STORYMIRROR

ସୁବ୍ରତ ରଥ

Tragedy

4  

ସୁବ୍ରତ ରଥ

Tragedy

ଅତର

ଅତର

5 mins
344


ଗ୍ରୀଷ୍ମ ଅବକାଶ ପରେ ନମିତା ଏକ ଗ୍ରାମୀଣ ପ୍ରାଥମିକ ବିଦ୍ୟାଳୟ କୁ ବଦଳି ହେଇ ଆସିଲେ। ତାଙ୍କୁ ପଞ୍ଚମ ଶ୍ରେଣୀ ର ଶ୍ରେଣୀ ଶିକ୍ଷୟିତ୍ରୀ ର (କ୍ଲାସ ଟିଚର) କାର୍ଯ୍ୟଭାର ଦିଆଗଲା। ସେ ସବୁ ଛାତ୍ର ଛାତ୍ରୀଙ୍କ ସହିତ ସମାନ ବ୍ୟବହାର କରୁ ନ ଥିଲେ। କାହାକୁ ଭଲ ପାଉଥିଲେ ତ କାହାକୁ ଘୃଣା କରୁଥିଲେ। ଘୃଣା କରିବା ପାଇଁ ପିଲାର କିଛି ବି ଭୁଲ୍ ତାଙ୍କ ପାଇଁ ଯଥେଷ୍ଟ ଥିଲା। ତାଙ୍କରି ଶ୍ରେଣୀ ରେ ଦୀପକ ବୋଲି ଜଣେ ଛାତ୍ର ଥିଲା, ସମସ୍ତେ ତାକୁ ଦୀପୁ ଡାକୁଥିଲେ, ଯାହାକୁ ନମିତା ଜମା ପସନ୍ଦ କରୁ ନ ଥିଲେ। ଦୀପୁ ର ବେଶଭୂଷା ମଧ୍ୟ ଅଜବ ଥିଲା। ତାହାର ସ୍କୁଲ ପୋଷାକ ପ୍ରାୟ ଅପରିଷ୍କାର ଆଉ ବିନା ଇସ୍ତିରି ଥାଏ। ମୁଣ୍ଡର ଚୂଳ ଝୁନ୍ତୁରା ଅବସ୍ଥାରେ ଥାଏ। ଜୋତା ର ଫିତା ବନ୍ଧା ହୋଇ ନଥାଏ। ଶ୍ରେଣୀ ରେ ସେ ଅନ୍ୟମନସ୍କ ରହେ ସତେ ଯେମିତି ତାର ଶରୀର ଟି ଶ୍ରେଣୀ ରେ ଆଉ ମନଟି ଅନ୍ୟ କଉଠି। ଏଥି ପାଇଁ ଦୀପୁ କୁ ନମିତା ଅନେକ ଆକଟ କରନ୍ତି। ପାଠ ପଢ଼ା ରେ ମଧ୍ୟ ଦୀପୁ ଅନେକ ପଛରେ। ତାକୁ ଜାଣି ଜାଣି ନମିତା ପ୍ରଶ୍ନ କରନ୍ତି ଆଉ ସେ ଉତ୍ତର ନ ଦେଇ ମୁଣ୍ଡ ପୋତି କି ରହିଥାଏ। ତାପରେ ସମସ୍ତଙ୍କ ସାମନାରେ ଦୀପୁ କୁ ଦଣ୍ଡ ଦେଇ ନମିତାଙ୍କୁ ଆତ୍ମସନ୍ତୋଷ ମିଳି ଥାଏ। ସେ ବାରମ୍ବାର ଶ୍ରେଣୀ ରେ ଦୀପୁ ର ଭୁଲ୍ କାଢି ତାହାର ମଜା ଉଡ଼ାନ୍ତି ଆଉ ସବୁ ଛାତ୍ର ଛାତ୍ରୀ ମାନେ ମଧ୍ୟ ଦୀପୁ କୁ ଥଟ୍ଟା ପରିହାସ କରନ୍ତି। ହେଲେ ବିଚରା ଦୀପୁ କିଛି ନ କହି ସବୁ ସହି ଯାଏ।


ଅର୍ଦ୍ଧ ବାର୍ଷିକ ପରୀକ୍ଷା ର ଫଳାଫଳ ବାହାରିଲା। ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପ୍ରଗତି ପତ୍ର(ପ୍ରୋଗ୍ରେସ୍ ରିପୋର୍ଟ) ରେ ନମିତା ନିଜର ମନ୍ତବ୍ୟ ଲେଖି ପ୍ରଧାନ ଶିକ୍ଷକଙ୍କ ନିକଟକୁ ପଠେଇଲେ। ନିୟମାନୁଯାୟୀ ପିଲାଙ୍କ ମାତା ପିତାଙ୍କୁ ପ୍ରଗତି ପତ୍ର ଦେଖାଇବା ପୂର୍ବରୁ ପ୍ରଧାନ ଶିକ୍ଷକଙ୍କ ସମୀକ୍ଷା ଆବଶ୍ୟକ। ପ୍ରଧାନ ଶିକ୍ଷକଙ୍କ ନଜର ଦୀପୁ ର ପ୍ରଗତି ପତ୍ର ଉପରେ ପଡ଼ିଲା। ସେ ସଙ୍ଗେ ସଙ୍ଗେ ନମିତା କୁ ଡକେଇ ପଠେଇଲେ।ଯଥା ସମ୍ଭବ ଖରାପ ମନ୍ତବ୍ୟ ଦେବାରେ ନମିତା କିଛି ଉଣା କରି ନଥିଲେ। ନମିତା ଆସିବାରୁ ତାଙ୍କୁ ଏମିତି ମନ୍ତବ୍ୟ କଣ ପାଇଁ ଦେଲ ବୋଲି ପ୍ରଧାନ ଶିକ୍ଷକ ପ୍ରଶ୍ନ କଲେ ଆଉ କହିଲେ, - କିଛି ତ ଭଲ ଲେଖି ଥାନ୍ତେ ମାଡାମ୍, ଏମିତିରେ ଦୀପୁ ର ବାପାଙ୍କ ମନ ଭାଙ୍ଗିଯିବ।"

ନମିତା କହିଲେ,- ସାର୍, ଦୀପୁ ଗୋଟେ ନିକମ୍ମା,ଗଧ ପିଲା ଆଉ ତାର କିଛି ଉନ୍ନତି ହେଲା ଭଳିଆ ମୋତେ ଦିଶୁନି। ମୁଁ ତା ପାଇଁ କିଛି ସକାରାତ୍ମକ ଟିପ୍ପଣୀ ଦେଇ ପାରିବିନି, ତେଣୁ ମୋତେ କ୍ଷମା କରିବେ।"

ଏତିକି କହି ନମିତା, ପ୍ରଧାନ ଶିକ୍ଷକଙ୍କ କକ୍ଷରୁ ଚାଲିଗଲେ।

କିଛି ଚିନ୍ତା କଲା ପରେ ପ୍ରଧାନ ଶିକ୍ଷକ, ଚପରାସୀ କୁ କହି ଦୀପୁ ର ପୁରୁଣା ଦୁଇ ତିନି ବର୍ଷ ର ପ୍ରଗତି ପତ୍ର କଢ଼ା କରେଇ ନମିତା ପାଖକୁ ପଠେଇଲେ।

ଚପରାସୀ ନମିତାଙ୍କର ମେଜ ଉପରେ, ସାର୍ ପଠେଇଛନ୍ତି ବୋଲି କହି ପ୍ରଗତି ପତ୍ର ସବୁ ରଖିଲା।

ନମିତା ମନେ ମନେ ଭାବିଲେ, ଏଥିରେ ମଧ୍ୟ ସେମିତି ମନ୍ତବ୍ୟ ସବୁ ଲେଖା ହେଇଥିବ। ତଥାପି ଦେଖିବା ଆରମ୍ଭ କଲେ ଆଉ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ, ସବୁ ରିପୋର୍ଟ ଦୀପୁ ର ପ୍ରଶଂସା ରେ ଭରିଥିଲା। କିଛି ବୁଝି ନପାରି ସେ ପୁଣି ପ୍ରଧାନ ଶିକ୍ଷକଙ୍କ ପାଖକୁ ଗଲେ। ତାଙ୍କୁ ଦେଖି ପ୍ରଧାନ ଶିକ୍ଷକ କହିଲେ,- ମାଡାମ୍, ଦୀପୁ ଜଣେ ମେଧାବୀ ଛାତ୍ର। ଆଠ ମାସ ତଳେ ଦୀପୁର ମା' ଙ୍କୁ କ୍ୟାନ୍ସର ହେଇଥିବା କଥା ଜଣା ପଡ଼ିଲା। ଶେଷ ପର୍ଯ୍ୟାୟ ରେ ଜଣା ପଡ଼ିବା ଫଳରେ ତାଙ୍କୁ ବଞ୍ଚେଇବା ଅସମ୍ଭବ ଥିଲା। ତା ପରଠୁ, ଦୀପୁ ଉଦାସ ରହିବାକୁ ଲାଗିଲା। ପାଠ ପଢ଼ାରୁ ମନ ଦୁରେଇବାକୁ ଲାଗିଲା। ମା' କୁ ହରେଇବା ପରେ ସେ ଏହିପରି ଅନ୍ୟମନସ୍କ ରହିବାକୁ ଲାଗିଲା। ମା' ପରି ଯତ୍ନ କିଏ ନେଇ ପାରିବ? ତେଣୁ ସେ ମଇଳା ପୋଷାକ, ଝୁନ୍ତୁରା ଚୂଳ ରେ ଆସେ। ସେ ବହୁତ ଭାଙ୍ଗି ଯାଇଛି। ମା' କୁ ମନେ ମନେ ବହୁତ ଖୋଜୁଥିବ ନିଶ୍ଚୟ। ଆମକୁ ତାକୁ ସମ୍ଭାଳିବାକୁ ହେବ ମାଡାମ୍। ଯେତେ ସମ୍ଭବ ସ୍ନେହ ଆଦର ଦେଇ ତାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ହେବ।"

ନମିତାଙ୍କ ଆଖିରୁ ଧାର ଧାର ଲୁହ ଝରି ଯାଉଥାଏ। ସେ ହାତ ଯୋଡ଼ି ପ୍ରଧାନ ଶିକ୍ଷକଙ୍କ ଠାରୁ କ୍ଷମା ମାଗି ନିଜ ଶ୍ରେଣୀ କକ୍ଷକୁ ଫେରି ଆସିଲେ।


ଏହାପରେ ନମିତାଙ୍କ ବ୍ୟବହାର ଦୀପୁ ପ୍ରତି ସମ୍ପୂର୍ଣ ରୂପେ ବଦଳି ଯାଇଥିଲା। ସେ ସବୁ ବେଳେ ତାହାର ପ୍ରଶଂସା କରନ୍ତି। ତାହାର ଭଲ ଭଲ ଉଦାହରଣ ସବୁ ସମସ୍ତ ଛାତ୍ର ଛାତ୍ରୀଙ୍କ ସମକ୍ଷରେ ରଖନ୍ତି। ପ୍ରଶ୍ନ ପଚାରି ସଙ୍ଗେ ସଙ୍ଗେ ଉତ୍ତର କହି, ତାକୁ ଦୋହରାଇବା ପାଇଁ କହନ୍ତି। ଧିରେ ଧିରେ ଦୀପୁ ମଧ୍ୟ ଖୋଲିଲା ଆଉ ଉତ୍ତର ସବୁ ଦେବାକୁ ଲାଗିଲା। ନମିତା ନିଜେ ତାଳି ମାରିବା ସଙ୍ଗେ ସଙ୍ଗେ ସମସ୍ତଙ୍କୁ ତାଳି ମାରିବା ପାଇଁ ଇଶାରା କରନ୍ତି। ସମସ୍ତ ଛାତ୍ର ଛାତ୍ରୀଙ୍କ ବନ୍ଧୁତ୍ୱ ଆଉ ନମିତାଙ୍କ ସ୍ନେହ ପାଇ ଦୀପୁ ଭିତରେ ଅନେକ ପରିବର୍ତ୍ତନ ଆସିଗଲା। ସେ ଆଉ ଉଦାସ ନ ରହି ମନ ଦେଇ ପାଠ ପଡ଼ିବାକୁ ଲାଗିଲା।

ବାର୍ଷିକ ପରୀକ୍ଷାର ଫଳାଫଳ ବାହାରିଲା। ଦୀପୁ ଶ୍ରେଣୀ ରେ ତୃତୀୟ ସ୍ଥାନ ହାସଲ କରିଥିଲା। ଯେହେତୁ ଏଇ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଅନ୍ତିମ ଥିଲା ତେଣୁ ଷଷ୍ଠ ଶ୍ରେଣୀ ପାଇଁ ସମସ୍ତଙ୍କୁ ଅନ୍ୟ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ପଡ଼େ । ପ୍ରଥା ଅନୁସାରେ ସବୁ ଛାତ୍ର ଛାତ୍ରୀ ମାନଙ୍କୁ ଏକ ଛୋଟ ଧରଣର କାର୍ଯ୍ୟକ୍ରମ ର ଆୟୋଜନ କରି ବିଦାୟ ଦିଆଯାଏ।


ସେ ଦିନ ନମିତାଙ୍କୁ ବିଦ୍ୟାଳୟ ଯିବାକୁ ଇଚ୍ଛା ହେଉ ନ ଥିଲା କାରଣ ପଞ୍ଚମରୁ ଉତ୍ତୀର୍ଣ୍ଣ ପିଲା ମାନଙ୍କୁ ବିଦାୟ ଦିଆ ଯାଉଥିଲା। ବିଶେଷ କରି ତାଙ୍କୁ ଦୀପୁ ପାଇଁ ଦୁଃଖ ଲାଗୁଥିଲା। ମନେ ମନେ ଭାବୁଥିଲେ,- ମାଆ ଛେଉଣ୍ଡ ପିଲାଟି ଆଉ କାଲି ଠାରୁ ବିଦ୍ୟାଳୟ ଆସିବନି କି ସେ ଆଉ ତାକୁ ସ୍ନେହ କରି ପାରିବେନି।" ଅନିଚ୍ଛା ସତ୍ତ୍ବେ ସେ ବିଦ୍ୟାଳୟ ଯିବା ପାଇଁ ବାହାରିଲେ। ଅନ୍ୟମନସ୍କତା ଯୋଗୁଁ କେତେବେଳେ ବିଦ୍ୟାଳୟ ପହଞ୍ଚିଗଲେ ଜାଣି ପାରିଲେନି।

ଆୟୋଜନ କକ୍ଷରେ ପହଞ୍ଚି ଦେଖନ୍ତି, ସମସ୍ତ ଛାତ୍ର ଛାତ୍ରୀ, ପ୍ରଧାନ ଶିକ୍ଷକ ତଥା ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଯେମିତି ତାଙ୍କରି ଅପେକ୍ଷାରେ ଅଛନ୍ତି। କିନ୍ତୁ ନମିତା ଭିଡ଼ ଭିତରୁ କାହାକୁ ଖୋଜୁ ଥିଲେ।

ଦେଖିଲେ ସବା ପଛରେ କାନ୍ଥ ପାଖକୁ ଲାଗି ଦୀପୁ ଛିଡ଼ା ହୋଇଛି ଆଉ ତାଙ୍କୁ ଜୁଳୁ ଜୁଳୁ କରି ଅନେଇ ରହିଛି। ତାଙ୍କୁ ଲାଗିଲା ସତେ ଯେମିତି ଆଜି ଦୀପୁର ଆଖି ବହୁତ କିଛି କହିବା ପାଇଁ ଚାହୁଁଛି। ହଠାତ୍ ତାଙ୍କ ନଜର ମେଜ ଉପରେ ଥିବା ଉପହାର ସବୁ ଉପରେ ପଡ଼ିଲା। ସବୁ ଛାତ୍ର ଛାତ୍ରୀ ମାନେ ତାଙ୍କ ପ୍ରିୟ ଶ୍ରେଣୀ ଶିକ୍ଷୟିତ୍ରୀ ନମିତା ଦିଦିଙ୍କ ପାଇଁ ଉପହାର ଆଣିଥିଲେ। ଉପହାର ସବୁ ସୁନ୍ଦର ଝିଲିମିଲି କାଗଜରେ ବନ୍ଧା ହୋଇଥାଏ। ତାଙ୍କର ନଜର ଗୋଟେ ପୁରୁଣା ଖବର କାଗଜରେ ଗୁଡ଼େଇ ହେଇଥିବା ଛୋଟ ପ୍ୟାକେଟ ଉପରେ ପଡ଼ିଲା। ସେ ସଙ୍ଗେ ସଙ୍ଗେ ସେଇ ପ୍ୟାକେଟ କୁ ଖୋଲିବାକୁ ଲାଗିଲେ। ତା ଭିତରୁ ଗୋଟେ ଅର୍ଦ୍ଧ ବ୍ୟବହୃତ ଅତର ଶିଶି ଆଉ ପଟେ ପୁରୁଣା ଶଙ୍ଖା ବାହାରିଲା। ନମିତା ପୁଣି ଥରେ ଦୀପୁ ଉପରେ ନଜର ପକେଇଲେ। ସେ ମୁଣ୍ଡ ତଳକୁ ପୋତି ଛିଡ଼ା ହୋଇଥିଲା। ସଙ୍ଗେ ସଙ୍ଗେ ନମିତା ସେଇ ଅତରକୁ ନିଜ ଶାଢ଼ୀରେ ଲଗେଇଲେ ଆଉ ଶଙ୍ଖା ପଟକୁ ଡାହାଣ ହାତରେ ପିନ୍ଧିଲେ। କକ୍ଷ ମଧ୍ୟରେ ନୀରବତା ଛାଇ ଗଲା। କେହି କିଛି ବୁଝି ପାରିଲେନି। ଏମିତି ପୁରୁଣା ଜିନିଷ କିଏ ଦେଇଛି ଆଉ ତାକୁ ମାଡାମ୍ କଣ ପାଇଁ ପିନ୍ଧିଲେ, ଏଇ ପ୍ରଶ୍ନ ସମସ୍ତଙ୍କ ମନ ଭିତରେ ଉଙ୍କି ମାରିଲା।


ଠିକ୍ ଏତିକି ବେଳେ ଭିଡ଼ ଭିତରୁ ଦୀପୁ ଆସି ନମିତାଙ୍କ ସମ୍ମୁଖରେ ଛିଡ଼ା ହେଲା। ସତେ ଯେମିତି କିଛି କହିବାକୁ ଚାହୁଁଥିଲା। ନମିତା ତାର ମୁଣ୍ଡ ଉପରେ ହାତ ରଖିଲେ। ଦୀପୁ ସାହସ ଯୁଟେଇ ନମିତାଙ୍କୁ କହିଲା, - ଦିଦି, ଆଜି ତୁମ ଠାରୁ ମୋ ମାଆ ର ବାସ୍ନା ଭାସି ଆସୁଛି।" ଏତକି କହିବା ସଙ୍ଗେ ସଙ୍ଗେ ତା ଆଖିରୁ ଲୁହ ଝରି ପଡ଼ିଲା। ନମିତା, ଦୀପୁକୁ କୁଣ୍ଢେଇ ଧରିଲେ। ନମିତାଙ୍କ ଆଖିରୁ ମଧ୍ୟ ଲୁହ ଝରୁଥିଲା। ସତେ ଯେମିତି ଦୀର୍ଘ ଦିନର ବନବାସ ପରେ ମାଆ ପୁଅଙ୍କ ମିଳନ ହେଉଛି। ନମିତାଙ୍କର ଦୀପୁ ପ୍ରତି ବାତ୍ସଲ୍ୟ ମମତା ର ଏଇ ଅଭୂତପୂର୍ବ ଦୃଶ୍ୟ ସମସ୍ତଙ୍କୁ ଅଭିଭୂତ କରିଦେଲା। ନିସ୍ପନ୍ଦ, ନିସ୍ତବ୍ଧ, କରୁଣ ବାତାବରଣ ମଧ୍ୟରେ ଗଢ଼ି ଉଠୁଥିଲା ସ୍ନେହ ମମତା ର ଏକ ନୂତନ ସମ୍ପର୍କ। ଧନ୍ୟ ପ୍ରଭୁଙ୍କ ଲୀଳା, ଗୁରୁ ମା' ଙ୍କ ଠାରୁ ବିଦାୟ ନେଉଥିବା ମା' ଛେଉଣ୍ଡ ଦୀପୁକୁ, ପୁନଶ୍ଚ ମା' ର ପଣତ କାନିରେ ଆଶ୍ରୟ ମିଳିଗଲା।



Rate this content
Log in

Similar oriya story from Tragedy