ବନ୍ଧୁତା
ବନ୍ଧୁତା
ଜୀବନ ରାସ୍ତାରେ ଚାଲୁ ଚାଲୁ ଅନେକ ବନ୍ଧୁ ମିଳିଛନ୍ତି, ଜନ୍ମ ପରଠାରୁ ନିଜ ନିଜର ପରିବାର ଭିତରେ ଭାଇଭଉଣୀ ମାନେ, ରକ୍ତର ସମ୍ପର୍କ ସହିତ ବନ୍ଧୁର ସ୍ଵାଦ ପ୍ରଥମେ ଚଖେଇ ଥାଆନ୍ତି,ଏଠି ପ୍ରଶ୍ନ ଆସିପାରେ ରକ୍ତର ସମ୍ପର୍କ ନିଜର ବନ୍ଧୁ କେମିତି ? ଆପଣ ମାନଙ୍କ ଉପରେ ତାର ଉତ୍ତର ଛାଡିଲି
ବଡ଼ ହେଲାପରେ ସ୍କୁଲରେ ପାଦ ଥାପିଲି,ସେଠି ଇନ୍ଦ୍ରଧନୁ ର ଛଟାପରି ଗୁଡ଼ିଏ ବନ୍ଧୁ ପାଇଲି, ଅପୂର୍ବ ସ୍ଵାଦ ଚାଖିଲି, ସେଥିରେ କପଟ, ଛଳନା, କିଛି ନଥିଲା,ସତରେ ବାଲିରେ ଘାଣ୍ଟି ହୋଇ ଗୋଡିରେ ଆନ୍ଠୁ ରୁ ରକ୍ତ କେତେଥର ଖେଳୁ ଖେଳୁ ପଡ଼ିଛି,ଛୋଟିପାରା, ଲୁଚକାଳି ଖେଳରେ ଖେଳଛୁଟି ସମୟରେ କେତେ ଆନନ୍ଦ ଅନୁଭବ କରିଛି, ଏହି ସମୟ ବୋଧହୁଏ ସମସ୍ତଙ୍କ ଜୀବନ ର ଆନନ୍ଦମୟ ଅଟେ,କଟି ମିଟି ଝିମିଟି କଳିରେ ଅପୂର୍ବ ମାଦକତା ରହିଥାଏ, ଏହି ବନ୍ଧୁ ଗୁଡିକ ପ୍ରଜାପତି ସଦୃଶ, ବିଭିନ୍ନ ରଙ୍ଗରେ ରଙ୍ଗାୟିତ ମନଟି ଫଡ ଫଡ ହୋଇ ଉଡୁଥାଏ ।
ହାଇସ୍କୁଲ ଜୀବନରେ ପ୍ରଥମ ଦିନର ଅନୁଭୂତି କେହି ଭୁଲନ୍ତି ନାହିଁ ବୋଧହୁଏ, କେମିତି ସ୍କୁଲରେ ପାଦ ଥାପିଲେ, ବଡ଼ ପିଲା ହୋଇଯିବାର ଅନୁଭବ ହୋଇଥାଏ, ନୂଆ ନୂଆ ମୁହଁ ଓ ବାଲ୍ୟକାଳ ଅର୍ଥାତ୍ ୟୁପି ସ୍କୁଲର କିଛି ପୁରୁଣା ବନ୍ଧୁ ମାନଙ୍କ ସହିତ ଭେଟ ହୋଇଥାଏ, ନୂଆ ପୁରୁଣା କୁ ନେଇ ଷଷ୍ଠ ଶ୍ରେଣୀ ରୁ ସ୍କୁଲ ଶେଷ ଭିତରେ ବହୁ ନିବିଡ଼ ବନ୍ଧୁତ୍ୱ ସୃଷ୍ଟି ହୋଇଯାଇଥାଏ, କୁହାଯାଏ ଏହି ସମୟ ଓ ବନ୍ଧୁ ମାନେ ଜୀବନ ର ଶେଷ ଭାଗ ପର୍ଯ୍ୟନ୍ତ ଯୋଡ଼ି ହୋଇ ଥାଆନ୍ତି, ଦୁଃଖ ସୁଖ ର ନଇରେ ଏହି ବନ୍ଧୁ ମାନଙ୍କୁ ନେଇ ପହଁରା ଯାଇଥାଏ, ଏହା ଭିତରେ କେତେକ ଙ୍କ କୃଷ୍ଣ ସୁଦାମାର ବନ୍ଧୁତ୍ୱ ସହିତ ତୁଳନା କରାଯାଏ କିନ୍ତୁ ପ୍ରକୃତରେ ବାସ୍ତବ ପକ୍ଷେ ଏମିତି ବନ୍ଧୁ କେତେ ଜଣଙ୍କ ଭାଗ୍ୟରେ ଥିଲେ ମିଳେ ଅର୍ଥାତ୍ ମିଳିଛି ସେମାନଙ୍କ ଉପରେ ଇଶ୍ବରଙ୍କ ଆଶ୍ରିବାଦ ଅଛି କହିଲେ ଭୁଲ୍ ହେବନି।
ସ୍କୁଲ ସମାପ୍ତ ପରେ କଲେଜ ଜୀବନ ଏହି ଅନୁଭଵ ଅଧିକ ନିଆରା, ମୁଁ ସ୍ବତଃ କଲେଜ କୁ ପାଦ ଥାପିବାର ଆଗ୍ରହ ସହିତ ବହୁ ସୁନ୍ଦର ସ୍ବପ୍ନ ସଜାଇ ରଖିଥିଲି କାରଣ ମଣିଷ ଏହି ଠାରେ ଭବିଷ୍ୟତ ର ମହଲ ଅର୍ଥାତ୍ ଜୀବନ ର ଲକ୍ଷକୁ ସାକାର ପାଇଁ ପ୍ରଚେଷ୍ଟା କରିଥାଏ ଯଦିଓ ସ୍କୁଲରୁ ତା ସ୍ବପ୍ନ ର ମୂଳଦୁଆକୁ ସେ ମଜୁଭୁତ୍ କରି ଗଢିଥାଏ, ଏହି ଠାରେ ଯେଉଁ ବନ୍ଧୁ ମାନେ ଗଢିଥାଆନ୍ତି ସେମାନେ ପୁରାପୁରି ସ୍ବତନ୍ତ୍ର ଋପର ହୋଇ ଥାଆନ୍ତି, ଯଦି ଏକା ପାଠ ନେଇଥିବେ ବନ୍ଧୁ ଯୋଡ଼ି ହୋଇ ରହିବେ ନଚେତ୍ ହାଏ ବାଏ ରେ କାମ ଚଳାଯାଏ,କୋ ଏଜୁକେସନ୍ ହୋଇଥିଲେ କେତେକ ପୁଅଝିଅ ବନ୍ଧୁତ୍ୱ ଡୋରି ରେ ବାନ୍ଧି ହୋଇ ଆକର୍ଷଣ ର ଉପର ପାହାଚ କୁ ଯାଇ ପ୍ରେମ ର ଡୋରି ରେ ବାନ୍ଧି ହୋଇ ଯାଆନ୍ତି, ଏହି ପ୍ରେମୀ ବନ୍ଧୁତ୍ୱ କେତେ ଜଣଙ୍କର ସାକାର ହୋଇ ଥାଏ ପୁଣି କେତେକ ବିଫଳ ହୋଇଥାନ୍ତି, କେତେକ ନିଜ ଭିତରେ କାରିୟର୍ ଓ ଜାତି ଗୋତ୍ରର ପ୍ରଶ୍ନ ଥୋଇ ଆପୋଷ ବୁଝାମଣା କରି ଦୂରେଇ ଯାଆନ୍ତି, ଏହି ସମୟର ଅନୁଭୂତି ଅଦ୍ଭୁତ ଓ ଘଟଣା ବଳୀ, ମୁଁ ନିଜ କଥାଟିକୁ ଏଠି ବଖାଣୁଛି ମୋର ବନ୍ଧୁତ୍ୱ ସାକାର ହୋଇଥିଲା ଓ ମୁଁ ବନ୍ଧୁ ଋପରେ ଏକ ସୁନ୍ଦର ମନର ଅଧିକାରୀ ବ୍ୟକ୍ତିତ୍ଵ କୁ ଜୀବନ ସାଥି ଋପରେ ପାଇଥିଲି ଏହି ସମୟ ମୋ ଜୀବନ ର ଗତି କୁ ନୂଆ ମୋଡ଼ ଦେଇଥିଲା, ମୁଁ ନିଜର ସ୍ବପ୍ନକୁ କଲେଜ ଜୀବନ ପରେ ସାକାର କରିପାରିଥିଲି, ମୋର ଜୀବନ ସାଥି ପ୍ରେରଣା ର ଉସ୍ଛ ଥିଲେ, ବନ୍ଧୁତା ର ଡୋରି କୁ ଜୀବନ ର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଭିଡି ଚାଲିଥିଲେ, ଅତୀତ କରିଛି ଏଥିପାଇଁ ମୋ ଜୀବନ ବନ୍ଧୁ କୁ ମୁଁ ହରାଇ ସାରିଛି କିନ୍ତୁ ତାଙ୍କ ଭଲପାଇବା କୁ ମୁଁ ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛି ଓ ସେ ମୋ ପାଇଁ ମୋ ଶ୍ବାସ କ୍ରିୟା ମୁଁ ଥମିଗଲେ ସେ ଥମିଯିବେ, ବନ୍ଧୁତ୍ୱ ର ଇଏ ଭି ଏକ ଋପ ନୁହେଁ କି ?
ଜୀବନ ରାସ୍ତାରେ ନିଜ ସନ୍ତାନ, ବନ୍ଧୁବାନ୍ଧବ, ନିର୍ଜୀବ ସଜୀବ ଋପରେ ବହୁ ବନ୍ଧୁ ମାନେ ଆସନ୍ତି ସନ୍ତାନ ଶ୍ରେଷ୍ଠ ବନ୍ଧୁ ଋପେ ଶେଷ ପର୍ଯ୍ୟନ୍ତ ବାପା ମାଆ ଙ୍କ ପାଇଁ ଚିନ୍ତା କରନ୍ତି ଠିକ୍ ସେମାନେ ଶିଶୁ ରୁ ବଡ଼ ହୋଇ ନିଜ ଗୋଡ଼ରେ ଠିଆ ହେବା ପର୍ଯ୍ୟନ୍ତ ପିତା ମାତା ଯେମିତି ଚିନ୍ତାଶୀଳ ହୋଇ ଥାଆନ୍ତି ଏଠି କହି ରଖୁଛି କେତେକ ହତଭାଗ୍ୟ ମାତା ପିତା ସନ୍ତାନ ଆକ୍ଷେପ ଅବହେଳା ର ଶୀକାର ହୋଇ ସନ୍ତାନ ଶ୍ରେଷ୍ଠ ବନ୍ଧୁତ୍ୱର ମାନକୁ କ୍ଷୁର୍ଣ୍ଣ କରିଥାଆନ୍ତି ଯାହା ଅତି କ୍ଷୋଭ ଓ ଲଜ୍ୟା କର ବିଷୟ
ରାସ୍ତାରେ ଯାଉ ଯାଉ ନିଦାଘ ଗ୍ରୀଷ୍ମ କୁ ସହି ନପାରି ଗଛର ଛାଇ ରେ ଆଶ୍ରୟ ନେବା, ବର୍ଷା ରେ ଭିଜି ଯିବା ଭୟରେ ଟିଣ ଦୋକାନ ତଳେ,ଛାତ ତଳେ, ଗଛ ତଳେ ଆଉଜି ନିଜକୁ ରକ୍ଷା କରିବା ସଜୀବ ନୀର୍ଜୀବ ବନ୍ଧୁତ୍ୱର ଜ୍ୱଳନ୍ତ ଉଦାହରଣ ନୁହେଁ କି ? ପୋଖରୀ ତୁଠରେ ଗାଧେଇବା, ଗ୍ରାମ ପୋଖରୀ ରେ ଛୁଆ ଠାରୁ ବଡ଼ ପର୍ଯ୍ୟନ୍ତ ପହଁରି ଆନନ୍ଦ ଉଠାଇବା ବନ୍ଧୁ ର ଉଦାହରଣ ନୁହେଁ କି ? ପାଣି, ପବନ, ଜଳବାୟୁ, ବୃକ୍ଷ ମଣିଷ, କୁକୁର, ବିଲେଇ, ଗୃହପାଳିତ ପଶୁ, ଚଢ଼େଇ,ବଣ ଜଙ୍ଗଲ, ଲତା, କୀଟ, ମୃତ୍ତିକା ସମସ୍ତେ ଏହି ଜୀବନ ରାସ୍ତାରେ ବିଭିନ୍ନ ମାଧ୍ୟମରେ ବନ୍ଧୁତାର ଭୂମିକା ତୁଲାଇ ଥାଆନ୍ତି କିନ୍ତୁ ସ୍ୱାର୍ଥପର ମଣିଷ କେବଳ ମନୁଷ୍ୟ ସହିତ ବନ୍ଧୁତା ର ତୁଳନା କରିଥାଏ। ପ୍ରକୃତି, ପରିବେଶ, ପଶୁ ବିନା ସ୍ୱାର୍ଥରେ ବନ୍ଧୁତା ର ଭୂମିକା ନିର୍ବାହ କରିଥାଆନ୍ତି, ଏହି ମାନେ ହିଁ ତୁମ ସୁଖ ଦୁଃଖର ପ୍ରକୃତ ସାଥି ଓ ବନ୍ଦନୀୟ ଅଟନ୍ତି।
