ସ୍ବିଟି ତୁମ ପାଇଁ
ସ୍ବିଟି ତୁମ ପାଇଁ
ଜାଣେନା ଏତେ ଦିନ ହେଲାଣି ତମେ ମୋ ବିନା ଖୁସି ରେ ଥିବ କି ଦୁଃଖରେ , ଭଲରେ ଥିବ କି ମନ୍ଦରେ । ଏତିକି ଜାଣିଛି ମୋ ମନ କହୁଛି ତମେ ନିଶ୍ଚୟ ଭିତରେ ଭିତରେ ଛାଟି ପିଟି ହେଉଥିବ ମୋ ପରି ମୁଁ ଯେମିତି ହେଉଛି ଅହରହ ପ୍ରତି ମୁହୂର୍ତ୍ତରେ । ଖାଇବା ପିଇବା ଶୋଇବା ବସିବା ମୋବାଇଲ୍ ଦେଖିବା ସବୁ ଚାଲୁଛି ହେଲେ ମନ ପ୍ରଫୁଲ୍ଲିତ ମୋଟେ ନାହିଁ କାହିଁକି ନା ପାଖରେ ତୁମେ ନାହଁ , ମୁହୁର୍ତ୍ତ ଅତିବାହିତ ହେଉଛି ଘଣ୍ଟାକର ବିରକ୍ତି ପରି ।
ତୁମ ଫଟୋ ତୁମ ମୁହଁ ଦେଖି ସକାଳ ଆରମ୍ଭ ହେଉଛି ରାତିବି ସରୁଛି । ହେଲେ ତୁମେ ନାହଁ ।
କେମିତି ରହି ପାରିଲ ଏତେ ନିଷ୍ଠୁର ହୋଇ ? କେମିତି ?
ମୁଁ ସିନା ତମ ନମ୍ବର କାଟି ଦେଇଛି , କିନ୍ତୁ ତମେ ମୋତେ ଭୁଲ୍ ବୁଝିଥିବ , ଜାଣେ ଭାବିଥିବ ତମେ ମୋ କଥାରେ ଅରାଜି ହେଲ ବୋଲି ମୁଁ ସଂପର୍କ କାଟି ଦେଲି । ହେଲେ ଅସଲ କଥା ତା ନୁହେଁ , ସତ କଥା ହେଉଛି ଯାହାର ହ୍ବାଟସପ ରେ ପ୍ରଥମ ମେସେଜ ମୋ ପାଇଁ ଜାନୁ ଡାକରେ ଯୋଉଠି ଆରମ୍ଭ ହେଉଥିଲା , ଯାହା ସଂପର୍କ ତୁମେ ଠୁଁ ବି ଆହୁରି ଆପଣାର ହୋଇ ସାରିଥିଲା । ସେ ଯଦି ହଠାତ୍ ଛୋଟ ପିଲା ଟେ ପରି ଅବୁଝା ହୋଇ , ସେ ନିବିଡ଼ ସଂପର୍କ କୁ ତୁମେ ରୁ ଆପଣ କୁ ଚାଲି ଆସିଲା ମୁଁ ସେଠି କେମିତି ସମ୍ଭାଳି ପାରିଥାନ୍ତି କୁହ ?
କଣ ଭୁଲ୍ ମୋର ? କାହିଁକି ମୋତେ ଏତେବଡ଼ ସଜା ? କ'ଣ ତୁମେ ମୋ କବିତା ପଢି ସାରି ପଚାରିଥିବା ପ୍ରଶ୍ନର ଉତ୍ତର ରେ ମୁଁ ସତ କଥା ଲେଖି ଦେଇଥିଲି ବୋଲି ?
କବିତା ଏବେବି ଢଳ ଢଳ ଛଳ ଛଳ ମୋ ସାମ୍ନାରେ
କଣ ଲେଖିବି ତୁମ ବିଷୟରେ ପ୍ରିୟା
ତୁମ ରୂପରେ ତ କବିତା ସମ୍ଭାର
କେତେ ଦେଖିବି ଯେ ତୁମ ମୁହଁ
ତୁମ ଆଖି ଆଉ ତୁମ ଦର ଭିଜା ଓଠ
ଯେତେଥର ଦେଖିଲେ
ତମେ ତ ମୋତେ ତାଜମହଲ ପରି
ନୂଆ ନୂଆ ଲାଗ
ଇଛା ହୁଏ ପାଖକୁ ଯାଇ
ଭିଡି ଧରନ୍ତିକି
ହେଲେ ଡର
ତୁମ ପ୍ରେମ ଇଲାକା ରୁ
ଖସି ପାରିବି ତ ଏତେ ସହଜେ ?
ତୁମ ଆତ୍ମିୟତା ତୁମ ଭଲପାଇବା
ତୁମ ନଖରାମି ତୁମ ଚଗଲାମି
ମୋତେ କାଇଁ ଏତେ
ଆବୋରି ପକାନ୍ତି ଯେ ?
ସତରେ ତମେ ଥରେ ଆସନ୍ତନି
ପାଖେ ବସନ୍ତନି ମୋ ହାତ ଧରି ?
ସମୟ କୁ ଚୁଟକି ରେ
ବେଖାତିର କରି
ତୁମକୁ ପାଇ ପାରନ୍ତି ଆରମ୍ଭ ଠୁଁ ଶୀର୍ଷ
ଏତେ ସୁନ୍ଦରୀ ମାଳ ମାଳ
ଫେସବୁକ ପ୍ରତିଲିପି ଆଉ
ହ୍ବାଟସପ ସାରା
ହେଲେ ମୁଁ ତମ ଠାରେ କାଇଁ ଅଟକି ଗଲି ଯେ
ନାଁ ଆଗକୁ ବଢି ପାରୁଛି
ନାଁ ପଛକୁ ଫେରି ପାରୁଛି
ବର୍ତ୍ତମାନ ରେ ଛଟପଟ ହେଉଛି ଯାହା
ତୁମେ କଣ ଯାଦୁଗରୀ ନାଁ ଗନ୍ଧର୍ବ କନ୍ୟା ?
ନାଁ କୋଉ ଦେବାଂଶୀ
ଅଭିଷପ୍ତା କନ୍ୟା ଏଇ ପୃଥିବୀ ରେ ?
ଏତେ ଆକର୍ଷଣ ଏତେ ଉନ୍ମାଦନା
ଏତେ ଶିହରଣ କାହିଁକି ଯେ ?
ଜାଣିଛ
ବେଳେ ବେଳେ ଅନୁଭବ ହୁଏ
ମୁଁ କୋଉ ଜନ୍ମ ର
କୋଉ ବିଶେଷ ପୂଣ୍ୟ ଫଳରେ
ତୁମକୁ ପାଇ ଯାଇନି ତ ?
ଏତେ ବୁଝା ସୁଝା ସୁଧାର ପିଲାଟେ ହୋଇ ବି
କେମିତି ଯେ ବୁଝି ପାରୁନି
ତୁମ ଚତୁଃପାର୍ଶ୍ଵ ତୁମ ପରିବେଶ ପରିସ୍ଥିତି ?
ତୁମ ମଥାର ସିନ୍ଦୂର
ମୋତେ ରୋକି ପାରୁନି
ତୁମ ଚୁଡ଼ି ରୁଣୁ ଝୁଣୁ ମୋତେ
ଅଟକାଇ ବାଧା ଦେଇ ପାରୁନି
ତମ ଝିଅ କାଇଁ ମୋ ଝିଅ ପରି ଲାଗୁଛି
ମନ କହୁଛି ମୋତେ ବାପା ଡାକନ୍ତାନି ?
ଦୁନିଆଁ ରେ ମୋର ଏତେ ଶତ୍ରୁ
ଥାଉ ଥାଉ
ତମ ସ୍ବାମୀ କାହିଁକି ଯେ ମୋତେ
ଅୟୁତ ଅୟୁତ ଯୁଗର
ଶତ୍ରୁ ପରି ଲାଗୁଛନ୍ତି
ମୁଁ ବୁଝି ପାରୁନି
କହିବ କି ପ୍ରିୟତମା
ଇଏ ପ୍ରେମ
ନା ପାଗଳାମି ?
ନା ତମ ସୌନ୍ଦର୍ଯ୍ୟ ର ଆଭାରେ
ମୋର ଏ ବିଦଗ୍ଧ ମନର
ଏ ଅଦ୍ଭୂତ ଅଝଟାମି ?
ସତରେ ମୁଁ ତମର ହୁଏ କି ନ ହୁଅ
ହେଲେ ତମେ ମୋର ହୋଇ ସାରିଛ
ଯେମିତି ଜନ୍ମ ଜନ୍ମରୁ
ଲାଗୁଛି ଏମିତି ।
ଏବେ କାଇଁ ଆପଣା ଠୁଁ ବି ଆହୁରି
ଆପଣାର ଲାଗୁଛ ମୋତେ
ମନେ ଅଛି ନାଁ ସ୍ବିଟି ? ତମେ କବିତା ପଢୁ ପଢୁ ଏକଦମ୍ ଶିହରିତ ହୋଇ ଯାଇଥିଲ ଆଉ ଶେଷକୁ
ଲେଖିଥିଲ , " ଜାନୁ ଆଉ ରହି ପାରୁନି , ତମେ ମୋତେ ସାଙ୍ଗରେ ତମ ଘରକୁ ନେଇ ଯିବ ନାଁ ? "
ମୁଁ ହଠାତ୍ ତମକୁ ଲେଖିଥିଲି - "ଚୋପ୍ "
ତାପରେ ତମେ ଲେଖିଥିଲ -" ସରି , ମୁଁ କବିତା ପଢ଼ି ଯାହା ଅନୁଭବ ହେଲା ମୁଁ ପଚାରିଲି , ମୁଁ ଜିଣିଛି ତୁମ ପାଇଁ ମୁଁ ଯୋଗ୍ୟା ନୁହେଁ ବୋଲି "
ତାପରେ ମୁଁ ଲେଖିଥିଲି -" ସ୍ବିଟି ମୁଁ କେବେବି ଚାହିଁବିନି , ତମ ସ୍ବାମୀଙ୍କୁ ସାରା ଜୀବନ କନ୍ଦେଇ ବାକୁ । ତିନି ପରିବାରକୁ ଆମ ଦୁହିଁଙ୍କ ପାଇଁ ଉଚ୍ଛନ୍ନ କରି ଦେବାକୁ । ଆମ ପ୍ରେମ ଏମିତି ପ୍ରେମ ହୋଇ ଥାଉ ସବୁଦିନ ପାଇଁ "
ଢେର୍ ସମୟ ରୋକିଲା ପରେ ଉତ୍ତର ଫେରାଇଲ -" ଆପଣ ଯଦି ମୋତେ ସତରେ ଭଲ ପାଉଥାନ୍ତେ ତେବେ ମୋତେ ଗ୍ରହଣ କରିବାକୁ କେବେ ବି ମନା କରି ନଥାନ୍ତେ ।
ମୁଁ ଆପଣଙ୍କ ସହ ଯାଇ ନଥାନ୍ତି ମୁଁ ବି ପରିବେଶ ପରିସ୍ଥିତି ସବୁ ବୁଝୁଛି , ହେଲେ ଆପଣ ମନା କରିଦେଲେ । "
ବାସ୍ , ଆପଣ ର ପ୍ରାଚିର ଉଠିଗଲା ସେଇଠି ଆମ ଦୁହିଁଙ୍କ ମଝିରେ । ମୋର ଯେତେ ଅନୁରୋଧ ଯେତେ ବୁଝା ବୁଝି ଯେତେ ସ୍ବିଟି ଡାକ ତୁମ ଉପରେ କିଛି ବି ପ୍ରଭାବ ପକାଇଲା ନାହିଁ । ଯେମିତି ମୋର ଗୋଟିଏ ନା ରେ ସଂପୂର୍ଣ୍ଣ ମୁହଁ ମୋଡି ଦେଲ ମୋତେ ।
ଯେତେ ବାଧ୍ୟ କଲି ଆଉ ମୋ ପୁରୁଣା ସ୍ବିଟିକୁ ପାଇଲିନି ସେଇ ମୁହୁର୍ତ ରେ । ଭଲ ମନ୍ଦ ପଚାରିଲି ମନାକଲ । ମିଠା ମିଠା କଥା କହି ବୁଝାଇବାକୁ ଯେତେ ଚେଷ୍ଟା କଲି ତୁମେ ସେତେ ଅଝଟ ହେଲ ପିଲାପରି । ରାଗିଲି ଅଭିମାନ କଲି ତୁମ ଉପରେ , କହିଲି ମୋର ତୁମେ ସବୁବେଳେ ସ୍ବିଟି ହୋଇ ରହିବ ଆଉ ମୁଁ ସବୁବେଳେ ତୁମ ଜାନୁ , ଏ ସଂପର୍କ ବ୍ୟତୀତ ମୁଁ ଆଉ କିଛି ଚାହେଁନା । କିନ୍ତୁ ତମେ ମୋତେ ତା ପର ଠାରୁ ଜାନୁ ବଦଳରେ ଖାଲି ସାର୍ ଡାକିଲ , ତମେ ବଦଳରେ ଆପଣ ସମ୍ବୋଧନ କଲ ।
କେମିତି ସହି ଥାଆନ୍ତି କୁହତ ?
ତାପରେ ତୁମେ ଲେଖିଲ -"ମୁଁ ସହି ପାରିବିନି ବନ୍ଧୁତା କାଟିଲେ , ଆମେ ସବୁଦିନ ଏମିତି ବନ୍ଧୁ ହୋଇ ରହିବା "
ମୋତେ ଲାଗୁଥିଲା ତମର ସବୁ କଥା ସେତେବେଳେ ମୋ ପାଇଁ ସାନ୍ତ୍ଵନା ଭଳି ।
ସେତେବେଳେ କହିଥିଲି ପୁଣି ଆଜି କହୁଛି ସ୍ବିଟି ।
ଝରଣା ର ପାଣି କେବେ ଓଲଟା ପଛକୁ ଫେରିବା ଦେଖିଛ ?
ଝରଣା ବହୁଥାଏ ନଦୀ ରେ ମିଶିବା ପାଇଁ । ଆମ ସଂପର୍କ ଝରଣା ଭଳି କୋଉଠି ମିଶିବ କି ନ ମିଶିବ ସେଇଟା ପର କଥା ହେଲେ ତୁମେ ୟେ ଝରଣାକୁ ପଛକୁ କେମିତି ଫେରାଇ ନେଉଛ ? ସଂପର୍କ ଆପଣ ଠୁ ଆରମ୍ଭ ହୋଇ ତମେ ତାପରେ ଦରକାର ପଡିଲେ ତୁ ରେ ପହଞ୍ଚି ପାରେ, ହେଲେ ତୁମେ ! ତୁମେ ରୁ ହଠାତ୍ ଆପଣ କୁ କେମିତି ଫେରି ପାରୁଛ ?
ସଂପର୍କ ଆରମ୍ଭ ହୋଇ ବନ୍ଧୁ ହେବା ସହଜ ହେଲେ ବନ୍ଧୁ ରୁ ପ୍ରେମିକ ହେବା ପରେ ତୁମେ ପୁଣି କହୁଛ ବନ୍ଧୁ ହେବା ପାଇଁ । ମୁଁ କେମିତି ଗ୍ରହଣ କରିଥାନ୍ତି ? ମୋ ପାଇଁ ତ ଜମା ସହଜ ନଥିଲା ଏଇଟା ।
କିନ୍ତୁ ତୁମେ ବୁଝିଲନି , ସେଇ ଆପଣ ରେ ରହିଗଲ ।
ସବୁଦିନ ଅନ୍ଲାଇନ୍ ଆସିବା ପରେ ଯାହାର ମେସେଜ୍ ରେ ମୋବାଇଲ୍ ଫୁଲ୍ ହୋଇଯାଏ ,
ଖାଇଛ ନାଁ ନାହିଁ ?
ଏତେ ବେଳ ହେଲାଣି କେତେବେଳେ ଉଠିବ ଯେ ?
ଦେହର ଆଉ ଯତ୍ନ ନେଉନ ଲାଗୁଛି "
ଆଉ ଆଜି କ'ଣ ଲେଖା ଲେଖି ଚାଲିଛି ?"
ସଂଧ୍ୟା କୁ କଲ୍ କରିବି ହେଲା ?"
ନହେଲେ ଇଏ ଗଲା ପରେ "
ଜାନୁ ଗୋଟେ କିସ୍ ଦିଅ ନାଁ " ............................
......................
ହେଲେ ଏବେ ??
ସେଇ ସ୍ବିଟି ତମେ ଟି ? ସକାଳ ର ଗୋଟିଏ ଗୁଡ ମର୍ଣିଂ କହି କେମିତି ଯେ ରହିଗଲ ମୁଁ ଜାଣି ପାରିଲିନି ।
କେମିତି ସହି ଥାଆନ୍ତି ?
କଣ ତମକୁ ମୋର କରି ସାଥିରେ ଆଣିବାକୁ ହଁ କହିଲିନି ବୋଲି ?
ଆଛା କୁହତ , ତୁମ ସିନ୍ଥିରେ ଆଉ କାହା ସିନ୍ଦୂର , ମୁଁ କେମିତି ତୁମ ହାତ ଧରି ଆମ ଘର ଏରୁଣ୍ଡି ବନ୍ଧ ଡେଇଁ ଥାନ୍ତି ? ଥରେ ଭାବ ମୁଁ ପୁଅଟେ ମୋର କିଛି ନାହିଁ କଡାକରି ପଦେ ଝାଡି ଦେଲେ ସମସ୍ତେ ଚୁପ୍ , ହେଲେ ତମେ ?
ତମେ ମୁହଁ ଉଠେଇ ଚାହିଁ ପାରିଥାଆନ୍ତ ତ ? ଆମ ପଡିଶା ଘର ବାଡି ଟିୟୁବୈଲ୍ କୁ ପାଣି ଆଣି ଗଲାବେଳେ ପର ସ୍ତ୍ରୀ ଙ୍କ ଗଞ୍ଜଣା ସହି ପାରିଥାନ୍ତ ତ ? ବାପ ଘର ଶାଶୁ ଘର ଇଜ୍ଜତ୍ କୁ ଗୋଡରେ ଆଡେଇ ଯେତେବେଳେ ସବୁଦିନ ପାଇଁ ମୋ ଭରଷା ରେ ଆସିଥାନ୍ତ , କଣ ସେମାନଙ୍କ ଲୁହରେ ଶାନ୍ତି ରେ ରହି ପାରି ଥାନ୍ତ ତ ? କୋଠା ମାର୍ବଲ ଘରର ଦେହଟା ମାଟି ଗୋବର ଚାଳ ଛପର ଘରେ ତିଷ୍ଠି ପାରି ଥାଆନ୍ତା ତ ?
ସ୍ବିଟି
ପ୍ରେମରେ ପଡ଼ି ଆକାଶୁ ଚାନ୍ଦ ତୋଳିବା କଥା କହିବା
ଆଉ ସଂସାର ଗଢ଼ିବା , ବହୁତ ଅଲଗା କଥା ।
ସ୍ବିଟି , ହୃଦୟ ରେ କାହା ପ୍ରତି ଦୂର୍ବଳତା ଆସି ତାର କିଛି ଭଲ ଗୁଣ ତୁମର ଦୃଷ୍ଟି ଆକର୍ଷଣ କରି ତମକୁ ତା ସହ ପ୍ରେମ ହୋଇଗଲେ ନିଜର ଚାରିପାଖର ଦୁନିଆଁ କୁ ଆଖି ବୁଜି ଦିଆ ଯାଏନି । କି ସେ ପ୍ରେମ ରେ କିଛି ପ୍ରାପ୍ତି ବା ସ୍ବୀକୃତି ନ ମିଳିଲେ ସେ ସଂପର୍କ କୁ ସାମାନ୍ୟ ନାମ କୁ ମାତ୍ର କରି ଦିଆ ଯାଏନି ।
ବରଂ ହୃଦୟ ରେ ସେ ପ୍ରିୟ ମଣିଷର ପ୍ରେମ କୁ ସାଇତି ସବୁଦିନ ପାଇଁ ନିଜର କରିକି ରଖିବି ହୁଏ ।
ଆଉ ଅଧିକ କ'ଣ ପାଇଥାନ୍ତ ଯେ ସ୍ବୀକୃତି ଆମ ପ୍ରେମରୁ ? ହୃଦୟ ରୁ ଦୁହେଁ ଦୁହିଁଙ୍କୁ ନିଜର ଭାବି ସାରିଥିଲେ , ଆଉ ଅଧିକା ଟା କଣ ବା ଲୋଡା ଥିଲା କୁହତ ?
ସତ କହିବ ସ୍ବିଟି , ଆମର ସାକ୍ଷାତ ହେଉ ଅବା ନହେଉ ତମେ ମୋତେ ଭଲକି ଜାଣ କିବା ନଜାଣ ( ତୁମ ପରି ମୁଁ ବି )
ହେଲେ ଯେତେ କଥା ହେଉଥିଲେ ରାତି ରାତି ଚାର୍ଟିଙ୍ଗ୍ , ତମ ସୁରକ୍ଷା ସୁବିଧା ଦେଖି ନିଜ ମୁତାବକ ଦିନେ ଅଧେ ଫୋନ୍ କଲ୍ । ସତରେ କେତେ ସୁଖ କର ଥିଲା କୁହତ ?
ନାଁ ଅଧିକ କିଛି ପାଇବାର ଥିଲା ତୁମର ଆଶା , ନାଁ ମୋର ଲୋଭ , କେବଳ ତୁମର ସେଇ ଦରଭିଜା ଓଠରେ କେଇପଦ ଆପଣାର ଅନ୍ତରଙ୍ଗ ଚୁପିଚୁପି ମିଠା କଥା ବ୍ୟତୀତ ।
ହେଲେ ତୁମେ ବୁଝିଲନି , ମୋର ଛୋଟ , ସତ ଅଥଚ ନିର୍ଭିକ ଉତ୍ତର ଟେ ପାଇଁ ତୁମେ ମୋ ଠାରୁ ତୁମର ସେ ଆପଣାପଣ ର ଅଧିକାର ଟିକକ ଛଡେଇ ନେଲ । ପାଖରେ ଥାଇ ବି ଦୂରେଇ ଗଲ । ତୁମେ ରୁ ଆପଣ କରିଦେବା ଦୁରେଇ ଯିବା ସହ ସମାନ ନୁହଁ ତ ଆଉ କ'ଣ ? ମୁହୂର୍ତ୍ତ କରେ ନିଜକୁ ଝରଣା ପରି ଚଳଚଞ୍ଚଳ କରି ମୋ ପାଖରେ ନଦୀ ପରି ମୁକ୍ତ କରିଦେବା ମଣିଷ ଟେ ଯଦି ମୋଠୁ ମୁହଁ ଫେରେଇବ , ଯଦି ମୋ ପାଖରେ ଧରାଦେବା ବଦଳରେ ନିଜ ଭିତରେ ନିଜକୁ ଲୁଚାଇବ କେମିତି ଲାଗିବ କୁହ ତ ?
ଏ ହୃଦୟ ସହି ପାରିବ ତ ?
ତୁମେ କଣ ଭାବୁଛ ମୁଁ ଖାଲି ଦେହ ଚାହୁଁଥିଲି , ତୁମ ସହ ଅଶ୍ଲୀଳ କଥା ହେବା ପାଇଁ ସଂପର୍କ ମଜବୁତ କରିଥିଲି ?
କେବେ ନୁହେଁ । ଆମ ଭିତରେ ହୃଦୟ ର ସଂପର୍କ ନିଶ୍ଚୟ ଥିଲା ନହେଲେ ଏମିତି କଷ୍ଟ ଏମିତି ଯନ୍ତ୍ରଣା କେବେ ବି ଅନୁଭବ ହୋଇ ନଥାନ୍ତା ତୁମେ ଦୁରେଇ ଯିବା ପରେ ପରେ ।
କହୁଥିଲ ପରା , ମୋ ସହ କଥା ନହୋଇ ଦିନେ ବି ରହି ପାରିବନି ବୋଲି ? କହୁଥିଲ ପରା ମୁଁ ସଂପର୍କ କାଟିଦେଲେ ତୁମେ କାଳେ ମରିଯିବ ? ତେବେ କେମିତି ରହିଛ ଏତେ ଦିନ ହେବ ମୋ ସହ ଟିକେ ବି କଥାବାର୍ତ୍ତା ନ ହୋଇ ? ଟିକିଏ ବି ମେସେଜ ନ କରି , ମୋ ଭଲ ମନ୍ଦ କଥା ନ ପଚାରି ? ହାଁ ? କେମିତି ?
ମୁଁ ତୁମ ନମ୍ବର ଡିଲେଟ୍ କରି ଦେଲି , ନହେଲେ ନିଜକୁ ନିୟନ୍ତ୍ରଣରେ ଜମା ରଖି ପାରି ନଥାଆନ୍ତି ସତରେ ।
ଅନଲାଇନ ରେ ରହି ହ୍ବାଟସପ ରେ ତୁମର ନୀରବତା ମୋତେ ବହୁତ କଷ୍ଟ ଦିଏ । ସମୟ ଟା ଖାଲି ବୋରିଂ ନୁହେଁ ତ ଜେଲ୍ ର ସଜା ପରି ଅନୁଭବ ହୁଏ ।
ମୋର ବିଶ୍ବାସ ଥିଲା ମୁଁ ମେସେଜ ଟେ ନକଲେ ବି ତୁମେ ନିଶ୍ଚୟ ମେସେଜ କରିବ ଭଲ ମନ୍ଦ କଥା ପଚାରିବୁଝିବ ହେଲେ ନା ସେମିତି କିଛି ବି ହେଲାନି ।
ଓଃ ପରୀକ୍ଷା ନେଉଛ କି ମୋର ମୁଁ କେତେ ଦିନ ରହି ପାରୁଛି ତୁମ ବିନା ? ନା ଭାବୁଛ ତୁମେ , ସେ ଯଦି ରହି ପାରୁଛନ୍ତି ମୁଁ କାଇଁ ରହି ପାରିବିନି ?
ହଉ ତେବେ ଶୁଣ ତାର ଉତ୍ତର, ମୋ ପାଖରେ ତୁମର ଭଏସ୍ ରେକର୍ଡିଙ୍ଗ୍ ଅଛି ଦିନ ରାତି ସକାଳ ସଂଧ୍ୟା ଅପରାହ୍ନ ଯେତେବେଳେ ତୁମ ଭାବନା ମୋତେ ହଲଚଲ୍ କରିଦିଏ ମୁଁ ସେ ରେକର୍ଡିଙ୍ଗ୍ କୁ ଶୁଣେ । ଆଉ ତମେ ମୋ ପାଖରେ ଅଛ ବୋଲି ଭାବି ମନକୁ ମିଛ ସାନ୍ତ୍ବନା ଦେଇ ବୁଝାଉଥାଏ ବାର ବାର । ଏଥର କୁହ ତୁମ ପାଖରେ କଣ ଅଛି ମୋ ନଥିବାପଣ ରେ ନିଜକୁ ସାନ୍ତ୍ବନା ଦେବା ପାଇଁ ? ତୁମେ ତ ହ୍ବାଟସପ୍ ର ପ୍ରତ୍ୟେକ ମେସେଜ କୁ ଡିଲେଟ କରିଦିଅ ସ୍ବାମୀଙ୍କ ଭୟରେ , ଆଉ ମୋତେ ବି ତାଗିଦା କର ବାରମ୍ବାର ଡିଲେଟ୍ ଏଭ୍ରିଓ୍ବାନ୍ କରିଦେବା ପାଇଁ । ତାହେଲେ ?
ମୁଁ ଏବେ ପସ୍ତଉଛି ସ୍ବିଟି , ତମ ନମ୍ବର କାଟି ଦେଇ । ଆଉ ପାରୁନି , କେତେଦିନ ବା ତୁମ ଭଏସ୍ ରେକର୍ଡିଙ୍ଗ୍ ଶୁଣି ନିଜକୁ ସାନ୍ତ୍ଵନା ଦେଇ ପାରିବି ? କେତେଦିନ ? ମୁଁ ବୋଧେ ଭାବୁଛି ତୁମ ଅଭାବ ରେ ମୋର ବଡ଼ ଅଭାବ ଟେ ହୋଇଯାଉଛି ବେଳକୁ ବେଳ । ବସିଛି ତ ବସିଛି ଚାହିଁଛି ତ ଚାହିଁଛି ସାଙ୍ଗ ମାନେ ବେଳେ ବେଳେ ଶୋଧା ଶୋଧି କରି କହୁଛନ୍ତି , "କଣ ସେମିତି ପାଗଳ ଭଳି ହେଉଛୁ ? "
ଆରେ ସତ କହୁଛି ମୁଁ ପାଗଳ ହୋଇନି କି ସେମିତି କିଛି ଲକ୍ଷଣ ମୋ ଠାରେ ଦେଖା ଯାଇନି ହେଲେ ମୋ ହ୍ବାଟସପ୍ କୁ ସବୁ ବେଳେ ଚାହିଁ ବସି ଥାଏ । କାଳେ ତୁମେ ମେସେଜ କରିବ ,ଆଉ ସବୁ ପଛ କଥା ଭୁଲି ମୋତେ କୋଳେଇ ନେବ ତମ ଆପଣାପଣରେ ।
ହେଲେ ତମ ମେସେଜ ଆସେନି କି ତମ କଲ୍ । ଚାହିଁ ଚାହିଁ ଆଖି ପାଣି ଆଖିରେ ମରେ । ବିରକ୍ତି ହୋଇ ମୋବାଇଲ ତଳେ ପକାରେ ଫୋପାଡି ଦିଏ ବାର ବାର। ତାପରେ ସ୍ବିଚ୍ ଅଫ୍ କରି ରଖିଦିଏ , ଆଶା ଥାଏ ସ୍ବିଚ୍ ଅନ୍ କଲା ବେଳକୁ ତମର ମେସେଜ କି କଲ୍ ଆସିଥିବ , ହେଲେ ନାଁ । ବରଂ ଅନ୍ୟ ମାନଙ୍କ ମେସେଜ ଅନ୍ୟ ମାନଙ୍କ କଲ୍ ମୋତେ ଅଧିକ ବ୍ୟଥିତ କରେ । ମେସେଜ ଆବାଜ୍ ଆଉ କଲ୍ ଶୁଣି ମୁଁ ଏବେ ଚମକି ପଡେ ମୋ ଛାତିରେ ଛନକା ପଶେ , ତମର କଲ୍ କି ମେସେଜ୍ ଆସିନି ତ ? ପ୍ରତି ମେସେଜ ପ୍ରତି କଲ୍ ରେ ମୁଁ ତୁମକୁ ହିଁ କେବଳ ଖୋଜେ ସ୍ବିଟି ।
ହେଲେ ତୁମେ କୁଆଡେ ଗଲ କେଜାଣି ? ମୋ ଉପରେ ଅଭିମାନ କରିଛ କି ରାଗିଛ ମୁଁ ଜାଣିନି ।
ମୋ ପରି ଗୋଟେ ସାଧାରଣ ଲେଖକର ଲେଖାରୁ ଆକର୍ଷିତ ହୋଇ ମୋ ପ୍ରେମରେ ପଡି ତୁମ ପରି ମେଧାବୀ ଶିକ୍ଷୟିତ୍ରୀ ମସ୍ତ ବଡ଼ ଭୁଲ କରିଦେଇଛି ଭାବି ଅବା ନିଜକୁ ସୁରକ୍ଷିତ ରଖିଛ , ତା ବି ଜାଣିନି ।
ହେଲେ ମୁଁ କହିବି ତୁମେ ଯାହା କଲ ଠିକ୍ କଲନି , ବିଲକୁଲ ବି ଠିକ୍ କଲନି । ମୁଁ ଯଦି ଚାହିଁବି ତମ ବ୍ୟକ୍ତିଗତ ନମ୍ବର କୁ ୟାଡୁ ସ୍ୟାଡୁ ନମ୍ବର ରୁ ବାରମ୍ବାର ଫୋନ ମେସେଜ କରି ତମ ସୁଖର ସଂସାର ରେ ଝଡ଼ ଉଠେଇ ପାରିବି । ତମକୁ ବଦନାମ କରିବା ପାଇଁ ମୋତେ ଗୋଟେ ମୁହୁର୍ତ୍ତ ଲାଗିବନି ।
ହେଲେ ମୁଁ ସେମିତି କେବେ ବି ତମ ସହ କରି ପାରିବନି ସ୍ବିଟି କେବେ ବି ନୁହେଁ । ତୁମ ପ୍ରେମିକା ପଣ ର ବିଶ୍ବାସ ଟେ ମୋ ଦ୍ବାରା କେବେବି ସେଇଟା କରାଇ ଦେବନି । ଆଉ ତମ ପ୍ରେମିକ ହୋଇଥିବା ଦାୟରେ ମୁଁ କେବେବି ସେମିତି କରି ପାରିବିନି , ସତ ଚେଷ୍ଟା କରିବା ପରେ ମଧ୍ୟ ।
ତୁମେ କଣ ଭାବୁଛ , ତମ ହ୍ବାଟସପ୍ ନମ୍ବର ସିନା କାଟି ଦେଇଛି ହେଲେ ତମ ବ୍ୟକ୍ତିଗତ ନମ୍ବର ବି ଉଡେଇ ଦେଇଛି ନା କ'ଣ ? ଜମା ନୁହେଁ ।
ମୁଁ କଲ୍ କି ମେସେଜ କାହିଁକି କରୁନି ତାହା ତମେ ଭଲଭାବେ ଜାଣ । ଯୋଉ ପାଇଁ ବାରମ୍ବାର ମୋତେ ତାଗିଦ୍ କର । ଭୟ ତୁମ ସ୍ବାମୀ ଙ୍କୁ । ଯଦି ଦେଖି ଦିଅନ୍ତି ମୋ କଲ୍ କି ମେସେଜ ତୁମ ଉପରେ ଝଡ଼ ନୁହେଁ ତ ସୁନାମୀ ଟିଏ ବହିଯିବ । ଯୋଉଟା ମୁଁ ସ୍ବପ୍ନ ରେ ବି ଚାହିଁବିନି ସ୍ବିଟି ।
ତଥାପି ନିଜକୁ ରୋକି ପାରିଲିନି ତୁମେ ନମ୍ବର କୁ ମେସେଜ କଲି , ଅତି ଭୋର୍ ସମୟରେ , ଅନୁରୋଧ କଲି କଥା ହେବା ପାଇଁ , ତମ ନମ୍ବର କଟି ଯାଇଛି ବି ଜଣାଇଲି , ତମ ଅପେକ୍ଷା ରେ ଅଛି ପ୍ଲିଜ୍ ଫୋନ କରିବ ବାର ବାର ଅନୁରୋଧ କଲି ତମେ ଦେଖିଲ , କିନ୍ତୁ କିଛି ବି ଉତ୍ତର ଦେଲନି ।
କଣ ତମ ମନରେ ଅଛି କେଜାଣି ? ହୁଏତ ଆହୁରି ଅଧିକ କଷ୍ଟ ଅଧିକ ଯନ୍ତ୍ରଣା ଦେବାକୁ ଇଛା ତମର .. ।
ତଥାପି ଆଶା ଟିଏ ଅଛି ସ୍ବିଟି ,
ମନ କହୁଛି ତମେ ନିଶ୍ଚୟ ଦିନେ ପଛ କଥା ସବୁ ମନରୁ ପୋଛି ଦେଇ , ଫୋନ୍ କରି ମୋ ସହ ଢେର୍ ଅଭିମାନ କରିବ । ମୁଁ କ୍ଷମା ମାଗିବା ବେଳକୁ ତୁମେ ଅଧାରୁ ଅଟକାଇ ଦେଇ ମୋତେ କହିବ , ନାଇଁ ଆପଣଙ୍କ ର ଖାଲି ଭୁଲ୍ ନାହିଁ ବହୁତ କିଛି ଭୁଲ୍ ମୋର ବି ଅଛି କ୍ଷମା ବିଲକୁଲ ବି ମାଗନ୍ତୁନି । ପ୍ଲିଜ୍...."
ତାପରେ ମୁଁ କହିବି , " କ'ଣ ଏବେବି ସେଇ ଆପଣରେ ରହିବ ? ତୁମକୁ ଫେରିବନି ? "
ତାପରେ ତୁମେ , " ସରି ବାବା ଭୁଲ୍ ହୋଇଯାଇଛି ' କହି ତୁମ ଦରଭିଜା ଓଠରେ ମିଠା 'ଆଇ ଲଭ୍ ୟୁ ଟେ କହିବ ।
ଆଉ ମୁଁ ତୁମକୁ ଆଇ ଲଭ୍ ୟୁ ଠୁ କହିବି ।
ତାପରେ ତମକୁ ଦଶଟା କିସ୍ ମାଗିବି ।
ତୁମେ ମୋତେ , ଲାଇନ୍ ରେ ଥାଅ କହି ସୁରକ୍ଷିତ ଯାଗାକୁ ଯିବ ଆଉ କହିବ - " କୋଉଠି ଦେବି ?"
ତାପରେ ମୁଁ କହିବି .....................
ସତ କୁହ ସ୍ବିଟି ତୁମେ ପୁଣି ମୋ ଜୀବନକୁ ଖୁବ୍ ଶୀଘ୍ର ଫେରି ଆସିବ ନାଁ ?
ପୁଣି ତୁମର ପ୍ରଥମ ମେସେଜ ରେ
" ଜାନୁ ଲଭ୍ ୟୁ , ଉଠନା ପ୍ଲିଜ୍ ଅନ୍ ଲାଇନ୍ ଆସ "
ମୋ ସକାଳ ଆରମ୍ଭ ହେବ ନାଁ ? "
ସତରେ ଫେରି ଆସ ପ୍ଲିଜ୍ ବହୁତ କଷ୍ଟ ହେଉଛି ।
ଯେବେ ବି ତମ ଜାନୁ କୁ ମନେ ପକାଇବ ନାଁ , ଜାନୁ ତମର ହିଁ ହୋଇ ଥିବ ସବୁ ସମୟରେ , ସତ କହୁଛି । ମୋ ଜୀବନେ ଅନେକ ସୁନ୍ଦରୀ ଆସିଛନ୍ତି ଆସି ପାରନ୍ତି , ହେଲେ ତୁମ ଯାଗା କେହି ବି ନେଇ ପାରିବେନି , ଏମିତି କି ଯଦି ମୁଁ ବାହା ହୁଏ ତେବେ ମୋ ସ୍ତ୍ରୀ ବି ନୁହେଁ । ତୁମେ ମୋତେ ଦେଇଥିବା ଅନୁଭବ ତୁମେ ଦେଇଥିବା ଭଲପାଇବା ତୁମେ ଦେଇଥିବା ପ୍ରେମ ପାଖରେ ମୁଁ ଚିର ଋଣି ସ୍ବିଟି । ତମେ ମୋର ସବୁଦିନ ମନେ ରହିଛ ରହିଥିବ ସେମିତି । ଯତ୍ନ ରେ ସାଇତି ରଖିଛି ତୁମକୁ , ଆଉ ତୁମେ ଉପହାର ସ୍ବରୂପ ଦେଇଥିବା ତୁମର ପ୍ରତ୍ୟେକ ମିଠା ଅନୁଭବ କୁ ।
ଫୋନ୍ କି ମେସେଜ ନିଶ୍ଚୟ କରିବ ସ୍ବିଟି
ପ୍ରତି ମୁହୂର୍ତ୍ତରେ ତୁମ ଅପେକ୍ଷାରେ ଥିବା ତୁମର ଜାନୁ ।