁଛ ସେରିନ୍....ସେରିନ୍......।ଚକ୍ଷୁ ଯୁଗଳ ବନ୍ଦ କରି ପ୍ରିୟାନ୍ସ ହଜେଇ ଦେଇଥାନ୍ତି ନିଜକୁ ଅତୀତର ସ୍ମୃତିରେ ,ଛମ୍.. ଛମ୍..ଶବ୍ଦ ସହ ପବନରେ ଆସୁଥାଏ ଏକ ମନ ମୋହଣିଆ ମହକ ।ନିଶ୍ଚୟ ସେରିନ ଆଖପାଖରେ ।ଏତେ ବର୍ଷ ବିତିଗଲା କିନ୍ତୁ ଏ ମହକ। ଭୁଲି ପାରିବିନି । ପରଫିଉମ୍' ମିସ୍ ଡ।ୟେ।ର' ର ମହକ ଏ........।ଏହା ତ ମୋ ପସନ୍ଦିଦା ପରଫିଉଁମ ।ପେରିସ୍ ରୁ ଫେରିଲା ପରେ ଯେବେ ଅଳ୍ପ ବ୍ୟବହୃତ ହୋଇଥିବା ବୋତଲ୍ ଟି ଦେଖିଲି ସେବେ ସେରିନ କୁ ଖୁବ୍ ଗାଳି ଦେଇଥିଲି ।"କଣ ? ସେରିନ୍ ମୁଁ ତୁମକୁ ଏତେ ସ୍ନେହରେ ପଠେଇଥିଲି ଅଥଚ ବୋତଲ ଟି ଯେମିତିକୁ ସେମିତି ରହିଛି । କ'ଣ ମ...-ମୁଁ କଣ ସୋ-କେସ୍ ରେ ରଖିବା ପାଇଁ ପଠେଇଥିଲି ? ଶୁଣ ସେରିନ୍ , ଏ ପରର୍ଫୁମ୍ ହେଉଛି ତମ ପ୍ରିୟାନ୍ସର ଅତିପ୍ରିୟ , ଆଉ ସବୁବେଳେ ମୋ ସେରିନ୍ ଶରୀରରେ ଏହି ମହକ ଥିବା ଦରକାର..ବୁଝିଲ ?" ଗୋଟି ଗୋଟି କରି ସବୁ ଦୃଶ୍ୟ ଦୃଶ୍ୟମାନ ହେଉଥାଏ ତାଙ୍କ ମାନସ ପଟ୍ଟରେ । କିଛିକ୍ଷଣ ପାଇଁ ପୁନଃ ଚାଲିଯାଇଥାନ୍ତି ସେହି ସମୟ କୁ…..., ସେଇ ମହକ ଟି ତାଙ୍କର ନିକଟବର୍ତ୍ତୀ ହୋଇ ସାରିଥିଲା , ଶୁଣାଗଲା..'ପ୍ରିୟାନ୍ସ'..।

ଭାବନା ରାଜ୍ୟରୁ ବାହାରି ପଛକୁ ଅନାଇଲେ ସମ୍ମୁଖରେ ସେରିନ୍ । ହେଲେ ଏ କଣ? ବାଟସାରା ଭାବି ଭାବି ଆସିଥିଲେ ସେରିନ୍ କୁ ଦେଖୁ ଦେଖୁ ଏଇୟା କହିବେ..ସେୟା ପଚାରିବେ..କେତେ କଣ । କିନ୍ତୁ ଦିହେଁ ଦିହିଁ ଙ୍କି ଦେଖି ନିର୍ବାକ୍, ଶରୀର ସତେ ଯେମିତି ପଥର ପାଲଟି ଯାଇଛି ଆଉ ଯୁଗ ଯୁଗ ର କୋହ ଲୁହ ଆକାର ରେ ଆଖିରୁ ଧାର ଧାର ହୋଇ ଗଡିଚାଲିଛି ।ଓଠ ଥରି ଯାଉଥାଏ ଭାବନା ଶବ୍ଦ ର ରୂପ ନେଇ ପାରୁ ନ ଥାଏ ।ସତେ ଯେମିତି 

ବହୁଥିବା ପବନ କିଛି କ୍ଷଣପାଇଂ ସ୍ତବଦ୍ଦ ହୋଇ ଯାଇଛି, ଗଛପତ୍ର, ଆକାଶ, ଧରା ସମସ୍ତେ ଯେମିତି ସେମାନଙ୍କ ଭାବନାରେ ଭାଵପ୍ରାବଣ ହୋଇ ହଜି ଯାଇଛନ୍ତି । ଧୀରେ ଧୀରେ ପାଦ ବଢାଇ ପ୍ରିୟାନ୍ସଙ୍କ ନିକଟବର୍ତ୍ତୀ ହୋଇ ତାଙ୍କୁ କୁଣ୍ଢାଇ ଧରି କୁନି ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ, ତାଙ୍କର ମୁଣ୍ଡକୁ ଆଉଁସି ଆଉଁସି ବହୁତ କିଛି କହିବାକୁ ଚେଷ୍ଟା କରି ବିଫଳ ହେଉଥାନ୍ତି ପ୍ରିୟାନ୍ସ ।ଦି'ବାହୁ ବନ୍ଧନ ରେ ତୋଳି ଧରିଲେ ସେରିନ୍ ଙ୍କୁ ଥରା ଥରା ଓଠରେ କହିଲେ-" ଆଇ ଲଭ ୟୁ ମାଇଁ ଡିଅର...,ଲଭ ୟୁ.. ସୋ ମଚ୍...ବାବା,...ଲଭ୍ ୟୁ....। ବହୁଥିବା ଶୀତଳ ମଳୟ ସହ ଉଇଣ୍ଡ ଚାଇମ୍ ର ଛନ୍.. ଛନ୍... ଶବ୍ଦ, ଲାଗୁଥାଏ ଯେମିତି କେବଳ ସେମାନେ ନୁହନ୍ତି ,ପ୍ରକୃତି ବି ସେମାନଙ୍କ ମିଳନକୁ ସ୍ବାଗତ କରୁଛି ।ମୃଦୁ ମଳୟ ସହ ବୁନ୍ଦା ବୁନ୍ଦା ବରଷା ସାଙ୍ଗକୁ ସନ୍ଧ୍ୟା ସମୟ ସହ ସେମାନଙ୍କ ଅତୁଟ ପ୍ରେମ ବନ୍ଧନ ର ମହକ..ଆଉ ପରସ୍ପର ଭିତରେ ହଜି ଯାଇଥିବା ଏହି ପ୍ରେମୀ ଯୁଗଳ... ପ୍ରତୀତ ହେଉଥାଏ ବର୍ଷର ନୁହଁ କାହିଁ କେତେ ଯୁଗର ବିଚ୍ଛେଦ ପର ମିଳନ ଏ ତ....

କିଛିକ୍ଷଣ ଏମିତି ବିତିଗଲା ପରେ, ସେରିନ୍ ଉତ୍କଣ୍ଠାର ସହ ପାଛୋଟି ନେଲେ ଘର ଭିତରକୁ, କେତେ କଥା କହିବାର ଅଛି, କେତେ ସ୍ମୃତିକୁ ମନେ ପକାଇ ଆଉ ଥରେ ବଞ୍ଚିବାର ଅଛି,କେତେ ବ୍ୟଥା ହୃଦୟର ଅଭିଯୋଗ ଆକାରରେ ଖୋଲିବାର ଅଛି....।

କେଉଁଠୁ ଆରମ୍ଭ କରିବେ ଜାଣିପାରୁନାହାନ୍ତି ।ସେ ବେସ୍ ପ୍ରଫୁଲ୍ଲିତ ଚେହେରାରେ ଆସିଯାଇଥାଏ ଗୋଟାଏ ଅଜବ୍ ଚମକ, ସତେ ଯେଭଳି ଶୁଷ୍କ ନୀର ବିହୀନ ମରୁଭୂମିରେ ଆସିଯାଇଛି ନିରନ୍ତର ବର୍ଷା ।ସତେ ଯେମିତି ଅସହାୟ ମରୁଭୂମିଟି ପାଲଟି ଯାଇଛି ଏକ ସବୁଜ ଘନ୍ଚ ଅରଣ୍ୟ ରେ । ରୁମ୍ ଭିତରେ ପଡିଥିବା ପଲଙ୍କରେ ବସିପଡିଲେ ପ୍ରିୟାନ୍ସ । ତାଙ୍କ ପାଖରେ ଆଣ୍ଠେଇ ପ୍ରିୟାନ୍ସଙ୍କ କୋଳରେ ମଥା ରଖି ଆଖି ବନ୍ଦ କରି ବସିଥାନ୍ତି ସେରିନ୍ ।ତାଙ୍କ କେଶଗୁଛକୁ ଆଉଁସି ପ୍ରିୟାନ୍ସ କହିଲେ , - ମତେ ଲାଗୁଛି ଯେମିତି ମୁଁ ଆଜି ସାରା ଦୁନିଆଁ କୁ ଜିତି ଯାଇଛି ଡ଼ିଅର । ପ୍ରିୟାନ୍ସ ଙ୍କ ହାତକୁ ନିଜ ଦି'ହାତରେ ଧରି ଆଉଁସି ବାକୁ ଲାଗିଲେ..। ହାତର ଚର୍ମ ଗୁଡିକ ଢିଲା ଓ କୁଂଚୁକୁଞ୍ଚିଆ ହୋଇ ଯାଇଛି ଆଉ ମଧ୍ୟମା ଆଙ୍ଗୁଠି ରେ  ସେଇ ମୁଦି ଟି , ଆଜି ବି ସେମିତି ଚିକ୍ ଚିକ୍ କରୁଛି । ଏତେ ବର୍ଷ ବିତିଗଲା, କେତେ ଝାଡ଼ଝଂଜା ଭିତରେ ଗତି କରିବାକୁ ପଡ଼ିଲା, କେତେ ସ୍ମୃତିର ଚିହ୍ନ ବର୍ଣ୍ଣ ହଜିଗଲା ଅଥଚ ଏଇ.... ଏଇ ମୁଦୀଟି ଏବେ ବି ସୁରକ୍ଷିତ ! ସେରିନ୍ କିଛି ପଚାରିବା ପୂର୍ବରୁ ପ୍ରିୟାନ୍ସଙ୍କ ଚକ୍ଷୁ ତା'ଉତ୍ତର ଦେଲା-" ହଁ ,ସେରିନ୍  ମୋ ଜୀବନ ପଛେ ଚାଲି ଯାଇଥାନ୍ତା ହେଲେ ଏ ରିଙ୍ଗଟି ଏମିତି ରହିଥାନ୍ତା ।ଏ ଯେ କେବଳ ଗୋଟାଏ ରିଙ୍ଗ ନୁହଁ, ଏ ତ ମୋ ପ୍ରିୟା ର ହୃଦୟ, ଯୋଉ ହୃଦୟର ସ୍ପନ୍ଦନକୁ ମୁଁ ପ୍ରତିଟି ମୁହୂର୍ତ୍ତରେ ଅନୁଭବ କରେ, ସେଇ ସ୍ପନ୍ଦନକୁ ନେଇ ତ ବଞ୍ଚିଛି , ଏଇ ଗୋଟାକ ସ୍ମୃତି ହିଁ ତ ରହିଯାଇଛି।"

ମନେ ଅଛି ସେରିନ୍ ? ସେ ଦିନର କଥା । ମନେ ଅଛି ପ୍ରିୟାନ୍ସ -"ସବୁ କିଛି ହୃଦୟ ରେ ସାଉଁଟିଛି ଆଉ ସେଇ କେତେଟା ସାଉଁଟା ସ୍ମୃତି ର ତ , ଏ ମୋ ଜୀବନ ।ବେସ୍ ମନେଅଛି ମୋର ସେ ଦିନ ର କଥା । ସେଇଠୁ ତ ଆରମ୍ଭ ହେଇଥିଲା ଏ ଯାତ୍ରା । ଆଉ ତମେ ପଚାରୁଛ, ମନେ ଅଛି କି ନା'....."।

କ'ଣ...କ'ଣ କହିଲ ସେରିନ୍ ? ହଁ , ହେଇପାରେ ତମର ଯାତ୍ରା ସେଇଠୁ ଆରମ୍ଭ, ହେଇଥାଇପାରେ , ହେଲେ ମୋ ଯାତ୍ରା ତ ଢେର୍ ଆଗରୁ ଆରମ୍ଭ ହେଇ ସାରିଥିଲା । ସେଇ ବୟସ ରୁ , ଯେଉଁ ବୟସ ରେ ମୁଁ  ଜାଣି ନ ଥିଲି ପ୍ରେମ କଣ...ଭଲ ପାଇବାର ଅର୍ଥ କଣ...!!

ଶୁଣିବ ସେରିନ୍ ମୋ ଯାତ୍ରା କେବେଠୁ ଆରମ୍ଭ ହେଲା.....(କ୍ରମଶଃ)



Rate this content
Log in

Similar oriya story from Romance