ମୋ ମିନାନାନୀ ଓ ଭାଇନା
ମୋ ମିନାନାନୀ ଓ ଭାଇନା
ଛାତ୍ର ଜୀବନ ଓ ତା ପରବର୍ତ୍ତୀ ଜୀବନରେ ବର୍ଷକର ଯେଉଁ କିଛି ଦିନ ମାନଙ୍କର ମୋ ପାଇଁ କିଛି ଗୁରୁତ୍ବ ରଖୁଥିଲା ତା ମଧ୍ୟରୁ ମେ ୭ ଅନ୍ୟତମ । ସେ ଦିନଟି ହେଉଛି ମୋର ବଡନାନୀ ମିନାନୀ ଓ ଭାଇନାଙ୍କର ବିବାହବାର୍ଷିକ । ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥିଲି ସେହିସମୟରେ ମିନାନୀର ବାହାଘର ହୋଇଥିଲା । ବାହାଘର ପୁର୍ବରୁ ମୀନାନୀ ଜଣେ କବୟତ୍ରୀ ,ଗାଳ୍ପିକ ଭାବେ କଟକ ରେଡିଓ ଷ୍ଟେସନରୁ ପଚାରିତ ନାରୀମହଲର ବିଭିନ୍ନ କାର୍ଯ୍ୟକ୍ରମରେ ମୋର ଆଉଜଣେ ବଡନାନୀ ଧୁନାନାନୀଙ୍କ ସହ ସାମିଲ ହେଉଥିଲା । ସେ ଦୁଇଜଣଙ୍କ ପ୍ରତିଭା ଦେଖି ସେତେବେଳର ପିଲାମନ ନେଇ ମୁଁ ଭାବେ ହେ ଭଗବାନ ମୋତେ ମୀନାନାନୀ ନଚେତ ଧୁନାନାନୀଭଳି କରିଦିଅନ୍ତନି । ପରବର୍ତ୍ତିକାଳରେ ସେ ଦୁଇଜଣ ନାନୀ ମୋର ସାରସ୍ବତ ଜୀବନର ମାର୍ଗଦର୍ଶକ ହୋଇଗଲେ କହିଲେ ଅତ୍ୟୁକ୍ତି ହେବନି ।
ତେବେ ମିନାନୀର ବାହାଘର ପରେ ମୋର ଭାଇନାଙ୍କ ଘର କଟରପାକୁ ଯିବାଟା ଟିକେ ବଢିଗଲା । ଆମ ଘରଠାରୁ କଟରପା ପାଖାପାଖି ୧୪ କି.ମି । ପିଲାଦିନେ ମୋ ଗାଁ କଟକ ଜିଲ୍ଲା ଅନ୍ତର୍ଗତ ଚାୟାଁପାଳ ଅପେକ୍ଷା ନାନୀ ବାହାଘରପରେ କଟରପା ସହିତ ଏକ ଆତ୍ମିକ ସମ୍ପର୍କ ଗଢିଉଠିଲା । ବାହାଘରପରେ ସ୍କୁଲରୁ ମୋ ନାଁ କଟାଇ ଭାଇନାଙ୍କ ଗାଁ ପାଖ ସ୍କୁଲ ଓଡାସିଂହ ହାଇସ୍କୁଲରେ ଲେଖାଗଲା । ସେଠାକୁ ଗଲାପରେ ମୋର ପାଠପଢାରେ ପ୍ରାୟତଃ ଡୋରୀ ବନ୍ଧାହୋଇଗଲା । ତପନ,ବାସୁଆ,ବୁଲା. ଆହୁରି ୫ ଜଣ ସାଂଗଙ୍କ ସହ ନଡିଆ ଗଛରୁ ନଡିଆ ତୋଳି ଖାଇବା ଓ ବଦମାସୀରେ ଦିନ କଟିବାକୁ ଲାଗିଲା । ମୋର ନାନୀ ମୋର ଏ ବଦମାସୀକୁ ନା ସହିପାରୁଥାଏ ନା କିଛି କହିପାରୁଥାଏ । ଥରେ ମୁଁ ସ୍କୁଲ ନଯିବାର ଖବର ଭାଇନାଙ୍କ କାନରେ ପଡିଲା । ସନ୍ଧ୍ୟାବେଳେ ମୁଁ ପାଠ ନପଢି ଘରେ ଏମିତି ବୁଲୁଥାଏ । ଭାଇନା ମୋତେ ଡାକିଲେ । କହିଲେ ସେ ଘରକୁ ଚାଲ ତୋ ସହ ଟିକେ କଥା ଅଛି । ମୁଁ ସେ ଘରେ ପହଂଚି ଯାହା ଦେଖିଲି ମୋର ହୋସ୍ ବୁଡିଗଲାପରି ଲାଗିଲା । ପ୍ରାୟ ୨୫ ରୁ ୩୦ ଖଣ୍ଡ ତେନ୍ତୁଲି ଛାଟ ଥାଏ । ଭାଇନା ଗୁମମାରି ବସିଥାନ୍ତି । ମୁଁ ଗଲାପରେ ଭାଇନା କବାଟ ବନ୍ଦ କରିଦେଇ ମୋ ପାଖକୁ ଆସି ପଚାରିଲେ ତୋର କଣ ଇଛା ପଢିବୁ ନା ନାହିଁ । ମୁଁ ତାଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଦେଲି । ତା ପରେ ତ ଆରମ୍ଭ ହେଲା ଭାଇନାଙ୍କ ମାଡ । ସବୁ ଛାଟିଆ ମୋ ପିଠିରେହିଁ ଭାଙ୍ଗିଗଲା । ସେଇଠି ହାଲିଆ ହୋଇ ମୁଁ ଶୋଇପଡିଥିଲି । ମିନାନୀର ଡାକରେ ମୋ ନିଦ ଭାଙ୍ଗିଲା । ସେ କାନ୍ଦୁଥାଏ । ମୋ ପିଠିରେ କି ଗୋଟେ ତେଲ ଲଗାଉ ଲଗାଉ କହିଲା କାହିଁକି ଏପରି ବୁଦ୍ଧି କରୁଛୁ । ନିଜେ କଷ୍ଟ ପାଉଛୁ ଅନ୍ୟମାନଙ୍କୁଭି କଷ୍ଟ ଦେଉଛୁ । ସେ ମୋତେ ଖାଇବା ପାଇଁ ଡାକିଲା । ଅଳ୍ପ କଣ ଖାଇଦେଇ ମୁଁ ଶୋଇପଡିଲି । ତାପରଦିନ କେହି ନଉଠିବା ଆଗରୁ ଉଠି ପଡି ଚାଲିଚାଲି ଆମ ଘରକୁ ପଳାଇ ଆସିଲି । ତାପରଠାରୁ ମୋର ପାଠପଢାରେ ପରିବର୍ତ୍ତନ ଆସିଗଲା ଏବଂ ଜଣେ କୃତି ଛାତ୍ର ହିସାବରେ ମୁଁ ବିଦ୍ୟାଳୟରେ ପରିଚିତ ହେଲି । ବାର୍ଷିକ ପରିକ୍ଷା ସରି ଖରାଛୁଟି ଦିଆଯାଇଥାଏ । ନାନୀର ପ୍ରଥମ ବିବାହ ବାର୍ଷିକ ପଡିଲା । କିଛିଦିନ ପୁର୍ବରୁ ମୋ ଉପର ନାନୀ ଦୁଇଜଣଙ୍କୁ ଭାଇନା ଆସି ନେଇକରିଗଲେ । ମୁଁ ଭାଇନାଙ୍କୁ ଲୁଚିଲୁଚି ବୁଲୁଥାଏ । ତାଙ୍କସହ ସେଦିନର ଯୁକ୍ତିପାଇଁ ନିଜକୁ ବହୁତ ଖରାପ ଲାଗୁଥାଏ । ମେ ୭ ତାରିଖର କଥା । ମୁଁ ସାଇକେଲ ନେଇ ଯିବାପାଇଁ ଭାବୁଥାଏ । ପୁଣି ଭାବୁଥାଏ ପୁଣିକାଳେ ସେଠାକୁ ଗଲେ ଭାଇନା ବାଡେଇବେ । ଏମିତିରେ ସନ୍ଧ୍ୟା ହୋଇଗଲା । ମୁଁ ଠାକୁରଙ୍କ ନିକଟରେ ମୁଣ୍ଡିଆ ମାରି ମୋ ପଢା ଘରକୁ ପଢିବା ପାଇଁ ଯାଉଛି ପଛପଟୁ କାହା ହାତର ସ୍ପର୍ଶରେ ଚମକିପଡି ଦେଖିଲି ମୋ ପଛରେ ଭାଇନା ଠିଆ ହୋଇଛନ୍ତି । ତୁ କାହିଁଗଲୁନି । ସେଥିପାଇଁ ମୁଁ ବାଧ୍ୟହୋଇ ଗାଡିଧରି ଆସିଲି । ଭୟରେ ମୋ ତଣ୍ଟି ଶୁଖିଯାଉଥାଏ । ମୁଁ ଥତମତ ହୋଇ କଣ କହିବି ଭାବିପାରୁନଥାଏ । ଉପରକୁ ମୁଣ୍ଡ ଉଠାଇ ଦେଖେତ ଭାଇନାଙ୍କ ଆଖିରୁ ଦୁଇଧାର ଲୁହ ବୋହି ଯାଉଛି । ମୁଁ ତତେ ବାଡେଇଛି ବୋଲି ତୁ ଗଲୁନି ନା । ମୁଁ ସଂଗେସଂଗେ ଭାଇନାଙ୍କ ଗୋଡତଳେ ପଡିଯାଇ କହିଲି ନା ଭାଇନା ମୋର ଭୁଲ ହୋଇଯାଇଛି । ମୁଁ ସଂଗେସଂଗେ ବାହାରୁଛି । ଭାଇନାଙ୍କ ସହ ଗଲି ଏବଂ ବିବାହ ବାର୍ଷିକରେ ଯୋଗଦେଲି । ସେଦିନ ଠାରୁ ମୁଁ ପ୍ରାୟ ପ୍ରତ୍ୟେକ ବର୍ଷ ମିନାନୀ ଭାଇନାଙ୍କ ବିବାହ ବାର୍ଷିକରେ ଆଗରୁ ଯାଇଁ ପହଂଚେ । ଭାଇନାଙ୍କର ସେଦିନର ସେ ମାଡ ମୋ ଜୀବନକୁ ଏକ ନୂତନ ଦୀଗ ଦେଖାଇଲା ।
ତେବେ ମୋ ଭାଇନାଙ୍କ ବିଷୟରେ ନିଶ୍ଚୟ ଦୁଇଧାଡି ଲେଖିବି ।
ମୋ ଭାଇନାଙ୍କର ପରକୁ ଆପଣାର କରିବାର ଗୁଣପାଇଁ ତାଙ୍କର ନିନ୍ଦୁକମାନେ ମଧ୍ୟ ତାଙ୍କର ପ୍ରଶଂସକ । ଜଣେ ସମାଜ ବିଗ୍ୟାନୀ ଭଳି ସାମାଜିକ ଜୀବନରେ ଦେଖାଦେଉଥିବା ଅସାମଂଜସ୍ୟତା ,ସାଧାରଣ ମଣିଷର ଦୁଃଖ ଓ ଜନଜୀବନର ପ୍ରତିଟି ଘଟଣାବଳୀକୁ କବିତା ବା ଗପମାଧ୍ୟମରେ ଉପସ୍ଥାପନ କରିବାର ଅସାମାନ୍ୟ ଦକ୍ଷତା ଭାଇନାଙ୍କଠି ଥିଲେ ମଧ୍ୟ ତାଙ୍କ ମଧ୍ୟରେ କେବେଭି ମୁଁ ଦେଖିନି ନିଜକୁ ବିଗ୍ୟପୀତ କରିବାର ବ୍ୟାକୁଳତା
ଏହି ଶୁଭ ଅବସରରେ ଉଭୟଙ୍କର ସୁସ୍ଥ,ନୀରୋଗ ନିରାମୟ ଓ ସଜ୍ଜନ ବିଭୋର ଜୀବନ କାମନା କରିବା ସହ ଉଭୟଙ୍କୁ ମୋର ପ୍ରଣାମ ଜଣାଉଛି