ସେ ଦିନ
ସେ ଦିନ
ସକାଳୁ ସକାଳୁ ପ୍ରସ୍ତୁତି ସାରି ପୂର୍ବ ଯୋଜନା ଅନୁସାରେ ବାଇକରେ ହିରୋ ହିରୋଇନ୍ ଭଳି ପୁରୀ ଅଭିମୁଖେ ବାହାରି ପଡ଼ିଲୁ,କାର୍ ନେଲେ ଆମର ସେଠି ଗଳିକନ୍ଦି ବୁଲିବାଟା ଅସୁବିଧା ହେବ ଭାବି ବାଇକରେ ଯାତ୍ରା କରିବାକୁ ଚିନ୍ତା କଲୁ ।
ମୋ ଅଜା ଘରଟା ପୁରୀରେ, ବାଟରେ ପଡିବ ପୁଣି ମୋର ଅତି ପ୍ରିୟ ଗ୍ରାମ ବୀରହରେକୃଷ୍ଣପୁର, ମାଆ ବାଟମଙ୍ଗଳା ମନ୍ଦିର ପାଖରେ ଦର୍ଶନ ସାରି ସବୁଥର ସିଧା ପୁରୀ ପଳାଉ ଏଥରକ କିନ୍ତୁ ସାକ୍ଷୀଗୋପାଳ ମନ୍ଦିରରେ ଦର୍ଶନ କରିବୁ, ମୋ ଗ୍ରାମରେ କିଛି ସମୟ କଟାଇ ତା ପରେ ମାଆଙ୍କୁ ଦର୍ଶନ କରି ପୁରୀ ଯାତ୍ରା କରିବୁ ବୋଲି ଦୁଇ ଦିନ ଆଗରୁ ବ୍ୟବସ୍ଥା କରିଥିଲୁ, ପୁରୀରେ ମୋର ଅଜା ଘରଟା ହୋଇ ଥିବାରୁ ପୁରୀ ସାରା ଚାରି ମାମୁଁ, ତିନି ମାଉସୀଙ୍କର ଘର ଅଛି, ବଡ଼ ମାଉସୀ ଘର ଦୋଳମଣ୍ଡପ ସାହିରେ, ମଝିଆ ମାଉସୀ ଘର ହେରାଗଉରୀ ସାହିରେ,ସାନ ମାଉସୀଙ୍କ ଘର ମାଉସୀ ମା ମନ୍ଦିର ପାଖରେ, ମାମୁଁ ମାନେ ପଥୁରିଆ ସାହିରେ ରହନ୍ତି, ଏହି ପରି ସବୁ ଆତ୍ମୀୟ ମାନେ ପୁରୀରେ ବିଚ୍ଛୁରିତ ହୋଇ ରହୁଥିବାରୁ ମୁଁ ଗର୍ବରେ ମୋ ପୁରୀ ବୋଲି କହେ, ମୋର ସ୍ୱାମୀ କିନ୍ତୁ ସ୍ୱାଭିମାନ ମଣିଷଟିଏ, ସେ ସମସ୍ତଙ୍କର ଘରକୁ ଯିବେ କିନ୍ତୁ ରାତ୍ରି ଯାପନ ପାଇଁ ପାନ୍ଥନିବାସରେ ଦୁଇ ଦିନ ପାଇଁ ବୁକ୍ କରିଦେଲେ, ସେହି ଅନୁସାରେ ଯାତ୍ରା ବାଇକରେ ଭୂବନଶ୍ୱରରୁ ଆରମ୍ଭ କରିଲୁ।
ମୋ ହିରୋ ବାଟରେ ଗାଡ଼ି ଅଟକାଇ କେଉଁଠି ପଇଡ, କେଉଁଠି ଜଳଖିଆ ଭଲ ଦେଖି ରଖି ଖାଉଥିଲୁ, ପୁଣି ବାହାରିଥିଲୁ, ତାପରେ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିଲୁ,ତା ପରଦିନ ରାଧାଷ୍ଟମୀ ଥାଏ ତେଣୁ ଆଗରୁ ପ୍ରବଳ ଭିଡ଼ ଥାଏ କିନ୍ତୁ ଯୋଗକୁ ବାଙ୍କେବିହାରୀଙ୍କୁ ଓ ରାଧା ପାଦ ଦର୍ଶନ ବହୁତ ଭଲ ଭାବରେ ହେଲା ତେଣୁ ନିଜକୁ ଭାଗ୍ୟବାନ ମନେକଲୁ ।
ଦୁଇ ଘଣ୍ଟା ଭିତରେ ବାଟରେ ସବୁ ଦର୍ଶନ ସାରି ଠିକ୍ ସମୟରେ ଗ୍ରାମରେ ପହଞ୍ଚି ଗଲୁ, ବହୁ ଦିନ ପରେ ନିଜ ଗ୍ରାମରେ ପାଦ ପକେଇ ଥିବାରୁ ଖୁସିରେ ଆତ୍ମହରା ହୋଇ ଉଠିଲି,ମୋ ବିବାହ ପରେ ନିଜ ଗ୍ରାମକୁ ଆସିବାର ସୁଯୋଗ ପାଇନଥିଲି କାରଣ ପୁରୀ ଗଲେ ସିଧା ବାଟ ମଙ୍ଗଳାଙ୍କୁ ଦର୍ଶନ କରି ଚାଲିଯାଉ, ମାସକୁ ଥରେ ଯେମିତି ପୁରୀ ଯାଉ ଏଥର କିନ୍ତୁ ଜିଦ୍ କରି ମୋ ପ୍ରିୟ ଗ୍ରାମକୁ ଯିବା ପାଇଁ ସ୍ୱାମୀଙ୍କୁ ଅନୁରୋଧ କରିଥିଲି ସେ ମୋ ଜିଦକୁ ସମ୍ମାନ ଜଣାଇ ଗ୍ରାମକୁ ଯାଇଥିଲେ, ମୋର ପିତା ମାତା ଭୁବନେଶ୍ୱରରେ ରୁହନ୍ତି, ଗ୍ରାମରେ ଦଦେଇ ଦେଠେଇ,କକେଇ ଖୁଡି ରୁହନ୍ତି, ସେଠାରେ ମୋ ପିତାଙ୍କର ସ୍କୁଲ, ଯେଉଁଠି ମୋ ଜେଜେଙ୍କଠୁ ଆରମ୍ଭ କରି ଦଦେଇ, ମୋର ନନା, କକେଇ, ପିଉସୀ ନାନି ସମସ୍ତେ ପଢ଼ିଥିଲେ, ଦେଖି ଅତି ଖୁସି ହୋଇଗଲି, ପୋଖରୀ, ଗ୍ରାମ ମନ୍ଦିର, ନଡ଼ିଆ କଦଳୀ ବାଉଁଶ ତୋଟା ଦେଖି ମନ୍ତ୍ର ମୁଗ୍ଧ ହୋଇ ମୋ ସ୍ୱାମୀଙ୍କ ମୁହଁକୁ ଚାହିଁଲି ସେ ମଧ୍ୟ ସମ ଖୁସି ଥିଲେ ଅନୁଭବ କରିଲି, ବହୁ ସମୟ ପରେ ମୋ ପିତାଙ୍କର ଘର ଅଗଣାରେ ବସି ଚତୁର୍ଦ୍ଦିଗକୁ ଚାହିଁ ଖୁସି ହେଉଥିଲି.....
ଦେଠେଇ ଡାକ ପକେଇଲେ,ଧନ ପେଟ ଗରମ ହୋଇଯିବ କିଛି ଖାଇବ ଆସ, ମୁଁ ହଁ କହି ସ୍ୱାମୀଙ୍କ ହାତ ଧରି ଭିତରକୁ ଗଲି ଦେଖିଲି ବହୁ ପ୍ରକାର ମୋ ବଡ଼ ଭାଉଜ ପରଶୁଥାଆନ୍ତି ଗରମଭାତ, ହରଡଡାଲି, କୋଶୋଳାଶାଗ, ବଡ଼ିଚୁରା, ମାଛ ବେସର, ନଡ଼ିଆବରା, ଲମ୍ବା କାକୁଡି ଖଣ୍ଡ, ଭାଉଜଙ୍କ ହାତରନ୍ଧା ବାସ୍ନାରେ ଫାଟି ପଡୁଥାଏ, ମୁଁ କଣେଇ କି ଭାଉଜଙ୍କ ମୁହଁକୁ ଚାହିଁଲି ସତରେ କି ସୁନ୍ଦର.. ରୂପ ଯେମିତି ଗୁଣ ବି ସେମିତି ଶାନ୍ତ ସରଳ କର୍ମଠ ମହିଳାଟିଏ, ପୁରା ଘରକୁ ସ୍ନେହ ମମତାର ଡୋରିରେ ବାନ୍ଧିଛନ୍ତି, ପିଲାବେଳୁ ଯାହା ଦେଖିଆସିଥିଲି ବହୁ ଦିନ ପରେ ବି ସେହି ଭାବରେ କିଛି ପରିବର୍ତ୍ତନ ଘଟିନି, କେବଳ କିଛି ଚୁଟି ଧଳା ହୋଇଯାଇଛି, ମୋର ସ୍ୱାମୀ ମଧ୍ୟ ଏହି ପ୍ରକାର ଦେଶିଆ ଖାଦ୍ୟକୁ ଭାରି ପସନ୍ଦ କରିଲେ, ପୁରୀ ଆଡେ ମାଛ ବେସର, ମହୁର, ନଡ଼ିଆ ବରା ଭାରି ପ୍ରସିଦ୍ଧ। ଖାଇବା ପରେ ଟିକେ ବିଶ୍ରାମ ନେଇ ବାହାରି ପଡ଼ିଲୁ ।
ପୁରୀ ପାନ୍ଥନିବାସରେ ପହଞ୍ଚି ଧୁଆଧୋଇ ହୋଇ ସନ୍ଧ୍ୟା ବେଳକୁ ଜଗନ୍ନାଥ ମନ୍ଦିରକୁ ଯାଇ ଦର୍ଶନ କରିଲୁ, ତାପରେ ସମୁଦ୍ର କୂଳ ଅଭିମୁଖେ ବାହାରି ପଡ଼ିଲୁ, ଓଃ କି ସୁଲୁସୁଲିଆ ପବନ, ଚେୟାର ଦୁଇଟି ମଗାଇ ବସିଲୁ,ଚା ଓ ଛୋଟ ସିଙ୍ଗଡ଼ା ମଗାଇ ଖାଇବାର ମଜା ନେଲୁ। ରୁମରୁ ସମୁଦ୍ର ଦେଖାଯାଉ ଥିବାରୁ ରାତି ଆଠଟା ବେଳକୁ ଫେରି ଆସିଲୁ, ରାତ୍ରି ଭୋଜନ ବ୍ୟବସ୍ଥା ସେଇଠି ହୋଇଥିଲା, ଭୋଜନ ସାରି ବାଲ୍କୋନିରେ ଚେୟାର ପକେଇ ବସିଲୁ, ସମୁଦ୍ର ପୁରା ଦେଖାଯାଉଥିବାରୁ ଏଗାରଟା ପର୍ଯ୍ୟନ୍ତ ଦୁଇ ଜଣ ଉପଭୋଗ କଲୁ, ସତେ ଯେମିତି ଆମେ ଦୁଇ ନବବିବାହିତ ଯୋଡ଼ି, ହନିମୁନ୍ ପାଇଁ ପୁରୀକୁ ଆସିଛୁ, ସେହି ଆବେଗ, ସେହି ରୋମାଞ୍ଚିତ ପୁଲକ, ସେହି ମଧୁର ସ୍ଵପ୍ନ ଆମକୁ ଜାବୁଡ଼ି ଧରି ଥିଲା, ସୁଲୁସୁଲୁ ପବନରେ ଆମ ମନ ମନ ପୁଲକିତ ହୋଇ ଉଠିଥିଲା, ଦୁଇ ଜଣ ହାତ ଧରାଧରି ହୋଇ ଆଖିକୁ ଆଖି ମିଳାଇ ବସିଥିଲୁ, ଭୁଲି ଯାଇଥିଲୁ ବୟସ ପଚାଶ ପାଖାପାଖି, ନାତୁଣୀ ସୁଖ ପାଇଲୁଣି,ଅଜା ଆଇ ପାଲଟି ଗଲୁଣି ।
ସତରେ ମୋ ଜୀବନର ଏହି ଅନୁଭୂତି ସବୁଠାରୁ ରୋମାଞ୍ଚକର ଅଟେ,ବୟସ
କେବଳ ଗୋଟିଏ ନମ୍ବର, ମୋର ସମସ୍ତଙ୍କୁ ଅନୁରୋଧ ପ୍ରତି ମୁହୂର୍ତ୍ତକୁ ଭଲପାଅ କାରଣ ଏହି ସମୟକୁ ଆମେ ବାନ୍ଧି ରଖିପାରିବାନି କେବଳ ସୁଖଦ ଅନୁଭୂତିକୁ ମନେପକାଇ ଆମେ ଆଗକୁ ବଢ଼ିବାର ପ୍ରେରଣା ପାଇବା।