STORYMIRROR

ସୁବ୍ରତ ରଥ

Tragedy

3  

ସୁବ୍ରତ ରଥ

Tragedy

ମମତା ର ଡୋରି

ମମତା ର ଡୋରି

3 mins
161


ମିତା ଉଦାସ ମନରେ ବସିଥିଲା। ଆଜି ପବିତ୍ର ରକ୍ଷା ବନ୍ଧନ। ଆଜିର ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥାଏ। ରାକ୍ଷୀ, ସୂତା ନୁହେଁ ଏହା ତ ମମତାର ଡୋରି ଅଟେ। ହେଲେ ଆଜି ସେ ରାକ୍ଷୀ କାହାକୁ ବାନ୍ଧିବ? ଏକମାତ୍ର ଭାଇ ରାହୁଲ, ସିଏ ତ ସମସ୍ତଙ୍କୁ ଛାଡ଼ି କି ଆରପାରି କୁ ଚାଲି ଗଲାଣି।ମିତାର ଆଖିରୁ ଲୁହ ଝରୁଥାଏ। ଭାଇ କଥା ଆଜି ବହୁତ ମନେ ପଡ଼ୁଛି। ରାହୁଲ ତାର ସାନ ଭାଇ। ନୂଆ କରି ଚାକିରି ଆରମ୍ଭ କରିଥିଲା। ମନରେ ଅନେକ ଇଚ୍ଛା, ଭଉଣୀ ବାହାଘର ଧୁମ୍ ଧାମରେ କରିବ।ଗତ ବର୍ଷ ରକ୍ଷା ବନ୍ଧନର କଥା ସବୁ ଧିରେ ଧିରେ ମନେ ପଡ଼ି ଯାଉଥିଲା। ରାହୁଲ ହାତରେ ମାର୍କେଟରୁ ରାକ୍ଷୀ ମଗେଇ ଥିଲା ମିତା। ରାକ୍ଷୀ ବାନ୍ଧିବା ପାଇଁ ପ୍ୟାକେଟ ଟା ଖୋଲି ମିତା ଦେଖେ ଭିତରେ ୬ ଟି ସୁନ୍ଦର ରାକ୍ଷୀ ଅଛି।

ଥଟ୍ଟା ରେ ମିତା କହିଲା- " ଏ ସବୁ ରାକ୍ଷୀ ଯଦି ବାନ୍ଧିବି ନା ତେବେ ତୋତେ ବଡ଼ ଉପହାର ଦେବାକୁ ପଡ଼ିବ।"ରାହୁଲ କହିଲା - " ନାନୀ, ରାକ୍ଷୀ ଗୁଡ଼ା ବହୁତ ପସନ୍ଦ ଆସିଲା ତେଣୁ ନେଇ ଆସିଲି। ଆଜି ଛଡ଼ା କଣ ଅନ୍ୟ ଦିନ ରାକ୍ଷୀ ବାନ୍ଧି ହେବନି? ତୋର ଯେବେ ଇଛା ହେବ ଏଇଥିରୁ ଗୋଟେ ବାନ୍ଧିଦେବୁ ଆଉ ମନ ପସନ୍ଦର ଉପହାର ମାଗିନେବୁ।"

-" ଭାଇ ମୋର କିଛି ଦରକାର ନାହଁ। ତୁ ସବୁବେଳେ ଭଲରେ ଥା ବାସ୍ ଏତିକି ମୁଁ ଚାହେଁ। ତୁ ମୋତେ କେତେ ଭଲ ପାଉ, ଆଦର କରୁ ତା କଣ ମୁଁ ଜାଣିନି।-" ହଉ ମୋର ପ୍ରଶଂସା ବହୁତ ହେଲା। ଏବେ ମହାରାଣୀ ଦୟାକରି ରାକ୍ଷୀ ବାନ୍ଧିବା ପର୍ବ ଆରମ୍ଭ କରନ୍ତୁ। ଭୋକରେ ପ୍ରାଣ ଚାଲିଯିବ। ମୁହଁ ମିଠା କେତେବେଳେ କରେଇବୁ।"


ସେ ଦିନର କଥା ମିତା କୁ ଜଳ ଜଳ ଦିଶୁଥିଲା.....'ସବୁଦିନ ପରି ସେଦିନ ମଧ୍ୟ ରାହୁଲ ତର ତର ହୋଇ ଅଫିସ୍ ବାହାରୁଥିଲା। ପଛରୁ ମିତା ପାଟି କରି କହିଲା, " ଭାଇ ଫେରିଲା ବେଳେ ମୋ ପାଇଁ ଆଇସକ୍ରିମ ଆଣିଦେବୁ।"

ହଁ, କହି ରାହୁଲ ଚାଲିଗଲା ହେଲେ ଆଉ କେବେ ଫେରିଲା ନାହିଁ। ତାର ଯିବାର କିଛି ସମୟ ପରେ ଗୋଟେ ଅଜଣା ନମ୍ୱରରୁ ମିତାର ବାପାଙ୍କୁ ଫୋନ୍ ଆସିଲା ଆଉ ସମସ୍ତେ ବିକଳରେ ଡାକ୍ତରଖାନା ଦୌଡ଼ିଲେ। ଅଫିସ୍ ଯାଉଥିଲା ବେଳେ ପଛରୁ ଗୋଟେ ଗାଡ଼ି ତାକୁ ଧକ୍କା ମାରିଥିଲା। ମସ୍ତିଷ୍କରେ ଭୀଷଣ ଆଘାତ ଲାଗିଥିଲା। ଡାକ୍ତର କହିଲେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରାହୁଲ କୁ ବଞ୍ଚେଇ ପାରିଲେନି। 

"ଭାଇ ତୁ କଉଠି ଅଛୁ? ତୋ ବିନା ବାପା ଓ ମା ପୁରା ଭାଙ୍ଗି ପଡ଼ିଛନ୍ତି। ଟିକିଏ ବି ଆମ କଥା ଭାବିଲୁ ନାହିଁ। ତୋ ବିନା ଆମେ କିପରି ବଞ୍ଚିବୁ? ମୋତେ ନାନୀ କହି କିଏ ଡାକିବ? କେତେ ଦିନ ହେଲା ଆମେ ଝଗଡ଼ା ଲାଗିନୁ। ଆଜି ମୁଁ କାହାକୁ ରାକ୍ଷୀ ବାନ୍ଧିବି? ନିଜ ଜୀବନର ସୁରକ୍ଷା ପାଇଁ ହେଲମେଟ କଣ ପାଇଁ ପିନ୍ଧିଲୁନି?"


ହଠାତ୍ କଣ ଭାବିଲା କେଜାଣି ମିତା, ଗତ ବର୍ଷର ରାକ୍ଷୀ ପ୍ୟାକେଟ ରୁ ଗୋଟେ ରାକ୍ଷୀ ଧରି ପୂଜା କୋଠରୀ କୁ ଦୌଡ଼ିଗଲା। ମନ୍ଦିର ସାମନାରେ ବସିପଡ଼ିଲା। ଜଗା ହାତରେ ରାକ୍ଷୀ କୁ ବାନ୍ଧିଦେଲା ଆଉ ହାତ ଯୋଡ଼ି କହିଲା, " କାଳିଆ ମୋ ଭାଇକୁ ତ ମୋ ଠାରୁ ଦୂରେଇ ନେଲ ହେଲେ ତାକୁ ନିଶ୍ଚୟ ତୁମ ଶ୍ରୀଚରଣ ରେ ସ୍ଥାନ ଦେଇଥିବ ବୋଲି ମୋର ଆଶା ଓ ବିଶ୍ବାସ। ତେଣୁ ମୁଁ ତୁମ ହାତରେ ଆଜି ଏ ରାକ୍ଷୀ ଟି ମୋର ଭାଇକୁ ବାନ୍ଧୁଛି ବୋଲି ଭାବିକି ବାନ୍ଧୁଛି।"


ମିତା ଆଖିରୁ ଧାର ଧାର ହୋଇ ଅଶ୍ରୁ ଝରି ଯାଉଥିଲା। ଏଇ ଅଶ୍ରୁ ଏବେ ଆଉ ଦୁଃଖର ନୁହେଁ ବରଂ ଅଭିମାନର ଅଶ୍ରୁ, ସ୍ନେହ, ମମତା ଓ ଭଲ ପାଇବାର ଅଶ୍ରୁ, ସମର୍ପଣ ଭାବର ଅଶ୍ରୁ।

ପାଠକ ମାନଙ୍କୁ ଅନୁରୋଧ କରୁଛି ଯେ ଆପଣ ମାନେ ଦୁଇ ଚକିଆ ବାହନ ଚଲେଇଲା ବେଳେ ନିଶ୍ଚିତ ଭାବେ ହେଲମେଟ ପିନ୍ଧନ୍ତୁ। ସର୍ବଦା ଗାଡ଼ି ନିଜର ନିୟନ୍ତ୍ରଣ ମଧ୍ୟରେ ରଖି ଚଳାନ୍ତୁ। ନିଜ ଜୀବନର ମୂଲ୍ୟ ବୁଝନ୍ତୁ। ଆଉ ମନେ ରଖନ୍ତୁ ଆପଣ ଘରୁ ବାହାରିଲା ପରେ ଆପଣଙ୍କର ପରିବାର, ଆପଣଙ୍କ ଫେରିବା ବାଟକୁ ଅନେଇ ବସିଥାନ୍ତି।



Rate this content
Log in

Similar oriya story from Tragedy