ସେଫାଳି
ସେଫାଳି
ସେଦିନ କୌଣସି ଏକ ଜରୁରୀ ବୈଠକରେ ଯୋଗଦେଇ ଫେରିବା ପରେ ଚ୍ୟାମ୍ବରରେ ବସି ମେଲ୍ ଚେକ୍ କରୁକରୁ ମୁମ୍ବାଇ ଅଫିସରୁ ଏକ ଟିମ୍ ଆସୁଥିବାର ଜାଣି ନିଜକୁ ପ୍ରସ୍ତୁତ କରୁଥିଲା ଅମରେଶ ।ଅମରେଶ ଏକ ଜାତୀୟସ୍ତରର ଏନଜିଓର ରାଜ୍ୟ ସଂଯୋଜକ ଭାବେ ଭୂବନେଶ୍ବରରେ ଅବସ୍ଥାପିତ ।ଟିମ୍ ସହ ତାର ସୁନ୍ଦରଗଡ ଜିଲ୍ଲାର ବଣେଇଁର ଏକ ଆଦିମ ଜନଜାତି ପାହୁଡି ଭୂୟାଁବହୁଳ ଗାଁ ବୁଢାଖମଣ ଯିବାର ଥିଲା ।ବୁଢାଖମଣ ଗାଁ ତାର ବହୁ ପରିଚିତ ଗାଁଟିଏ ।ସେ ଅଞ୍ଚଳରେ ସେ ଏକ ସ୍ଥାନିୟ ସଂଗଠନ ସହ ଜଡିତ ରହି ଦୁଇବର୍ଷ କାମ କରିଛି ।ସେହିଦିନ ହିଁ ସେଠାକାର ସେହି ସଂଗଠନ ସହ ଯୋଗାଯୋଗ କରି କାର୍ଯ୍ୟକ୍ରମର ଚୁଡାନ୍ତ ରୂପରେଖ ପ୍ରସ୍ତୁତ କରିଦେଲା ସେ ।
ନିର୍ଦ୍ଧାରିତ ଦିନ ଟିମକୁ ନେଇ ବଣେଁଇ ଅଭିମୁଖେ ବାହାରି ପଡିଲା ଅମରେଶ। ରାତ୍ରୀରହଣି ପାଇଁ ଖଣ୍ଡାଧାର ଅତିଥି ଭବନରେ ବ୍ୟବସ୍ଥା କରାଯାଇଥିଲା ।ଅପରାହ୍ନ ଚାରିଟାରେ ପହଞ୍ଚିବା ପରେ ଗେଷ୍ଚହାଉସରେ ବ୍ୟାଗ ରଖି ସମସ୍ତେ ଖଣ୍ଡାଧାର ଜଳପ୍ରପାତ ଦେଖିବାକୁ ବାହାରି ପଡିଲେ ।ପୁର୍ବରୁ ସେ ଏ ଅଞ୍ଚଳରେ ଥିବା ସମୟରେ ଅନେକଥର ଖଣ୍ଡାଧାର ବୁଲିବାକୁ ଆସିଛି ।ଟିମକୁ ବୁଲାଇ ସାରିବା ପରେ ସମସ୍ତେ ଗେଷ୍ଟ ହାଉସକୁ ଫେରିଆସି ରାତ୍ରୀଭୋଜନ ପରେ ପରଦିନ ପାଇଁ ଯୋଜନା ପ୍ରସ୍ତୁତ କରି ବିଶ୍ରାମ ନେଲେ ।ରୁମକୁ ଆସି ବିଛଣାରେ ଶୋଇକରି ଅମରେଶ ପୁରୁଣା ଦିନର କଥା ସବୁ ଭାବୁଥିଲା । ଏ ଅଞ୍ଚଳରେ କାମ କରୁଥିବା ସମୟରେ ଡଲେଇସରା ପଞ୍ଚାୟତ ମଧ୍ୟ ତାର କାର୍ଯ୍ୟକ୍ଷେତ୍ର ଥିଲା ।ବୁଢାଖମଣ ଗାଁରେ ପ୍ରାୟ ପ୍ରତ୍ୟେକ ଲୋକଙ୍କ ସହ ସେ ପରିଚିତ ଥିଲା ।ମଝିରେ ଚାରିବର୍ଷ ବିତିଗଲାଣି ।ଲୋକମାନେ ମନେ ନରଖି ଥାଇପାରନ୍ତି ।ଏମିତି ଭାବୁ ତାର ମନେ ପଡିଲା ସେଫାଳିର କଥା ।ସେହି ଗାଁର ପାହୁଡୀ ଭୂୟାଁ ସମ୍ପ୍ରଦାୟର ଝିଅଟିଏ ।ବହୁ ଦୁଃଖିନି ଝିଅଟି ।ବାପା ତାର ବହୁ ବର୍ଷ ଆଗରୁ ନଷ୍ଟ ହୋଇଯାଇଥିଲେ ।ଭାଇଦୁଇଜଣ ସେମାନଙ୍କର ବାହାଘର ପରେ ଭିନ୍ନେ ହୋଇ ରହୁଥିଲେ ।ସେଫାଳୀ ତାର ମାଙ୍କ ସହ ରହୁଥିଲା ।ସବୁବେଳେ ହସୁଥିବା ଓ ଦୌଡିବାପରି ଚାଲୁଥିବା ସେଫାଳୀକୁ ଦେଖିଲେ ତାକୁ ଲାଗୁଥିଲା ସତେ ଯେପରି ଛୋଟିଆ ପାହାଡି ଝରଣାଟିଏ ।ସେହିଦିନ ତା ଆଖିରେ ଲୁହ ଦେଖିଲା ଯେଉଁଦିନ ତାର ମା ନଷ୍ଟ ହୋଇଗଲେ ।ଅମରେଶକୁ ସେ କଥା କାଲିପରି ଲାଗୁଥିଲା ଯେଉଁଦିନ ସେ ବୁଢାଖମଣ ଗାଁକୁ ଯାଇଥିବା ସମୟରେ ସେଫାଳିକୁ ମିଟିଂରେ ଚୁପହୋଇ ବସିଥିବାର ଦେଖି ତାର ନିରବତାର କାରଣ କଣ ପଚାଲିଥିଲା । ସଦା ହସଖୁରି ଝିଅଟି ହଠାତ୍ କାନ୍ଦରେ ଫାଟିପଡି କହିଲା ସାର୍ ମୋର ସବୁ ଦମ୍ଭ ଭାଙ୍ଗିଗଲା ।ମୁଁ ଅନାଥ ହୋଇଗଲି ।ମୋ ମା ନଷ୍ଟ (ମରିଗଲା) ହୋଇଗଲା।ତାକୁ ଧର୍ଯ୍ୟ ଧରି ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାର ପରାମର୍ଶ ଦେଇଥିଲା ସେ ଓ ପରବର୍ତ୍ତି ସମୟରେ ସେହି ଗାଁ ପାଇଁ ସିଆରପି ଭାବେ ସଂଗଠନ ତରଫରୁ ନିଯୁକ୍ତି ଦେଇ କିଛିଟା ଆର୍ଥିକ ସହାୟତା ଦେବାପରେ ନିଜେ ପଦୋନ୍ନତି ସହ ସେ ଅଞ୍ଚଳ ଛାଡିଥିଲା ।ତା ପରେ ତାର ଖବର ରଖିନି ।ବାହା ହୋଇ ଯିବଣି ବୋଧହୁଏ ।ଏମିତି ଭାବୁଭାବୁ ଶୋଇପଡିଥିଲା ସେ ।
ତା ପରଦିନ ଟିମ୍ ସହ ବୁଢାଖମଣ ଗାଁରେ ପହଂଚୁ ପହଂଚୁ ଦିନ ଦଶଟା ବାଜିଗଲା ।ଏକ ଗ୍ରାମ୍ୟସ୍ତରୀୟ ବୈଠକ ମାଧ୍ୟମରେ ପୁର୍ବରୁ ପ୍ରସ୍ତୁତ କରିଥିବା ପ୍ରଶ୍ନାବଳୀ ସହ ଟିମସହ କାର୍ଯ୍ୟକ୍ରମସବୁର ସମୀକ୍ଷା କରିବା ଭିତରେ ପୂର୍ବରାତିର କଥାକୁ ପାସୋରି ଦେଇଥିଲା ସେ ।ବୈଠକ ସରି ଯାଇଥାଏ ।ଟିମର ସଦସ୍ୟମାନଙ୍କ ସହ ସେ ଉପସ୍ଥିତ ମହିଳାମାନଙ୍କ ସହ ଆଲୋଚନାରେ ବ୍ୟସ୍ତଥାଏ ।ହଠାତ ସଭାରେ ଜଣେ ମଦ୍ୟପ ପହଞ୍ଚି ତାର ଉତ୍ପାତ ଆରମ୍ଭ କରିଦେଲା ।ବାହାରୁ ଆସିଥିବା ବନ୍ଧୁମାନଙ୍କୁ ଅବାନ୍ତର ପ୍ରଶ୍ନ ପଚାରିବା ସହ ପାଟିତୁଣ୍ଡ କରିବାକୁ ଲାଗିଲା ।ଆଦିବାସୀ ଅଞ୍ଚଳରେ ଏ ଏକ ସାଧାରଣ ଘଟଣା ।ସଭାରେ ଜଣେ ଦୁଇଜଣ ହାଣ୍ଡିଆ ଆକଣ୍ଠ ପାନ କରି ପାଟି କରିବା ଏକ ସାଧାରଣ ଘଟଣା।ଅମରେଶ ସେ ଲୋକଟି ନିକଟକୁ ଉଠିଗଲା ।ହଠାତ୍ ତାର ନଜର ଜଣେ ମହିଳାଙ୍କ ଉପରେ ପଡିଲା ।।ସେ ବିକଳ ହୋଇ ସେ ମଦ୍ୟପଆଡକୁ ଚାହିଁବା ସହ ତାକୁ ଚୁପ ରହିବା ପାଇଁ ହାତ ଯୋଡି ଅନୁରୋଧ କରୁଥାନ୍ତି ।ଅମରେଶକୁ ମହିଳାଙ୍କ ମୁହଁଟା ଚିହ୍ନାଚିହ୍ନା ଲାଗୁଥିଲା ।ତାଙ୍କୁ ଚିହ୍ନିବାକୁ ଚେଷ୍ଟା କରୁଥିଲା ସେ ।ଏମିତି ଭାବୁଭାବୁ ସେ ମହିଳାଙ୍କ ନିକଟରେ ପହଞ୍ଚି ଯାଇଥିଲା ।ହଠାତ ତାକୁ ଠେଲି ସେହି ମଦ୍ୟପ ସେ ମହିଳାଙ୍କ ନିକଟରେ ପହଞ୍ଚି ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଧରିଥିବା ବାଡିରେ ତାଙ୍କୁ ପିଟିବାକୁ ଲାଗିଲା ।ଦୁଇତିନିଜଣ ସ୍ତ୍ରୀ ଲୋକ ସେ ମଦୁଆକୁ ସେଠାରୁ ତଡିଦେଲେ ।ମହିଳାଜଣଙ୍କ ଆଖିରୁ ଧାରଧାର ଲୁହ ବୋହି ଯାଉଥାଏ ।ମହିଳାଙ୍କ ନିକଟରେ ପହଞ୍ଚି ଯିବାପରେ ତାଙ୍କୁ ଜାଣିପାରିଥିଲା ଅମରେଶ ।ଆରେ ତୁମେ ସେଫାଳି ନା ।ସେ ଲୋକ କିଏ ?ସେ ତୁମକୁ କାହିଁକି ପିଟୁଛି ।ଉପସ୍ଥିତ ମହିଳାମାନେ ପରସ୍ପର ମୁହଁ ଚାହାଁଚାହିଁ ହେଲେ ।ଘଟଣାକୁ ସ୍ବାଭାବିକ କରି ସେଫାଳି ନମସ୍କାର କରି କହିଲା ସାର୍ ମୁଁ ଆପଣଙ୍କୁ ସବୁ କହିବି ।
ଏହାପରେ ସେ ମିଟିଂରେ ବ୍ୟସ୍ତ ରହିଲା ।କାର୍ଯ୍ୟକ୍ରମ ସରୁସରୁ ଦିନ ଦୁଇଟା ବାଜିଗଲା ।ସମସ୍ତଙ୍କ ପାଇ ନିକଟରେଥିବା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା ।ସମସ୍ତେ ଖାଇବାକୁ ଗଲେ କିନ୍ତୁ ସେଫାଳି ନଯାଇ ସେଠାରେ ବସିଥିବାର ଦେଖି ଅମରେଶ ତା ନିକଟରେ ପହଞ୍ଚି ପଚାରିଲା ସେଫାଳି ତୁମେ କଣ ଖାଇବନି? ବଡ ଅସହାୟ ଭାବେ ତାକୁ ଚାହିଁ ରହିଲା ସେଫାଳି ।ତା ପରେ ସେ ଗୋଡଉପରେ ପକାଇଥିବା ଗାମୁଛାଟାକୁ ଉଠାଇଦେଲା ।ତାପରେ ଅମରେଶ ଯାହା ଦେଖିଲା ସେଥିରେ ସେ ହତବାକ୍ ହୋଇପଡିଲା ।ସେଫାଳିର ଗୋଟିଏ ଗୋଡ ଆଣ୍ଠୁ ତଳକୁ ପୁରା ସରୁ ହୋଇଯାଇଥିଲା।ଏମିତି କିପରି ହେଲା ସେଫାଳିର ।ଏମିତି ଭାବୁଭାବୁ ସେଫାଳିର ଡାକରେ ପ୍ରକୃତିସ୍ଥ ହେଲା ସେ ।ସାର୍ ଆପଣଙ୍କୁ ସବୁ କହିବି ।ମୋ ଘରକୁ ଚାଲନ୍ତୁ ।ତା ନିକଟରେ ଆଶାବାଡିଥିଲେମଧ୍ୟ ,ତାକୁ ଏକରକମ୍ ଟେକିକରି ନେଇ ନିଜ ଗାଡିରେ ବସାଇ ଡ୍ରାଇଭରକୁ ଗାଡି ଚଲାଇବାକୁ କହି ପଛ ସିଟରେ ବସିଲା ସେ ।
ସେଫାଳିର ଘର ନିକଟରେ ପହଞ୍ଚିବା ପରେ ସେହି ମଦୁଆ ଯେକି ସେଠାରେ ପାଟିତୁଣ୍ଡ କରୁଥିଲା ଆସି ପହଞ୍ଚିଗଲା ।ତା ପାଟିରୁ ଭଣଭଣ ହୋଇ ମଦର ଗନ୍ଧ ଆସୁଥାଏ ।ସେଫାଳି ତା ସହିତ ଅମରେଶର ପରିଚୟ କରାଇ ଦେଇ କହିଲା ,ଏ ହେଉଛନ୍ତି ଅମରେଶ ସାର୍ ।ଆଠ ବର୍ଷତଳେ ଏ ଅଞ୍ଚଳରେ ରହି କାମ କରୁଥିଲେ ।ତା କଥାଶୁଣି ଲୋକଟି କହିଲା କଣ ହେଲା ସେଠୁ? ଆମ ଘରକୁ ସେ କାହିଁକି ଆସିଛି ?କଣ ତୋର ଗରାଖ ହୋଇ ଆସିଛି? ହଉ ମୁଁ ଏଠୁ ଆସୁଛି ।ଅମରେଶର ରାଗ ମୁଣ୍ଡକୁ ଉଠିଗଲା ।ସେ ଲୋକଟିର ଗାଲରେ ଶକ୍ତ ଚାପୁଡା ମାରିବାକୁ ଯାଉଯାଉ ପୁଣି କ୍ରୋଧକୁ ନିୟନ୍ତ୍ରଣ କରି ତା କାନ୍ଧରେ ହାତ ରଖି କହିଲା ନା ବାବୁ ତୁମେ ଭୂଲ କହୁଛ ।କୌଣସି ସ୍ତ୍ରୀ ଲୋକ ଉପରେ ଏଭଳି ମତାମତ ରଖିବା ପୁର୍ବରୁ ଶହେଥର ଚିନ୍ତା କରିବା ଉଚିତ ।ଲୋକଟି ତା ମୁହଁକୁ କିଛି ସମୟ ପର୍ଯ୍ୟନ୍ତ ଚାହିଁ ତାପରେ ସେ ସ୍ଥାନଛାଡି ଗାଁ ଭିତରକୁ ପଳାଇଲା ।
ଅମରେଶ ସେଫାଳିକୁ ପଚାରିଲା ।ସେଫାଳି ଏ ଲୋକ କିଏ? ତୁମକୁ ଏଭଳି କଦର୍ଯ୍ୟ ବ୍ୟବହାର କରୁଛି କାହିଁକି ।ସେଫାଳି ତଳକୁ ମୁହଁପୋତି କହିଲା ସାର୍ ସବୁକଥାତ ଆପଣଙ୍କୁ ନିଶ୍ଚୟ କହିବି ।ଆପଣ ପିଣ୍ଡାରେ ବସନ୍ତୁ । ବସିବା ପରେ କଥା ଆରମ୍ଭକରି ସେଫାଳି କହିଲା ସାର୍ ବୋଉ ମରିବାର ଦୁଇବର୍ଷପରର କଥା ।ମୁଁ NGO ରେ ଚାକିରୀ କରିଥାଏ ।ପାଖାପାଖି ପଂଚାୟତମାନଙ୍କର ଗାଁ ଗୁଡିକରେ କାମ କରୁଥାଏ ।ହଠାତ ଦିନେ ବସରେ ଲହୁଣିପଡା ଯାଉଥିବା ସମୟରେ ଏହି ଲୋକ ସହ ଦେଖାହେଲା ।କଥାବାର୍ତ୍ତା ଭିତରେ ତାକୁ ସରଳ ହୃଦୟରେ ମୋର ସବୁକଥା କହିଲି ।ବହୁତ ଦୁଃଖ ପ୍ରକାଶ କଲା ।ସେ ସବୁର ସମାଧାନ କରିବ ବୋଲି କହିଲା ।ମୋତେ ବାଟସାରା ବହୁତ ବୁଝାଇଲା ।ମୁଁ ତାର ଛନ୍ଦ କପଟ ବୁଝି ପାରିଲିନି ।ଅନ୍ଧଭାବେ ତାକୁ ଭଲ ପାଇ ବସିଲି ।ସେ ଲହୁଣିପଡା ନିକଟବର୍ତ୍ତି କୌଣସି ଏକ ଗାଁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରେ ବୋଲି କହିଲା ।ଲହୁଣିପଡାରେ ତାକୁ ସମସ୍ତେ ଗଗନ ମାଷ୍ଟ୍ରେ ବୋଲି ଡାକନ୍ତି ବୋଲି କହିଲା।ତାର ଘର ଦେବଗଡ ଜିଲ୍ଲାର କେଉଁ ଏକ ଗାଁ ବୋଲି କହିବା ସହିତ ସେ ମଧ୍ୟ ପାହୁଡି ଭୂୟା ସମ୍ପ୍ରଦାୟର ବୋଲି କହିଲା ।
ମନେମନେ ବହୁତ ଖୁସି ହୋଇ ତାକୁ ଆମ ଗାଁର ଠିକଣା କହିଲି ।ସେ ମଝିରେ ଆମ ଗାଁକୁ ଯିବ ବୋଲି କହିଲା ।
ଏହାର କିଛିଦିନ ପରେ, ଦିନକର କଥା ।ମୁଁ ଡେରୁଳାରେ ଏକ ଗ୍ରାମ୍ୟସ୍ତରୀୟ ବୈଠକସାରି ଘରେ ପହଞ୍ଚି ଖାଇ ବସିଛି ଆମ ଘର ଆଗରେ ଜଣେ କିଏ ଗୋଟିଏ ସ୍କୁଟିରେ ଆସି ପହଞ୍ଚିଲେ
।ମୁଁ କିଏ ବୋଲି ଆଧାଖିଆରୁ ଉଠି ଦେଖେତ ସେ ,ଯାହା ସହିତ ବସରେ ଦେଖା ହୋଇଥିଲା ସେହିଁ ଆସିଛି।ମୁଁ ଖୁସିରେ ଆତ୍ମହରା ହୋଇଗଲି ।ତାକୁ ଜୁହାର ହୋଇ ଘରକୁ ଢାକିଲି ।ତା ପାଇଁ ପୁଣି ରୋଷାଇ କଲି ।ସେ ଖାଉଖାଉ ସନ୍ଧ୍ୟା ପାଂଚଟା ବାଜିଗଲା ।ଭାବୁଥିଲି ସେ ବ୍ୟସ୍ତହୋଇ ଯିବାପାଇଁ ବାହାରିବ ।କିନ୍ତୁ ତାର ଯିବାପାଇଁ କୌଣସି ବ୍ୟଗ୍ରତା ଲକ୍ଷ୍ୟକଲି ନାହିଁ ।ବାଧ୍ୟହୋଇ କହିଲି ଗଗନ ସାର୍ ସନ୍ଧ୍ୟା ହେଲାଣି ଘରକୁ ଯିବେନିକି? ତାର ଯିବାକୁ ଇଛା ନଥିଲା ।ମୁଁ କହିବାରୁ କହିଲା ହଁ ହଁ ଯିବା ।ସେ ଦିନ ସେ ପଳାଇଲା।ତାପରେ ମଝିରେ ମଝିରେ ଆସେ ଓ ସନ୍ଧ୍ୟାପୁର୍ବରୁ ପଳାଏ।ଏହାମଧ୍ୟରେ ଆମ ଭଲପାଇବାଟା ବହୁତ ଦୁର ଆଗେଇ ଯାଇଥାଏ ।ସେ ମୋତେ ବିବାହର ପ୍ରତିଶୃତି ମଧ୍ୟ ଦେଇ ସାରିଥାଏ କିନ୍ତୁ ମୁଁ ଲକ୍ଷ୍ମଣରେଖା ଟପି ନଥାଏ ।ଏହାମଧ୍ୟରେ ମୋତେ ସେ ସ୍କୁଟି ଚଳାଇବା ଶିଖାଇ ଦେଇଥାଏ।ଦିନକର କଥା ତାକୁ ସ୍କୁଟିରେ ବସାଇ ଡୁଲାଇସୁରାରୁ ଗାଁକୁ ମୁଁ ଫେରୁଥିବା ସମୟରେ ବାଟରେ ଗାଡି ଅଟକାଇବାକୁ କହିଲା।ମୁଁ ଗାଡି ରଖିବା ପରେ ସେ ସଙ୍ଗରେ ଆଣିଥିବା କୋଲ୍ଡ ଡ୍ରିଙ୍କସ ବାହାର କରି ନିଜେ ପିଇବା ସହିତ ମୋତେ ମଧ୍ୟ ପିଇବାକୁ ଯାଚିଲା ।ସେଥିରୁ ମଦର ଗନ୍ଧ ସାମାନ୍ୟ ଆସୁଥିଲା ।ମୁଁ ରାଗିଯାଇ ତାଙ୍କୁ କହିଲି ତୁମେ ଜଣେ ଶିକ୍ଷକ ହୋଇ ମଦ ପିଉଛ ।ତୁମକୁ ଲାଜ ଲାଗୁନି ।ସେ ହସି କରି କହିଲେ କିଏ କହିଲା ଏହା ମଦ ବୋଲି ।ଏଗୁଡାକ ସ୍ପ୍ରାଇଟ ପରା ।ମୁଁ କହିଲି ତମେ ମତେ ପିଲାଲୋକ ଭାବନି ।ତମେ ଥଣ୍ଡାରେ ମଦ ମିଶାଇଛ ।ସେ ହସିକରି କହିଲେ ତମେ ଦେଖିଛତ ତମ ଆଗରେ ମୁଁ ଦୋକାନରୁ କିଣିକରି ଆଣିଲି ।ମୋର ମନ ପଡିଗଲା ହଁ ତ ସେ ପାନଦୋକାନରୁ ଥଣ୍ଡା ବୋଲି ମାଗିକରି ଆଣିଲା।ତାପରେ ଆଉ ସନ୍ଦେହ ନକରି ମୁଁ ପିଇଦେଲି ।ରାସ୍ତାରେ ଗାଡି ଚଲାଉଥିବା ସମୟରେ ମୋ ମୁଣ୍ଡଟା ହଠାତ ବୁଲାଇଦେଲା ଏବଂ ମୁଁ ଗାଡି ସହ ରାସ୍ତାରେ ପଡିଗଲି ।ମୋର ଡାହାଣ ଗୋଡର ଆଣ୍ଠୁରେ ବହୁତ ଜୋରରେ ମାଡ ହୋଇଥାଏ ।ତାର କିନ୍ତୁ ମଳିଚମଭି ଛାଡିନଥାଏ ।ମନେମନେ ବହୁତ ଖୁସିହେଲି ମୁଁ ।ଯାହେଉ ତାର କିଛି ହୋଇନି ।ମୁଁ ଚାଲିପାରୁନଥାଏ ।ମତେ ଟେକିକରିଆଣି ଗାଡିରେ ବସାଇଲା ସେ ।କଷ୍ଟେମଷ୍ଟେ ଘରେ ଆସି ପହଞ୍ଚିଲୁ ।
ତାପରେ ମୋର ଖରାପ ଦିନର ଆରମ୍ଭ ହେଲା ।ଅଫିସର ସାଥିମାନେ ଏ ଖବର ଶୁଣି ମେଡିକାଲ ନେବାପାଇଁ ଆସି ପହଞ୍ଚିଲେ ।ସେ କିନ୍ତୁ ସମସ୍ତଙ୍କୁ ଫେରାଇଦେଲା। ମୋତେଝାଡାଯିବା,ଗାଧୋଇବା,ରୋଷାଇ କରି ଖୁଆଇବା ପର୍ଯ୍ୟନ୍ତ ସବୁ କାମ ସେହିଁ କରୁଥିଲା ।ମୋତେ ଲହୁଣିପଡାର ନିକଟବର୍ତ୍ତି ଗାଁର ଜଣେ ବୈଦ୍ୟଙ୍କ ନିକଟରେ ଦେଖାଉଥାଏ।ବୈଦ୍ୟଜଣଙ୍କ କିଛି ପତ୍ରକୁ ବାଟି ଗରମକରି ତାକୁ କିଛି ପତ୍ର ଉପରେ ରଖି ଜଖମ ହୋଇଥିବା ଜାଗାରେ ବାନ୍ଧି ଦେବାପରେ ଆମେ ଘରକୁ ଫେରୁ ।ଏହିପରି ମାସେ ଚିକିତ୍ସା ଚାଲିବାପରେ ଜଖମ କମିଲାନି ବରଂ ବଢିବାକୁ ଲାଗିଲା ।ଏହାଭିତରେ କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ମୋର ଇଜ୍ଜତକୁ ମୁଁ ଟେକିଦେଇଥିଲି ତା ହାତରେ ।ଏହାପରେ ଆମେ ସ୍ବାମୀସ୍ତ୍ରୀ ଭାବେ ଚଳିବାକୁ ଲାଗିଲୁ ।
ଦିନେ ଅଫିସର କିଛି ସାଥି ଖବର ପାଇ ପୁଣି ଆମ ଘରେ ପହଞ୍ଚିଲେ ଏବଂ ତାଙ୍କର ବିରୋଧ ସତ୍ତ୍ବେ କଟକ ମେଡିକାଲ ନେଇଗଲେ ।କଟକ ଯିବା ବାଟରେ ଇଲିଆସ୍ ଓ ସନ୍ତୋଷ ମୋତେ ସେ ଦିନର ଦୁର୍ଘଟଣା ବିଷୟରେ ସବୁ କହିଲେ ।ଗଗନ ପୁର୍ବରୁ ସେ ପାନ ଦୋକାନିକୁ ମାଦକଦ୍ରବ୍ୟ ମିଶିଥିବା ଥଣ୍ଡାବୋତଲ ଦେଇଥିଲା ।ତୁମେ ଯେପରି ଜାଣିପାରିବ ନାହିଁ ସେଥିପାଇଁ ଦୋକାନିସହ ମିଶି ଏଭଳି କରିଥିଲା ।ଡାକ୍ତର କିନ୍ତୁ ବହୁତ ବିଳମ୍ବ ହୋଇଯାଇଥିବା ସହ ଭଲହେବାର ଆଶା କମ ବୋଲି କହିଥିଲେ ।ମେଡିସିନ୍ ଧରି ଘରକୁ ଆସିଲି ।ତାର ଇଛା ବିରୁଦ୍ଧରେ ଯାଇଥିବାରୁ କିଛିଦିନ କଥା ହେଲାନି ।ମୋର ମଧ୍ୟ ତାଙ୍କର କାର୍ଯ୍ୟକଳାପ ଦେଖି ସମ୍ମାନ ବୋଧଟା କମିଯାଇଥାଏ । ସମ୍ବୋଧନଟା ତୁମେରୁ ତୁ କୁ ପଳାଇ ଆସିଥାଏ ।
ଦିନକର କଥା ଲମ୍ବା ହାଇଟାଏ ମାରି ପୁଣି କଥା ଆରମ୍ଭ କଲା ସେଫାଳି ।ଟାଙ୍କେ ପିଇଦିଇ ଆସିଥାଏ ସେ।ସାଙ୍ଗରେ ଢାବାରୁ କିଛି ଖାଦ୍ୟ ଧରିକରି ଆସିଥାଏ ।ଦୁଆରବନ୍ଧ ପାଖରେ ଥାଇ ଖାଇବା ଜିନିଷ ଥିବା ପ୍ୟାକେଟଟା ମୁଁ ବସିଥିବା ଖଟଉପରକୁ ଫିଙ୍ଗିଦେଇ କହିଲା ଦିନସାରା ବହୁତ ନାରେନାରେ କରି ଥକି ଯାଇଥିବୁ ନେ ଗିଳି ।ତାପରେ ଆରମ୍ଭ କଲା ଅଶ୍ରାବ୍ୟ ଭାଷାରେ ଗାଳି ।ବଜାତ ମାଇକିନିଆଁ ।ତୁ ଗୋଟାଏ ବେଶ୍ୟାବୋଲି ମୁଁ ଜାଣିଥିଲେ ତତେ ବାହା ହୋଇ ନଥାନ୍ତି ।ବହୁତ ହୋଇଯାଇଥିଲା ତାର କଥା ।ସହିବାର ସୀମା ଟପିଯାଇଥିଲା ।ମୁଁ ଭି ମୁହେଁମୁହେଁ କହିଲି ତୁ ମୋ ଜୀବନଟା ନଷ୍ଟ କରିଛୁ ।ମତେ ଜାଣିଜାଣି ଅକର୍ମଣ୍ୟ ବନେଇଛୁ ତୁ ।ଏବେ ମୋ ଘରୁ ତୁ ବାହାର ।ମୁଁ ଭିକମାଗି ବଂଚିବି କିନ୍ତୁ ତୋ ହାତଟେକା ମୋର ଦରକାର ନାହିଁ । ତୋର ଅସଲ ରୂପଟା ମୁଁ ଜାଣିସାରିଲିଣି ।ଆରେ ତୁନା ମତେ ମାଷ୍ଟର ଅଛୁ ବୋଲି କହୁଥିଲୁ । ମତେ ଟିକେ କହିପାରିବୁ ତୁ କେଉଁ ସ୍କୁଲର ମାଷ୍ଟର । ଯେଉଁ ସ୍କୁଲ କଥା କହୁଥିଲୁ ସେ ସ୍କୁଲର ଜଣେ ଶିକ୍ଷକଙ୍କ ହତ୍ୟାକାଣ୍ଡରେ ତୁ ଥିଲୁ । ତାଙ୍କ ସ୍ତ୍ରୀ ଗାଧୋଉଥିବା ସମୟରେ କିଛି ଫଟୋଉଠାଇ ତାକୁ ତୋ ଫଟୋ ସହିତ ମିଶାଇ ତାଙ୍କୁ ବ୍ଲାକମେଲ ତୁ ହିଁ କରି ତାଙ୍କ ଅନିଛା ସତ୍ବେ ଜୋରଜବରଦସ୍ତ ତୁ ବାହାହେବାପରେ ତାଙ୍କ ଏ.ଟି.ଏମ୍ ରୁ ପାସ୍ଓ୍ବାର୍ଡ ନେଇ ତିନିଲକ୍ଷରୁ ଅଧିକା ଟଙ୍କା ଧରି ତୁ ଆସି ଏଠି ମୋ ଜୀବନକୁ ବରବାଦ୍ କରିଦେଲୁ ।ତା ଗୁମର କଥା ମୁଁ ଜାଣିଯାଇଥିବାର ଜାଣି ତାର ରାଗ ପଂଚମକୁ ଉଠିଯାଇଥିଲା ।ପାଖରେ ପଡିଥିବା ଗୋଟେ ଠେଙ୍ଗାରେ ମୋତେ ପିଟିବାକୁ ଲାଗିଲା ସେ ।ଗାଁ ଲୋକମାନେ ଜମାହୋଇ ତାକୁ ତାଗିଦ୍ କରି ଛଡାଇଲେ ।ସେ ଦିନଠାରୁ ଏ ଗୋଟେ ନିତିଦିନିଆଁ ଘଟଣା ସାର୍ ।କୌଣସି ସ୍ତ୍ରୀ ତା ସ୍ବାମୀର ମରିବା ଚାହେଁନି ।ମୁଁ କିନ୍ତୁ ଏହି ନାରୀମାଂସ ଲୋଭୀ ଜହ୍ଲାଦର ମୃତ୍ୟୁ ପ୍ରତି ମୁହୂର୍ତ୍ତରେ କାମନା କରୁଛି ସାର୍ ।ମୋତେ ସମାଜ ନାରୀ ଜାତିର କଳଙ୍କ କହିପାରେ ।ମୁଁ କିନ୍ତୁ ତାକୁ ମଥାପାତି ସହିବି ।ମୋ ପରି ଆଉ କୌଣସି ନାରୀ ଏ ନର ଜହ୍ଲାଦର ଶୀକାର ନହେଉ ।ଭଗବାନ ଏହାର କୁକର୍ମର ଦଣ୍ଡ ତାକୁ ଦିଅନ୍ତୁ ।ଏତିକି କହି ସେଫାଳି ଭୋଭୋ ହୋଇ କାନ୍ଦିବାକୁ ଲାଗିଲା ।ଅମରେଶ ତାକୁ ବୁଝାଇବାକୁ ଯାଇ କହିଲା ସେଫାଳି ତୁମେ ଧର୍ଯ୍ୟଧର ।ଗଗନ(ତା ସ୍ବାମୀର ନା)କୁ ଶେଷଥର ପାଇଁ ପଚାରୁଛି ସେ ବଦଳିବ କି ନା ।ତୁମପାଇଁ ଯାହାବି ଗୋଟେ ବ୍ୟବସ୍ଥା କରିବା ।ଚିନ୍ତା କରନି ।ଏତିକି କହି ସେ ବାହାରୁଛି ସେଫାଳୀର ସ୍ବାମୀ କେଉଁଠି ଥିଲା ଧାଇଁଧାଇଁ ଆସି ଘରଭିତରକୁ ପଶି ସାର୍ଟଟା ପିନ୍ଧି ବାଡିପଟଦେଇ ଦୌଡିବାକୁ ଲାଗିଲା ।
ଅମରେଶ କିଛି ବୁଝିପାରିଲାନି ।କଣପାଇଁ ସେ ଦୌଡି ପଳାଉଛି ।ଏହି ସମୟରେ ସେଫାଳି ଘର ଆଗରେ ପୋଲିସ୍ ଗାଡି ଲାଗିଲା ।ଗାଡିରୁ ଦୁଇଜଣ ପୁଲିସ ଅଫିସର ଓହ୍ଲାଇ ସେଫାଳି ନିକଟରେ ପହଞ୍ଚି ପଚାରିଲେ ଗଗନ ଏଠି ରହେ ନା?ସେଫାଳି ତାଙ୍କ ମୁହଁକୁ ଚାହିଁ ହଁ ବୋଲି କହିଲା ।ପୁଲିସ ଅଫିସର କହିଲେ ତମେ ଜାଣିଛ ସେ ଗୋଟାଏ ଖୁନୀ ବୋଲି ।ନିକଟରେ ଏକ ସାତବର୍ଷର ଝିଅକୁ କୁକର୍ମ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଇଥିଲା ।ଘଟଣାସ୍ଥଳରୁ ଗଗନ ଲେଖାଥିବା ଏକ ସୁନା ଲକେଟ ମିଳିଛି ।ପୁର୍ବରୁ ମଧ୍ୟ ଗୋଟିଏ ହତ୍ୟାକାଣ୍ଡରେ ସେ ସମ୍ପୃକ୍ତଥିବାର ପୋଲିସ ସନ୍ଦେହ କରୁଛି ।ସେଫାଳି ଏ କଥା ଶୁଣି ରାଗରେ ନିଆଁବାଣ ହୋଇଯାଇଥିଲା ।ସେ ଆଶାବାଡିକୁ କାଖତଳେ ଦେଇ ଠିଆ ହୋଇ ପଡିଲା ।ସାର୍ ସେ କୁକୁରଟା ଏହିବାଟ ଦେଇ ଯାଇଛି ।ତାକୁ ଫାଶିଦଣ୍ଡ ମିଳିଲେ କୁନିଝିଅଟିର ଆତ୍ମାକୁ ଶାନ୍ତି ମିଳିବ ।ପୁଲିସ ଅଫିସର ଜଣକ ଗଗନକୁ ଧରିବା ପାଇଁ ଅନ୍ୟମାନଙ୍କ ସହ ଚାଲିଗଲେ ।ଏହିସମୟରେ ସ୍ଥାନିୟ ସଂଗଠନର ମୁଖ୍ୟ ଶ୍ୟାମଭାଇ ,ଅଜୟବାବୁ ଓ ଅମରେଶର ବନ୍ଧୁମାନେମଧ୍ୟ ସେଫାଳି ଘରନିକଟରେ ପହଞ୍ଚି ଯାଇଥିଲେ ।ସବୁ ଘଟଣା ଶୁଣି ଶ୍ୟାମଭାଇ ସେଫାଳିକୁ ତାଙ୍କର ଅଫିସରେ ଯୋଗଦେବା ପାଇଁ କହିବା ସହ ତାର ସେଠାରେ ରହିବା ଓ ଖାଇବାର ସମସ୍ତ ଖର୍ଚ୍ଚ ସଂଗଠନ ବହନ କରିବ ବୋଲି କହିବା ସହ ତାକୁ ସେହିଦିନ ସାଙ୍ଗରେ ନେବାପାଇଁ ସଙ୍ଗରେ ଆସିଥିବା ତାଙ୍କ ଅଫିସର କେତେଜଣ ମହିଳା କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ।
ସେଫାଳି ସହ ସମସ୍ତେ ବୁଢାଖମଣ ଗାଁ ଛାଡୁଛାଡୁ ରାତି ପ୍ରାୟ ୮ଟା ହୋଇଗଲା ।ମହୁଲପଦା ଛକରୁ ସେଫାଳି ତଥା ସ୍ଥାନିୟ ସଂଗଠନର ସାଥିମାନଙ୍କୁ ବିଦାୟ ଦେଇ ସେମାନଙ୍କ ଗାଡି ଭୁବନେଶ୍ବର ଅଭିମୁଖେ ବାହାରିଲା ।ରାସ୍ତାରେ ଯାଉଥିବା ସମୟରେ ଅମରେଶ ଭାବୁଥିଲା ସମାଜର ଏହି କୁତ୍ସିତ ମାନସିକତାସମ୍ପର୍ଣ୍ଣ ,ପାଶବିକ ପ୍ରବୃତ୍ତିର ନର ରାକ୍ଷସ ମାନଙ୍କର କଥା,ନାରୀ ସ୍ବାଧିନତା ଓ ସୁରକ୍ଷାର ଡିଣ୍ଡିମ ପିଟୁଥିବା ସାମାଜିକ ବ୍ୟବସ୍ଥାର କଥା ।