କବାଡି
କବାଡି
ସୁନ୍ଦରଗଡ଼ ସ୍ଥିତ ଏକ ଛୋଟ ଗାଁ " ରିଉଁ " , ଏକ ଉପାନ୍ତ ଅଞ୍ଚଳ ରୂପେ ପରିଗଣିତ। ଗାଁଟି ରାଉରକେଲା ସହରରୁ ମାତ୍ର ୩ କିମି ଦୂର। ତିନି ପାର୍ଶ୍ଵ ନଦୀ ଦ୍ଵାରା ଘେରି ହୋଇ ରହିଥିବା ଯୋଗୁଁ ଏବଂ ପୋଲ ନଥିବାରୁ ଗ୍ରାମବାସୀଙ୍କୁ ରାଉରକେଲା ଯିବା ପାଇଁ ଅଧଘଣ୍ଟା ବାଟକୁ ବୁଲିକି ଯିବା ଫଳରେ ତିନି ଘଣ୍ଟା ଲାଗିଯାଏ। ଗାଁ ରେ କିଛି ପରିବହନର ସୁବିଧା ମଧ୍ୟ ନାହିଁ।
ଏହି ଗାଁର ଏକ ଛୋଟ ମାଟି ଛପର ଘରେ ମଞ୍ଜୁ ରହେ। ଦୁଃଖ ଆଉ ସଂଘର୍ଷମୟ ଜୀବନର ସେ ଏକ ଜ୍ୱଳନ୍ତ ଉଦାହରଣ। ବିବାହର ପାଞ୍ଚ ବର୍ଷ ପରେ ସ୍ବାମୀଙ୍କୁ ହରାଇଥିଲା। ସେତେବେଳେ ପୁଅ ରାଜେଶ ଯାହାକୁ ସ୍ନେହରେ ରାଜୁ ବୋଲି ଡାକେ, ମାତ୍ର ତିନି ବର୍ଷର ଥିଲା। ତା ପାଇଁ ସାନ ପିଲାଟିକୁ ପାଳି ପୋଷି ବଡ଼ କରିବା, ଏକ ବଡ଼ ଦାୟିତ୍ଵ ଥିଲା। ସମ୍ପତ୍ତି କହିଲେ ଏଇ ଚାଳ ଘରଟି ମାତ୍ର। ସାଇ ପଡ଼ିଶାଙ୍କ ଘରେ କାମ କରି ସେ ରାଜୁକୁ ବଡ଼ କଲା। ମଞ୍ଜୁର ବିନମ୍ର ବ୍ୟବହାର ପାଇଁ ଗାଁ ରେ ସମସ୍ତେ ତାକୁ ଭାରି ଭଲପାଆନ୍ତି । ରାଜୁ ବର୍ତ୍ତମାନ ଦ୍ଵାଦଶ ଶ୍ରେଣୀର ଛାତ୍ର।ଗୁଣରେ ମା' ଠାରୁ ବଳିଯିବ। ଶାନ୍ତ ସରଳ ରାଜୁ ମା'ର ଆଜ୍ଞାକାରୀ। ସେ ମା'କୁ ନିଜ ଜୀବନଠୁ ଅଧିକ ଭଲ ପାଏ। ମଞ୍ଜୁ ଦେଇଥିବା ଶିକ୍ଷା ଓ ସଂସ୍କାର, ରାଜୁର ଚାଲି ଚଳନ, ବ୍ୟବହାରରେ ଝଲକୁ ଥାଏ।
ରାଜୁ ଭଲ କବାଡି ଖେଳେ। ଅନେକ ସମୟ ଧରି ନିଶ୍ୱାସ ଅଟକେଇ ରଖିବାରେ ସେ ପାରଙ୍ଗମ ଥିଲା। ସେଥିପାଇଁ ସେ ଅତି ସହଜରେ ବିରୋଧୀ ରେଖା ପାର କରି ଏକ ରାହାରେ (ଏକ ନିଶ୍ୱାସ ରେ) ଅନ୍ୟ ପାର୍ଶ୍ବରେ ଥିବା ବିପକ୍ଷ ଦଳର ଖେଳାଳି ମାନଙ୍କୁ ଛୁଇଁ, ସେମାନଙ୍କୁ ଆଉଟ୍ (ବାହାର) କରିଦିଏ। ରାଜୁ ପାଇଁ ତା ଦଳ ସଦାବେଳେ ଜିତିଥାଏ। ସେଥିପାଇଁ ଅନେକଙ୍କ ତା ଉପରେ ଈର୍ଷା ଭାବ ଥିଲା।
"ବଣମଲ୍ଲି ବଣରେ ଫୁଟି ବଣରେ ହିଁ ଝଡ଼ି ଯାଏ", ଏହାକୁ ମିଥ୍ୟା ପ୍ରମାଣ କରି ରାଜୁର ପ୍ରତିଭା ଧୀରେ ଧୀରେ ଗାଁ ବାହାରକୁ ବାହାରିଲା। ସୁନ୍ଦରଗଡ଼ ଜିଲ୍ଲା ଦଳ ପାଇଁ ସେ ଚୟନିତ ହେଲା। ଅନ୍ତଃ ଜିଲ୍ଲା ପ୍ରତିଯୋଗିତାରେ ସୁନ୍ଦରଗଡ଼କୁ ବିଜୟୀ ବନେଇବାରେ ରାଜୁ ମୁଖ୍ୟ କାରକ ସାବ୍ୟସ୍ତ ହେଲା। ଟ୍ରଫି ନେଇ ରାଜୁ ଘରକୁ ଫେରିଲା ଆଉ ଖୁସିରେ ମା'କୁ କୁଣ୍ଡେଇ ପକେଇଲା। ପାଦ ଛୁଇଁ ଆଶୀର୍ବାଦ ନେଲା ଆଉ କହିଲା, " ତୋ ଆଶୀର୍ବାଦରୁ ମା' ମୁଁ ଆହୁରି ଆଗକୁ ଯିବି, ରାଜ୍ୟ ତଥା ଆମ ଦେଶ ପାଇଁ ଖେଳିବି। ତୋର ସବୁ ଦୁଃଖ ଦୂର ହେଇଯିବ ମା', ତୋତେ ମୁଣ୍ଡରେ ବସେଇ ରଖିବି।" ମଞ୍ଜୁର ଆଖିରୁ ଖୁସିର ଲୁହ ଝରି ଯାଉଥାଏ।
ଏଇ ସଫଳତା ପାଇଁ ରାଜୁକୁ ସମ୍ମାନିତ କରିବା ପାଇଁ ଗାଁ ସରପଞ୍ଚ ଏକ ସମ୍ବର୍ଦ୍ଧନା ସଭାର ଆୟାଜନ କଲେ ଆଉ ସେଥିରେ ଗାଁର ଦୁଇଟି ଦଳ ମଧ୍ୟରେ କବାଡି ଖେଳ ମଧ୍ୟ ରଖିଲେ। ପୂର୍ବ ପରି ଏଥର ମଧ୍ୟ ରାଜୁର ଦଳ ଜିତିଲା। ବାରମ୍ବାର ପରାଜିତ ହେଉଥିବା କାରଣରୁ ବିରୋଧୀ ଦଳର ଅଧିନାୟକ ରମେଶକୁ ଭାରି ଅପମାନ ବୋଧ ହେଉଥିଲା।
ଉତ୍ସବର ସମାପନ ପରେ ରାଜୁ ଖୁସିରେ ଘରକୁ ଫେରୁଥାଏ ଠିକ୍ ଏତିକି ବେଳେ ପଛରୁ ରମେଶ ଆସି କହିଲା, - ରାଜୁ ତୋର ଜିତିବା ଖୁସିରେ ମୁଁ ତୋତେ ଗୋଟେ ଉପହାର ଦେବାକୁ ଚାହୁଁଛି, ତେଣୁ ତୁ ମୋ ସାଙ୍ଗରେ ଚାଲେ।"
ରାଜୁ ପ୍ରଥମେ ମନା କରୁଥିଲା ପୁଣି ରମେଶକୁ ହଁ ଭରି ତା ସାଙ୍ଗରେ ଚାଲିଲା। ରମେଶ ତାକୁ ଏକ ନିଛାଟିଆ ଜାଗାକୁ ନେଇଗଲା। ବିଚରା ସରଳ ନିଷ୍କପଟ ରାଜୁ କିଛି ବି ସନ୍ଧେହ କରି ପାରିଲାନି। ହଠାତ୍ ମଉକା ଦେଖି ରମେଶ ନିଜ ପକେଟରୁ ଏକ ଛୁରି ବାହାର କରି ରାଜୁ ଉପରେ ଆକ୍ରମଣ ଆରମ୍ଭ କରିଦେଲା। ରାଜୁ କିଛି ବୁଝିବା ପୂର୍ବରୁ ତାକୁ ଅନେକ ଜାଗାରେ ଆଘାତ କରି ସେଇ ଅବସ୍ଥାରେ ଛାଡ଼ି ରମେଶ ପଳାୟନ କଲା। ଅସହାୟ ଅବସ୍ଥାରେ ପଡ଼ି ଜନ୍ତ୍ରଣାରେ ରାଜୁ ଚିତ୍କାର କରୁଥିଲା। ସେହି ସମୟରେ ପାଖ ଦେଇ ଦୁଇ ଜଣ ଗ୍ରାମବାସୀ ଯାଉଥିଲେ। ସେମାନେ ରାଜୁର ଚିତ୍କାର ଶୁଣି ଦଉଡ଼ି ଆସିଲେ ଆଉ ତାହାର ଏପରି ଅବସ୍ଥା ଦେଖି, ବିଳମ୍ବ ନ କରି ଦୁହେଁ ତାକୁ ଧରି ମଞ୍ଜୁ ଘରକୁ ନେଇଗଲେ। ଧିରେ ଧିରେ ଗାଁରେ ଖବରଟି ବ୍ୟାପିଲା ଆଉ ମଞ୍ଜୁ ଘର ସାମନାରେ ଭିଡ଼ ଜମା ହେବାରେ ଲାଗିଲା।
ଘର ବାହାରେ ପାଟି ତୁଣ୍ଡ ଶୁଣି ମଞ୍ଜୁ ଦଉଡ଼ି ବାହାରକୁ ଆସିଲା। ପାଖକୁ ଯାଇ ଯାହା ଦେଖିଲା ସେଥିରେ ତାହାର ହୃଦୟଟା ଫାଟିଗଲା। ତାର କଲିଜାର ଟୁକୁଡ଼ାଟି ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଛି। ସେ ଦୌଡ଼ି ଯାଇ ରାଜୁକୁ ଧରି କାନ୍ଦିବାକୁ ଲାଗିଲା। ଗାଁ ଲୋକଙ୍କୁ ହାତ ଯୋଡ଼ି କହିଲା, - ଶୀଘ୍ର ଡାକ୍ତରଖାନା ନେଇଯାଅ, ମୋ ପୁଅକୁ ବଞ୍ଚାଅ।" କେହି ଜଣେ କହିଲା,- ଅପା ରାଉରକେଲା ନେବାକୁ ହେବ, ସେଥିପାଇଁ ଗାଡ଼ି ଖୋଜା ଚାଲିଛି। ସରପଞ୍ଚଙ୍କୁ ମଧ୍ୟ ଖବର କରିଦେଇଛୁ।"
ଏତିକି ବେଳେ ରାଜୁ, ମଞ୍ଜୁକୁ କହିଲା, - ମା' ମୋତେ ଟିକେ ତୋ କୋଳକୁ ନେ।"
ରାଜୁର ମଥାକୁ ନିଜ କୋଳରେ ରଖି ମଞ୍ଜୁ କାନ୍ଦି କାନ୍ଦି କହିଲା, - ଏମିତି କେମିତି ହେଲାରେ ଧନ, ତୋତେ କିଏ ମାରିଲାରେ..."
- ମା' , ସେଇ ରମେଶ, ମୋର ଦୋଷ କଣ କହନା, ମୁଁ ତ ତାକୁ କେବେ ଖରାପ ବ୍ୟବହାର କରିନି। ଏ ଦୁନିଆଁରେ ଭଲ ଖେଳିବା କଣ ପାପ?"
- ନାଁ ରେ ସେମିତି କହନା, (ମଞ୍ଜୁ ହାତ ଯୋଡ଼ି) ହେ ଜଗନ୍ନାଥେ ଏ କଣ ହେଲା, ମୋର ଗୋଟିଏ ମାତ୍ର ପୁଅ ଆଉ ଆଜି ତାହାର ଏ କି ଅବସ୍ଥା, ପ୍ରଭୁ ଦୟା କର, ତାକୁ ଠିକ୍ କରିଦିଅ।"
- ମା', ତୁ ମୋତେ ଯେମିତି ଶିକ୍ଷା ଦେଇଛୁ ମୁଁ ସେମିତି ଚଳି ଆସିଛି। ଆଜି ଯାଏ କାହାକୁ ଖରାପ ବ୍ୟବହାର କରିନି। ହେଲେ ଏମିତି କାହିଁକି ହେଲା ମା' ?"
- ନା ରେ ଧନ ତୋର କିଛି ଦୋଷ ନାହିଁ, ତୁ ତ ମୋର ସୁନା ପିଲା, ସବୁ ଆମର ଭାଗ୍ୟ ଖରାପ।"
ଇତି ମଧ୍ୟରେ ମଞ୍ଜୁ ପୁଣି ସମସ୍ତଙ୍କୁ ହାତ ଯୋଡ଼ି ପୁଅର ଜୀବନ ଭିକ୍ଷା କଲା।
- ମା' , ସମୟ ନାହିଁ, ମୁଁ ଆଉ ବଞ୍ଚିବିନି।"
- ସେମିତି କହନାରେ ଧନ, ତୋ ବିନା ମୁଁ ବଞ୍ଚିବି କିପରି ରେ।"
- ମା', ମୁଁ ମରିବାକୁ ଚାହେଁନା, ବଞ୍ଚିବାକୁ ଚାହେଁ। କେତେ ସ୍ବପ୍ନ ଦେଖିଥିଲି, ତୋତେ କେତେ ସୁଖ ଦେବି ଭାବିଥିଲି। ସବୁ ସ୍ବପ୍ନରେ ରହିଗଲା ମା'।"
- ସବୁ ଠିକ୍ ହେଇଯିବ, ତୁ ଭଲ ହେଇଯିବୁ" .....(ମଞ୍ଜୁ ର କ୍ରନ୍ଦନ ଶୁଣା ଯାଉଥାଏ) ।
- ମା' , (ଯନ୍ତ୍ରଣା ଭରା ଶବ୍ଦରେ) ମୁଁ ନ ଥିଲେ ତୋତେ କିଏ ଦେଖିବ, ତୋ ଦେହ ଖରାପ ହେଲେ ସେବା କିଏ କରିବ, ଔଷଧ କିଏ ଆଣିଦେବ, ତୁ ପୁରା ଏକା ହେଇଯିବୁ ମା'।"
ମଞ୍ଜୁ କେବଳ କାନ୍ଦୁଥାଏ...
- ମା' , ମା' , ମୋତେ ଭଲ କରି ଜାବୁଡ଼ି ଧର, ଲାଗୁଛି ଯେମିତି କେହି ମୋତେ ତୋ ଠାରୁ ଅଲଗା କରି ବହୁତ ଦୂରକୁ ନେଇଯିବ...( କ୍ଷୀଣ ସ୍ୱରରେ) ମା' ମୋତେ ଆଉ କିଛି ଦିଶୁନି....ଅନ୍ଧକାର ଛାଇ ଆସୁଛି ମୋ ଆଖି ଆଗରେ.... ମା' ମୋତେ ଭୟ ଲାଗୁଛି, ତୋ ପଣତ କାନିରେ ମୋତେ ଲୁଚେଇ ଦେ ମା'....... ସବୁ ଜନ୍ମରେ ତୁ ମୋ ମା' ହେବୁ... କଥା... ଦେ....ମା' "
ସବୁ ସରିଗଲା। ରାଜୁର ଶରୀର ଟା ନିଶ୍ଚଳ ହୋଇଗଲା। ସେ ଚାଲିଗଲା ସେଇ ଅଫେରା ବାଟରେ, ଆଉ କେବେ ଫେରିବନି। ମଞ୍ଜୁ , ରାଜୁକୁ ଧରି ବିକଳରେ କାନ୍ଦୁଥାଏ। ତାହାର କରୁଣ କ୍ରନ୍ଦନର ଧ୍ଵନି ସମଗ୍ର ବାତାବରଣକୁ ଶୋକାକୁଳ କରିଦେଇଛି। ଗାଁ ସାରା ଲୋକଙ୍କ ଆଖିରେ ଲୁହ। ଆଜି ସେ ଅଭାଗା ମା'ର ଆଖିର ଲୁହ ପୋଛିବ କିଏ?
***
ଏହିପରି ଅନେକ ଘଟଣା ଘଟୁଛି ଆଉ ଆମେ ଏ ସବୁ ଖବରକାଗଜରୁ ପଢ଼ୁ କିମ୍ବା ଶୁଣିଥାଉ। କଉଠି ଝିଅ ପାଇଁ ତ ପୁଣି କଉଠି ସ୍ମାର୍ଟ ମୋବାଇଲ, ଟଙ୍କା, ଗାଡ଼ି ପାଇଁ ବା କିଛି କଥାକୁ ନେଇ ଝଗଡ଼ା ଆଉ ପିଲାମାନେ ଆଗ ପଛ ବିଚାର ନ କରି ନିଜ ସାଥିର ହତ୍ୟା କରି ଦେଉଛନ୍ତି। ସ୍କୁଲ କଲେଜ ଯାଉଥିବା ଅପରିପକ୍ୱ ବୟସର ପିଲାମାନେ କିପରି ଏତେ ଜଘନ୍ୟ ଅପରାଧ କରୁଛନ୍ତି? କେବେ ଚିନ୍ତା କରିଛନ୍ତି କି ଏହାର କାରଣ କଣ ହୋଇପାରେ?
ମାତା ପିତାଙ୍କର ପିଲାଙ୍କୁ ଦେଉଥିବା ଅତ୍ୟଧିକ ସ୍ଵାଧୀନତା, ପିଲାମାନଙ୍କ ଉପରେକୁ ସଙ୍ଗତିର ପ୍ରଭାବ, ସେମାନେ ରହୁଥିବା ପରିବେଶର କୁପ୍ରଭାବ କିମ୍ବା ଟେଲିଭିଜନ ଦ୍ଵାରା ସମାଜକୁ ପରୋଷା ଯାଉଥିବା ବିଭିନ୍ନ ଅପରାଧ ସମ୍ବଳିତ ଧାରାବାହିକ ଏବଂ ଚଳଚ୍ଚିତ୍ର ଆଉ ଏହିପରି ଅନେକ.....
ଯଉଦିନ ଆମେ ସମସ୍ତେ, କାରଣ ପାଇଯିବା ଏବଂ ଗଠନ ମୂଳକ ପଦକ୍ଷେପ ଉଠେଇବା, ସେହିଦିନ ଏହି ସମସ୍ୟାର ନିରାକରଣ ସମ୍ଭବ ହୋଇପାରିବ।
