Subrat Rath

Romance

3.4  

Subrat Rath

Romance

ସ୍ବୀକାର

ସ୍ବୀକାର

5 mins
155


ସବୁଦିନ ଭଳି ଆଜି ମଧ୍ୟ ଅଙ୍କିତ ପ୍ରସ୍ତୁତ ହୋଇ ବ୍ୟାଙ୍କ୍ ପାଇଁ ବାହାରିଗଲା। ଅଙ୍କିତ ବିଗତ ଦୁଇ ବର୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ସୁନ୍ଦରଗଡ଼ ଶାଖାରେ ସହାୟକ ପ୍ରବନ୍ଧକ ଭାବେ କାର୍ଯ୍ୟରତ। ବାପା ମାଙ୍କର ଏକମାତ୍ର ପୁତ୍ର ସନ୍ତାନ। ବାପା ଜଣେ ରେଲୱେ କର୍ମଚାରୀ ତେଣୁ ସେମାନେ ଝାରସୁଗୁଡ଼ା ରେ ରହନ୍ତି। ବାପା ମାଙ୍କର ଏକମାତ୍ର ଇଚ୍ଛା ପୁଅର ବାହାଘର ଟା ଶୀଘ୍ର କରିବା ପାଇଁ କିନ୍ତୁ ଅଙ୍କିତ ରାଜି ହୁଏନି।

ଅଙ୍କିତ ବ୍ୟାଙ୍କ୍ ରେ ପହଞ୍ଚି ଶାଖା ପ୍ରବନ୍ଧକ ଦାସ ସାରଙ୍କ କେବିନ୍ ଭିତରକୁ ଯାଇ ତାଙ୍କୁ ନମସ୍କାର ଜଣାଇଲା। ପ୍ରତ୍ୟୁତ୍ତରରେ ସେ ମଧ୍ୟ ଅଙ୍କିତ କୁ ନମସ୍କାର ଜଣେଇ ତାଙ୍କ ସାମନାରେ ସୋଫାରେ ବସିଥିବା ଝିଅ ଟି ସାଙ୍ଗରେ ପରିଚୟ କରେଇଲେ - ଅଙ୍କିତ ଇଏ ଆମର ନୂଆ ଅଫିସର୍ ମିସ୍ ଅନୁଭା, ଆଜି ଆମ ଶାଖାରେ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି। ୟାଙ୍କୁ କାମ ସବୁ ଶିଖେଇ ଦିଅ"। ପରସ୍ପରକୁ ଅଭିବାଦନ ଜଣେଇ ଦୁହେଁ କେବିନ୍ ବାହାରକୁ ଆସିଲେ। ଅଙ୍କିତ ଅନୁଭା କୁ କାମ ଶିଖାଉ ଶିଖାଉ କେତେବେଳେ ଲଞ୍ଚର ସମୟ ହେଇଗଲା ଦୁହିଁଙ୍କୁ ଜଣା ପଡ଼ିଲାନି। ଅଙ୍କିତ କହିଲା - ଚାଲ ଟିକେ କଫି ପିଇ ଆସିବା"। ଅଙ୍କିତ ର କଥାରେ ହଁ ଭରିଲା ଆନୁଭା। ଦୁହେଁ ବାହାରେ ଥିବା ଏକ ରେଷ୍ଟୁରାଣ୍ଟରେ ଯାଇକି କଫି ଆଉ ସ୍ନାକ୍ସ ର ବରାଦ ଦେଲେ। ଅଙ୍କିତ ନିଜର ପାରିବାରିକ ପରିଚୟ ଦେଲା। ଇତି ମଧ୍ୟରେ କଫି ଆଉ ସ୍ନାକ୍ସ ଆସିଗଲା। କଫି ପିଉ ପିଉ ଅନୁଭା ନିଜର ପରିଚୟ ଦେଲା। -ଗତ ବର୍ଷ ମୁଁ ବ୍ୟାଙ୍କ୍ ଜଏନ କରିଛି। ବାପା ଅନୁଗୁଳରେ ସରକାରୀ ସ୍କୁଲରେ ଶିକ୍ଷକ ଅଛନ୍ତି। ବାପା, ମା ଆଉ ବଡ଼ ଭାଇ ଅନୁଗୁଳରେ ରହନ୍ତି"। 

ଏହାପରେ ଅଙ୍କିତ, ଅନୁଭାର ରହିବା ପାଇଁ ନିଜ ଘର ପାଖରେ ଘର ଖଣ୍ଡେ ଠିକ୍ କରି ଦେଇଛି। ତା ଛଡ଼ା ଯାବତୀୟ ଦରକାରୀ ଜିନିଷ ପତ୍ରର ବ୍ୟବସ୍ଥା କରି ଦେଇଛି। ଅନୁଭାକୁ ଏଇ ନୂଆ ଜାଗାରେ ଅଙ୍କିତ ଯୋଗୁ କିଛି ଭି ଅସୁବିଧା ହେଇନି।

ଧିରେ ଧିରେ ସମୟ ଗଡ଼ି ଚାଲିଛି। ଦୁହିଁଙ୍କ ଭିତରେ ଏକ ନୂଆ ସମ୍ପର୍କ ଗଢ଼ି ଉଠୁଛି। ଆଜିକାଲି ଅଙ୍କିତ ଆଉ ଲଞ୍ଚରେ ବାହାରକୁ ଯାଏନି। ଅନୁଭା ଘରୁ ବନେଇ ଟିଫିନ୍ ଆଣେ ଆଉ ଦୁହେଁ ସାଙ୍ଗ ହେଇକି ଖାଆନ୍ତି। ଦିନେ ଅନୁଭା କହିଲା - ବାହାରେ ହୋଟେଲରେ ବେଶି ଖାଅନି, ଦେହ ଖରାପ ହେବ। ତେଣୁ ଜଲଦି ବାହା ହେଇଯାଅ"। ଅଙ୍କିତ ଲାଜରେ ମୁଣ୍ଡ ତଳକୁ କରିଦେଲା। ଏହା ମଧ୍ୟରେ ଅଙ୍କିତକୁ ଧିରେ ଧିରେ ଅନୁଭା ଭଲ ଲାଗୁଛି। ତାର କଥାବାର୍ତ୍ତା, ବ୍ୟବହାର, ଆତ୍ମୀୟତା ଭାବ ଆଉ ମିଠା ହସ ଅଙ୍କିତର ମନରେ ଛାପ ଛାଡ଼ି ସାରିଲାଣି। କିନ୍ତୁ ତାଠାରୁ ଅନୁଭା ବୟସରେ ଦୁଇ ବର୍ଷ ବଡ଼। ଅନୁଭା ତାହାର ଜୀବନ ସଙ୍ଗିନୀ ହେବାଟା ଏକ ଦିବା ସ୍ବପ୍ନ।ମନର ଇଚ୍ଛାକୁ ତା ସାମ୍ନାରେ ପ୍ରକାଶ କରି ନିଜର ଛବିକୁ ସେ ଖରାପ କରିପାରିବନି। "କଣ ହେଲା, ମୁଁ କିଛି ଭୁଲ୍ କହିଦେଲିକି?" ଅନୁଭାର ପ୍ରଶ୍ନରେ ଅଙ୍କିତ ଫେରି ଆସିଲା ଭାବନା ରାଇଜରୁ ଆଉ କହିଲା - ନା ନା କିଛି ନାହିଁ, ମୁଁ ବାହା ହେବିନି"

- କାହିଁକି ବାହା ହେବନି? କଣ ସନ୍ୟାସୀ ହେଇକି ତପସ୍ୟା କରିବାକୁ ହିମାଳୟ ଯିବ" କହିକି ଅନୁଭା ହସିଦେଲା।

ଆଜି ଅଙ୍କିତ ବିଛଣାରୁ ଉଠି ପାରୁନି, ଭୀଷଣ ଜ୍ଵର ଦେହ ହାତ ମୁଣ୍ଡ ବଥା। ବ୍ୟାଙ୍କ୍ ଯାଇ ହେବନି ତେଣୁ ଦାସ ସାର୍ ଙ୍କୁ ଫୋନ୍ କରି ଜଣାଇଦେଲା ଆଉ ଅନୁଭା କୁ ମଧ୍ୟ ଫୋନ କରି କହିଦେଲା। ଅନୁଭା ବ୍ୟସ୍ତ ହେଇ ଆସିଗଲା ଆଉ ଅଙ୍କିତର ଦେହର ତାତି ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଲା। ମଥାରେ ପାଣି ପଟି ଦେଲା। ବିଛଣାରେ ଶୋଇ ରହିବାକୁ ହିଦାୟତ ଦେଇ ବାହାରିଗଲା। ଟିକେ ପରେ ଔଷଧ, ଥର୍ମସ୍ ରେ ଗରମ କ୍ଷୀର ଆଉ ପାଉଁରୁଟି ଆଣି ଖାଇବା ପାଇଁ ସବୁ ବୁଝେଇକି ବ୍ୟାଙ୍କ୍ ଗଲା। ୩-୪ ଦିନ ଅନେକ ଯତ୍ନ ନେଲା ଫଳରେ ଅଙ୍କିତ ଶୀଘ୍ର ସ୍ବାସ୍ଥ୍ୟ ଲାଭ କଲା।

ଅଙ୍କିତ ଜାଣିପାରିଛି କି ଅନୁଭା ଖାଲି ଏକ ଭଲ ସହକର୍ମୀ ନୁହଁ ସାଙ୍ଗକୁ ସେ ଜଣେ ସର୍ବ ଗୁଣ ସମ୍ପନ୍ନ ଝିଅଟିଏ। ତାର ହୃଦୟଟା ବହୁତ ବଡ଼। ସେ ସମ୍ପର୍କର ତାରକୁ ଯୋଡ଼ି ଜାଣେ। ଅନୁଭାକୁ ଜୀବନ ସାଥି ଭାବେ ପାଇବାକୁ ଅଙ୍କିତର ମନଟା ବ୍ୟାକୁଳ ହୋଇଉଠେ। ଶୀଘ୍ର ଗାଧେଇ ସେ ଜଗନ୍ନାଥ ମନ୍ଦିରକୁ ବାହାରିପଡ଼େ। ମହାପ୍ରଭୁଙ୍କ ଆଗେ ଦୁଇ ହାତ ଯୋଡ଼ି ମନେ ମନେ ବିନତୀ କଲା- ପ୍ରଭୁ, ଅନୁଭାକୁ ମୁଁ ହୃଦୟରୁ ଭଲ ପାଉଛି। ତାକୁ ମୋ ଜୀବନ ଡୋରିରେ ବାନ୍ଧି ଦିଅ। ଅସମ୍ଭବ କୁ ସମ୍ଭବ କରିବା ଜଗା ସବୁ ଆପଣଙ୍କର ଲୀଳା। କିଛି ଗୋଟେ ରାସ୍ତା କାଢ଼ ମହାବାହୁ"।

ବ୍ୟାଙ୍କ୍ ରେ ପହଞ୍ଚିଲା ପରେ ତାକୁ ଅନୁଭାର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିଲା। "ଆଜି ସକାଳୁ ସକାଳୁ କୁଆଡେ଼ ଯାଇଥିଲ?"

- ଏଇଟିକେ ମନ୍ଦିର ଯାଇଥିଲି"

- ଆଛା ସେଥିପାଇଁ ମୋତେ ନ କହିକି ଚାଲିଗଲ। ଠାକୁରଙ୍କୁ ନିଶ୍ଚୟ ସୁନ୍ଦରୀ ଝିଅଟିଏ ମାଗିଥିବ, ମୁଁ ସବୁ ବୁଝୁଛି"

- ତୁମ ପରି ସୁନ୍ଦରୀ ଆଉ ଗୁଣୀ ଝିଅ କଉଠି ମିଳିବେ?"

- ଆଛା ମୁଁ ପୁଣି ସୁନ୍ଦରୀ ଆଉ ଗୁଣୀ, କେବେଠୁ ତୁମେ ପରଖି ଶିଖିଲ?"

- ତୁମେ ବାହାରୁ ଯେତେ ସୁନ୍ଦର ତାଠୁ ଅଧିକା ତୁମର ମନଟା ସୁନ୍ଦର"।

- ହଉ ମୋର ପ୍ରଶଂସା ବହୁତ ହେଲା, ଚାଲ କାମ ଧାମ କିଛି କରିବାକି ନାହିଁ"।

ଟିକେ ପରେ ପିଅନ ଆସି ଅଙ୍କିତକୁ କହିଲା -ବୋସ୍ ଡାକୁଛନ୍ତି"। ସଙ୍ଗେ ସଙ୍ଗେ ଅଙ୍କିତ, ଦାସ ସାରଙ୍କ କେବିନ୍ କୁ ଗଲା। ତାକୁ ଦେଖି ଦାସ ବାବୁ କହିଲେ,- ଆମ ପାଇଁ ବହୁତ ଦୁଃଖର ଖବର ଅଙ୍କିତ, ତୁମର ସ୍ଥାନାନ୍ତରଣ ଆଦେଶ ବର୍ତ୍ତମାନ ଆସିଲା। ତୁମକୁ କାଲିହିଁ ନୂଆ ଶାଖା ଜଏନ କରିବାକୁ ହେବ କାରଣ ସେଠି ଅଡିଟ୍ ଆସୁଛି"।

ଅଙ୍କିତର ଆଖି ଆଗରେ ଅନ୍ଧକାର ଛାଇଗଲା। ମନେ ମନେ ଜଗାକୁ ଅଭିମାନ ଭରା ସ୍ଵରରେ କହିଲା - କାଳିଆ ତୁ ଏତେ ଦୁଷ୍ଟ ମୁଁ ଜାଣି ନ ଥିଲି। ଆଜି ତୋତେ ନେହୁରା ହେଲି ଆଉ ତୁ ଆଜିହିଁ ଆମୋକୁ ଅଲଗା କରିବାରେ ଲାଗିଗଲୁ"। 

ସେଦିନ ବ୍ୟାଙ୍କ୍ ତରଫରୁ ଅଙ୍କିତକୁ ବିଦାୟ ଦିଆ ଗଲା। ସବୁ ଷ୍ଟାଫ୍ ମାନେ ମନ ଦୁଃଖ କଲେ ଆଉ ଅଙ୍କିତର ଭଲ ବ୍ୟବହାର,କାର୍ଯ୍ୟ କୁଶଳତା, ଗ୍ରାହକ ପ୍ରତି ସମ୍ବେଦନଶୀଳତା ଇତ୍ୟାଦି ବିଷୟର କହିଲେ। କିନ୍ତୁ ସେଦିନ ଯେତେ ଅନୁରୋଧ କଲେ ମଧ୍ୟ ଅନୁଭା କିଛି କହିଲାନି। ଘରକୁ ଫେରିବା ସମୟରେ ମଧ୍ୟ ଦୁହେଁ ଚୁପ୍। ଗାଡ଼ି ରୁ ଅଲ୍ହେଇବା ବେଳେ ଅନୁଭା କହିଲା - କାଲି ମୋ ଘରେ କିଛି ଜଳଖିଆ କରିନେବ ଆଉ ମୁଁ ତୁମକୁ ବସଷ୍ଟାଣ୍ଡରେ ଛାଡ଼ି ଆସିବି"। ଅଙ୍କିତ ହଁ କହିକି ନିଜ ଘରକୁ ଚାଲିଗଲା।

ରାତିସାରା ଅଙ୍କିତକୁ ନିଦ ହେଲାନି। କେମିତି ବା ନିଦ ହେବ। ମନରେ ଅନେକ ବିଚାର ଆସୁଥିଲା। "ଯାହାକୁ ଏତେ ଭଲ ପାଉଛି, ତାକୁ ସବୁଦିନ ପାଇଁ ଛାଡ଼ିକି ଯିବାକୁ ହେବ। ଆଉ ତାକୁ ଫେରି ପାଇବନି। ଏହା ଏକ ଅଭୁଲା ସ୍ମୃତି ହେଇ ରହିଯିବ ଆଉ ମୋ ଜୀବନର ପ୍ରତିଟି ମୋଡ଼ରେ ମନଟାକୁ ଜାଳୁଥିବ। ମୋର ଏଇ ଅବ୍ୟକ୍ତ ଭଲପାଇବା ର ଆଭାସ କଣ ଅନୁଭା କେବେ ପାଇଥିବ। ତାକୁ ନିଜ ମନର କଥା କହିବାକୁ ସାହାସ ହେଉନି। ତାଠାରୁ ସାନ ହେଇକି ତାକୁ ଏଇ ନଜରରେ ଦେଖୁଛି ଜାଣିଲେ, ତାହାର ମୋ ପ୍ରତି ଯଉ ଧାରଣା ଅଛି ତାହା କ୍ଷଣିକେ ଧୂଳିସାତ ହେଇଯିବ। ନା ମୁଁ ପାରିବିନି"।

ରାତି ପାହିଗଲା, ଆଖିର ଲୁହ ଆଖିରେ ହିଁ ଶୁଖିଗଲା। ହଠାତ୍ ମୋବାଇଲଟା ବାଜି ଉଠିଲା। ସେପଟୁ ଅନୁଭାର ସ୍ୱର - କଣ ଯିବାକୁ ମନ ହେଉନି, ଶୀଘ୍ର ଗାଧେଇ ଆସ "।

ଦୁହେଁ ବସଷ୍ଟାଣ୍ଡ ରେ ଅଧଘଣ୍ଟା ପୂର୍ବରୁ ପହଁଚିଗଲେ। ଗୋଟେ ସିମେଣ୍ଟ ବେଞ୍ଚରେ ଦୁହେଁ ବସିଲେ। ସତେ ଯେମିତି ଆଜି ଏ ପୃଥିବୀଟା ସେମାନଙ୍କ ପାଇଁ ସ୍ଥାଣୁ ପାଲୋଟି ଯାଇଛି। ପବନ ବହିବା ବନ୍ଦ ହେଇ ଯାଇଛି। ଖାଲି କେମିତି ଅଣନିଶ୍ୱାସୀ ଲାଗୁଛି। ଅଙ୍କିତର ମନ ଭିତରେ ଉଠୁଥିବା ଝଡ଼ ସବୁ ଆଜି ନିଜେ ବାଟବଣା ହେଇଯାଇଛି। ନୀରବତାର ବାତାବରଣ କୁ ଭଙ୍ଗ କରି ଅନୁଭା କହିଲା - ବ୍ୟାଙ୍କ୍ ସମୟ ହେଉଛି, ମୋତେ ଯିବାକୁ ହେବ। ତୁମେ ନିଜ ଦେହର ଯତ୍ନ ନେବ। ବାହାରେ ବେଶି ଖାଇବନି। ବାପା ମାଙ୍କର କଥା ମାନି ଜଲଦି ଗୋଟେ ସୁନ୍ଦରୀକୁ ବାହା ହୁଅ। ହଉ ମୁଁ ଯାଉଛି ତାହେଲେ"।

ଅନୁଭା ଯିବା ପରେ ସିମେଣ୍ଟ ବେଞ୍ଚ ଉପରେ ବସି ପଡ଼ିଲା ଅଙ୍କିତ। ଆଜି ସେ ତାର ସର୍ବସ୍ବ ହରେଇଛି। ମୁଣ୍ଡ ତଳକୁ ପୋତି ସେ ବସିଥିଲା। ଅନୁଭା ସହିତ ବିତେଇଥିବା ଅନେକ କଥା ମନେ ପଡ଼ୁଥିଲା। ଦୁଇ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା।

"ମୁଣ୍ଡ ତଳକୁ ପୋତି ତମେ କଣ କରୁଛ?" ଆରେ ଇଏତ ଆନୁଭାର ସ୍ୱର, ଅଙ୍କିତ ଚମକି ପଡିଲା ଆଉ ମୁଣ୍ଡ ଉପରକୁ କଲା। ସାମନାରେ ଅନୁଭା ଛିଡ଼ା ହେଇଥିଲା। "ତୁମେ କାନ୍ଦୁଛ କଣ ପାଇଁ? ମୋତେ ମିସ୍ କରୁଛ ନା?" ଅଙ୍କିତ ମୁଣ୍ଡ ହଲେଇ ହଁ କହିଲା। ସେଇଠୁ ଅନୁଭା କହିଲା - ଆମ ଭିତରେ ଥିବା ବୟସର ପାର୍ଥକ୍ୟ କୁ ପାଶୋରି ତୁମ ବାପ ଆଉ ମା, ମୋତେ ତାଙ୍କର ବୋହୁ ରୂପେ ସ୍ବୀକାର କରିବେନି କି?"

- ତୁମେ କଣ ସତରେ ମୋତେ ଭଲ ପାଅ? ମୋ ଜୀବନ ସଙ୍ଗିନୀ ହେବା ପାଇଁ ରାଜି ଅଛ?

ଅନୁଭା ଲାଜରେ ମୁହଁ ତଳକୁ କରି ନୀରବ ସମ୍ମତି ଜଣାଇଲା।

ଅଙ୍କିତ ଖୁସିରେ ଉଛୁଳି ପଡ଼ିଲା। ଅନୁଭାକୁ କୁଣ୍ଡେଇ ଧରି ଖୁସିରେ ନାଚିବାକୁ ଲାଗିଲା। ଅନୁଭା ପାଟି କରୁଥାଏ - ଆରେ ଏ କଣ କରୁଛ, ମୋତେ ପକେଇଦେବ ନା କଣ, ଲୋକେ ସବୁ ଦେଖୁଛନ୍ତି, ମୋତେ ଭାରି ଲାଜ ମାଡ଼ୁଛି"

ଦୁଇଟି ନିର୍ମଳ ହୃଦୟର ମିଳନର ଦୃଶ୍ୟ ଆଜି ଏ ଧରା ଦେଖୁଛି। ଅମୃତମୟ ବାତାବରଣ ସୃଷ୍ଟି ହେଇଛି।କଉଠୁ ଗୋଟେ ଲାଉଡ ସ୍ପିକର ରେ ଗୀତଟିଏ ଭାସି ଆସୁଛି " ଯାହାକୁ ମୁଁ ଏତେ ଭଲ ପାଉଛି, ତା ପାଇଁ ଆଜି ଗୀତ ଗାଉଛି"।

ବୈବାହିକ ସମ୍ପର୍କ ସ୍ଥାପନ ପୂର୍ବରୁ ଆମ ସମାଜ, ପିଲାଙ୍କ ବୟସ, ଜାତି, ଧର୍ମ, ସାମାଜିକ ସ୍ଥିତି, ଆର୍ଥିକ ସ୍ଥିତି କୁ ମାପଦଣ୍ଡ ଭାବେ ବ୍ୟବହାର କରି ଆସୁଛି। ଆଗ ଭଳିଆ ଆଉ ନାରୀ ର ସ୍ଥାନ କେବଳ ହାଣ୍ଡିଶାଳରେ ସୀମିତ ହେଇ ରହି ଯାଇନି। ତେଣୁ ଜାତକ ମିଳିଲେ ମଧ୍ୟ ଯଦି ଦୁହେଁଙ୍କ ମଧ୍ୟରେ ମତାନ୍ତର ଥିବ ତେବେ ସେ ସଂପର୍କ କ୍ଷଣସ୍ଥାୟୀ। ତେଣୁ ଉଭୟଙ୍କର ମନର ମିଳନ ହିଁ ଏକ ସଫଳ ବୈବାହିକ ଜୀବନର ଭିତ୍ତି ପ୍ରସ୍ତର ଅଟେ।


Rate this content
Log in

Similar oriya story from Romance