Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Bhabesh Chandra Kar

Children Stories


2  

Bhabesh Chandra Kar

Children Stories


ସାତ ଚକୁଳି ଚଉଦ ଚେଁ ।

ସାତ ଚକୁଳି ଚଉଦ ଚେଁ ।

5 mins 400 5 mins 400

 ଜନ୍ମଦାତ୍ରୀ ମାକୁ କେତେକ ମା ବୋଲି ଡାକନ୍ତି,ଆଉ କେତେକ ବୋଉ ବୋଲି ମଧ୍ୟ ଡାକନ୍ତି ଆଉ ଏବେକାର ପିଲାମାନେ ମମି ଆଉ କେତେଜଣ ମମ୍ ବୋଲି ମଧ୍ୟ ଡାକୁଛନ୍ତି । ମୁଁ କିନ୍ତୁ ବୋଉ ବୋଲି ଡାକେ । ମୋ ଶୈଶବର କିଛିବର୍ଷ ସହରରେ ହିଁ କଟିଥିଲା । ପିଲାଦିନର କିଛି ଘଟଣା ଅପାସୋରା । ଆମ ପିଲାମାନଙ୍କ ବଦମାସୀ ଦେଖିଲେ ପିଲାଦିନର ସେହି ସବୁ କଥା ମାନସପଟରେ ମୋର ଉଙ୍କିମାରେ । ତେବେ ଆଜି ସେହି ଘଟଣାଗୁଡିକମଧ୍ୟରୁ ଗୋଟିଏ ଘଟଣାର ଅବତାରଣା ନିମ୍ନରେ କରୁଛି ।

ଆମେ ସବୁ କଟକର ମହମଦିଆ ବଜାରରେ ଦଦେଇ(ଯୁଗଳ କିଶୋର କର)ଙ୍କ ପରିବାର ସହ ମିଶି କରି ରହୁଥାଉ । ସେତେବେଳେ ଯୌଥପରିବାରର ଗୁରୁତ୍ବକୁ ଆମ ବାପା ଦଦେଇ ଓ କକେଇମାନେ ବୁଝିଥିଲେ । ମୁଁ ମୋ ନାନୀମାନଙ୍କ ସହ ଡଗରପଡା ପ୍ରାଥମିକ ବିଦ୍ୟାଳୟରେ ପଢୁଥାଏ । ସେତେବେଳେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ନଥିଲା କିମ୍ବା ବିଦ୍ୟାଳୟସବୁ ଦଣ୍ଡମୁକ୍ତ ଅଂଚଳ ନଥିଲା । ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପିଲାମାନଙ୍କ ଭୟ ଓ ଭକ୍ତି ଥିଲା । ସେତେବେଳେ ଜଣେ ଦିଦି ଆମ ସ୍କୁଲରେ ଥିଲେ । ମୋର ତାଙ୍କ ନାଁ ମନେପଡୁନି । ତେବେ ଦିଦିଙ୍କ ଚାପୁଡା ଯିଏ ଖାଇଛି ତାର ଏବେ ମଧ୍ୟ ମନେଥିବ । ଆଉଗୋଟେ କଥା ମଧ୍ୟ ସତ ଯେ ଚାପୁଡା ଖାଇବାପରେ ଚାପୁଡା ଖାଇଥିବା ପିଲା ପେଣ୍ଟରେ ସୁସୁ ନିଶ୍ଚୟ କରିଥିବ । ମୁଁ କିନ୍ତୁ ସୁସୁ କରି ନଥିଲିମ । ଆପଣମାନେ ହସିବାକୁ ଲାଗନ୍ତୁନି । ତେବେ ଥରେ ଦିଦି ଆଉଜଣେ ସାର୍ ଙ୍କ ସହ କଣ କଥା ହେଉଥିଲେ । ମୁଁ ସେଇବାଟ ଦେଇ ଯାଉଥିଲି । ଦିଦିଙ୍କ ଗୋଟିଏ କଥା ମୋ କାନରେ ପଡିଗଲା । ଦିଦି ସାରଙ୍କୁ କହୁଥିଲେ "ସାତ ଚକୁଳି ଚଉଦ ଚେଁ ।" ସେ କେଉଁ ପ୍ରସଙ୍ଗରେ ଏ କଥା କହୁଥିଲେ ସେଟା ମୁଁ ଶୁଣିପାରିନଥିଲି । ମୁଁ ମନେମନେ ଭାବିବାକୁ ଲାଗିଲି ଏହାର ଅର୍ଥ କଣ ? ଚକୁଳି ତ ଚକୁଳି ,ହଁ ସାତଟା ଚକୁଳି । ପୁଣି ଏ ଚେଁ ଟା ପୁଣି କଣ ? କିଛି ଉତ୍ତର ମନ ମଧ୍ୟକୁ ଆସୁନଥାଏ । ମୋ ବୋଉ ଥିଲା ମୋର ସମସ୍ତ ସମସ୍ୟାର ସମାଧାନକାରୀ । ଭାବିଲି ରାତିରେ ବୋଉ ଗପ କହିସାରିଲା ପରେ ତାକୁ ପଚାରିବି । ପୁଣି ମନକୁ ଆସିଲା ନା ଗପ ଶୁଣୁ ଶୁଣୁ ନିଦ ଆସିଯିବ । ତେଣୁ ଗପ କହିବା ପୁର୍ବରୁ ବୋଉକୁ ପଚାରିଦେବି । ସ୍କୁଲରୁ ଫେରି ଘରେ ପହଂଚିଲି । ବୋଉମତେ ଭାତ ବାଢି ଦେଲା । ମୁଁ ହାତଗୋଡ ଧୋଇ ଖାଇବା ପାଖରେ ବସି ପଡିଲି । ବୋଉ ମୋ ମୁହଁକୁ ଚାହିଁ ପଚାରିଲା । ଆରେ ବାବୁ ତୋର କଣ ହୋଇଛି କିରେ ? ମୁଁ ଚମକି ପଡି କହିଲି କାହିଁ ନାତ କିଛି ହୋଇନି ତ । ତୁତ ଗୋଟେ ବଡ ଡାକ୍ତରଟା ତ । ବୋଉ ହସିଦେଲା ଆଉ ମୋ ମୁଣ୍ଡରେ ହାତ ବୁଲାଇ ଆଣି କହିଲା ହଉ ତୁ ଖାଆ । ଖାଇସାରି ଖେଳିବାକୁ ଚାଲିଗଲି ।

ରାତି ହେଲା । ମୁଁ ମୋ ପାଠପଢାରେ ଲାଗିଗଲି । ପଢିସାରି ଖାଇବା ପରେ ମୁଁ ଅପେକ୍ଷା କଲି ମୋ ବୋଉର କେତେବେଳେ କାମ ସରିବ ଓ ସେ ମତେ ଗପ କହିବ । ଏ ସମୟରେ ମୋର ମନେପଡିଗଲା ସ୍କୁଲରେ ଦିଦି କହୁଥିବା ସେହି କଥା । ଭାବିଲି ଗପ ପଛେ ପଛରେ ଶୁଣିବି ଆଗ ସେ କଥାଟା ବୋଉକୁ ପଚାରିବି ।

ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବୋଉର କାମ ସରିଗଲା ଓ ବୋଉ ଶୋଇବାକୁ ଆସିଲା । ମୁଁ ଚାହିଁଥିବାର ଦେଖି ପଚାରିଲା ତୁ କଣ ଶୋଇନୁ । ମୁଁ କହିଲି ତୋ ଠାରୁ ଗପ ଶୁଣିନିତ ନିଦ ଆସୁନି । ବୋଉ ହସିଦେଲା ଆଉ ମୋ ପାଖରେ ଶୋଇ ତାର ଗପ ଆରମ୍ଭ କରିବାକୁ ଯାଉଛି । ମୁଁ କହିଲି ରହ ବୋଉ ଗପ ପଛରେ କହିବୁ ଆଗ ମତେ କହ ଦିଦି ସାରଙ୍କୁ ଆଜି କହୁଥିଲେ ସାତ ଚକୁଳି ଚଉଦ ଚେଁ । ଏହାର ଅର୍ଥ କଣ ? ବୋଉ କହିଲା ସେ ନେଇ ଗୋଟେ ଗପ ଅଛି । ସେହି ଗପଟି ଆଜି ତତେ କହିବି । ମୁଁ ବହୁତ ଖୁସି ହୋଇଗଲି କାରଣ ମୋ ପ୍ରଶ୍ନକୁ ଲିଂକକରି ଯେ ବୋଉ ଗୋଟେ ଗପ କହିବ ଏଟା ମୁଁ ବିଶ୍ବାସ କରିନଥିଲି । ବୋଉ ତାର ଗପ ଆରମ୍ଭ କଲା । ଗପଟି ହେଉଛି ଏହିପରି ।

ଏକ ଗାଁରେ ଜଣେ ଧର୍ମପରାୟଣା ବିଧବା ବୁଢିଟିଏ ଥିଲା । ତାର ପିଲାପିଲି କିଛି ନଥିଲେ । ବୁଢି ତା ଘରକୁ ଅତିଥି ଆସିଲେ ବହୁ ଆଦର ଅଭ୍ୟର୍ଥନା କରେ । ଦିନକର କଥା । ବ୍ରାହ୍ମଣଟିଏ ଚାଲିଚାଲି କାମଧନ୍ଦା ଖୋଜିବାକୁ ସହରକୁ ଯାଉଥାଏ । ସେହି ଗାଁରେ ସନ୍ଧ୍ୟା ହେଲା । ବୁଢିର ଘର ରାସ୍ତାକଡ ଘର ହୋଇଥିବାରୁ ବ୍ରାହ୍ମଣଜଣଙ୍କ ତା ପିଣ୍ଡାରେ ବସିପଡିଲା ଓ ବୁଢିକୁ ପଚାରିଲା ମାଉସୀ ମୋତେ ରାତିକ ପାଇଁ ତମ ଘରେ ରହିବାକୁ ଅନୁମତି ଦିଅନ୍ତନି ? ବୁଢିର ଅନୁମତି ନେଇ ବ୍ରାହ୍ମଣଟି ତା ଘରେ ରହିଲା । ରାତିରେ ବୁଢି ବ୍ରାହ୍ମଣଙ୍କୁ ପିଠା ଓ କ୍ଷୀର ଖାଇବାକୁ ଦେଲା । ବ୍ରାହ୍ମଣ ଖାଉଥାନ୍ତି। ବୁଢି ତାଙ୍କୁ ପିଠା ଦେଉଥାଏ । ସେ ସାତଟା ପିଠା ଖାଇ ସାରିବା ପରେ କ୍ଷୀର ପିଇ ହାତ ଧୋଇବାକୁ ବସିଲେ । ବୁଢି ତାଙ୍କୁ ପଚାରିଲା ଗୋସେଇଁ ଆଉ ପିଠା ଦେଇନଥାନ୍ତି । ବ୍ରାହ୍ମଣଟି କହିଲା ମା ତୁତ ସାତଟି ପିଠା କରିଥିଲୁ । ମୁଁ ପିଠା ମାଗିଥିଲେ ତୁ କେଉଁଠୁ ଆଣିଦେଇଥାନ୍ତୁ । ବୁଢୀ ଚମକି ପଡିଲା ଓ ଭାବିଲା ଆରେ ମୁଁ ସାତଟି ପିଠା କରିଥିଲି ବୋଲି ବ୍ରାହ୍ମଣ ଗୋସେଁଇ କିପରି ଜାଣିଲେ । ଗୋସେଁଇ ବୋଧହୁଏ ଆଗତ ଭବିଷ୍ୟତ ଜାଣିପାରନ୍ତି । ସେ ସାହିପଡିଶାରେ ବ୍ରାହ୍ମଣଗୋସେଇଁଙ୍କ କଥା କହିଲା । ଗାଁର ଲୋକମାନେ ବ୍ରାହ୍ମଣଙ୍କ ପାଖରେ ରୁଣ୍ଡ ହେଲେ । ସେମାନଙ୍କ ମଧ୍ୟରୁ ଜଣେ ଚାଷୀଟିଏ ଥିଲା ଯାହାର ଲଙ୍ଗଳ ଲୁହାଟି ବିଲରେ ହଜିଯାଇଥିଲା । ସେ ବ୍ରାହ୍ମଣଙ୍କୁ ଲଙ୍ଗଳଫାଳ ହଜିଯାଇଛି କେଉଁଠି ମିଳିବ ବୋଲି ପଚାରିଲା । ବ୍ରାହ୍ମଣଟିତ ପ୍ରକୃତରେ ସେପରି କିଛି ବିଦ୍ୟା ଜାଣିନଥିଲେ କିନ୍ତୁ ସେ କଥା ସେ ପ୍ରକାଶ ନକରି ଚାଷୀଟିକୁ କହିଲେ ତମର ବିଲଟି ମୋତେ ଦେଖାଇ ଦିଅ ଓ କାଲି ସକାଳେ ଆସ ମୁଁ ତୁମକୁ କହିବି ତୁମର ଲଙ୍ଗଳ ଫାଳଟି କୁଆଡେ ଗଲା । ଚାଷୀଟି ବ୍ରାହ୍ମଣକୁ ତାର ବିଲ ଦେଖାଇ ଦେଲା । ରାତିରେ ବ୍ରାହ୍ମଣଟି ଚାଷୀର ବିଲକୁ ଯାଇ ବହୁ ଖୋଜାଖୋଜି ପରେ ଗୁରୁତ୍ବଫାଳଟିକୁ ପାଇଲା ଏବଂ ତାକୁ ବିଲର ଉତ୍ତର ଦିଗରେ ରଖି କରି ଆସିଲା । ତାପର ଦିନ ସକାଳେ ଚାଷୀଟି ବ୍ରାହ୍ମଣପାଖକୁ ଆସି ଲଙ୍ଗଳ ଫାଳ ବିଷୟରେ ପଚାରନ୍ତେ ସେ ତାକୁ ବିଲର ଉତ୍ତର ଦିଗରେ ଥିବାର କହିଲା । ଚାଷୀଟି ବିଲକୁ ଯାଇ ଲଙ୍ଗଳଟି ବିଲର ଉତ୍ତର ଦିଗରେ ପଡିଥିବାର ଦେଖି ତାକୁ ଆଣିବା ସହ ବ୍ରାହ୍ମଣଗୋସେଇଁ ଯେ ସର୍ବଦ୍ରଷ୍ଟା ପଣ୍ଡିତ ଏକଥା ସମସ୍ତଙ୍କୁ କହିଲା । ବ୍ରାହ୍ମଣ ଗୋସେଇଁ ଯେ ଜଣେ ସର୍ବଗ୍ୟଂ ପଣ୍ଡିତ ଏ କଥା ଚାରିଆଡେ ପ୍ରଚାରିତ ହୋଇଗଲା ଓ କଥାଟି କାନକୁ କାନ ହୋଇ ରାଜାଙ୍କ କାନରେ ପଡିଲା । ରାଜା ବ୍ରାହ୍ମଣକୁ ଡାକି ପଚାରିଲେ ଆପଣ ଜଣେ ସର୍ବଦ୍ରଷ୍ଟା ପଣ୍ଡିତ ବୋଲି ଲୋକମୁଖରୁ ଶୁଣିଲି । କହିଲେ ମୁଁ ହାତରେ କଣ ଧରିଛି । ମୋ ପ୍ରଶ୍ନର ସଠିକ ଉତ୍ତର ଦେଇ ନପାରିଲେ ତୁମକୁ ମୃତ୍ୟୁ ଦଣ୍ଡ ମିଳିବ । ବ୍ରାହ୍ମଣଜଣକ କଣ କହିବେ ଜାଣି ପାରିଲେ ନାହିଁ । ସେ ଭାବିଲେ ପ୍ରଥମରୁ ସତ କଥା ଲୋକମାନଙ୍କୁ କହିଦେଇଥିଲେ ଭଲ ହୋଇଥାନ୍ତା । ସେ ଗୁଣୁଗୁଣୁ ହୋଇ କହିବାକୁ ଲାଗିଲେ "ସାତ ଚକୁଳି ଚଉଦ ଚେଁ । କାଦୁଅ ଚିପିକି ପାଇଲି କୋଡି ,ଏବେ ରାଜାଙ୍କ ହାତରେ ମଲି । "ରାଜାଙ୍କୁ କେବଳ ଶୁଭିଲା ରାଜାଙ୍କ ହାତରେ ମଲି । ରାଜାଙ୍କ ହାତରେ ମଲ୍ଲିଫୁଲଟିଏ ଥିଲା । ତେଣୁ ରାଜା ବ୍ରାହ୍ମଣଙ୍କୁ ସର୍ବଗ୍ୟଂ ପଣ୍ଡିତ ଭାବି ସୁନାମୋହର ଦେଇ ପୁରସ୍କୃତ କଲେ ।

ତାପରେ ବୋଉ ପଚାରିଲା ବୁଝିଲୁ କିପରି ସାତ ଚକୁଳି ଚଉଦ ଚେଁ ବୋଲି । ପିଠା କରୁଥିବା ସମୟରେ ଗରମ ତାୱାରେ ପିଠୋଉ ଢାଳିଲେ ଥରେ ଚେଁ କରି ଶବ୍ଦ ହୁଏ ଓ ପିଠା ଲେଉଟାଇଲାବେଳେ ଆଉଥରେ ଶବ୍ଦ ହୁଏ ଏହିପରି ଚଉଦଥର ଶବ୍ଦ ହୋଇଥିବାରୁ ବ୍ରାହ୍ମଣ ଜାଣିଲେ ସାତଟି ପିଠା ହୋଇଛି ବୋଲି । ମୁଁ ଏଥର ବୁଝିଗଲି ଦିଦି କହୁଥିବା ସାତ ଚକୁଳି ଚଉଦ ଚେଁ ର ଅର୍ଥ । ତାପରେ ମୁଁ କେତେବେଳେ ଶୋଇପଡିଥିଲି ମୁଁ ଆଉ ଜାଣିନି ।



Rate this content
Log in