ସୁବ୍ରତ ରଥ

Tragedy

4  

ସୁବ୍ରତ ରଥ

Tragedy

ଆତ୍ମା ର ମୁକ୍ତି

ଆତ୍ମା ର ମୁକ୍ତି

2 mins
222



କୁନା ଆଜି ନିଜକୁ ଭାରି ଅସହାୟ ମନେ କରୁଥିଲା। ହାତ ଠେଲା ଗାଡ଼ିରେ ଗଳି ମହଲ୍ଲା ବୁଲି ବୁଲି ପରିବା ବିକି ମା' ଆଉ ନିଜର ପେଟ ପୋଷେ। କିଛି ଦିନ ହେଲା ଯାହା ରୋଜଗାର କରୁଥିଲା ସବୁ ମା'ଙ୍କ ଔଷଧରେ ଖର୍ଚ୍ଚ ହୋଇଯାଉଥିଲା। ହେଲେ ସେ ମା'ଙ୍କୁ ବଞ୍ଚେଇ ପାରିଲାନି। ଆଜି ସକାଳେ ସେକୁନାକୁ ସବୁ ଦିନ ପାଇଁ ଛାଡ଼ି କି ଚାଲିଗଲେ। ମନର ଦୁଃଖକୁ ମନରେ ମାରିକୁନା ଅନ୍ତିମ ସଂସ୍କାର ପାଇଁ ଆଖପାଖ ସାଇ ପଡ଼ିଶାରେ କିଛି ସାହାଯ୍ୟ ପାଇଁ ହାତ ପତେଇଲା। ହେଲେ ଅଳ୍ପ କେଇ ଜଣକୁ ଛାଡ଼ି ଦେଲେ ବାକି ସମସ୍ତେ ମୁହଁ ମୋଡ଼ିକି ଚାଲିଗଲେ। ଯାହା ମିଳିଲା ତାହା ସମୁଦ୍ରକୁ ଶଙ୍ଖେ ପାଣି ପରି। ଶେଷରେ ସେ ନିରୁପାୟ ହୋଇ ମା'ଙ୍କ ମର ଶରୀରକୁ ଠେଲା ଉପରେ ଶୁଆଇ ଦେଲା ଆଉ ଠେଲାକୁ ଗଡ଼େଇ ଗଡ଼େଇ ମୁକ୍ତି ଧାମ (ଶ୍ମଶାନ) ଅଭିମୁଖେ ବାହାରି ପଡ଼ିଲା। ବାଟ ସାରା ଲୋକଙ୍କୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସାହାଯ୍ୟ ମାଗୁ ଥିଲା ହେଲେ ମର ଶରୀରକୁ ଦେଖି ଲୋକେ ଦୂରରୁ ବାଟ କାଟି ପଳାଉଥିଲେ। ମୁକ୍ତି ଧାମରେକୁନା ପହଞ୍ଚି ସେଠି ଥିବା ଚୌକିଦାରକୁ ମା'ଙ୍କ ଅନ୍ତ୍ୟେଷ୍ଟି କରାଇ ଦେବାକୁ ହାତ ଯୋଡ଼ି ଅନୁରୋଧ କଲା। ଚୌକିଦାର,କୁନାକୁ କାଠ, ପୂଜା ସାମଗ୍ରୀ, ଘିଅ ଆଉ ପୁରୋହିତ ଖର୍ଚ୍ଚ ସବୁ ମିଶେଇକି ଟଙ୍କା ପାଞ୍ଚ ହଜାର ମାଗିଲା।କୁନା ମିଳିଥିବା ଖୁଚୁରା ସହ ଟଙ୍କା ପ୍ରାୟ ଦୁଇ ଶହ ନିଜ ପକେଟରୁ କାଢ଼ି ଚୌକିଦାରକୁ ଧରେଇ ଦେଇ ହାତ ଯୋଡ଼ି ଏତିକିରେ କରେଇବା ପାଇଁ ନେହୁରା ହେଲା। ହେଲେ ଚୌକିଦାର ଟଙ୍କା ଫେରାଇ ଦେଇ ସଫା ସଫା କହିଦେଲା, " ଯଦି ଟଙ୍କା ପାଞ୍ଚ ହଜାର ନାହିଁ ତେବେ ମୁଁ କିଛି ସାହାଯ୍ୟ କରି ପାରିବିନି। ତାଙ୍କର ଆତ୍ମାକୁ ଶରୀରରୁ ମୁକ୍ତି ଦେବା ପାଇଁ ମର ଶରୀରକୁ ଅଗ୍ନିରେ ସମର୍ପଣ କରିବାକୁ ହେବ। ଆଉ ତା ପାଇଁ କାଠ ଦରକାର, ଚିତା ସଜେଇବାକୁ ହେବ, ପୁରୋହିତ ଏ ବାବତ୍ ସମସ୍ତ ବିଧି କରିବେ। ମାଗଣା ରେ ମୁଁ କିଛି କରି ପାରିବିନି। ଏଣିକି ତୁମର ଯାହା ଇଚ୍ଛା କର।"

କୁନା କଣ କରିବ କିଛି ବୁଝି ପାରୁନଥିଲା। କିଛି କଣ ଗୋଟେ ଭାବି ସେ ଚୌକିଦାର ହାତରେ ପଚାଶ ଟଙ୍କା ଦେଇ କହିଲା ଟିକେ ମୋ ମାଆଙ୍କୁ ଦେଖୁଥିବ, ମୁଁ କିଛି ଗୋଟେ ବ୍ୟବସ୍ଥା କରି ଆସୁଛି। ସେ ଦୌଡିଲା ପେଟ୍ରୋଲ ପମ୍ପ ଆଉ ବୋତଲ ରେ ଅଳ୍ପ ପେଟ୍ରୋଲ କିଣିଲା। ବାଟରୁ ଏଠୁ ସେଠୁ କିଛି ଫୁଲ ଯୋଗାଡ଼ କଲା। ସନ୍ଧ୍ୟା ହେବା ପୂର୍ବରୁ ଅନ୍ତିମ ସଂସ୍କାର କରିବାକୁ ହେବ ଏଇ କଥା ଚିନ୍ତା କରି ମୁକ୍ତି ଧାମକୁ ଦୌଡିଲା।


ମୁକ୍ତି ଧାମରେ ପହଞ୍ଚି, ହାତ ଠେଲାକୁ ଗୋଟେ କୋଣରେ ନେଇ ରଖିଲା। ଭାବ ବିହ୍ୱଳ ହୋଇ ମା'କୁ କିଛି ଡେରି ଦେଖିଲା। ଫୁଲ ସବୁ ମା'ଙ୍କ ଚରଣରେ ସମର୍ପି ଦେଲା। ତାଙ୍କ ମଥାକୁ ଆଦରରେ ଆଉଁସି ଦେଲା, ହାତ ଦୁଇଟିକୁ ନିଜର ଦୁଇ ଗାଲରେ ରଖି, ପୂର୍ବରୁ ପାଇଥିବା ସ୍ନେହ ଆଦରକୁ ମନେ କରୁ କରୁ ତାହାର ଦୁଇ ଆଖି ଲୁହରେ ଛଳ ଛଳ ହୋଇଗଲା। ଆଉ ସେ ନିଜକୁ ସମ୍ଭାଳି ପାରିଲାନି, ପାଦ ଦୁଇଟିକୁ ଧରି ଭୋ ଭୋ କାନ୍ଦିବାକୁ ଲାଗିଲା। ହାତ ଯୋଡ଼ି କହିଲା,- ମା', ଆଜି ତୋର ସମ୍ମାନର ସହିତ ଦାହ ସଂସ୍କାର କରିପାରୁନି।ମୋ ପରି ଅଯୋଗ୍ୟ ପୁଅକୁ କ୍ଷମା କରିଦେବୁ।"


କୁନା ପେଟ୍ରୋଲକୁ ନିଜ ହାତ ଠେଲା ଗାଡ଼ିର ଚାରିପଟେ ଛିଞ୍ଚିଲା। ପକେଟ୍ ରୁ ମାଚିସ୍ କାଢ଼ି ଠେଲାରେ ନିଆଁ ଲଗେଇ ଦେଲା। ନିଜ ରୋଜଗାର ପାଇଁ ସହାୟକ ନିତ୍ୟାନ୍ତ ଆବଶ୍ୟକ ସାଧନ ଟିକୁ ଜଳୁ ଥିବାର ଦେଖି ସେ ସେତେ ଦୁଃଖିତ ନ ଥିଲା ଯେତେ ଆଜି ସେ ଏଇ ସମାଜର ବ୍ୟବହାର ପାଇଁ ବିବ୍ରତ ଥିଲା। ଦୁଇ ହାତ ଯୋଡ଼ି ଅଶ୍ରୁଳ ନୟନରେ ସେ ଜନ୍ମଦାତ୍ରୀ ଦେବୀ ସ୍ୱରୂପ ମାଆ ଙ୍କୁ ବିଦାୟ ଦେଉଥିଲା।


ଠେଲା ହୁ ହୁ ହୋଇ ଜଳି ଉଠିଲା। ଆଉ ତା ସଙ୍ଗେ ଆଜି ଜଳୁଥିଲା ବିଶ୍ୱାସ, ସହାନୁଭୂତି, ଦୟା, ମାନବିକତା ଏହିପରି କିଛି ମାନବଧର୍ମ।

ବୋଧହୁଏ କୁନାର ମା'ଙ୍କର ଆତ୍ମାକୁ ମୁକ୍ତି ମିଳି ଯାଇଥିବ।



Rate this content
Log in

Similar oriya story from Tragedy