STORYMIRROR

ସୁବ୍ରତ ରଥ

Tragedy

4  

ସୁବ୍ରତ ରଥ

Tragedy

ମୁଁ ବଞ୍ଚିଛି

ମୁଁ ବଞ୍ଚିଛି

3 mins
356


ଉମେଶ ଲୋକାଲ ଟ୍ରେନ ରୁ ଓହ୍ଲେଇ ଧୀରେ ଧୀରେ ନିଜ ଘର ଅଭିମୁଖେ ଚାଲିବାକୁ ଲାଗିଲା। ଆଜି ତାକୁ ଘରକୁ ଯିବା ପାଇଁ କୌଣସି ବ୍ୟସ୍ତତା ନାହିଁ। ମା'ଙ୍କର ଦେହାନ୍ତ ପରେ ଆଜି ସେ ପନ୍ଦର ଦିନ ପରେ ଅଫିସ ଯାଇଥିଲା। ପୁରା ଦୁନିଆଟା ଖାଲି ଖାଲି ଲାଗୁଥିଲା। ସେ ଘରଟାରେ ଆଉ ରହିବାକୁ ମନ ହେଉନଥିଲା।ମା'ଙ୍କର କୋଠରୀ ରେ ତାଙ୍କର ଜିନିଷ ସବୁ ତାଙ୍କର ଅନୁପସ୍ଥିତି କୁ ଆହୁରି ମାର୍ମିକ କରି ଦେଉଛି। ଏହିପରି ଅନେକ କଥା ଭାବି ଭାବି ସେ ଚାଲୁଥାଏ। ମା' ଙ୍କୁ ସେ ଭାରି ଭଲ ପାଉଥିଲା। ବାପା ଚାଲିଗଲା ପରେ ତା ପାଇଁ ମା' ହିଁ ଏକମାତ୍ର ସାହାରା ଥିଲେ।

ଉମେଶ ଦେଖିଲା ନିଜ ମା' ବୟସର ଜଣେ ବୃଦ୍ଧା ଗୋଟେ ବ୍ୟାଗ ଧରି କଷ୍ଟରେ ଯାଉଛନ୍ତି। ତା ମନରେ ଆସିଲା ଏଇ ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ ଆଉ ସେ ତାଙ୍କ ନିକଟରେ ପହଞ୍ଚି କହିଲା, - ମାଉସୀ ମୋତେ ସେଇ ବ୍ୟାଗ ଟି ଦେଇଦିଅନ୍ତୁ, ମୁଁ ଆପଣଙ୍କ ଘର ପର୍ଯ୍ୟନ୍ତ ନେଇଯିବି।" 

ବୃଦ୍ଧା ଉମେଶ କୁ ଉପରୁ ତଳକୁ ଥରେ ଅନେଇଲେ ତାପରେ ବ୍ୟାଗଟି ତାକୁ ବଢ଼େଇ ଦେଲେ। ଦୁହେଁ କଥା ହୋଇ ଚାଲିଥାନ୍ତି। ବୃଦ୍ଧା କହୁଥିଲେ, - ମୋ ପୁଅ ବିଦେଶରେ ଥାଏ, ଇଏ ଚାଲିଗଲା ପରେ ମୁଁ ପୁରା ଏକା ହୋଇଯାଇଛି। ଘରେ ଏକା ପଡ଼ିଥାଏ। ସନ୍ଧ୍ୟା ବେଳେ ଟିକେ ବୁଲି ବାହାରେ, ମନ ଭୁଲାଏ।"

- ପୁଅ ପାଖରେ ରହୁନ ମାଉସୀ"

- ସେ ତ ବିଦେଶରେ। ମୋ ବୟସ ର ଲୋକଙ୍କୁ ବିଦେଶ ଯିବା ପାଇଁ ସରକାରଙ୍କ ଅନେକ କଟକଣା ଅଛି ବୋଲି ସେ କହେ। ଆଉ କେତେଟା ଦିନ ବଞ୍ଚିବି, ଛାଡ଼ ସେ କଥା"

ପରିସ୍ଥିତି କୁ ହାଲୁକା କରିବା ପାଇଁ ଉମେଶ କହିଲା, - ମାଉସୀ, ମୁଁ ଯେତେବେଳେ ଆପଣଙ୍କ ଠାରୁ ବ୍ୟାଗ ମାଗିଲି, ଆପଣ ମୋତେ ଏମିତି ଦେଖିଲେ କଣ ପାଇଁ?"

- ଆରେ ପୁଅ ଆଜିକାଲି ସମୟ ବହୁତ ଖରାପ। ତୁ ଜାଣିଛୁ ଚୋରି ଚମାରି ବଢ଼ିଗଲାଣି। ଯଦି ଚୋର ମୋ ବ୍ୟାଗ ଟା ନେଇ ପଳାଏ ତେବେ ଏଇ ପରିବା ସବୁ ର ତରକାରୀ ତା ଘରେ ତିଆରି ହେବ, ଆଉ ମୋତେ କଣ ତା ଠିକଣା ଜଣା କି ମୁଁ ତା ଘର କୁ ଯିବି ଖାଇବାକୁ"

- ମାଉସୀ ଆପଣ ବହୁତ ମଜାକିଆ। ଆଛା କହିଲେ, ପୁଣି କଣ ଭାବି ମୋତେ ବ୍ୟାଗ ଟି ଦେଲେ।"

- ତୋ ଚେହେରା ଟା ଦେଖି ଜାଣି ଗଲି, ତୁ ଗୋଟେ ସୁନା ପିଲା"

ଏମିତି କଥା କଥାରେ ବୃଦ୍ଧାଙ୍କ ଘର ଆସିଗଲା, ଉମେଶ ତାଙ୍କୁ ଛାଡ଼ି ନିଜ ଘରକୁ ଚାଲିଲା। ଏବେ ଟିକେ ତାକୁ ହାଲୁକା ଲାଗୁଥିଲା। ସତେ ଯେମିତି ମା' କୁ ହରେଇଥିବା ପୁଅଟି ପୁଣି ମା' ର ମମତା ସେଇ ବୃଦ୍ଧାଙ୍କ ଭିତରେ ପାଇଛି।

ଏହିପରି ପ୍ରତିଦିନ ଅଫିସରୁ ଫେରିଲା ବେଳେ, ଉମେଶ ର ସେଇ ବୃଦ୍ଧାଙ୍କ ସଙ୍ଗେ ଭେଟ ହୁଏ, ଆଉ ଦୁହେଁ କଥା ହେଇ ଏମିତି ନିଜ ନିଜ ଘରକୁ ଫେରନ୍ତି। ଦୁହିଁଙ୍କ ଭିତରେ ଏକ ନୂତନ ସମ୍ପର୍କ ଜନ୍ମ ନେଇ ସାରିଥିଲା।


ଦିନକର କଥା ଟ୍ରେନ ବିଳମ୍ବ ଥିବାରୁ ଉମେଶ ଡେରି ରେ ପହଞ୍ଚିଲା। କିଛି ବାଟ ଗଲା ପରେ ଦେଖିଲା ମାଉସୀ ତାକୁ ଅପେକ୍ଷା କରି ରାସ୍ତା କଡ଼ରେ ଠିଆ ହୋଇଛନ୍ତି।

ତାକୁ ଦେଖି ବୃଦ୍ଧା କହିଲେ, - ପୁଅ ଆଜି ଏତେ ବିଳମ୍ବ କରିଦେଲୁ, ମୁଁ ଚିନ୍ତାରେ ଥିଲି।"

- ଆରେ ମାଉସୀ ଆପଣ ମୋ ବାଟକୁ ଅନେଇ ବସିଛନ୍ତି, ସନ୍ଧ୍ୟା ହୋଇଗଲାଣି। ମୋତେ ଅପେକ୍ଷା ନ କରି ଘର କୁ ଚାଲିଯିବା କଥା।"

- ମୁଁ ତ କେବେ ଠାରୁ ମରି ଯାଇଥିଲି ହେଲେ ତୋର ଏଇ ଆତ୍ମୀୟତା ମୋତେ ପୁନଃ ଜୀବିତ କରି ତୋଳିଛି। ମୁଁ ବଞ୍ଚିଛି ବୋଲି ସେଇ ନିଆରା ଅନୁଭବ, ପୁଅ ତୋ ସାଙ୍ଗରେ ଏଇ କିଛି ବାଟ ଚାଲିବାଟା ମୋତେ ଦେଇଛି ଆଉ ମନରେ ଆଗକୁ ବଞ୍ଚିବାର ଇଚ୍ଛା ମଧ୍ୟ ଜାଗ୍ରତ କରିଛି।"


ଉମେଶ ର ଆଖିରେ ଦୁଇ ବୁନ୍ଦା ଲୁହ ଝରି ପଡ଼ିଲା। ସେ ବୃଦ୍ଧାଙ୍କ ପାଦ ଛୁଇଁ ପ୍ରଣାମ କଲା ଆଉ ତାଙ୍କୁ କୁଣ୍ଢେଇ ଧରି କାନ୍ଦି ପକେଇଲା।

ସନ୍ଧ୍ୟା ହେଇ ଯାଇଥିଲା। ମନ୍ଦିର ରୁ ଘଣ୍ଟିର ଶବ୍ଦ ଭାସି ଆସୁଥିଲା। ନୀଡ଼ ଫେରନ୍ତା ପକ୍ଷୀ ମାନଙ୍କର ରାବ ଶୁଣାଯାଉଥିଲା। ଉମେଶ ଆଉ ବୃଦ୍ଧାଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ଟି ଇତି ମଧ୍ୟରେ ନିଜର ନାମ ପାଇ ସାରିଥିଲା ଆଉ ସେମାନେ ଦୁହେଁ ଖୁସିରେ ଘରକୁ ଫେରୁଥିଲେ।


Rate this content
Log in

Similar oriya story from Tragedy