Subhalaxmi Nayak

Fantasy

3  

Subhalaxmi Nayak

Fantasy

ରତ୍ନଗର୍ଭା ସହର

ରତ୍ନଗର୍ଭା ସହର

6 mins
209


ଦିନେ ସମୁଦ୍ର କୂଳରେ ରହୁଥିବା ନୋଳିଆ ବସ୍ତିରେ ହୁରି ପଡ଼ିଗଲା। ବସ୍ତିରେ ରହୁଥିବା ଲୋକମାନେ ଦଳବଳ ଧରି ସମୁଦ୍ର କୂଳକୁ ଦୌଡ଼ି ଗଲେ। କଥାଟା "ଶିଳ ଶିଳପୁଆ ଗଗନେ ଉଡ଼ିବା" ପରି ଦେଖୁ ଦେଖୁ ଆଖପାଖ ଗାଆଁରେ ମଧ୍ୟ ବ୍ୟାପି ଗଲା। ସମୁଦ୍ର କୂଳରେ ପ୍ରାୟ ଦୁଇ ତିନି ହଜାର ଲୋକଙ୍କ ଭିଡ଼ ଜମିଗଲା। ସମସ୍ତେ ଟୁପୁରୁ ଫୁସୁରୁ ହେଉଥିଲେ ଯେ,"ସମୁଦ୍ର ଜୁଆରରେ ସୁନା ଅଳଙ୍କାର ସମେତ ଅନେକ ମୂଲ୍ୟବାନ ରତ୍ନ ଖଚିତ ଅଳଙ୍କାର ଭାସି ଆସି କୂଳରେ ଲାଗିଛି। ମାଛ ମାରିବାକୁ ଯାଇଥିବା ଗୋଟିଏ ନୋଳିଆ ଦଳଙ୍କୁ ସମୁଦ୍ର କୂଳରୁ କିଛି ବାଟ ଭିତରକୁ ଗୁଡ଼ିଏ ଭଙ୍ଗା ଘର ଏବଂ ଗୋଟିଏ ଦରଭଙ୍ଗା ରାଜନଅର ଭଳି କିଛି ଦୃଶ୍ୟମାନ ହେଉଛି"। କଥାଟି ସତ କି ମନଗଢ଼ା କାହାଣୀ ପରଖିବା ଲାଗି କୌତୁହଳ ସୃଷ୍ଟି ହୋଇ ସମୁଦ୍ର କୂଳରେ ଅସମ୍ଭବ ଭିଡ଼। ଖବର ପାଇ ଅନେକ ଆଞ୍ଚଳିକ ଗଣମାଧ୍ୟମର ସାମ୍ବାଦିକ ତାଙ୍କ ଦଳ ସହିତ ସେଠାରେ ପହଞ୍ଚି ସାରିଲେଣି। ଦୂରଦର୍ଶନରେ ପ୍ରସାରଣ ମଧ୍ୟ ଆରମ୍ଭ ହୋଇଗଲାଣି "ସ୍ୱତନ୍ତ୍ର ଉପସ୍ଥାପନା" ଜରିଆରେ। ସମସ୍ତେ ଅନାଇଛନ୍ତି ସମୁଦ୍ର ଓ ଆକାଶର ମିଳନ ଦିଗବଳୟ ଆଡ଼କୁ। ସାମ୍ବାଦିକମାନଙ୍କର ଖବର ପରିବେଷଣ ହେଉଥାଏ କିଛି ଏହିପରି,"ସମୁଦ୍ର ତଳେ ଗୋଟିଏ ପୁରାତନ ସଭ୍ୟତାର ସହର ଏବଂ ରାଜନଅର ଜଳସମାଧି ନେଇଥିଲା କି !" "ବୋଧହୁଏ ତାହା ପୁଣି ଉପରକୁ ଉଠିବ!""କଳିଯୁଗ ଶେଷ ହେବା ସମୟ ଆସିଗଲା କି ବନ୍ଧୁ !" କେମିତି ବୁଡ଼ିଲା ସହରଟି?" ଏହିପରି ଅନେକ ପ୍ରଶ୍ନବାଣରେ ସେମାନେ ଚେଷ୍ଟିତ ଉତ୍କଣ୍ଠାର ବାତାବରଣ ସୃଷ୍ଟି କରିବା ପାଇଁ। ନୋଳିଆ ସାହିର ଲୋକମାନେ ତ ମୂର୍ଖ। ସେମାନେ କଥା ହେଉଥାଆନ୍ତି,"କେତେ ସୁନା କିଏ ଆଉ ପାଇଲ କି? କ'ଣ ଦରକାର ଥିଲା କଥା ପ୍ରଘଟ କରାଇବା?ଏମାନେ ଏଠି ଆଉ ଆମକୁ ରଖାଇ ଦେବେନି କିମ୍ବା ଏପରି ହୋଇପାରେ, ଆମକୁ ଏହି ସମୟରେ ହିଁ ଆପଣା ଦୁଃଖ ଦୁନିଆ ଆଗରେ ପ୍ରକାଶ କରିବାର ସୁଯୋଗ ମିଳିଯିବ" ଏମିତି ଗପସପ ଚାଲିଥିବା ବେଳେ ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରି ଗୋଟିଏ ବଡ଼ ସିନ୍ଧୁକ ଜୁଆରରେ ଭାସି ଭାସି ଆସି କୂଳରେ ଲାଗିଲା। ସେତେବେଳକୁ ପୋଲିସ ଓ ପ୍ରଶାସନର ଅଫିସରମାନେ ମଧ୍ୟ ପହଞ୍ଚି ଗଲେଣି। ବାରମ୍ବାର ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଜଣାଇ ଦିଆଯାଉଥାଏ,"ଦୟାକରି ସମୁଦ୍ର ଭିତରକୁ କେହି ଯିବାକୁ ଚେଷ୍ଟା କରନ୍ତୁ ନାହିଁ। କୌଣସି ମୂଲ୍ୟବାନ ଜିନିଷ ପାଇଲେ ତୁରନ୍ତ ପ୍ରଶାସନକୁ ଅବଗତ କରାନ୍ତୁ।" ପୋଲିସ ପହଞ୍ଚି ଭିଡ଼କୁ ତାଗିଦ୍ କରି କରି ଦୂରକୁ ପଠାଇ ସାରିଲାଣି। ଯେମିତି ସେ ସିନ୍ଧୁକ ଲାଗିଛି କୂଳରେ ପୋଲିସ ସେ ଜାଗାକୁ ନିଷିଦ୍ଧାଞ୍ଚଳ ଘୋଷିତ କରି ଦେଲା। ନୋଳିଆ ବସ୍ତିର ଲୋକମାନଙ୍କୁ ରାତାରାତି ସେଠାରୁ ବିସ୍ଥାପିତ କରି ନିଆଗଲା। ଏବେ ପ୍ରଶାସନ ତରଫରୁ କିଛି ପୋଖତ ବୁଡ଼ାଳି ଏବଂ ସର୍ବପ୍ରଥମେ ପାଣି ଭିତରେ ସହର ଦେଖିଥିବା ନୋଳିଆଙ୍କୁ ଆଉଥରେ ସମୁଦ୍ର ଭିତରକୁ ଯିବାକୁ ଅନୁମତି ଦିଆଗଲା। ଦୁଇଟି ଡ଼ଙ୍ଗାରେ ଆଠ ଆଠ କରି ଷୋହଳ ଜଣ ସମୁଦ୍ର ଭିତରକୁ ଗଲେ।

ଯେଉଁ ସ୍ଥାନରେ ସହର ସହିତ ରାଜନଅର ପାଣି ଭିତରୁ ହାଲୁକା ଦୃଶ୍ୟମାନ ହେଉଥିଲା, ସେଠାରେ ପୋଖତ ବୁଡ଼ାଳିମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ଆଦେଶ ଦିଆଗଲା। ଚାରି ଜଣ ବୁଡ଼ାଳି ପାଣି ଭିତରକୁ ଡେଇଁଲେ। ସେମାନେ ସାଙ୍ଗରେ କ୍ୟାମେରା ଧରି ଯାଇଥାଆନ୍ତି। କିଛି ବାଟ ଭିତରକୁ ଯିବା ପରେ ସେମାନେ ଏବଂ କ୍ୟାମେରାରେ ସିଧା ପ୍ରସାରଣ ଦେଖୁଥିବା ଲୋକମାନେ ଯାହା ଦେଖିଲେ, ଆଖିକୁ ବିଶ୍ୱାସ କରିପାରିଲେ ନାହିଁ। ସମୁଦ୍ର ଭିତରେ ଗୋଟିଏ ବଡ଼ ସହର ବୁଡ଼ି କରି ରହିଛି। ବୋଧହୁଏ ପାଣି ଭିତରେ ହଠାତ୍ ଭୂମିକମ୍ପ କାରଣରୁ ସହରଟି ଉପରକୁ ଉଠି ଆସିଛି। ଆଉ ଯେଉଁ ମୂଲ୍ୟବାନ ଧନରତ୍ନ ସମୁଦ୍ର କୂଳକୁ ଭାସି ଯାଇଛି, ସେସବୁ ରାଜନଅରର ରାଜକୋଷରୁ ବାହାରି ଭାସି ଯାଇଛି। ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ବୁଡ଼ାଳିମାନେ ସେହି ସହରର ଥିବା ଦରଭଙ୍ଗା ଘରମାନଙ୍କର କାନ୍ଥରୁ ନମୁନା ସଂଗ୍ରହ କର ନେଇ ଆସିଲେ। ତା'ପରଦିନ ସକାଳୁ ପୁଣିଥରେ ସେଠାରେ ଡେରା ପକାଇଲେ ଅନୁସନ୍ଧାନକାରୀ ଦଳ। ତାଙ୍କ ଭିତରେ ସେହି ସହର ଆନୁମାନିକ କେଉଁ ସମୟର ଜାଣିବା ପାଇଁ ଜଣେ ସୁନାମଧନ୍ୟ ଇତିହାସବିତ୍ ଆସି ଥାଆନ୍ତି, ଭୌଗୋଳିକ ଅବସ୍ଥିତି ଅନୁଧ୍ୟାନ କରିବା ପାଇଁ ଦୁଇ ଜଣ ଭୂତତ୍ତ୍ୱବିତ୍ ଥାଆନ୍ତି। ପୋଲିସ ଏବଂ ପୂର୍ବଦିନ ଆସିଥିବା ପୋଖତ ବୁଡ଼ାଳିମାନଙ୍କ ସହାୟତା ନେଇ ସେମାନେ ସମୁଦ୍ର ଭିତରକୁ ଗଲେ। ସେଠାରେ ପହଞ୍ଚିବା କ୍ଷଣି, ଆକାଶରେ ଘନକଳା ବାଦଲ ଘୋଟି ଆସିଲା। ଆସନ୍ନ ବିପଦର ସତର୍କ ସୂଚନା ଜାଣି ସେଦିନ ସେହି ଦଳ ବିନା କୌଣସି ତଥ୍ୟ ସଂଗ୍ରହ କରି ପ୍ରତ୍ୟାବର୍ତ୍ତନ କରିଥିଲେ। ଯେଉଁ ସୁନାମଧନ୍ୟ ଇତିହାସବିତ୍ ଯାଇଥିଲେ ସେଠାକୁ, ସେ ଆନୁମାନିକ ଭାବରେ କଳନା କରିଲେ ଯେ ସମ୍ଭବତଃ ସେହି ସହର ଦଶ ହଜାର ବର୍ଷ ତଳର ହୋଇଥାଇପାରେ। କାରଣ, ସେଠାକାର ଭୌଗୋଳିକ ଅବସ୍ଥିତି ଯେଉଁ ଦିଗ ଆଡ଼କୁ ନିର୍ଦ୍ଦେଶ କରୁଛି ତାହା ତାଙ୍କ ହିସାବରେ ବହୁ ପୁରାତନ ସଭ୍ୟତାର ଅଂଶ ବିଶେଷ। ସେଠାକାର ସଭ୍ୟତା ଏବଂ ଇତିହାସ ଜାଣିବା ପାଇଁ ପୁନର୍ବାର ସମୁଦ୍ର ଭିତରକୁ ଯିବାକୁ ପଡ଼ିବ। ସରକାରଙ୍କ ନିକଟରେ ଏକ ସ୍ୱତନ୍ତ୍ର ପତ୍ର ଜରିଆରେ ସେହି ଇତିହାସବିତ୍ ଜଣକ ନିଜର ଦାବି ଉପସ୍ଥାପନ କରିଥିଲେ। ସରକାର ମଧ୍ୟ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତାଙ୍କୁ ଅନୁମତି ପ୍ରଦାନ କରିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ଯେ, ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ। 

ପାଗ ଖରାପ ଲାଗି ରହିଲା ଏବଂ ଲଘୁଚାପ ବର୍ଷା ଲାଗି ରହିଥିଲା ପାଖାପାଖି ସାତ ଦିନ ପର୍ଯ୍ୟନ୍ତ। ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିଲା ସେହି ସାତଦିନ। ସାତ ଦିନ ପରେ ଯେତେବେଳେ ବର୍ଷା ଛାଡ଼ିଲା ପୁଣିଥରେ ଆରମ୍ଭ ହୋଇଥିଲା ସମୁଦ୍ର ଭିତରେ ସେହି ସହରର ଅନ୍ୱେଷଣ ଅଭିଯାନ। ଏଥର ଚାରୋଟି ବୋଟ୍ ଏବଂ ଦୁଇଟି ଡ଼ଙ୍ଗାରେ ବାରଟି ଦଳ ହୋଇ ସମୁଦ୍ର ଭିତରକୁ ଯାଇଥାଆନ୍ତି। କିନ୍ତୁ ଏହିଥର ସେମାନଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଯେଉଁ ସ୍ଥାନରେ ସହରଟି ସମ୍ୟକ୍ ଦୃଶ୍ୟମାନ ହେଉଥିଲା, ସେଠାରେ ଆଉ କିଛି ନାହିଁ। ପୋଖତ ବୁଡ଼ାଳି ମାନଙ୍କୁ ନିର୍ଦ୍ଦେଶ ଦିଆଗଲା ପାଣି ଭିତରକୁ ଓହ୍ଲାଇ ସହରର ଅବସ୍ଥିତି ବିଷୟରେ ଆଉଥରେ ପୁଷ୍ଟିକରଣ କରି ଆସିବେ। ସେମାନେ ପାଣି ଭିତରକୁ ଡେଇଁ ପାଖାପାଖି ପନ୍ଦର ଫୁଟ ଗଭୀରତା ପର୍ଯ୍ୟନ୍ତ ଖୋଜି ଆସିଲେ। କିନ୍ତୁ ସହରର କୌଣସି ଖୋଜ ଖବର ପାଇଲେ ନାହିଁ। ସାତ ଦିନ ପୂର୍ବରୁ କୂଳରୁ ମାତ୍ର ଅଳ୍ପ ଦୂରରେ ହିଁ ପାଣି ଭିତରେ ସହରର ପ୍ରତିଫଳନ ଦୃଶ୍ୟମାନ ହେଉଥିଲା‌। ଅଥଚ ସାତ ଦିନ ପରେ ସେହିଠାରେ ବୁଡ଼ି ଯାଇଥିବା ସହରର କୌଣସି ପତ୍ତା ମିଳୁ ନାହିଁ। ପୋଖତ ବୁଡ଼ାଳିମାନଙ୍କୁ ବୋଟ୍ ଉପରକୁ ଉଠି ଆସିବାକୁ ନିର୍ଦ୍ଦେଶ ଦିଆଗଲା। ପନ୍ଦର ଫୁଟରୁ ଆହୁରି ଗଭୀରତାକୁ ସହରଟିର ସନ୍ଧାନରେ କମ୍ପ୍ୟୁଟର ଚାଳିତ ଡ୍ରୋନ୍ କ୍ୟାମେରା ଯୁକ୍ତ ଅତ୍ୟାଧୁନିକ ଦୁଇଟି ଯନ୍ତ୍ର ପଠାଗଲା। ବୋଟ୍ ଉପରେ ଥାଇ ସନ୍ଧାନକାରୀ ଗବେଷକମାନେ ତାହାକୁ ପରିଚାଳିତ କରୁଥିଲେ। ତାହା ମଧ୍ୟ କୌଣସି ତଥ୍ୟ ଆଣି ପାରିଲା ନାହିଁ। ଏବେ ସମସ୍ତଙ୍କର ମନରେ ବିଷାଦର ଛାୟା। କେମିତି ସେହି ଆକସ୍ମିକ ଭାବରେ ଉପରକୁ ଉଠିଥିବା ସମୁଦ୍ର ତଳର ସହର ବିଷୟରେ ସନ୍ଧାନ କରିବା। ସାତ ଦିନ ଲଘୁଚାପ ଜନିତ ବର୍ଷା ଯୋଗୁଁ ସମୁଦ୍ର ଭିତରକୁ ଯିବାକୁ ସମସ୍ୟା ସୃଷ୍ଟି ହୋଇ ଗବେଷଣା କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଗଲା। ନଚେତ୍ ଏତେବେଳକୁ ସବୁ ତଥ୍ୟ ସଂଗ୍ରହ ହୋଇ ସହର ବିଷୟରେ ସଠିକ୍ ପ୍ରମାଣ ମିଳି ସାରନ୍ତାଣି। ଗବେଷକମାନେ ଏପରି ପରାଜୟକୁ ସ୍ୱୀକାର କରି ପାରୁ ନ ଥିଲେ। ସେଦିନ ସନ୍ଧ୍ୟା ପୂର୍ବରୁ ଫେରି ଆସିଲେ କୂଳକୁ। 

ସେହି ଘଟଣା ଘଟିବାର ଦୁଇ ମାସ ନ ପୂରୁଣୁ ପୁଣିଥରେ ସେହିପରି ଘଟଣା ଘଟିଲା। ଏଥର ପରିବେଶ ଅନୁକୂଳ ହେବାରୁ ସେହି ଦିନ ହିଁ ଅନୁସନ୍ଧାନ କରିବାକୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗଲେ ଇତିହାସବିତ୍ ଏବଂ ଭୂତତ୍ତ୍ୱବିତ୍ ମହାଶୟ। ବୋଟ୍ ଧରି ସମୁଦ୍ର ଭିତରକୁ ଗମନ କଲେ। ପୂର୍ବ ଥର ଭଳି ଉପରକୁ ଅବଶ୍ୟ ଏତେ ଦୃଶ୍ୟମାନ ହେଉ ନ ଥିଲା ସହରଟି। କିନ୍ତୁ ଯେତିକି ବି ଦେଖା ଯାଉଥିଲା ତାକୁ ଅନୁମାନ ଲଗାଇ ପୋଖତ ବୁଡ଼ାଳିମାନଙ୍କ ସହାୟତା ନେଇ ଇତିହାସବିତ୍ ଏବଂ ଭୂତତ୍ତ୍ୱବିତ୍ ସମୁଦ୍ର ଭିତରକୁ ଗଲେ। ବୁଡ଼ି ଯାଇଥିବା ସହରର ଗୋଟିଏ ସ୍ପଷ୍ଟ ଚିତ୍ର ଉତ୍ତୋଳନ କରାଯାଇଥିଲା। ସହରର ଅବସ୍ଥିତି ଓ ସ୍ଥାପତ୍ୟ ଆଦିରେ ଗଭୀର ଜ୍ଞାନ ନିମନ୍ତେ ସ୍କାନର୍ ଯନ୍ତ୍ର ସାହାଯ୍ୟରେ ସେହି ରାଜନଅରର କାନ୍ଥକୁ ସ୍କାନ୍ କରାଗଲା। ହଜାର ହଜାର ବର୍ଷ ଧରି ସମୁଦ୍ର ପାଣିରେ ବୁଡ଼ି ରହିଥିବା ସେହି ସହରର ସ୍ଥାପତ୍ୟ, ସମୁଦ୍ରର ଲୁଣି ପାଣିରେ କିପରି ଭାବରେ ନିଖୁଣ ରହିଛି ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ଇତିହାସବିତ୍। ନଅରର ପଥର କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ର ଖୋଦେଇ ହୋଇଥାଏ। ଅବଶ୍ୟ ଶିଉଳି ଲାଗି ଯାଇଛି ଏବଂ ସ୍ଥାନେ ସ୍ଥାନେ ସାମୁଦ୍ରିକ ଜୀବମାନେ ନିଜର ବାସସ୍ଥାନ ଭାବରେ ବ୍ୟବହାର କରୁଛନ୍ତି। ସହରର ଠିକ୍ ମଝିରେ ରାଜନଅରର ଅବସ୍ଥିତି। ଦିଗ ଅନୁସାରେ ରାଜ ନଅରର ପୂର୍ବକୁ ଗୋଟିଏ ବିରାଟ ଗମ୍ବୁଜ ଥିଲା। ସମ୍ଭବତଃ ଭୂମିକମ୍ପ କିମ୍ବା ସୁନାମି ସମୟରେ ଯେତେବେଳେ ସହର ସମୁଦ୍ର ଗର୍ଭରେ କ୍ରମଶଃ ଲୀନ ହୋଇ ଚାଲିଥିଲା, ସେହି ଗମ୍ବୁଜର ଅର୍ଦ୍ଧାଧିକ ଅଂଶ ପାଣି ମାଡ଼ରେ ଭାଙ୍ଗି ଯାଇଥିଲା। ତାହା ସେହିଭଳି ଭଗ୍ନ ଅବସ୍ଥାରେ ରହିଛି। ଉତ୍ତର-ପୂର୍ବ ଦିଗକୁ ଗୋଟିଏ ନାରୀ ମୂର୍ତ୍ତି ରହିଛି। ବୋଧହୁଏ ସେ ସେହି ସହରର ଶାସିକା ଥିଲେ। ସେହି ମୂର୍ତ୍ତି ମଧ୍ୟ ଅର୍ଦ୍ଧଭଗ୍ନ। ତଳକୁ ଏକ ପଥରରେ ତାଙ୍କର ପରିଚୟ ଲେଖା ଯାଇଅଛି। କିନ୍ତୁ କେଉଁ ଭାଷାରେ ତାହା ବୁଝା ପଡ଼ୁ ନ ଥାଏ। ଆଉ ଟିକିଏ ଆଗକୁ ଏକ ବିରାଟ ପଥର ଚଟାଣ ଉପରେ ସେହି ସଭ୍ୟତା ବିଷୟରେ ବିବରଣୀ ଲିଖିତ ହୋଇଛି ସିନା ନା ତାକୁ ବୁଝି ହେଉଛି....ନା ତାହା ସ୍ପଷ୍ଟ ଭାବରେ ଦିଶୁଛି। ତଥାପି ଇତିହାସବିତ୍ ଜଣକ ସବୁ ସ୍ଥାପତ୍ୟର ଫଟୋ ଉଠାଇ ନେଉ ଥାଆନ୍ତି। ଏତିକି ବେଳେ ନଅରର ପଶ୍ଚିମ ଭାଗରେ ଜଣେ ବୁଡ଼ାଳି କିଛି ଦେଖାଇବାକୁ ତାଙ୍କୁ ଡାକି ନେଲେ। ପଶ୍ଚିମ ଭାଗରେ ଯାଇ ଦେଖିବା ବେଳକୁ ତାଙ୍କ ଆଖି ଖୋସି ହୋଇଗଲା। ପାଖାପାଖି ଦଶ ବାରଟି ସିନ୍ଧୁକ ଖୋଲା ହୋଇ ପଡ଼ି ରହିଛି। ତା ଭିତରେ ଅଳଙ୍କାର ସବୁ ଚକମକ କରୁଛି। ସ୍ୱପ୍ନ ଦୁନିଆରେ ବିଚରଣ କରିବା ଭଳି ଭ୍ରମ ସୃଷ୍ଟି କରୁଛି। ବୁଡ଼ାଳିମାନଙ୍କ ସହାୟତାରେ ସିନ୍ଧୁକ ସବୁ ବୋଟ୍ ଉପରକୁ ନେବାକୁ ସ୍ଥିର କରି ଇତିହାସବିତ୍ ଏବଂ ଭୂତତ୍ତ୍ୱବିତ୍ ଉଭୟ ଲାଗି ପଡ଼ିଛନ୍ତି। ସେହି କ୍ଷଣି ଭୟଙ୍କର ଶବ୍ଦ କରି ସମୁଦ୍ର ଭିତରେ ଭୂମି କମ୍ପମାନ ହେବାକୁ ଲାଗିଲା। ଏବଂ ସେହି ସହର ଆହୁରି ତଳକୁ ଦବିବା ଆରମ୍ଭ କଲା। ଏପରି ଅବସ୍ଥା ଯେ, ଯଦି ସେମାନେ ଅଳଙ୍କାର ସିନ୍ଧୁକ ଲୋଭରେ ରହିବେ ତେବେ ସମସ୍ତେ ଜଳସମାଧି ନେଇଯିବେ। କାରଣ ପାଣି ଉପରେ ବିରାଟ ବଡ଼ ବଡ଼ ଜୁଆର ଉଠୁଥାଏ। ସେମାନଙ୍କ ଅବସ୍ଥିତି ଠାରୁ ଦଶ କିଲୋମିଟର ଦୂରରେ ଏକ ଭଉଁରୀ ସୃଷ୍ଟି ହୋଇ ଆକାଶରେ ବିଜୁଳି ଘଡ଼ଘଡ଼ି ମାରିବା ଆରମ୍ଭ ହେଲା। ଏଭଳି ସ୍ଥିତିରେ ସମସ୍ତେ ନିଜ ଜୀବନ ରକ୍ଷା ଏକାନ୍ତ ଆବଶ୍ୟକ ମନେ କରି ଲୋଭ ତ୍ୟାଗ କରି ତୁରନ୍ତ ସମୁଦ୍ର ଭିତରୁ ବାହାରି ଆସିଲେ ଏବଂ ବୋଟ୍ ଧରି କୂଳକୁ ଫେରିଲେ। ସେଦିନ ସେମାନେ ଖାଲି ହାତରେ ଫେରିଥିଲେ ବୋଲି ଚର୍ଚ୍ଚା ହେଉଥିଲା ସମାଚାରରେ। କିନ୍ତୁ ସମୁଦ୍ର ଭିତରକୁ ଯାଇଥିବା ଅନୁସନ୍ଧାନକାରୀ ଦଳ ହୃଦୟଙ୍ଗମ କରିଥିଲେ ଯେ, ଜୀବନ ଠାରୁ ମୂଲ୍ୟବାନ ସମ୍ପଦ ଦୁନିଆରେ କିଛି ବି ନୁହେଁ।


"ସମୁଦ୍ର ଗର୍ଭରେ ଲୁକ୍କାୟିତ ଅଛି ଅନେକ ରହସ୍ୟ

କାଣିଚାଏ ସୁଦ୍ଧା ଜାଣିପାରି ନାହିଁ ଜିଜ୍ଞାସୁ ମନୁଷ୍ୟ।"


Rate this content
Log in

Similar oriya story from Fantasy