Snigdha Nayak

Children Stories Inspirational Children

4.5  

Snigdha Nayak

Children Stories Inspirational Children

କଇଁଛ ଓ ଦୁଷ୍ଟ ମାଙ୍କଡ

କଇଁଛ ଓ ଦୁଷ୍ଟ ମାଙ୍କଡ

3 mins
383



ଅନେକ ବର୍ଷ ତଳର କଥା । ଆମର ଏ ଟୁଙ୍ଗୁରୀ ପାହାଡ ର ସେପାଖେ ଥିବା ଜଙ୍ଗଲରେ ମେକ୍ ନାମକ ମାଙ୍କଡ ଟିଏ ବାସ କରୁଥିଲା । ସେ ତାର ଖଳ ପ୍ରକୃତି ପାଇଁ ଜଣାଶୁଣା ଥିଲା । ଜଙ୍ଗଲରେ ବାସ କରୁଥିବା ଅନ୍ୟ ପ୍ରାଣୀ ତାକୁ ଜମାରୁ ପସନ୍ଦ କରୁନଥିଲେ ।ସେ ସବୁ ପ୍ରାଣୀଙ୍କୁ ଉପହାସ କରେ ।ସବୁବେଳେ ସେ ଗଛର ଏ ଡାଳରୁ ସେ ଡାଳକୁ ଡେଉଁଥାଏ । ଅନ୍ୟ ମାନଙ୍କଖାଦ୍ୟ ଛଡ଼ାଇ ନିଏ ଆଉ ହଇରାଣ କରେ । ତା' ସାଥୀମାନେ ତାକୁ ଅନେକ ଥର ବୁଝାଇ କୁହନ୍ତି " ମେକ୍ ଦୟାଳୁ ହୁଅ, ଅନ୍ୟମାନଙ୍କ ସହ ଏଭଳି ବ୍ୟବହାର କରିବା ଅନୁଚିତ୍ । ଦିନେ ତୁମକୁ ଏସବୁ ପାଇଁ ପଶ୍ଚାତାପ କରିବାକୁ ହେବ ।"


କିନ୍ତୁ ମେକ୍ ସେମାନଙ୍କ କଥାକୁ ଅଣଶୁଣା କରିଦିଏ ।ସେ ତା ' ଦୁଷ୍ଟାମୀ କୁ ମଜାଳିଆ ଖେଳ ଭାବେ । ନିଜକୁ ସବୁଠୁ ଚତୁର ମନେକରେ ଆଉ ଅନ୍ୟ ସମସ୍ତେ ତା ' ଠୁ ହାରିଯିବ ବୋଲି ତାର ଦୃଢ଼ ବିଶ୍ବାସ ଥାଏ ।ସେ ତା' ଦୁଷ୍ଟାମି କରିବାର ଗୋଟାଏ ବି ସୁଯୋଗ ହାତଛଡ଼ା କରେନି ।ଦିନେ ଟୋମି ବୃଦ୍ଧ କଇଁଛ ଜଙ୍ଗଲ ରାସ୍ତା ଦେଇ ଯାଉଥାଏ । ଟୋମି ଖୁବ୍ ଶାନ୍ତ ସ୍ଵଭାବ ର ପ୍ରାଣୀ ।ସେ ତା ' ମନ୍ଥର ଗତିରେ ଆଗକୁ ଆଗଉଥାଏ । ସେତିକିବେଳେ ସେଇ ରାସ୍ତା କଡ଼ରେ ଥିବା ଗଛର ଏଡାଳ ରୁ ସେଡାଳ କୁ ମେକ୍ ଡିଆଁ ମାରୁଥାଏ ।

ଟୋମି କଇଁଛ କୁ ଦେଖି, ଗଛରୁ ଡିଆଁ ମାରି ତଳକୁ ଆସି ଟୋମି ସମ୍ମୁଖରେ ଛିଡାହେଲା । ଟୋମି କଇଁଛ ମେକ୍ ର ଦୁଷ୍ଟାମି ସହ ପରିଚିତ ଥିଲା ତେଣୁ ସେ ତା ' ସହ ନ ଲାଗି ନିଜ ପଥ ବଦଳାଇ ନେଲା । ମେକ୍ କିନ୍ତୁ ଛାଡ଼ିବା ବାଲା ନୁହଁ । ସେ ପୁଣି ଡିଆଁ ମାରି କଇଁଛ ର ରାସ୍ତା ଅବରୋଧ କରି ଛିଡାହେଲା ଓ କହିଲା "ତୁମେ ଏତେ ଧୀରେ କାହିଁକି ଚାଲୁଛ? ତୁମେ କଣ ମୋ ଭଳି ଧାଇଁ ପାରିବ?" ଆହୁରି ଅନେକ କଥା କହି ଟୋମି କୁ ଉପହାସ କଲା ।


ଟୋମି କଇଁଛ ଶାନ୍ତସ୍ୱରରେ କହିଲା "ମେକ୍, ତୀବ୍ର ଗତିରେ ଦୌଡ଼ିବା କିମ୍ବା ଡିଆଁ ମାରିବା ସବୁକିଛି ନୁହଁ ।ଜୀବନ ତମାମ ଏମିତି ଡ଼ିଆଁକୁଦା କରିବା ଛଡା ଆହୁରି ଅନେକ କିଛି ଅଛି । ତମେ ଭଲ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କର ।"


"ଆଛା ! ତୁମେ ମତେ ଏତେ ଉପଦେଶ ଦେଉଛ ତ ଚାଲ ପରୀକ୍ଷା କରିବା ମୁଁ ଠିକ୍ ନା ' ତୁମ ଉପଦେଶ ଠିକ୍ ।ଚାଲ

ଦୁହେଁ ଦୌଡ ଲଗାଇବା କିଏ ଜଙ୍ଗଲର ଅନ୍ୟ ପାର୍ଶ୍ବରେ ଥିବା ଟୁଙ୍ଗୁରୀ ପାହାଡ ପାଖରେ ଆଗ ପହଞ୍ଚିବ ।"


କଇଁଛ ତା ' କଥାରେ ରାଜି ହେଇଗଲା । ମେକ୍ ସଂକ୍ଷିପ୍ତ ପଥ କୁ ଚୟନ କରି ଦୌଡ ମାରିଲା । ଯୋଉ ପଥ ଦେଇ ସେ ଆଗରୁ କେବେ ଯାଇ ନ ଥିଲା । ସେ ଅଜଣା ପଥ ଟି କଣ୍ଟାବୁଦା ରେ ଭରପୁର ଓ ପଥୁରିଆ ଥିଲା । ମେକ୍ ଗୋଟାଏ ପରେ ଗୋଟାଏ ଅନେକ ଅସୁବିଧା ର ସମ୍ମୁଖୀନ ହେଲା ।କେତେବେଳେ ତା ' ଦେହରେ କଣ୍ଟାଲାଗି ରକ୍ତ ଝରିଲା ତ କେବେ ପଥର ଉପରେ କଚାଡି ହୋଇ ପଡ଼ିଲା ତ ପୁଣି କେତେବେଳେ ବଡ ବଡ ବୃକ୍ଷର ଶକ୍ତ ଡାଳ ତା ' ମୁଣ୍ଡରେ ବାଜିବାରୁ ରକ୍ତାକ୍ତ ହେଲା । ସେଇ ଭିତରେ ତାର ଅନେକ ସମୟ ଚାଲିଗଲା ।ଅଜଣା ପଥଟି ଯେତେ କଠିନ ଥିଲା ସେତିକି ବିପଦ ଜନକ ମଧ୍ୟ ।

ଟୋମି କଇଁଛ କିନ୍ତୁ ତାର ମନ୍ଥର ଗତି ନେଇ ତା ' ବୁଦ୍ଧି କୁ ଉପଯୋଗ କରି ସଠିକ୍ ପଥରେ ଆଗେଇଲା ।ତାକୁ ସମୟ ଲାଗିଲା କିନ୍ତୁ ଖୁବ୍ ଆରାମରେ ମେକ୍ ଠୁ ଆଗ ଜଙ୍ଗଲର ଅନ୍ୟ ପାର୍ଶ୍ବରେ ଥିବା ଟୁଙ୍ଗୁରୀ ଜଙ୍ଗଲ ରେ ପହଞ୍ଚିଲା ।

ଟୋମି କଇଁଛ ପହଞ୍ଚିବାର ଅନେକ ସମୟ ପରେ ମେକ୍ କ୍ଳାନ୍ତ ଓ ଖଣ୍ଡିଆ ଖାବରା ହୋଇ ପହଞ୍ଚିଲା ।ସେ ବିଶ୍ୱାସ କରି ପାରିଲା ନାହିଁ ଯେ ଗୋଟାଏ ମନ୍ଥର ଗତିରେ ଚାଲୁଥିବା ପ୍ରାଣୀଠୁ ସେ ହାରିଯାଇଛି । ସେ ବୁଝି ପାରିଲା ଯେ ଜିତିବା ପାଇଁ ସଠିକ୍ ଯୋଜନା ଓ ବୁଦ୍ଧି ଦରକାର । ଏଭଳି ବିନା ଭାବିଚିନ୍ତି ଡେଇଁ ପଡିବା ଦ୍ଵାରା କାର୍ଯ୍ୟ ସିଦ୍ଧି ହୁଏନି ।


ମେକ୍ ଅତ୍ୟଧିକ କ୍ଳାନ୍ତ ଓ ଖଣ୍ଡିଆ ଖାବରା ହେଇ ଯାଇଥିବାରୁ ଚେତା ହରାଇ ପଡ଼ିଗଲା। ଟୋମି କଇଁଛ ତାର ଯତ୍ନ ନେଲା ।ଅନ୍ୟ ପ୍ରାଣୀମାନେ ମଧ୍ୟ ମେକ୍ କୁ ଖାଦ୍ୟ ଆଣି ଖାଇବାକୁ ଦେଲେ ।ସମସ୍ତଙ୍କ ସେବା ପାଇ ସେ ଖୁବ୍ ଶୀଘ୍ର ସୁସ୍ଥ ହେଇପଡ଼ିଲା । ସେ ତାର ଦୁଷ୍ଟାମି ପାଇଁ ସବୁ ପ୍ରାଣୀଙ୍କୁ କ୍ଷମା ପ୍ରାର୍ଥନା କଲା । ଆଉ ସେଦିନ ଠୁ ସେ ତା ' ଦୁଷ୍ଟାମି ଛାଡ଼ିଦେଇ ସମସ୍ତଙ୍କ ସହ ମିଳିମିଶି ରହିଲା । ସମସ୍ତେ ମିଳିମିଶି ରହିବା ଦ୍ଵାରା ଜଙ୍ଗଲରେ ସୁସ୍ଥ ପରିବେଶ ଟେ ଗଠନ ହେଲା ।



Rate this content
Log in