ମୁଁ ନାରୀ
ମୁଁ ନାରୀ
ମୁଁ ନାରୀ, ମୋର କେତେ ନାମ କେତେ ରୂପ। ଉଦିତ ଦିବାକର ପରି ମୋର କାନ୍ତି, ସମୁଦ୍ର ଲହଡ଼ି ଭଳି ଘନ କୁଞ୍ଚିତ କୃଷ୍ଣ କେଶ, ପଦ୍ମ ପାଖୁଡ଼ା ସଦୃଶ ଉଜ୍ଜ୍ବଳ ମନହାରିଣୀ ଦୁଇ ଆଖି, ନିଖୁଣ ପ୍ରତିମା ସମ ମୋର ମୁଖ, ମୁକ୍ତା ଭଳି ଦନ୍ତ ପଂକ୍ତି, ସୁଠାମ ସୁଗୋଲ ଅଙ୍ଗସୌଷ୍ଠବ,ଚମ୍ପା କଳି ସଦୃଶ ହାତ ପାଦର ଆଙ୍ଗୁଳି। ମୋର ଏଇ ଅପରୂପ ସୌନ୍ଦର୍ଯ୍ୟ ରେ ବିମୋହିତ ହୁଅନ୍ତି ଯୁବକ ଠାରୁ ବୃଦ୍ଧ ପର୍ଯ୍ୟନ୍ତ। ମୁଁ ଅନୁପମ, ମୋର ସୌନ୍ଦର୍ଯ୍ୟ ର ଉପମା ଅବର୍ଣ୍ଣନୀୟ। ମୁଁ ସ୍ରଷ୍ଟାଙ୍କ ଶ୍ରେଷ୍ଠ କଳାକୃତି। ମୁଁ ଅନେକ ଯୁବକଙ୍କର ରାତିର ସ୍ବପ୍ନ। କବିର କଳ୍ପନା ଆଉ କବିତାର ଆତ୍ମା। ମୁଁ ଅନେକଙ୍କ ଜୀବନ ରେ ଭରିଦିଏ ଭିନ୍ନ ଭିନ୍ନ ରଙ୍ଗ।
ମୋର ଏଇ ଅପୂର୍ବ ଲାବଣ୍ୟମୟ ଶରୀର ରେ ଅଛି ଏକ ପ୍ରୀତି ପୂର୍ଣ୍ଣ ବିଶାଳ ହୃଦୟ। ମୁଁ ଏଇ ଜୀବନରେ ଅନେକ ଚରିତ୍ର ଯେପରି କନ୍ୟା, ଭଗ୍ନୀ, ପ୍ରେମିକା, ପତ୍ନୀ, ପୁତ୍ର ବଧୂ, ଜନନୀ ର ଭୂମିକାରେ ରହି ନିଜର ଭିନ୍ନ ଭିନ୍ନ ଦାୟିତ୍ଵ କୁ ନିଷ୍ଠାର ସହିତ ସମ୍ପନ୍ନ କରିଥାଏ। ମୁଁ ମାତା ପିତାଙ୍କର ଗର୍ବ, ପ୍ରେମିକ ର ମରୁ ସମ ଜୀବନରେ ଭରିଦିଏ ପ୍ରୀତିର ଅସରନ୍ତି ଜୁଆର, ସନ୍ତାନ ପାଇଁ ସ୍ନେହ ଶ୍ରଦ୍ଧାର ଭଣ୍ଡାର, ଗୃହ ଲକ୍ଷ୍ମୀ ରୂପେ ଘରର ସମସ୍ତ ଦାୟିତ୍ଵ ତୁଲେଇ ଚାଲେ ନିରନ୍ତର। ଜୀବନର ସମସ୍ତ ବେଦନା ର ଲହୁକୁ ପିଇ ଯାଏ ଆଉ ଆଖିର ଲୁହ ଆଖିରେ ଶୁଖି ଯାଏ।
ମୁଁ ଦୁର୍ଗା, କାଳୀ, ରାଣୀ ଲକ୍ଷ୍ମୀବାଇ ଭଳି ଶକ୍ତି ର ପ୍ରତୀକ।
ମୁଁ ଯଶୋଦା, କୌଶଲ୍ୟା, ଦେବକୀ ଭଳି ମମତାର ପ୍ରତୀକ।
ମୁଁ ସୀତା, ରୁକ୍ମିଣୀ, ସାବିତ୍ରୀ ଭଳି ସତୀତ୍ୱ ର ପ୍ରତୀକ।
ମୁଁ ରାଧା, ମୀରା ଭଳି ପ୍ରେମର ପ୍ରତୀକ।
ମୁଁ ସୁନିତା, ମେରିକମ୍, ଦୀପା, ମୀତାଲି ଭଳି ସଫଳତାର ପ୍ରତୀକ।
ମୁଁ ଅଦ୍ଵିତୀୟ, ଦେବୀ ରୂପେ ଚିର ବନ୍ଦନୀୟ ତଥାପି ଆଜିର ଏଇ ସଭ୍ୟ, ଶିକ୍ଷିତ ସମାଜରେ କାହିଁକି ଏତେ ନିର୍ଯ୍ୟାତିତ ?
