ଟୁସୁପର୍ବକୁ ନେଇଥିବା ଲୋକକଥା
ଟୁସୁପର୍ବକୁ ନେଇଥିବା ଲୋକକଥା
ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ଛତିଶଗଡ ,ପଶ୍ଚିମବଙ୍ଗରେ ମଧ୍ୟ ଏହାକୁ ପାଳନ କରାଯାଏ । ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ନିମ୍ନରେ ଉପସ୍ଥାପନ କରୁଛି ।
ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଙ୍କ ରାଜୁତି ସମୟର କଥା । ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଙ୍କ କରଦ ରାଜା ଥିଲେ । ବାଦଶାହା ଓ ରାଜାଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା । ଏକଦା ବେଗମ୍ ସାହେବାଙ୍କ ଦେହ ଅସୁସ୍ଥ ହେଲା। ବହୁ ବୈଦ୍ୟଙ୍କଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା । ବାଦଶାହା ଦୁଃଖରେ ମ୍ରିୟମାଣ ହୋଇପଡିଲେ । ବେଗମଙ୍କ ଅସୁସ୍ଥତା ଖବର ସେ ତାଙ୍କର ଘନିଷ୍ଠବନ୍ଧୁ ତଥା କରଦ ରାଜା ସିତାନାଥଙ୍କୁ ଜଣାଇଲେ । ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ । ବାଦଶାହାଙ୍କୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି । ଦିନେ ରାଜାଙ୍କ ଏକମାତ୍ର କନ୍ୟା ଟୁସୁମନୀ ରାଜାଙ୍କୁ କହିଲା ଯେ ସେ ବେଗମଙ୍କୁ ଭଲ କରିଦେଇପାରିବ ବୋଲି । ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ । ରାଜାଙ୍କ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା । ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ ରସିରେ ବାନ୍ଧି ଦେଇଥିଲା । ପିଜୁଳି ଫୁଲରୁ ଫଳ ଧରି ମାଠିଆ ଭିତରେ ବଡହୋଇ ପାଚିଗଲା । ରାଜକନ୍ୟା ସେହି ପାଚିଲା ପିଜୁଳିଟି ଆଣି ତାକୁ ଚାରିଖଣ୍ଡ କରି ମର୍ଦାଙ୍ଗ ଫୁଲରେ ଚାରିପାନ ଔଷଧ ପ୍ରସ୍ତୁତ କରି ରାଜାଙ୍କ ହାତରେ ବେଗମଙ୍କ ନିକଟକୁ ପଠାଇଲେ । ସେହି ଚାରିପାନ ଔଷଧ ସେବନ କରି ବେଗମ ସଂମ୍ପୁର୍ଣ ସୁସ୍ଥ ହୋଇଗଲେ । ଏଥିରେ ବେଗମ ସାହେବା ଖୁସି ହୋଇ ବାଦଶାହାଙ୍କ ହାତରେ ତାଙ୍କ ଗଳାର ରତ୍ନହାରଟିକୁ ଉପହାର ସ୍ବରୁପ ପଠାଇଲେ । ବାଦଶାହା ଟୁସୁମନୀକୁ ସେହି ଉପହାର ଦେବାପାଇଁ ସୀତାନାଥଙ୍କ ରାଜଉଆସକୁ ଆସିଥିବା ବେଳେ ତାର ରୂପ ଲାବଣ୍ୟରେ ବିମୋହିତହୋଇ ତାକୁ ପାଇବା ପାଇଁ ବ୍ୟାକୁଳ ହୋଇପଡିଲେ ଏବଂ ନିଜର ମନର କଥା ରାଜାଙ୍କ ନିକଟରେ ବ୍ୟକ୍ତ କଲେ । କ୍ରୋଧ ଜର୍ଜରିତ ରାଜା ଅନ୍ୟକୌଣସି ବାଟ ନପାଇ ବାଦଶାହାଙ୍କ ଲୋଲୁପ ଦୃଷ୍ଟିରୁ ନିଜର ଝିଅକୁ ବଂଚାଇବା ପାଇଁ ଗୋପନରେ ଅନ୍ୟ ରାଜ୍ୟକୁ ପଠାଇଦେଲେ । ବାଦଶାହା ଟୁସୁମନୀର ପଛେପଛେ ଯାଇ ସେହି ରାଜ୍ୟରେ ପ୍ରବେଶ କଲେ । ବାଦଶାହାଙ୍କ ଭୟରେ କୌଣସି ରାଜା ଟୁସୁମନୀକୁ ଆଶ୍ରୟ ଦେଲେନାହିଁ । ଜୀବନ ବିକଳରେ ଟୁସୁମନୀ ପାହାଡ ପରେ ପାହାଡ ଅତିକ୍ରମ କରି ଚାଲିଥାଏ । ତାକୁ ଅନୁସରଣ କରୁଥାଏ ନାରୀମାଂସ ଲୋଭୀ ପିଶାଚ ପ୍ରବୃତ୍ତିର ବାଦଶାହା । ଶେଷରେ ଟୁସୁମନୀ ଏକ ଆଦିବାସୀ ବସ୍ତିରେ ପହଂଚିଲା ଯେଉଁଠାରେ ସେଠାକାର ଆଦିବାସୀମାନେ ସେମାନଙ୍କ ଦେବତାଙ୍କୁ ଘୁଷୁରି ବଳି ଦେଇ ପୂଜା କରିବା ପରେ ଏକତ୍ରିତ ହୋଇ ନାଚଗୀତରେ ମାତିଥାନ୍ତି । ଟୁସୁମନୀ ସେହି ନାଚରେ ସାମିଲ ହୋଇଗଲା । ବାଦଶାହା ଘୁଷୁରି ବଳି ଦେଖି ଫେରିଆସିଲେ । ଟୁସୁମନୀଠାରୁ ସମସ୍ତ ବିଷୟ ଶୁଣି ଆଦିବାସୀ ସର୍ଦ୍ଦାର ତାକୁ ଆଶ୍ରୟ ଦେଲେ ଓ କିଛିଦିନପରେ ତାର ବାପାଙ୍କ ପାଖରେ ଛାଡିଦେଇ ଆସିଲେ । ଟୁସୁମନୀ ଫେରିବାର ଖବର ଗୁପ୍ତଚରଠାରୁ ଶୁଣି ବାଦଶାହା ପୁଣି ସୀତାନାଥଙ୍କ ରାଜ୍ୟକୁ ଆକ୍ରମଣ କଲେ । ସୀତାନାଥ ଏ ବିପଦରୁ ନିଜ ଝିଅକୁ ତଥା ରାଜ୍ୟକୁ କିପରିରକ୍ଷା କରିବେ ଏହି ଚିନ୍ତା କରୁଥିବା ସମୟରେ ଟୁସୁମନୀ ରାଜାଙ୍କୁ ବୁଝାଇ କହିଲା ଯେ ଜଣକ ଜୀବନ ପାଇଁ କାହିଁକି ରାଜ୍ୟର ଲକ୍ଷଲକ୍ଷ ଧନଜୀବନ ନଷ୍ଟ ହେବ ବରଂ ସେ ରାଜ୍ୟ ଛାଡି ଅନ୍ୟତ୍ର ଚାଲିଯିବ । ବାପାଙ୍କୁ ପ୍ରଣାମ କରି ଟୁସୁମନୀ ରାଜ୍ୟ ସୀମା ପରିହେଇଗଲା । ବାଦଶାହା ଏ ଖବର ପାଇ ତାର ଅନୁଧାବନ କଲେ । କ୍ଲାନ୍ତ ,ଅବସନ୍ନ ଟୁସୁମନୀକୁ ଅନୁସରଣ କରୁଥାନ୍ତି ଏକ ବିଶାଳ ସେନା ଓ ବାଦଶାହା ନିଜେ । ଟୁସୁମନୀ ଜଙ୍ଗଲମଧ୍ୟରେ ଭୀତକ୍ରସ୍ତ ହରିଣୀଟିଏ ଭଳି ଦୌଡି ଚାଲିିଥାଏ । ଶେଷରେ ସେ ଉପନୀତ ହେଲା ଏକ ଭରା ନଦୀ ସମ୍ମୁଖରେ । ପଛରେ ଦେଖିଲା ବନାଗ୍ନୀ ଭଳି ସୈନ୍ୟମାନଙ୍କ ସହ ନରରାକ୍ଷସ ବାଦଶାହା । ଲମ୍ଫ ପ୍ରଦାନ କଲା ସେହି ନଦୀକୁ । ବ୍ୟର୍ଥମନୋରଥ ବାଦଶାହା ନଦୀର ବକ୍ଷକୁ ଦୃଷ୍ଟି ନିକ୍ଷେପ କରି ସୈନ୍ୟମାନଙ୍କୁ ଫେରିଯିବାପାଇଁ ଆଦେଶ ଦେଲେ ।
ମହାନ୍ତ ସଂପ୍ରଦାୟର ଲୋକମାନେ ପାଳନ କରୁଥିବା ଟୁସୁ ପର୍ବକୁ ନେଇ ଥିବା ଲୋକକଥାର ନାୟିକା ତଥା ସମଗ୍ର ନାରୀ ସମାଜର ଆତ୍ମମର୍ଯ୍ୟାଦାର ପ୍ରତୀକ ଟୁସୁମନୀକୁ କିଛି ଗଭେଷକ ଲୋକକଥାର ଚରିତ୍ର ଭାବେ ଗ୍ରହଣ ନକରି ଏକ ଐତିହାସିକ ଚରିତ୍ର ଭାବରେ ଗ୍ରହଣ କରନ୍ତି । ଟୁସୁମନିକୁ ସେମାନେ ଚିତୋରର ରାଣା ରତ୍ନସିଂହଙ୍କ କନ୍ୟା ବୋଲି ବର୍ଣନା କରନ୍ତି ଏବଂ ଟୁସୁମନି ଆଲ୍ଲାଉଦିନ୍ ଖିଲିଜଙ୍କ ଶାସନକାଳରେ ବିଧର୍ମୀ ବାଦଶାହାଙ୍କ କବଳରୁ ନିଜର ସତିତ୍ବ ରକ୍ଷା କରିବା ପାଇଁ ନଦୀଗର୍ଭକୁ ଝାସ ଦେଇଥିଲେ ବୋଲି କହନ୍ତି । ମୁସଲମାନମାନଙ୍କ ରାଜତ୍ବ କାଳରେ ବାଦଶାହାମାନଙ୍କ ଅତ୍ୟାଚାରର ପ୍ରଭାବ ଭାରତୀୟ ଜନଜୀବନ,ଦେବାଦେବୀଙ୍କ ମନ୍ଦିର,ଧର୍ମ ଦର୍ଶନକୁ ବିପର୍ଯ୍ୟସ୍ତ କରିଥିଲା ଏହା ଅନସ୍ବିକାର୍ଯ୍ୟ । ହଜାର ହଜାର ହିନ୍ଦୁ ନାରୀଙ୍କ ପ୍ରତି ହୋଇଥିବା ଗଣ ଧର୍ଷଣର କରୁଣ କାହାଣୀ ଦେବଭୂମି ଆର୍ଯ୍ୟାବତକୁ ସ୍ତମ୍ବିଭୂତ କରିଥିଲା । ବହୁ ଗାଁ ଜନମାନବଶୂନ୍ୟ ହୋଇପଡିଲା । ଟୁସୁମନୀ ଏଭଳି ଏକ ଚରିତ୍ର ଯେକି ଅତ୍ୟାଚାରର ବିରୋଧ ବା ପ୍ରତିବାଦ କରିଛି । ଆତ୍ମସମ୍ମାନ ଓ ସ୍ବାଭିମାନର ରକ୍ଷା ପାଇଁ ଏକନିଷ୍ଟ ସଂଗ୍ରାମ ଜାରି ରଖି ଶେଷରେ ଆତ୍ମବଳି ଦେଇଛି । ଏହି ଲୋକକଥା ନାରୀ ଜାତିର ଆତ୍ମମର୍ଯ୍ୟାଦାର ସୁରକ୍ଷା ପାଇଁ ନାରୀମାନଙ୍କୁ ସଂଘବଦ୍ଧ ଉଦ୍ୟମର ଆବଶ୍ୟକତାର ବାର୍ତ୍ତା ଦେବାସହ ମାନବିକ ମୂଲ୍ୟବୋଧର ପ୍ରତିଷ୍ଟା କରିବାରେ ସହାୟକ ଭୂମିକା ଗ୍ରହଣ କରେ ।