ସମୁଦ୍ର
ସମୁଦ୍ର
ମୁଁ ସମୁଦ୍ର କୁ ଭାରି ଭଲ ପାଏ। ସେଥିପାଇଁ ବର୍ଷରେ ଥରେ ନିଶ୍ଚିତ ରୂପେ ପୁରୀ ଯାଏ। ପ୍ରଥମେ କାଳିଆର ଦର୍ଶନ କଲା ପରେ ସମୁଦ୍ର କୂଳରେ ଯାଇ ବସେ। ସେଦିନ ବି ସେମିତି ବେଳାଭୂମି ରେ ଛିଡ଼ା ହୋଇ ସମୁଦ୍ରର ଲହଡ଼ି ସବୁକୁ ଏକ ଧ୍ୟାନରେ ଦେଖୁଥାଏ। ମନ ଭିତରେ ଅନେକ ଚିନ୍ତାଧାରା ଆସୁଥାଏ। ସେଇ ଅଥଳ ସମୁଦ୍ରର ଗଭୀରତା କୁ ମନେ ମନେ ମାପୁଥାଏ। ମନରେ ଏକ ବିଚାର ଆସିଲା କି ଯଦି ମୋ ପାଖରେ ଶକ୍ତି ଥାଆନ୍ତା ତେବେ ଥରେ ପୁରା ସମୁଦ୍ରର ପାଣିକୁ ଅଳ୍ପ ସମୟ ପାଇଁ ଶୁଖେଇ ଦିଅନ୍ତି ଆଉ ସମୁଦ୍ର ଭିତରେ କଣ କଣ ଥାଏ ଦେଖିଥାନ୍ତି। ଭାବନା ଟି ସେତିକିରେ ନ ଥମି ଆଗକୁ ବଢ଼ି ଚାଲିଲା। ଆଗକୁ ମୁଁ ଦେଖିଲି, ପୁରା ସମୁଦ୍ର ଟା ଶୁଖି ଯାଇଛି, ପାଣି ସବୁ ଉଡ଼ି ଯାଇଛି। ଉପରୁ ଗଭୀର ସମୁଦ୍ରର ତଳେ କିଛି କିଛି ଦେଖା ଯାଉଛି । ମୁଁ ଜାଣିବା ପାଇଁ ସମୁଦ୍ର ତଳେ ପହଞ୍ଚିଲି। ସେଠି ଦେଖିଲି ଅସଂଖ୍ୟ ସାମୁଦ୍ରିକ ଜିବଜନ୍ତୁ, ସରୀସୃପପ୍ରାଣ ବିକଳରେ ଛଟପଟ ହେଉଛନ୍ତି। ଚାରିପଟେ ପ୍ଲାଷ୍ଟିକ ବ୍ୟାଗ, ବୋଟଲ ଆଉ ଇଲେକ୍ଟ୍ରୋନିକ ଆବର୍ଜନା ପଡ଼ି ରହିଛି। ବିନା ଜଳ, ବିନା ଅମ୍ଳଜାନରେ ସମସ୍ତେ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି। ଓଃ ସେ କି କରୁଣ ଦୃଶ୍ୟ, ମୁଁ ଆଉ ସହି ପାରିଲିନି ଆଉ ମୋ ଭାବନା ରାଜ୍ୟ ରୁ ଫେରି ଆସିଲି।
ସତରେ କଣ ଏହା ସମ୍ଭବ? ମାନେ ଏଇ ଆମ ପୃଥିବୀ ରେ କଣ ଏହିପରି ଦୃଶ୍ୟ କେବେ ଦେଖିବାକୁ ମିଳିବ? ଆପଣ କହିବେ ଇଏ କି ପ୍ରକାରର ଅବାସ୍ତବ ପ୍ରଶ୍ନ ! ମୁଁ କହୁଛି ଇଏ ଏକ ପ୍ରଶ୍ନ ନୁହେଁ, ଭବିଷ୍ୟତ ପାଇଁ ଏକ ଚେତାବନୀ। ଏଇ ସଭ୍ୟ ଶିକ୍ଷିତ ମଣିଷ ଯଉ ଭାବରେ ସମସ୍ତ ପ୍ରାକୃତିକ ସମ୍ପଦାର ଦିନ ରାତି ଦହନ କରୁଛି, ଗଛ କାଟି ଜଙ୍ଗଲ ସଫା କରି ଦେଉଛି, ପେୟ ଜଳର ଅପବୟ କରୁଛି, ସେ ଦିନ ଦୂର ନାହିଁ ଯେବେ ଏ ଧରା ରେ ମଧ୍ୟ ପିଇବା ପାଇଁ ପାଣି ନ ଥିବ, ନିଶ୍ୱାସ ନେବା ପାଇଁ ଅମ୍ଳଜାନ ନ ଥିବ। ପୃଥିବୀର ତାପମାନ ବଢ଼ିଯିବ, ନଈ ନାଳ, ଭୂତଳ ଜଳ ସବୁ ଶୁଖିଯିବ, ଅମ୍ଳଜାନର ସ୍ତର ଧୀରେ ଧୀରେ କମିବ। ଶୁଦ୍ଧ ପବନ ଓ ପାଣି ପାଇଁ ଲୋକ ମାନେ ବିକଳରେ ଦୌଡୁ ଥିବେ। ଅମ୍ଳଜାନ ର ସିଲିଣ୍ଡର ସାଙ୍ଗରେ ଧରି ବୁଲିବେ। ମନୁଷ୍ୟତ୍ଵ ର ସମସ୍ତ ସେତୁକୁ ଭାଙ୍ଗି ଏଇ ମଣିଷ ନିଜ ଜୀବନ ବଞ୍ଚାଇବା ପାଇଁ ଅନ୍ୟର ସିଲିଣ୍ଡରକୁ ଲୁଟି ନେବ। ବଞ୍ଚିବା ପାଇଁ ମଣିଷ ସଙ୍ଘର୍ଷ କରୁଥିବ ସେଇ ସାମୁଦ୍ରିକ ଜୀବ ସଦୃଶ।
👉ଅତି କମ୍ ରେ ଗୋଟିଏ ଗଛ ଲଗାଇ, ତାହାର ବଡ଼ ହେବା ପର୍ଯ୍ୟନ୍ତ ଯତ୍ନ ନେବା, ଆମ ଦ୍ଵାରା କଣ ଅସମ୍ଭବ?
👉ଆମେ କଣ ନିଜ ଘରେ ଆଉ ବାହାରେ ଜଳର ଅପବୟ କୁ ରୋକି ପାରିବାନି?
👉ଆମେ କଣ ଜଳବାୟୁ ପ୍ରଦୂଷଣ ରୋକି ପାରିବାନି?
ଆସନ୍ତୁ ସଂକଳ୍ପ ନେବା ଆଉ ଆମର ଆଗାମୀ ପିଢ଼ିର ଭବିଷ୍ୟତ କୁ ସୁରକ୍ଷିତ କରିବା।
