ବିବାହ ବନ୍ଧନ
ବିବାହ ବନ୍ଧନ
ଘଡ଼ିର ଟିନ୍ ଟିନ୍ ଶବ୍ଦ ଶୁଣି ଉଠି ପଡ଼ିଲା ରବି।ସକାଳ ର ୮ ଟା ବାଜିଲାଣି। ଆଜି ରବିବାର ଛୁଟି ଅଛି, ଅଫିସ ଯିବାର ନାହିଁ, ତେଣୁ ଆରାମରେ ଉଠିଲା।ନିତ୍ୟକର୍ମ ସାରି ଚାହା ବନେଇଲା। ଚାହା ପିଉ ପିଉ ତା ନଜର କାନ୍ଥରେ ଟଙ୍ଗା ହୋଇଥିବା ସ୍ମିତା ର ଫଟୋ ଉପରେ ପଡ଼ିଲା। ବିବାହର ଦୁଇ ବର୍ଷ ନ ପୁରୁଣୁ ଆକସ୍ମିକ ସମସ୍ତଙ୍କୁ ଛାଡ଼ି ସ୍ମିତା ଆରପାରିକୁ ଚାଲିଗଲେ। ଯିବା ପୂର୍ବରୁ ସନ୍ତକ ରୂପେ କନ୍ୟା ରତ୍ନଟିଏ ଦେଇ ଗଲେ। ଲାଳନ ପାଳନ ପାଇଁ ରବି ବାଧ୍ୟ ହୋଇ ଝିଅକୁ ତାହାର ମାମୁଁ ମାଇଁଙ୍କ ପାଖରେ ଛାଡ଼ିଲା। ପାଞ୍ଚ ବର୍ଷ ହେଲାଣି ରବି ନିସଙ୍ଗ ଜୀବନ ବିତାଉଛି। ଦ୍ଵିତୀୟ ବିବାହ କରିବା ପାଇଁ ତା ଉପରେ ମା', ବାପାଙ୍କର ଅନେକ ଚାପ। ଚିନ୍ତା ରାଇଜ ରୁ ଫେରି ଆସିଲା ସେ ଆଉ ତର ତର ହୋଇ ବଜାରକୁ ବାହାରିଲା।
ମୋଟର ସାଇକେଲଟି କୁ ଷ୍ଟାଣ୍ଡ ରେ ରଖି ବଜାର ଭିତରକୁ ଯିବା ପୂର୍ବରୁ ତା ନଜର, ପରସ୍ପରର ହାତ ଧରି ଚାଲୁଥିବା ବୟସ୍କ ଦମ୍ପତିଙ୍କ ଉପରେ ପଡ଼ିଲା। ରୁଗଣ ଚେହେରା, କମଯୋର୍ ଶରୀର, ଉଭୟେ ବୟସରେ ୬୦ ରୁ ଉର୍ଦ୍ଧ୍ବ ଲାଗୁଥିଲେ। ବୃଦ୍ଧ ଜଣକ ବୃଦ୍ଧାଙ୍କ ହାତ ଧରି ଧିରେ ଧିରେ ଚାଲୁଥିଲେ। ଏତେ ଖରାରେ ଏମାନେ ଚାଲି ଚାଲି କୁଆଡେ଼ ଯାଉଛନ୍ତି, ରବିର ମନ କହିଲା ଟିକେ ପଚାରି ଦିଏ ଯଦି କିଛି ସାହାଯ୍ୟ ଲୋଡ଼ା ଥିବ।
ରବି ସେମାନଙ୍କ ପାଖକୁ ଯାଇ ହାତ ଯୋଡ଼ି ପ୍ରଣାମ କଲା ଆଉ ପଚାରିଲା,- ମଉସା ଏତେ ଖରାରେ କୁଆଡେ଼ ଯାଉଛନ୍ତି? ଟେମ୍ପୋ ଗୋଟେ ଡାକି ଦିଏ କଣ?"
- ନାଁ ରେ ବାପା,ଏଇ ପାଖରେ ଆମର ଘର। ତୋ ମାଉସୀକୁ ଆଇସକ୍ରିମ ଖଣ୍ଡେ ଖୁଏଇ ଦେବି ଆଉ ତାପରେ ଗାଡ଼ି କରି ଗୋଟେ ଜାଗା ଆମେ ଯିବୁ।"
- ମାଉସୀ କଉ ଆଇସକ୍ରିମ ପସନ୍ଦ କରିବେ, ମୁଁ ଆଣିଦେବି।"
- ନା ନା ଥାଉ,ତୁମେ କାହିଁକି ହଇରାଣ ହେବ।"
ରବି ସେମାନଙ୍କୁ ରାଜି କରେଇ ଆଇସକ୍ରିମ ଆଣିଲା। ସମସ୍ତେ ଆଇସକ୍ରିମ ଖାଉ ଖାଉ ରବି ଧୀରେ ପଚାରିଲା, - ମଉସା, ମାଉସୀ କଣ ରାଗିଛନ୍ତି, କିଛି କଥା ହେଉ ନାହାନ୍ତି।"
- ପୁଅ କଣ କହିବି। ବହୁତ ଲମ୍ବା କଥା ସିଏ। ଶୁଣିବ ଯଦି କହୁଛି।
..... ସେ ଦିନଟି ଆମ ପାଇଁ କାଳ ସାଜି କି ଆସିଥିଲା। ଆମେ ଦୁହେଁ, ଆମ ୧୦ ବର୍ଷର ପୁଅ ସାଙ୍ଗରେ ଟ୍ରେନରେ ଯାଉଥିଲୁ। ପୋଲ ଭାଙ୍ଗି ଯିବାରୁ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଗଲା, ଅନେକ ହତାହତ ହେଲେ ଆଉ ତା ଭିତରେ ଆମେ ଆମର ଏକ ମାତ୍ର ପୁଅକୁ ହରେଇଲୁ। ସେ ଦୁଃଖକୁ ପତ୍ନୀ ମୋର ସହି ପାରିଲାନି ଆଉ ନିଜର ମାନସିକ ସନ୍ତୁଳନ ହରେଇଲା। କଥା ବାର୍ତ୍ତା ବନ୍ଦ କରିଦେଲା, କାହାକୁ ଆଉ ଚିହ୍ନି ପାରେନି, ମୋତେ ମଧ୍ୟ ନୁହଁ। ତାକୁ ଗାଧେଇ ଦେବା, ଖୁଆଇ ଦେବା ଏପରି ସମସ୍ତ ଯତ୍ନ ମୋତେ ନେବାକୁ ପଡ଼େ। ଏମିତି ସବୁ ଗତ ୨୦ ବର୍ଷ ରୁ ଚାଲିଛି। ସବୁ ଠାରୁ ବେଶୀ ଦୁଃଖ ଲାଗେ ପୁଅ, ମୋ ସ୍ତ୍ରୀ ମୋତେ ଚିହ୍ନି ପାରେନି। " ଏତକ କହି ଆଖିରୁ ଲୁହ ପୋଛିଲେ ବୃଦ୍ଧ ଜଣକ।"
ରବି କହିଲା, - ଶୁଣି କି ବଡ଼ ଦୁଃଖ ଅନୁଭବ କରୁଛି। ଆପଣ ଦୁହେଁ ଏଇ ଜୀବନରେ କେତେ କଷ୍ଟ ଭୋଗୁଛନ୍ତି। ମଉସା ଆପଣ ମଧ୍ୟ ଦୁର୍ବଳ ହୋଇ ଗଲେଣି, କେତେ କଣ କରିବେ, ମାଉସୀଙ୍କୁ କୌଣସି ବୃଦ୍ଧାଶ୍ରମ ରେ କଣ ପାଇଁ ଛାଡ଼ି ଦେଉ ନାହାନ୍ତି? ଆପଣଙ୍କୁ ମଧ୍ୟ ଆରାମ ମିଳିବ ଆଉ ମଝି ମଝିରେ ତାଙ୍କୁ ଯାଇକି ଦେଖି ଆସୁଥିବେ।"
- ତୁମେ କଣ କହୁଛ ପୁଅ, ମୁଁ ବଞ୍ଚି ଥାଉ ଥାଉ ମୋ ପତ୍ନୀକୁ ମୋ ନିଜ ଠାରୁ ଅଲଗା କରିଦେବି ଆଉ ସିଏ ମଧ୍ୟ ମୋ ନିଜ ସ୍ବାର୍ଥ ପାଇଁ ? ସେ ମୋତେ ଚିହ୍ନି ପାରୁନି, ମୁଁ ତା ପାଇଁ ଯାହା କରୁଛି ସେ ଜାଣି ପାରୁନି, ମାନୁଛି ସେଥିପାଇଁ ମୁଁ ଦୁଃଖିତ। ସେ ମୋ ପାଖରେ ଥାଇ ମଧ୍ୟ ମୁଁ ଏକା। ତଥାପି ତାକୁ କେମିତି ଛାଡ଼ି ଦେବି। ବିବାହର ପବିତ୍ର ବନ୍ଧନରେ ଦୁହେଁ ବାନ୍ଧି ହୋଇଛୁ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ତାହାର ରକ୍ଷା କରିବି ବୋଲି ଶପଥ ନେଇଛି। ତାକୁ ମୁଁ, ମୋ ନିଜ ଜୀବନ ଠାରୁ ଅଧିକ ଭଲ ପାଏ। ମୁଁ କେବଳ ପତି ଧର୍ମ ନିର୍ବାହ କରୁଛି । ମୋର ମୃତ୍ୟୁ ହିଁ ମୋତେ ତା ଠାରୁ ଅଲଗା କରି ପାରିବ।"
ପୁଣି ହାତ ଘଡ଼ିକୁ ଦେଖି ବୃଦ୍ଧ ଜଣକ କହିଲେ, - ପୁଅ ସମୟ ଗଡ଼ୁଛି, ଆମକୁ ଯିବାକୁ ହେବ। ତୁମ ସାଙ୍ଗରେ କଥା ହୋଇ ଭଲ ଲାଗିଲା।"
- ମଉସା ଏତେ ଖରାରେ କୁଆଡେ଼ ଯିବେ? ମୁଁ ସାଙ୍ଗରେ ଛାଡ଼ି ଆସିବି କି?"
- ନାଁ ପୁଅ ତୁମେ କାହିଁକି ହଇରାଣ ହେବ। ମୁଁ ଏକା ଏକା ଜିଇଁବାରେ ଅଭ୍ୟସ୍ତ ହୋଇ ଗଲିଣି। ହଁ ତୁମେ ପଚାରୁଥିଲ ନା ମୁଁ କୁଆଡେ଼ ଯାଉଛି, ତୁମ ମାଉସୀକୁ ନେଇ ବୃଦ୍ଧାଶ୍ରମକୁ ଯାଉଛି । ମୋତେ ଗୋଟିଏ ଚିନ୍ତା ଖାଇ ଯାଉଛି, ମୋର ଯଦି ଆଗ ମୃତ୍ୟୁ ହୁଏ ତେବେ ମୋ ପରେ ତୁମ ମାଉସୀକୁ ଦେଖିବ କିଏ ? ତେଣୁ ଗୋଟିଏ ବୃଦ୍ଧାଶ୍ରମ ସହିତ କଥା ହୋଇଛି, ମୋର ମୃତ୍ୟୁ ପରେ ସେମାନେ ଏହାର ଯତ୍ନ ନେବେ ଆଉ ବଦଳରେ ମୋ ଘରଟା ସେଇ ବୃଦ୍ଧାଶ୍ରମକୁ ଦେଇ ଦେବି। ଏ ବାବତ କିଛି ଦସ୍ତାବେଜରେ ହସ୍ତାକ୍ଷର ପାଇଁ ଯାଉଛୁ।"
ଏତିକି କହି ବୃଦ୍ଧ ଜଣକ ରବି ଠାରୁ ବିଦା ନେଲେ ଆଉ ପତ୍ନୀଙ୍କ ହାତ ଧରି ଚାଲିଗଲେ।
ରବିର ଆଖିରୁ ଲୁହ ଝରୁ ଥିଲା। ସେ ସେମାନଙ୍କ ଯିବା ବାଟକୁ ଅନେଇ ରହିଥିଲା। ଏପରି ଭଲ ପାଇବା ଓ ତ୍ୟାଗର ଦୃଷ୍ଟାନ୍ତ ସେ ଆଗରୁ ନା ଶୁଣିଛି ନା ଦେଖିଛି। ରବି ନଇଁ ପଡ଼ି ବୃଦ୍ଧ ଛିଡ଼ା ହୋଇଥିବା ଜାଗାରୁ ଧୂଳି ଟିକେ ନେଇ ନିଜ ମଥାରେ ଲଗେଇଲା।
ରବି ମନେ ମନେ ନିଶ୍ଚିନ୍ତ କରି ନେଇଥିଲା କି ବାପା, ମା' ଯେତେ ଚାପ ଦେଲେ ମଧ୍ୟ, ସେ ଆଉ ବାହା ହେବନି। ଏତେ ସୁନ୍ଦର କନ୍ୟା ରତ୍ନ ଟିଏ ତାକୁ ସ୍ମିତା ଦେଇ ଯାଇଛନ୍ତି, ତାହାରି ଲାଳନ ପାଳନରେ ଜୀବନ ବିତେଇ ଦେବ। ସ୍ମିତାର ସ୍ମୃତିକୁ ନିଜ ମାନସ ପଟଳ ରେ ସାଇତି ରଖିବ। ଆଜି ସେ ପ୍ରକୃତ ପ୍ରେମର ପରିଭାଷା ଜାଣିପାରିଛି। ଭଲ ପାଇବା ଟା ସ୍ବାର୍ଥ, ଲୋଭ, ମୋହ, ସାଂସାରିକ ସୁଖ, ଏ ସବୁ ଠାରୁ ବହୁତ ଉର୍ଦ୍ଧରେ, ଏ କଥା ସେ ବୁଝି ପାରିଛି। ଏହା ତ୍ୟାଗ ଆଉ ବଳିଦାନର ପ୍ରତୀକ। ପ୍ରେମ ଯେ ଅମର ତାହା ଆଜି ସେ ଅନୁଭବ କରି ପାରୁଛି। ସ୍ମିତାର ଫଟୋ କୁ ନିଜ ଛାତିରେ ଜାବୁଡ଼ି ଧରି ଶୋଇବାକୁ ଚେଷ୍ଟା କରୁଥିଲା ରବି। ତାହାର ଦୁଇ ଆଖିରୁ ଲୁହର ଧାର ଝରି ପଡୁଥିଲା। ଦୂରରୁ କଉଠୁ ଗୀତ ଟିଏ ଭାସି ଆସୁଥିଲା, " ତୋ ବିନା ମୁଁ ଆଜି ପାରେନା ଭାବି ଆଉ ଯେ କିଛି......"।
